ସାମ୍ବାଦିକତା ଜୀବନରେ ଖବରକାଗଜ ସହିତ ବନ୍ଧୁତା ରହିବା ସ୍ୱାଭାବିକ କଥା। କିନ୍ତୁ ସାମ୍ବାଦିକତା କରୁ କରୁ ଖବରକାଗଜ ସହିତ ବନ୍ଧୁତା ଏତେ ଦୃଢ଼ ହୋଇଗଲା ଯେ ଏବେ ସମଗ୍ର ବିଶ୍ୱର ଖବର କାଗଜ ସଂଗ୍ରହ କରିବା ନିଶାରେ ପଡିଯାଇଛନ୍ତି ଏହି ଓଡ଼ିଆ ବ୍ୟକ୍ତି ଜଣକ। ସେ ହେଉଛନ୍ତି ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ଅରଙ୍ଗାବାଦ ଗାଁର ଶଶାଙ୍କ ଶେଖର ଦାସ। ଶଶାଙ୍କ ଇତିମଧ୍ୟରେ ୭୬ ଦେଶରୁ ୬୮ଟି ଭାଷାରେ ପ୍ରକାଶିତ ହେଉଥିବା ୩ ହଜାରରୁ ଉର୍ଦ୍ଧ୍ୱ ଖବରକାଗଜ ସଂଗ୍ରହ କରି ଲିମକା ଓ ଇଣ୍ଡିଆ ବୁକ ଅପଂ ରେକର୍ଡ୍ସରେ ସ୍ଥାନ ପାଇପାରିଛନ୍ତି। ଏଥିସହିତ ଗିନିଜ ବୁକ ଅପଂ ରେକର୍ଡ୍ସରେ ସ୍ଥାନ ପାଇବା ପାଇଁ ସେ ମଧ୍ୟ ଆବେଦନ କରିଛନ୍ତି। ଶଶାଙ୍କର ଏଭଳି ଏକ ନିଆରା ନିଶା ପାଇଁ ତାଙ୍କୁ ପେପର ବୟର ଆଖ୍ୟା ପାଇବା ସହିତ ବିଭିନ୍ନ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇ ଗୌରବର ଅଧିକାରୀ ହୋଇ ପାରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅରଙ୍ଗାବାଦରେ ବାସ କରନ୍ତି ଶଶାଙ୍କ ଶେଖର ଦାସ। ପେଶାରେ ସେ ଜଣେ ସମ୍ବାଦିକ ହୋଇଥିବାରୁ ତାଙ୍କର ଖବର କାଗଜ ପ୍ରତି ଏକ ଭଲପାଇବା ଥିଲା। ସେ ପ୍ରତିଦିନ ଖବର କାଗଜ ପଢୁଥିଲେ । ଧିରେ ଧିରେ ଖବରକାଗଜ ତାଙ୍କର ଏକ ନିଶା ପାଲଟିଯାଇଥିଲା। କିନ୍ତୁ ଆଜି ତାଙ୍କ ନିଶା ପାଲଟିଯାଇଛି ଖବର ସଂଗ୍ରହ। ଖାସ ଏଇ ନିଆରା ନିଶା ପାଇଁ ସାରା ରାଜ୍ୟରେ ପେପର ବୟ ଭାବେ ବେଶ ଜଣାଶୁଣା। ସାମ୍ବାଦିକତା କରୁ କରୁ ଖବର କାଗଜ ସଂଗ୍ରହ କରିବାର ନିଶା ଲାଗିଗଲା। ପ୍ରଥମେ ଓଡିଆ ଖବର କାଗଜ ପରେ ରାଜ୍ୟ ବାହାରର ଖବରକାଗଜ ଓ ଏବେ ସମଗ୍ର ବିଶ୍ୱର ଖବର କାଗଜ ସଂଗ୍ରହ ନିଶାରେ ପଡିଯାଇଛନ୍ତି ଶଶାଙ୍କ। ଏ ପର୍ଯ୍ୟନ୍ତ ମୋଟ ୭୬ଟି ଦେଶରୁ ୬୮ଟି ଭାଷାରେ ପ୍ରକାଶିତ ହେଉଥିବା ୩ ହଜାରରୁ ଉର୍ଦ୍ଧ୍ୱ ଖବର କାଗଜ ସଂଗ୍ରହ କରିଛନ୍ତି। ଯେଉଁଥି ପାଇଁ ସେ ଲିମକା ଓ ଇଣ୍ଡିଆ ବୁକ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇପାରିଛନ୍ତି।
କେବଳ ଦେଶ ବିଦେଶର ଖବର କାଗଜ ସଂଗ୍ରହ ନୁହେଁ ଏହାକୁ ସଂରକ୍ଷିତ କରିବା ସହିତ ଗବେଷଣା କରୁଥିବା ସ୍କଲାରମାନଙ୍କୁ ସାହାଯ୍ୟ ମଧ୍ୟ କରନ୍ତି। ଏଥିପାଇଁ ନିଜ ଅଞ୍ଚଳରେ ଏକ ସଂଗ୍ରହାଳୟ ମଧ୍ୟ ଖୋଲିଛନ୍ତି। ଯେଉଁଠିକି ବିଭିନ୍ନ ସ୍ଥାନରୁ ଅନେକ ଲୋକ ଆସି ଖବର କାଗଜ ସଂପର୍କରେ ଜ୍ଞାନ ଆହରଣ କରିଥାନ୍ତି। ଶଶାଙ୍କ ଖବରକାଗଜ ସଂଗ୍ରହ ସହିତ ଲେଖାଲେଖି କରିବାରେ ମଧ୍ୟ ରୁଚି ରଖନ୍ତି। ଶଶାଙ୍କର ଏଭଳି ନିଆରା ନିଶା ପାଇଁ ରାଜ୍ୟ ଓ ରାଜ୍ୟ ବାହାରର ଅନେକ ସଂସ୍ଥା ଓ ସଂଗଠନ ପକ୍ଷରୁ ମଧ୍ୟ ସ୍ୱୀକୃତି ମିଳିଛି। ଏଥିସହିତ ଗିନିଜ ବୁକ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇବା ପାଇଁ ମଧ୍ୟ ସେ ଆବେଦନ କରିଛନ୍ତି।