ଓଡ଼ିଶା ନିର୍ମାଣ ପାଇଁ ମତୈକ୍ୟ ଲୋଡ଼ା

ପର୍ଯ୍ୟଟନ ଭିତ୍ତିଭୂମିକୁ ବଢ଼ାଇବାକୁ ହେବ

ଓଡ଼ିଶାର ଅତୀତ ଅତ୍ୟନ୍ତ ଗୌରବମୟ। ଅତୀତ ଓଡ଼ିଶାର ନିର୍ମାଣ, କାରୁକାର୍ଯ୍ୟ ଓ ଶିଳ୍ପୀମାନେ ଓଡ଼ିଶାକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିଲେ। ଯେଉଁମାନେ କୋଣାର୍କ ଓ ଅନ୍ୟ ମନ୍ଦିର ଦେଖିଛନ୍ତି ସେମାନେ ଅନୁଭବ କରିବେ ଯେ, ଏ ଜାତି ପାଖରେ ନିର୍ମାଣ କୌଶଳର କୌଣସି ଅଭାବ ନ ଥିଲା। ମାତ୍ର ମଝିରେ କିଛିକାଳ ଓଡ଼ିଶାର ପରିଚୟ ସଂକଟ ଦେଇ ଗତି କରିଥିଲା। ଅନାହାର ଜନିତ ମୃତ୍ୟୁ ଓଡ଼ିଶାର ପରିଚୟରେ ଆଞ୍ଚ ଆଣିଥିଲା। ଅନାହାର ମୃତ୍ୟୁ ବିରୋଧରେ ଆମର ଯେଉଁ ସଂଗ୍ରାମ ଆରମ୍ଭ ହୋଇଥିଲା ତହିଁରେ ଆମେ ବିଜୟ ହାସଲ କରିଛୁ। ଗୋଟିଏ ଜାତି ଅନାହାରରୁ ମୁକ୍ତି ପାଇଲେ‌ ଯେ ବିକାଶ ବା ନିର୍ମାଣ ପ୍ରକ୍ରିୟା ଶେଷ ହୋଇଛି ବୋଲି ଧରିନେବା ଠିକ୍ ନୁହେଁ। ରାଜନୈତିକ ଓ ଅନ୍ୟାନ୍ୟ ମତଭେଦକୁ ଭୁଲି ଓଡ଼ିଶା ନିର୍ମାଣ ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ହେବ। କନକ ନ୍ୟୁଜ୍ ପକ୍ଷରୁ ଆଜି ହୋଟେଲ ସ୍ବସ୍ତି ପ୍ରିମିୟ‌ମ୍‌ରେ ଓଡ଼ିଶା ନିର୍ମାଣ କନକ୍ଲେଭ୍ ୨୦୨୦ର ଚତୁର୍ଥ ସଂସ୍କରଣକୁ ଉଦ୍‌ଘାଟନ କରି ଏଭଳି ଆହ୍ବାନ ଦେଇଛନ୍ତି ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ। ସେ ଆହୁରି କହିଛନ୍ତି, ଏବେ ନୂତନ ନିର୍ମାଣ ଯୁଗର ଆରମ୍ଭ ହୋଇଛି ଓ ଏହି ଯୁଗ କିଭଳି ଅନ୍ୟଠାରୁ ଭିନ୍ନ ହେବ ସେ ସଂପର୍କରେ ସଚେତନ ହେବାର ଆବଶ୍ୟକତା ରହିଛି। ଏହି ଆଲୋଚନା କିଭଳି ପ୍ରାସଙ୍ଗିକ ହେବ ଓ ବାକ୍‌ ବିତଣ୍ଡାରେ ସୀମିତ ନ ରହି ମୌଳିକ ପ୍ରସଙ୍ଗ ଉପରେ ଆଲୋକପାତ କରି ଆଗକୁ ବଢ଼ିବାର ବାଟ ଦେଖାଇବା ଉଚିତ।

ପର୍ଯ୍ୟଟନ ଭିତ୍ତିଭୂମିକୁ ବଢ଼ାଇବାକୁ ହେବ

ଓଡ଼ିଶା ନିର୍ମାଣ କନକ୍ଲେଭ୍‌ର ଦ୍ବିତୀୟ ଅଧିବେଶନର ବିଷୟବସ୍ତୁ ରହିଥିଲା ‘ଓଡ଼ିଶା ବାହାରେ ଓଡ଼ିଶାର ପରିଚୟ’। ଏ ସଂପର୍କରେ ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିଲେ ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ସାବତ ଏକ୍ସପୋର୍ଟ ଲିମିଟେଡ୍‌ର ନିର୍ଦେଶିକା ଅନିତା ସାବତ।

ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୀ ପଟ୍ଟନାୟକ କହିଥିଲେ, ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିକୁ ବିକଶିତ ‌କରିବାକୁ ହେବ। ପର୍ଯ୍ୟଟନସ୍ଥଳୀକୁ ଚିହ୍ନଟ କରାଯାଇ ଏହାର ପ୍ରଚାର ଓ ପ୍ରସାର ଉପରେ ଧ୍ୟାନ ଦେବା ଦରକାର। ଓଡ଼ିଶାର ବ୍ରାଣ୍ଡିଂ ପାଇଁ ନିଜ ଭିତରେ ଓଡ଼ିଆତ୍ବ ଆଣିବାକୁ ହେବ। ଏ ଦିଗରେ ସମସ୍ତଙ୍କୁ କିଛି ନା କିଛି କାର୍ଯ୍ୟ କରିବାକୁ ହେବ। ହକି ପାଇଁ ସାରା ବିଶ୍ବରେ ଓଡ଼ିଶା ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛି। ସେହିପରି କଳା କ୍ଷେତ୍ରରେ ମଧ୍ୟ ରାଜ୍ୟରେ ଏକ ହବ୍ ପ୍ରତିଷ୍ଠା କରାଯାଉ। ରାଜ୍ୟରେ ଏବେ ପର୍ଯ୍ୟଟନରେ ଅନେକ ଆଗକୁ ଯାଇଛି। ଓଡ଼ିଶାରେ ବିସ୍ତୀର୍ଣ୍ଣ ବେଳାଭୂମି ରହିଛି। ଏସବୁ ପର୍ଯ୍ୟଟନକୁ ବଢ଼ାଇବାରେ ଅଧିକ ସୁଯୋଗ ସୃଷ୍ଟି କରିପାରିବ। ବେଳାଭୂମିର କିଛି ଅଂଶକୁ ଗୋଆରେ ଯେଉଁଭଳି ଭାବେ ବିକଶିତ କରାଯାଇଛି ସେହିଭଳି ବିକଶିତ କରାଯିବାର ଆବଶ୍ୟକତା ରହିଛି। ପୁରୀ, ଗୋପାଳପୁର, ଚାନ୍ଦିପୁର ଓ ତାଳସାରୀରେ ମଧ୍ୟ ଅନେକ ସମ୍ଭାବନା ରହିଛି। ତାଳସାରୀରେ ପୃଥିବୀର ସୁବଠାରୁ ଭଲ ବାଲି ରହିଛି; ତେଣୁ ସେଠାରେ ଉତ୍କୃଷ୍ଟ ବାଲୁକା କଳା ନିର୍ମାଣ ହୋଇପାରିବ। ଏହାଛଡ଼ା ତାଳସାରୀକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ହେଲେ ସେଠାରେ ହୋଟେଲ ନିର୍ମାଣ ସହିତ ଇକୋ ଟୁରିଜିମ୍‌କୁ ଗୁରୁତ୍ବ ଦେବାକୁ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଶ୍ରୀମୟୀ ମିଶ୍ର କହିଲେ, କୌଣସି ଉତ୍ପାଦର ବିକ୍ରି ପାଇଁ ସଂପୃକ୍ତ କମ୍ପାନି ଏକ ୟୁଏସ୍‌ପି ଚୟନ କରିଥାଏ। ଯେପରି ଅଷ୍ଟ୍ରେଲିଆରେ ସହରାଞ୍ଚଳ, ଜାପାନରେ ବୈଷୟିକ ଜ୍ଞାନକୌଶଳ ଭଳି ବିଭିନ୍ନ ଦେଶର ଭିନ୍ନ ଭିନ୍ନ ୟୁଏସ୍‌ପି ବା ସ୍ବତନ୍ତ୍ରତା ରହିଛି। ମାତ୍ର ଭାରତର ସ୍ବତନ୍ତ୍ରତା ଗୋଟିଏ ଗୁଣକୁ ନେଇ ସୀମିତ ନୁହେଁ। ଭାରତର ପରିଚୟ ତାହାର ସଭ୍ୟତା, ସଂସ୍କୃତି, କଳା, ସ୍ଥାପତ୍ୟ ଓ ଆଧ୍ୟାତ୍ମିକତାକୁ ନେଇ ସୃଷ୍ଟି ହୋଇଛି। ଓଡ଼ିଶାର ମଧ୍ୟ ପରିଚୟ ଗୋଟିଏ ସ୍ବତନ୍ତ୍ରତା ଉପରେ ନିର୍ଭର କରେନାହିଁ। ମାତ୍ର ପୂର୍ବର ଓଡ଼ିଶା ଓ ଏବେର ଓଡ଼ିଶା ମଧ୍ୟରେ ଯଥେଷ୍ଟ ଫରକ ଆସିଛି। ଗତବର୍ଷ ୩୧ ଡିସେମ୍ବର ଓ ନୂଆବର୍ଷରେ ୭ଲକ୍ଷ ପର୍ଯ୍ୟଟକ ପୁରୀକୁ ଆସିଛନ୍ତି। ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଅନେକ ସ୍ଥାନରେ ଶୌଚାଳୟ ନିର୍ମାଣ କରାଯାଇଥିଲେ ହେଁ ଠିକ୍‌ଭାବେ ରକ୍ଷଣାବେକ୍ଷଣ ହେଉ ନ ଥିବା ଅଭିଯୋଗ ହେଉଛି। ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କୁ ଶୌଚାଳୟର ଯେଉଁ ସମସ୍ୟା ରହିଛି ତାହାର ସମାଧାନ ପାଇଁ କମ୍ୟୁନିଟି ଟୁରିଜିମ୍‌କୁ ପ୍ରୋତ୍ସାହିତ କରିବାକୁ ହେବ। ଯାହାଫଳରେ ମୌଳିକ ସମସ୍ୟାର ସମାଧାନ ହୋଇପାରିବ। ଚନ୍ଦ୍ରଭାଗାରେ ଇକୋ ରିଟ୍ରିଟ୍ ଭଳି ରାଜ୍ୟରେ ଆହୁରି ୧୦/୧୫ଟି ବେଳାଭୂମିକୁ ଚିହ୍ନଟ କରାଯାଇଛି ଓ ସେଠାରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରାଯିବ। ବେଳାଭୂମିକୁ ଆକୃଷ୍ଟ କରିବା ପାଇଁ ‘ଶାମୁକା’ ପ୍ରକଳ୍ପ ହାତକୁ ନିଆଯାଇଛି ବୋଲି ସେ କହିଥିଲେ।

