ଚର୍ମ ପାଇଁ ତେଲ ଠାରୁ ଭଲ କିଛି ନାହିଁ: ପରୀକ୍ଷା କରି ଦେଖି ପାରନ୍ତି

କେଶ, ଚର୍ମ ଏବଂ ନଖ ପାଇଁ ତେଲ ଅଶେଷ ଉପକାର ସାଧନ କରେ। ଏ ସବୁରେ ବ୍ୟବହାର ପାଇଁ ରହିଛି ବିଭିନ୍ନ କିସମର ତେଲ। ସବୁ ତେଲର ଗୁଣ ଓ ପ୍ରଭାବ ମଧ୍ୟ ଭିନ୍ନ। ଶରୀରରେ ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆଜିକାଲି ସି ବକ୍‌ଥର୍ଣ୍ଣ ଠାରୁ ଆରମ୍ଭ କରି ସୂର୍ଯ୍ୟମୁଖୀ ତେଲ ଯାଏଁ ବିଭିନ୍ନ ତେଲ ସୌନ୍ଦର୍ଯ୍ୟ ଓ ପ୍ରସାଧନ ସାମଗ୍ରୀ ଉତ୍ପାଦନକାରୀ କମ୍ପାନି ସବୁ ବଜାରକୁ ଛାଡୁଛନ୍ତି।

ସି ବକ୍‌ଥର୍ଣ୍ଣ ତେଲ: ଏହି ଫଳର ତେଲ ପାରମ୍ପରିକ ଔଷଧରେ ବିଦେଶରେ ପ୍ରଚଳିତ ହୋଇ ଆସୁଛି। ଏଥିରେ ଥିବା ଉଚ୍ଚମାନର ଫ୍ୟାଟି ଏସିଡ୍‌ ଏବଂ ଭିଟାମିନ୍‌ ତ୍ୱଚା, କେଶ ଓ ନଖ ପାଇଁ ଖୁବ୍‌ ଉପକାର କରେ। ଏଥିରେ ଥିବା ଆଣ୍ଟି-ଅକ୍‌ସିଡାଣ୍ଟ୍‌ ଏବଂ ଆଣ୍ଟି-ଇନ୍‌ଫ୍ଲେମେଟରି ଉପାଦାନ ଚର୍ମକୁ ସୁନେଲି ବର୍ଣ୍ଣ କରିଥାଏ।

ଶଜନା ତେଲ: ଏଥିରେ ଥିବା ଆରାମ ଦାୟକ ଓ ଆଣ୍ଟି-ଇନ୍‌ଫ୍ଲେମେଟରି ଉପାଦାନ ଚର୍ମରୁ ମଳିନତା ଦୂରାଇ ଥାଏ। ଶଜନା ମଞ୍ଜିରୁ ନିର୍ଗତ ହୋଇଥିବା ଏହି ତେଲରେ ଫାଇଟୋନ୍ୟୁଟ୍ରିଏଣ୍ଟ୍‌ ପ୍ରଚୁର ପରିମାଣରେ ଥିବାରୁ ଏହା ଚର୍ମରୁ ଶୁଷ୍କତା ନାଶ କରେ।

ମରୁଲା ତେଲ: ମରୁଲା ଫଳରୁ ପ୍ରସ୍ତୁତ ଏହି ତେଲରେ ଅଛି ପ୍ରଚୁର ପରିମାଣର ଓମେଗା ୬ ଏବଂ ଓମେଗା ୯ ଏବଂ ଅତ୍ୟାବଶ୍ୟକୀୟ ଆଣ୍ଟି-ଅକ୍ସିଡାଣ୍ଟ୍‌। ସୂର୍ଯ୍ୟ କିରଣରୁ ଅତିବାଇଗଣି ରଶ୍ମି ପଡ଼ି ନଷ୍ଟ ହୋଇଥିବା ଚର୍ମରେ ଏହା କିମିଆ କଲା ପରି ତାରୁଣ୍ୟ ଲେଉଟାଇ ଆଣିଥାଏ। ଏହା ସବୁପ୍ରକାର ଚର୍ମ ପାଇଁ ଉପକାରୀ। ଚର୍ମରେ ଆର୍ଦ୍ରତା ପରିମାଣ ସମତୁଲ କରେ, ବିସର୍ପି ଯାଇଥିବା ବ୍ରଣ, କଳାଦାଗ ଓ କଟାଦାଗ ଲିଭାଇ ଦିଏ। ଏହା କେଶ ପାଇଁ ମଧ୍ୟ ଅତ୍ୟନ୍ତ ଉପକାରୀ।

