୩୦ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ‘ମିସ୍‌ ଇଣ୍ଡିଆ ଆର୍ଟିଷ୍ଟ’ ପଦବୀ ଜିତିଲେ ଓଡ଼ିଆ ଝିଅ ସନ୍ତୋଷୀ ଦାସ!

ଦୃଢ ଇଚ୍ଛାଶକ୍ତି ଏବଂ ପରିଶ୍ରମ ବଳରେ ମିଳିଥାଏ ଅନେକ ସଫଳତା। ଏହାକୁ ସତ୍ୟତାରେ ପ୍ରତିପାଦନ କରିଛନ୍ତି ଓଡିଆ ଝିଅ ସନ୍ତୋଷୀ ଦାସ। ଯେକି ମହିଳା ଦିବସ ଅବସରରେ ମୁମ୍ବାଇରେ ଏକ ସର୍ବଭାରତୀୟ କଳା ପ୍ରତିଯୋଗିତା ଅଂଶଗ୍ରହଣ କରି ୩୦ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ଜିତିଛନ୍ତି ‘ମିସ୍‌ ଇଣ୍ଡିଆ ଆର୍ଟିଷ୍ଟ’ ପଦବୀ। ଯାହାଫଳରେ ସର୍ବଭାରତୀୟ ସ୍ତରରେ ଜିଲ୍ଲା ତଥା ରାଜ୍ୟ ପାଇଁ ସାଉଁଟି ଆଣିଛନ୍ତି ଅନେକ ଗର୍ବ ଏବଂ ଗୌରବ।

ମହିଳା ଦିବସ ଅବସରରେ ମୁମ୍ବାଇରେ ଏକ ସର୍ବଭାରତୀୟ କଳା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଏବଂ ଏହି ପ୍ରତିଯୋଗିତା ଅନଲାଇନ୍‌ ମାଧ୍ୟମରେ ହୋଇଥିଲା। ପିପୁଲସ୍‌ ଆର୍ଟ ଫାଉଣ୍ଡେସନ ତରଫରୁ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ପାଖାପାଖି ୩୦ ହଜାରରୁ ଅଧିକ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ମେ ୧୫ ତାରିଖ ଠାରୁ ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯିବା ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ତେବେ ୩୦ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ସନ୍ତୋଷୀ ହାସଲ କରିଥିଲେ ୨୦୧୮ର ମିସ୍‌ ଇଣ୍ଡିଆ ଆର୍ଟିଷ୍ଟ ପଦବୀ।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଆନନ୍ଦ ବଜାର ଅଞ୍ଚଳର ଦିନାରୀ ଗାଁରେ ସନ୍ତୋଷୀଙ୍କର ଘର। ସନ୍ତୋଷୀ ଏବେ ଭଦ୍ରକ ଆର୍ଟ ଏବଂ କ୍ରାଫ୍‌ଟ କଲେଜର ତୃତୀୟ ବର୍ଷ ଛାତ୍ରୀ। ସନ୍ତୋଷୀଙ୍କ ଏଭଳି ସଫଳତା ନେଇ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଭବିଷ୍ୟତରେ କଳାରେ ଶୀର୍ଷ ସ୍ଥାନରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ମହିଳାମାନଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିବେ ବୋଲି ସନ୍ତୋଷୀ କହିଛନ୍ତି ।

ସମ୍ବନ୍ଧିତ ଖବର