ଅନିତା ସାବତ କହିଲେ, ରାଜ୍ୟରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଥିଲେ ହେଁ ତାହାର ବିକାଶ ହୋଇପାରି ନାହିଁ। ଓଡ଼ିଶାର ରସଗୋଲା ଓ କନ୍ଧମାଳ ହଳଦୀ ଜିଆଇକୁ ମିଶାଇ ୧୭ଟି ଉତ୍ପାଦ ଏ ପର୍ଯ୍ୟନ୍ତ ଜିଆଇ ମାନ୍ୟତା ହାସଲ କରିପାରିଛି। ତେବେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କିଛି ନା କିଛି ଉତ୍ପାଦ ଜିଆଇ ମାନ୍ୟତା ପାଇଁ ଯୋଗ୍ୟ। ଏହା ଉପରେ ଆମକୁ ଧ୍ୟାନ ଦେବାକୁ ହେବ। ଡିଜିଟାଲ ଯୁଗରେ ସାମାଜିକ ଗଣମାଧ୍ୟମରେ ଓଡ଼ିଆର ଚଳଚ୍ଚିତ୍ର, ଗୀତ ଜରିଆରେ ଲୋକଙ୍କ ପାଖରେ ପହଞ୍ଚି ପାରିବ। ଦେଶ ଓ ବିଦେଶରେ ହେଉଥିବା ବିଭିନ୍ନ ପ୍ରଦର୍ଶନୀରେ ଓଡ଼ିଶା ଅଂଶଗ୍ରହଣ କରିବା ଉଚିତ। ପୂର୍ବରୁ ଏକ ଜିଆଇ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ପାଇଁ ଅନୁରୋଧ ଆସିଥିଲା। ଏ ବାବଦରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲି। ମାତ୍ର ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ଆସି ନ ଥିଲା। ତେଣୁ କେହି ଯଦି କୌଣସି ‌ପ୍ରକାର ଇ-ମେଲ ପଠାଉଛି ତାହାର ଉତ୍ତର ନିଶ୍ଚିତ ମିଳିବା ଦରକାର ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର