ଓମାନରେ ଚମକିଲେ ଓଡ଼ିଆ ବୋହୂ, କୋଭିଡ ଯୋଦ୍ଧା ସାଜି କିଣୁଛନ୍ତି ସଭିଙ୍କ ମନ

ଭୁବନେଶ୍ୱର: କରୋନା ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି | ମଧ୍ୟପ୍ରାଚ୍ୟର ଦେଶ ଓମାନରେ ବି ସାତ ହଜାର ଟପିଛି ପଜିଟିଭଙ୍କ ସଂଖ୍ୟା | ଏଠାରେ ୩୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏସବୁ ଭିତରେ କିନ୍ତୁ ଏବେ ଓମାନବାସୀଙ୍କ ମନ ଜିତିଛନ୍ତି ଜଣେ ଓଡ଼ିଆ ବୋହୂ| ସେଠାରେ କରୋନା ଲଢେଇରେ ନିଜକୁ ସାମିଲ କରିଛନ୍ତି ଓଡ଼ିଆ ଝିଅ ସୋନାଲି ମହାନ୍ତି | ଆରବ ସାଗର କୂଳରେ ଥିବା ଓମାନ ଦେଶରେ ଏବେ ଜଣେ ଓଡ଼ିଆ ବୋହୂ କରୋନା ଯୋଦ୍ଧା ସାଜିଛନ୍ତି | ବଲାଙ୍ଗିରର ଝିଅ ସୋନାଲି ଜଣେ ମାଇକ୍ରୋବାୟୋଲୋଜିଷ୍ଟ ଭାବେ ଏବେ କାମରେ ଲାଗିପଡିଛନ୍ତି |

ଦିନକୁ ୧୨ ଘଣ୍ଟା କରୋନା ସନ୍ଦିଗ୍ଧଙ୍କ ସ୍ବାବ ସଂଗ୍ରହ ସାଙ୍ଗକୁ କିଭଳି ରିପୋର୍ଟ ଆସିବ ସେଥିପାଇଁ ଦିନ ରାତି ଏକ କରିଦେଇଛନ୍ତି ଓଡ଼ିଆ ବୋହୂ| ସ୍ୱାମୀ ଓମାନରେ ରହୁଥିବା ବେଳେ ଏବେ ଓମାନବାସୀଙ୍କ ପାଇଁ ନିଜକୁ ସମର୍ପିତ କରିଛନ୍ତି ସୋନାଲି | ମଧ୍ୟପ୍ରାଚ୍ୟର ଦେଶ ଓମାନରେ ଯେତେବେଳେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା ଅଧିକ ସଂଖ୍ୟାରେ ନମୁନା ପରୀକ୍ଷଣ ପାଇଁ ସରକାର ଅଣ୍ଟା ଭିଡ଼ିଥିଲେ | ଯେଉଁମାନେ ମାଇକ୍ରୋ ବାୟୋଲୋଜିଷ୍ଟ କୋର୍ସ କରିଛନ୍ତି ସେମାନେ ସ୍ୱତଃ ଯୋଗ ଦେବାକୁ କୁହାଯାଇଥିଲା |

ସମାଜସେବାକୁ ଜୀବନର ମୂଳ ମନ୍ତ୍ର ଭାବିଥିବା ସୋନାଲି କେମିତି ବା ଚୁପ ହୋଇ ବସି ରହିଥାନ୍ତେ | ଠିକ ସେଥିପାଇଁ ଓମାନର କରୋନା ଲଢେଇରେ ନିଜକୁ ସାମିଲ କରିଥିଲେ | ଜିରୋ କରୋନା ମିଶନ ପାଇଁ ଆଗକୁ ବଢିଥିବା ସୋନାଲି ସଫଳ ହୋଇ ଓଡିଶାକୁ ଗର୍ବିତ କରନ୍ତୁ ଏହା ହିଁ କାମନା |

ସମ୍ବନ୍ଧିତ ଖବର