ଓଡ଼ିଆ ଭାଷାରେ କାର୍ଯ୍ୟ କରୁନଥିବା ଅଧିକାରୀମାନଙ୍କୁ ଦଣ୍ଡିତ କରାଯିବ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାକୁ ସଠିକ୍ ପ୍ରୟୋଗ ପାଇଁ ପୁରସ୍କୃତ କରାଯିବ। ସମସ୍ତ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକକୁ ବାଧ୍ୟତାମୂଳକ କରାଯିବ। ସର୍ବୋପରି, ଏପ୍ରିଲ୍ ପହିଲାରୁ ସରକାରୀ ଭାଷା ଆଇନ୍ ଭାବେ ଓଡ଼ିଆ ବ୍ୟବହାର କରାଯିବ। ରାଜ୍ୟ କ୍ୟାବିନେଟ୍ ଏ ସଂକ୍ରାନ୍ତରେ ନିଆଯାଇଥିବା ନିଷ୍ପତ୍ତି ବା ଅନୁମୋଦନ ଏବେ ବି ସଠିକ୍ ଭାବେ କାର୍ଯ୍ୟକାରୀ ହୋଇନାହିଁ। ଓଡ଼ିଆ ଭାଷା ପ୍ରତି ଉଲ୍ଲେଖିତ ନିଷ୍ଠାପରତାର ଏବେ ବି ଅଭାବ ରହିଛି। ଯାହାକି, ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ନଜିର୍ ଦେଖିବାକୁ ମିିଳିଛି। ଏହି ପ୍ରସଙ୍ଗରେ ‘ସମ୍ବାଦ’ର ଏକ ସ୍ୱତନ୍ତ୍ର ଉପସ୍ଥାପନା….।
Sambad is now on WhatsApp
Join and get latest news updates delivered to you via WhatsApp
ବଙ୍ଗଳା, ତେଲୁଗୁରେ ସାଇନ୍ବୋର୍ଡ
ମାଲକାନଗିରି : ଓଡ଼ିଆ ନାମ ଫଳକ ବାଧ୍ୟତାମୂଳକ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଇତିମଧ୍ୟରେ ୩ ସପ୍ତାହ ବିତିଯାଇଥିଲେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଓଡ଼ିଆ ଭାଷା ପ୍ରୀତିରେ ଘୋର୍ ଅଭାବ ଦେଖିବାକୁ ମିଳିଛି।
ଏହି ଜିଲ୍ଲା ୩ ଟି ରାଜ୍ୟର ସୀମାକୁ ଲାଗିଛି। ମୋଟ ଜନସଂଖ୍ୟାର ୭୦ ପ୍ରତିଶତ ଆଦିବାସୀ। ବଣ୍ଡା, କୋୟା ଓ ଦିଦାଇ ଭଳି ଆଦିମ ଜନଜାତିଙ୍କ ସ୍ୱତନ୍ତ୍ର ଭାଷା ରହିଛି। ନିଜ ପାରମ୍ପରିକ ଭାଷାକୁ ସେମାନେ ଏପର୍ଯ୍ୟନ୍ତ ଛାଡ଼ିପାରି ନଥିବା ବେଳେ ନିରକ୍ଷରଙ୍କ ସଂଖ୍ୟା ବି ଯଥେଷ୍ଟ ରହିଛି। ଏଭଳି ସ୍ଥିତିରେ ଓଡ଼ିଆ ନାମ ଫଳକ ସେମାନଙ୍କ ଜୀବନ, ଜୀବିକା ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ। ସେହିପରି ବଙ୍ଗଳାଦେଶରୁ ଶରଣାର୍ଥୀ ଭାବେ ଆସିଥିବା ବଙ୍ଗୀୟ ପରିବାର ସଂଖ୍ୟା ଜିଲ୍ଲାରେ ପ୍ରାୟ ୨୦ପ୍ରତିଶତ। ଦୀର୍ଘ ବର୍ଷ ରହିବା ପରେ ଓ ଓଡ଼ିଆ ବିଦ୍ୟାଳୟରେ ପାଠ ପଢ଼ିବା ସତ୍ୱେ ସେମାନେ ନିଜ ମୂଳ ଭାଷା ବଙ୍ଗଳାକୁ ଏପର୍ଯ୍ୟନ୍ତ ଭୁଲିପାରି ନାହାନ୍ତି। ବଙ୍ଗୀୟ ଭାଷାଭାଷୀ ବହୁଳ ଗାଁଗୁଡ଼ିକରେ ଓଡ଼ିଆ ଭାଷାର ବ୍ୟବହାର ଅତି କମ୍। ସେହିପରି କିଛି ବଙ୍ଗୀୟ ପ୍ରଭାବିତ ଅଞ୍ଚଳରେ ଏବେ ମଧ୍ୟ ବଙ୍ଗଳା ନାମଫଳକ ସବୁ ଦେଖିବାକୁ ମିଳୁଛି। ତେଣୁ ବଙ୍ଗୀୟ ଶରଣାର୍ଥୀ ବହୁଳ ଅଞ୍ଚଳରେ ନାମ ଫଳକକୁ ନିର୍ଧାରିତ ସମୟ ସୀମା ମଧ୍ୟରେ ପରିବର୍ତନ କରିବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ଏହାବ୍ୟତୀତ ସେମାନଙ୍କ ଉପରେ ଓଡ଼ିଆ ନାମଫଳକ ପାଇଁ ଚାପ ପକାଇଲେ ତାହାର ନକାରାତ୍ମକ ପ୍ରଭାବ ବି ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।
ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସୀମାନ୍ତବର୍ତୀ ଜିଲ୍ଲା ହୋଇଥିବାରୁ ବ୍ୟବସାୟ, ସ୍ୱାସ୍ଥ୍ୟ ସେବା ସହ ଅନ୍ୟାନ୍ୟ ସୁବିଧା ପାଇଁ ଏଠାକାର ଲୋକେ ବର୍ଷ ତମାମ ନିର୍ଭର କରନ୍ତି। ବହୁ ବର୍ଷର ସମ୍ପର୍କ ଏବଂ ବହୁ ସଂଖ୍ୟାରେ ତେଲୁଗୁ ଭାଷାଭାଷୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବସବାସ କରୁଛନ୍ତି। ତେଣୁ ତେଲୁଗୁ ଭାଷାର ପ୍ରଭାବ ବି ଦେଖିବାକୁ ମିଳେ। ସେହିପରି ଛତିଶଗଡ଼ ସୀମାକୁ ଲାଗି ରହିଥିବାରୁ ହିନ୍ଦୀ ସହ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ବି ସୀମାନ୍ତର ଲୋକେ କଥା ହୋଇଥାନ୍ତି। ଏପରିକି ଛତିଶଗଡ଼ ସୀମାନ୍ତ ଗାଁଗୁଡ଼ିକରେ ହିନ୍ଦୀ ନାମଫଳକ ଆଦୌ ନୂଆ କଥା ନୁହେଁ।
ଓଡ଼ିଆ ଦୁର୍ବଳ, ଇଂରାଜୀ ମାଳମାଳ
କେନ୍ଦୁଝର : ଓଡ଼ିଆ ଭାଷାରେ ନାମଫଳକ ଲେଖା ହେବ। ସରକାରୀ କାର୍ଯ୍ୟାଳୟଠୁ ଆରମ୍ଭ କରି ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ବିଭିନ୍ନ ସରକାରୀ ବୋର୍ଡ ଓଡ଼ିଆରେ ଲେଖା ହେବ। ରାଜ୍ୟ ସରକାରଙ୍କ ଏଭଳି ନିର୍ଦ୍ଦେଶକୁ କଡ଼ାକଡ଼ି କରିବାକୁ ବାରମ୍ବାର ଜିଲ୍ଲା ପ୍ରଶାସନ ବୈଠକ କରୁଛି। କିନ୍ତୁ ଫଳାଫଳ ଶୂନ୍ ହେଉଛି। ଏପରିକି ଯେଉଁ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଉଛନ୍ତି, ସେମାନଙ୍କ କାର୍ଯ୍ୟାଳୟର ବୋର୍ଡ ବି ଇଂରାଜୀରେ ଲେଖା ଯାଇଥିବା ଦେଖାଯାଉଛି।