ଡାଳିମ୍ବ ତେଲ: ଡାଳିମ୍ବ ମଞ୍ଜିରୁ ପ୍ରସ୍ତୁତ ତେଲ ସୌନ୍ଦର୍ଯ୍ୟ ପାଇଁ ଗୋଟାଏ ବିଚିତ୍ର ଜିନିଷ। ଏଥିରେ ପ୍ୟୁନିକ୍‌ ଏସିଡ୍‌, ଭିଟାମିନ୍‌ କେ, ସି, ବି୬ ଆଣ୍ଟି-ଅକ୍ସିଡାଣ୍ଟ୍‌ ରହିଛି। ଏହା ଚର୍ମରୁ କଳାଦଗ, କଟା ଦାଗ ଆଦି ଦୂରାଇ ମଳିନ, ଶୁଷ୍କ କେଶକୁ ପ୍ରଦୂଷଣରୁ ରକ୍ଷା କରେ।
ଅଲିଭ୍‌ ତେଲ: ଏଥିରେ ଥିବା ଭିଟାମିନ୍‌ ଇ ଚର୍ମର ଅବସ୍ଥା ଉନ୍ନତ କରେ। ଚର୍ମକୁ ଆର୍ଦ୍ର ରଖିବା ସହ ଏଥିରୁ ବ୍ରଣ ଓ ପ୍ରଦାହ ଆଦି ଭଲ କରି ଦେଇଥାଏ।

ଆଲ୍‌ମଣ୍ଡ୍‌ ତେଲ: ଏହା ଖୁବ୍‌ ହାଲୁକା ଓ ଏଥିରେ ଭିଟାମିନ୍‌ ଇ ଭରପୁର ହୋଇ ରହିଥିବାରୁ ଏହା ଚର୍ମକ୍ଷରଣରୁ ସୁରକ୍ଷା ଦିଏ। ଏହା ବ୍ରଣ ଓ ଆଖିତଳୁ କଳା ଦାଗ ଦୂର କରିଥାଏ।

ନଡ଼ିଆ ତେଲ: ନଡ଼ିଆ ତେଲ ପ୍ରକୃତିକ ଆର୍ଦ୍ରତା ପ୍ରଦାନକାରୀ ଏବଂ ଏଥିର ଅଣୁଜୀବ ନିରୋଧୀ ତତ୍ତ୍ୱ ରହିଛି। ଏହା ଚର୍ମର ରୋଗପ୍ରତିରୋଧ ଶକ୍ତି ବଢ଼ାଇବା ସହ ଚର୍ମକୁ ନରମ ଓ ଚିକ୍କଣ ରଖେ।

ସୂର୍ଯ୍ୟମୁଖୀ ତେଲ: ଏଥିରେ ଥାଏ ବିପୁଳ ପରିମାଣର ଭିଟାମିନ୍‌ ଇ, ଏ, ସି ଓ ଡି। ଏହା ଚର୍ମରୁ ଯାବତୀୟ ସମସ୍ୟା ଦୂରାଇ ଏହାକୁ ସୁସ୍ଥ ରଖିଥାଏ। ଚର୍ମରୁ ଲୋଚାକୋଚା ଦାଗ ମଧ୍ୟ କମାଇ ଦେଇଥାଏ।

ସମ୍ବନ୍ଧିତ ଖବର