ବିକାଶର ଅର୍ଥ କେବଳ ଅର୍ଥନୈତିକ ବିକାଶ ନୁହେଁ: ସ୍ୱାମୀ ମୁକୁନ୍ଦାନନ୍ଦ

ଓଡ଼ିଶା ନିର୍ମାଣ କନକ୍ଲେଭ୍‌

ସାରା ବିଶ୍ବରେ ଗତ ୭୦/୮୦ ବର୍ଷରେ ଯେତିକି ବିକାଶ ହୋଇଛି, ସେଥିରେ ଧ୍ୟାନ କେବଳ ଅର୍ଥନୀତି ଉପରେ ରହିଛି। ବିକାଶର ମାନେ ନୁହେଁ କେବଳ ଅର୍ଥନୈତିକ ବିକାଶ। ଅର୍ଥନୈତିକ ବିକାଶ ସହ ସ୍ବାସ୍ଥ୍ୟ ସେବାର ବିକାଶ, ଶିକ୍ଷା ବ୍ୟବସ୍ଥାର ବିକାଶ, ଗ୍ରାମୀଣ ଯୁବକଙ୍କୁ ନିଯୁକ୍ତି ମିଳିବା ଦରକାର, ସମସ୍ତେ ଖୁସିରେ ରହିବା ଦରକାର। କନକ ନ୍ୟୁଜ୍‌ ପକ୍ଷରୁ ଆୟୋଜିତ ଓଡ଼ିଶା ନିର୍ମାଣ କନକ୍ଲେଭ୍‌ରେ ଯୋଗଦେଇ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ମୁକୁନ୍ଦାନନ୍ଦ ଏହା କହିଛନ୍ତି।

‘ଅର୍ଥନୈତିକ ପ୍ରଗତିରେ ଆଧ୍ୟାତ୍ମିକତାର ଭୂମିକା କ’ଣ’ ଶୀର୍ଷକ ବିଷୟବସ୍ତୁ ଉପରେ କନକ ନ୍ୟୁଜ୍‌ର ଅଭିନ୍ନ ଆଶୁତୋଷଙ୍କ ସହ ଆଲୋଚନା କରି ସ୍ବାମୀ ମୁକୁନ୍ଦାନନ୍ଦ କହିଥିଲେ ଯେ ବିକାଶର କଥା ଉଠିଲେ, ଆମ ସଂସ୍କୃତି ଉପରେ ବିଶେଷ ଧ୍ୟାନ ଦେବା ଦରକାର। ଆମ ସଂସ୍କୃତି ଆଧ୍ୟାତ୍ମିକ କେନ୍ଦ୍ରିତ। ବ୍ୟକ୍ତିତ୍ୱ ନିର୍ମାଣ ଓ ବିକାଶରେ ଆଧ୍ୟାତ୍ମିକତା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପରିଭାଷାରେ ତ୍ରୁଟି ରହିଲେ ବିକାଶ ଅସମ୍ଭବ। କର୍ମ ସୁଧାରିବାକୁ ହେଲେ ନିଜର ବିଚାରକୁ ସୁଧାରିବାକୁ ପଡ଼ିବ।

ସ୍ବାମୀଜୀ କହିଥି‌ଲେ ଯେ ପ୍ରତ୍ୟେକ ଓଡ଼ିଆ ନିଜର ବିଚାରକୁ ଉତ୍କୃଷ୍ଟ କରିପାରିଲେ, ଓଡ଼ିଶାର ବିକାଶ ହୋଇପାରିବ। ଏଥିପାଇଁ ଭଲ କାମ କରିବା ଦରକାର, ନିଜେ ଭଲ ହେବା ଦରକାର ଏବଂ ଭଲ ଭାବନା ରଖିବା ଦରକାର। ଓଡ଼ିଶାର ଇତିହାସ ଅତ୍ୟନ୍ତ ଗୌରବଶାଳୀ। ଏହାର ଶିଳ୍ପ କଳା ବିକଶିତ ଥିଲା, ରାଜାମାନେ ପରାକ୍ରମୀ ଥିଲେ। କିନ୍ତୁ ମଧ୍ୟବର୍ତ୍ତୀ କାଳରେ ଓଡ଼ିଶାର ବିକାଶ ମନ୍ଥର ହୋଇଯାଇଥିଲା। ହେଲେ ଆଧୁନିକ ନିର୍ମାଣ ଯୁଗରେ ଓଡ଼ିଶା ଉପରେ ସମସ୍ତଙ୍କ ନଜର। ଓଡ଼ିଶାର ଅର୍ଥନୀତି ଏକ ଟ୍ରିଲିଅନ୍‌ ଛୁଇଁ ପାରିବ।

ସ୍ବାମୀଜୀ ଆହୁରି କହିଥି‌ଲେ ଯେ ବିକାଶର ପରିଣାମ ପରିବେଶକୁ ଖରାପ ନକରୁ। ବିକାଶର ଫାଇଦା ସମସ୍ତଙ୍କୁ ମିଳୁ। ବିକାଶର ୪ଟି ସ୍ତମ୍ଭ ରହୁ। ପ୍ରଥମ ସ୍ତମ୍ଭରେ ବିକାଶରେ ସବୁ ଲୋକଙ୍କର ସହଯୋଗ ରହୁ, ଦ୍ବିତୀୟ ସ୍ତମ୍ଭରେ ବିକାଶର ଲାଭ ସମସ୍ତଙ୍କ ପାଖରେ ପହଞ୍ଚୁ, ତୃତୀୟ ସ୍ତମ୍ଭରେ ବିକାଶରେ ପ୍ରାକୃ୍ତିକ ସମ୍ପଦର କ୍ଷତି ନହେଉ, ଚତୁର୍ଥ ସ୍ତମ୍ଭରେ ବିକାଶ‌ ମୂଳହୀନ, ବେକାରିପୂର୍ଣ୍ଣ, ଜ୍ଞାନଶୂନ୍ୟ ନ ହେଉ।

ସମ୍ବନ୍ଧିତ ଖବର