ଓଡ଼ିଆ ଭାଷାରେ ସାଇନ୍ବୋର୍ଡ ଏବଂ କାର୍ଯ୍ୟାଳୟ ଠିକଣା ଲେଖିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେବା ପରେ ଜିଲ୍ଲାସ୍ତରରେ ଜିଲ୍ଲାପାଳ ବି ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏହି ନିର୍ଦ୍ଦେଶ ଠିକ୍ ଭାବେ କାର୍ଯ୍ୟକାରୀ ନ ହେବାରୁ ଗତ ୧୭ ତାରିଖରେ ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦରବାର ହଲ୍ଠାରେ ଆଉ ଏକ ବୈଠକ ବସିଥିଲା। ଏହି ବୈଠକରେ ଜିଲ୍ଲାପାଳ ଆଶିଷ ଠାକ୍ରେ ଉପସ୍ଥିତ ରହି ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟର ସାଇନ୍ବୋର୍ଡ ଓଡ଼ିଆରେ ଲେଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦେଶ ପରେ ‘ସମ୍ବାଦ’ ଟିମ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବିଭିନ୍ନ ସରକାରୀ ଦପ୍ତରକୁ ଯାଇଥିଲା। ସେଠାରେ ଅଧିକାଂଶ ସରକାରୀ କାର୍ଯ୍ୟାଳୟର ସାଇନବୋର୍ଡ ଇଂରାଜୀରେ ଥିବା ଦେଖିବାକୁ ମିଳିଥିଲା। ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ୍ ପରିସଂଖ୍ୟନ କାର୍ଯ୍ୟାଳୟ, କେନ୍ଦୁଝର ପୁଲିସ କ୍ଲବ୍, ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ, କେନ୍ଦୁଝର ସରକାରୀ ଜିମ୍ନାସିୟମ୍ ଏବଂ ଇଣ୍ଡୋର ଷ୍ଡାଡିୟମ୍, ଜିଲ୍ଲା କୋଷାଗାର, ସହରର ସମସ୍ତ ଟ୍ରାଫିକ୍ ପୋଷ୍ଟର ବୋର୍ଡ, ଜିଲ୍ଲା ସୈନିକ ବୋର୍ଡ, ପୂର୍ତ୍ତ ବିଭାଗ ରାସ୍ତାର ସାଇନ୍ ବୋର୍ଡ, ସାନଘାଗରା ନେଚର କ୍ୟାମ୍ପର ବୋର୍ଡରେ ଇଂରାଜୀ ଲେଖା ଦେଖିବାକୁ ମିଳିଥିଲା। ତେବେ ସବୁଠୁ ବଡ଼ କଥା ହେଉଛି, ଖୋଦ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କାନ୍ଥକୁ ଲାଗିଥିବା ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ୍ ପରିସଂଖ୍ୟନ କାର୍ଯ୍ୟାଳୟ, ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ, ବୋର୍ଡ, ଜିଲ୍ଲା ସୈନିକ ବୋର୍ଡ କାର୍ଯ୍ୟାଳୟର ନାମ ଫଳକ ଆଦି ଓଡ଼ିଆରେ ଲେଖା ନ ହେବା ଅନେକଙ୍କୁ ବିସ୍ମିତ କରିଛି। ଖାଲି ସରକାରୀ ନୁହେଁ, ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାର ଦିଗ ନିର୍ଣ୍ଣୟ ଏବଂ ଦୂରତା ସଂପର୍କିତ ସୂଚନା ଫଳକ ଓ ସହରର ଅଧିକାଂଶ ବ୍ୟବସାୟିକ ପ୍ରତିଷ୍ଠାନର ଫଳକ ମଧ୍ୟ ଇଂରାଜୀରେ ଲେଖାଯାଇଛି।
