ବନ୍ଦଥିବା କବାଟକୁ ଖୋଲିବା ପରେ ଏଭଳି କି ଦୃଶ୍ୟ ଥିଲା ଯାହାକୁ ଦେଖି ସମସ୍ତଙ୍କ ଆଖିରୁ ଲୁହ ଝରି ପଡ଼ିଥିଲା !

ମୁଜଫରନଗର: ଉତ୍ତରପ୍ରଦେଶ ମୁଜଫରନଗରରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖି ସମସ୍ତଙ୍କ ଆଖିରୁ ଲୁହ ଝରି ପଡ଼ିଛି। ଏକ ଘରେ ୨୪ଘଣ୍ଟା ପର୍ଯ୍ୟନ୍ତ କବାଟ ବନ୍ଦ ଥିବା ଦେଖି ପାଖପଡୋଶୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଥିଲା। କବାଟ ଭାଙ୍ଗିବା ପରେ କଠୋରୀ ଭିତରେ ତଳେ ବୃଦ୍ଧଙ୍କ ମୃତଦେହ ପଡ଼ିଥିବା ବେଳେ ଚୌକିରେ ଜଣେ ଦିବ୍ୟାଙ୍ଗ ବୃଦ୍ଧା ବସି କାନ୍ଦିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ମୃତ ବୃଦ୍ଧଙ୍କ ନାମ ଆତ୍ମାରାମ ଗର୍ଗ ବୋଲି ଜଣାପଡ଼ିଛି।

ମୁଜାଫରନଗର ଆଦର୍ଶ କଲୋନିରେ ଏକ ବନ୍ଦ ଘରେ ୨୪ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧା ତାଙ୍କ ସ୍ୱାମୀଙ୍କ ଶବ ପାଖରେ ବସି ଅତି କରୁଣ ସ୍ୱରରେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ପୁଲିସ ସୂତ୍ରରୁ ପ୍ରକାଶ, ଏହି ଦମ୍ପତି ଘରେ ଏକା ରହୁଥିଲେ। ତାଙ୍କର ଦୁଇଟି ପୁଅ । ଜଣେ ଗୁଡଗ୍ରାମରେ ଚାକିରି କରୁଥିବା ବେଳେ ଅନ୍ୟଜଣେ ରୁଡକିରେ ବସବାସ କରେ। ତେବେ ପିତା-ମାତାଙ୍କ ଏଭଳି ଅବସ୍ଥାରେ ସମ୍ପର୍କରେ ପୁଲିସ ଦୁଇପୁଅଙ୍କୁ ଅବଗତ କରାଇଥିଲେ ମଧ୍ୟ ଜଣେ ଆସିବାକୁ ମନା କରି ଦେଇଥିଲା ବେଳେ ଅନ୍ୟ ଜଣେ ଆସିବାର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲା। ମୃତ ଆତ୍ମାରାମ ଗର୍ଗ ବିଛଣାରୁ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସନ୍ଦେହ କରାଯାଉଛି। ଅନ୍ୟପଟେ ତାଙ୍କ ପତ୍ନୀ ଦିବ୍ୟାଙ୍ଗ ହୋଇଥିବାରୁ ସେ କବାଟ ଖୋଲି କାହାକୁ ଡାକି ପାରି ନଥିଲେ କି ସ୍ୱାମୀଙ୍କ ଶରୀରକୁ ସ୍ପର୍ଶ ବି କରି ପାରୁ ନଥିଲେ। ଏକାକି ଚୌକିରେ ବସି ବିକଳରେ କାନ୍ଦିବାରେ ଲାଗିଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆତ୍ମାରାମଙ୍କ ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତ ଆତ୍ମାରାମ ଟେଲିଫୋନ୍‌ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ ଥିଲେ।

ସମ୍ବନ୍ଧିତ ଖବର