ଏ ସଂପର୍କରେ ଜିଲ୍ଲାପାଳ ଆଶିଷ ଠାକ୍ରେଙ୍କୁ ପଚାରିବାରୁ ସେ କହିଥିଲେ, ଏ ନେଇ ବୈଠକ ବସି ଆଲୋଚନା ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ସମସ୍ତଙ୍କୁ ଓଡ଼ିଆରେ ସାଇନ୍ବୋର୍ଡ ଲେଖିବାକୁ ଅନୁରୋଧ କରାଯାଇଛି। ପରବର୍ତ୍ତୀ ସମୟରେ ସରକାରୀ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କିଏ କ’ଣ କୁହନ୍ତି
ମାନସ ମାଡକାମୀ, (ବିଧାୟକ): ‘ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଓଡ଼ିଆ ନାମଫଳକ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ପ୍ରଶାସନ ସହ ଆଲୋଚନା କରି କିପରି ତୁରନ୍ତ ଏହା କାର୍ଯ୍ୟକାରୀ ହେବ ସେଥିପାଇଁ ପ୍ରସ୍ତୁତି ଚାଲିଛି।’
ମନିଷ ଆଗ୍ରୱାଲ, (ଜିଲ୍ଲାପାଳ): ‘ ଓଡ଼ିଆରେ ନାମଫଳକ ଲେଖାଯିବା ନେଇ ଅବଗତ ରହିଛି। ଏନେଇ ସରକାରଙ୍କ କ’ଣ ନିର୍ଦେଶ ଦେଇଛନ୍ତି ସେ ଦେଖିନାହାନ୍ତି। କିନ୍ତୁ ଆସନ୍ତା ୧୫ ଦିନ ମଧ୍ୟରେ ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ।’
ଲିଙ୍ଗରାଜ ପଣ୍ଡା, (ଉପଜିଲ୍ଲାପାଳ): ‘ ଓଡ଼ିଆ ନାମ ଫଳକ ସଂପର୍କିତ ଚିଠି ମିଳିଛି। ପୌର ପାଳିକା ପକ୍ଷରୁ ଏନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ’
ତପନ ସାନା, (ବ୍ୟବସାୟୀ): ‘ ଓଡ଼ିଆରେ ନାମଫଳକ ଲେଖାଯିବା ନେଇ ଆମେ ଗଣମାଧ୍ୟମରେ ଶୁଣିଛୁ ଏବଂ ପଢିଛୁ। ତେବେ ଜିଲ୍ଲା ପ୍ରଶାସନ ତରଫରୁ ଏଭଳି କୌଣସି ନିର୍ଦେଶ ଏପର୍ଯ୍ୟନ୍ତ ମିଳିନାହିଁ। ’
ସୁରେଶ ସୋମାନି, (ବ୍ୟବସାୟୀ): ‘ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ନୋଟିସ୍ ଦିଆଯାଇ ନାହିଁ। ରାଜ୍ୟ ସରକାରଙ୍କ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।’ଲମ୍ବୋଦର ତୁର୍କୁ (ଓକିଲ ସଂଘ ସଂପାଦକ): ‘ ଗଣମାଧ୍ୟମରୁ ଏନେଇ ଅଧିକାଂଶ ଲୋକ ଜାଣିଛନ୍ତି। ହେଲେ ଏପର୍ଯ୍ୟନ୍ତ କେହି ସେଦିଗରେ ପଦକ୍ଷେପ ନେଇ ନାହାନ୍ତି। ପ୍ରଶାସନର ତାଗିଦ ପରେ ହୁଏତ ଲୋକେ ନାମଫଳକ ଗୁଡ଼ିକ
ପରିବର୍ତନ କରିବେ। ’