ଦିଲ୍ଲୀର ରାଜରାସ୍ତାରେ ବୁଲୁଛନ୍ତି ଏହି ଅକ୍ସଫୋର୍ଡ଼ ଗ୍ରାଜୁଏଟ : ସୋସିଆଲ ମିଡିଆ ଜଣାଇଲା ରାଜାଙ୍କ ଦୁଃଖ କାହାଣୀ

ନୂଆଦିଲ୍ଲୀ : ବର୍ତ୍ତମାନ ସୋସିଆଲ ମିଡିିଆରେ ଅନେକ ଅଜଣା ଘଟଣାର ଖୁଲାସା ହୋଇପାରୁଛି। ନିକଟରେ ଦିଲ୍ଲୀ ବାସିନ୍ଦା ଅବିନାଶ ସିଂ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଜଣେ ୭୬ ବର୍ଷିୟ ବୃଦ୍ଧ ରାଜା ସିଂଙ୍କର କାହାଣୀ ପୋଷ୍ଟ କରିଥିଲେ। ଦୀର୍ଘ ୪୦ ବର୍ଷ ହେବା ଦିଲ୍ଲୀର ରାଜାରାସ୍ତାରେ ଭିକ୍ଷୁକ ସଦୃଶ ଜୀବନ ବିତାଉଥିବା ରାଜା ସିଂ ଅକ୍ସଫୋର୍ଡ ଗ୍ରାଜୁଏଟ ବୋଲି ଜଣାପଡ଼ିଛି । ତେବେ ରାଜା ବର୍ତ୍ତମାନ ଦିଲ୍ଲୀର ରେଲେଓ୍ଵ ଷ୍ଟେସନରେ ବର୍ତ୍ତମାନ ଭିକ୍ଷୁକ ସଦୃଶ ଜୀବନ ଯାପନ କରୁଛନ୍ତି। ଆସନ୍ତୁ ଜାଣିବା ତାଙ୍କର ଆକ୍ସଫୋର୍ଡ ଯୁନିଭରସିଟିରୁ ରାସ୍ତାର ଭିକ୍ଷୁକ ହେବାର କାହାଣୀ ।

ରାଜା ସିଂ ୧୯୬୦ ମସିହାରେ ତାଙ୍କ ଭାଇଙ୍କ ଆଦେଶ କ୍ରମେ ଲଣ୍ଡନରୁ ଭାରତକୁ ପଳାଇ ଆସିଥିଲେ । ସେ ଏବଂ ତାଙ୍କ ଭାଇ ମିଳିତ ଭାବେ ଦିଲ୍ଲୀରେ ଏକ ମୋଟରର ବ୍ୟବସାୟ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କ ଭାଇଙ୍କ ମୃତ୍ୟୁ ପରେ ବ୍ୟବସାୟରେ ବହୁ ପରିମାଣର କ୍ଷତି ହୋଇଥିଲା । ତଥାପି ଅନେକ କଷ୍ଟ କରି ସେ ତାଙ୍କ ପୁଅ ମାନଙ୍କୁ ବିଦେଶରେ ପାଠ ପଢ଼ାଇଥିଲେ। ବର୍ତ୍ତମାନ ତାଙ୍କ ପୁଅମାନେ ବିଦେଶରେ କାର୍ଯ୍ୟରତ ହୋଇ ପରିବାର ସହ ସୁଖି ଜୀବନ ଯାପନ କରୁଛନ୍ତି। ସେମାନେ କିନ୍ତୁ ରାଜାଙ୍କର ବିଷୟରେ କିଛି ଖବର ନରଖିବା ସହ ତାଙ୍କୁ ଘରୁ ଧକ୍କା ମାରି ବାହାର କରିଦେଇଛନ୍ତି। ତେବେ ରାଜା ଅକ୍ସଫୋର୍ଡ ୟୁନିଭରସିଟିରେ ଗ୍ରାଜୁଏଟ ହୋଇଥିବା ଯୋଗୁଁ ତାଙ୍କୁ ରାସ୍ତାରେ ଭିକ ମାଗିବା ମଞ୍ଜୁର ନ ଥିଲା । ଏଣୁ ସେ ଦିଲ୍ଲୀ ଭିସା ଅଫିସ ବାହାରେ ଲୋକଙ୍କୁ ଫର୍ମ ଭର୍ତ୍ତି କରିବାରେ ସାହାଯ୍ୟ କରିବା ଆରମ୍ଭ କରିଦେଲେ । ଏହା ଦ୍ୱାରା ତାଙ୍କର ଦୈନିକ ୧୦୦ ଟଙ୍କା ରୋଜଗାର ହେଉଥିବା ବେଳେ ସେଥିରେ ସେ ତାଙ୍କର ପେଟ ଭର୍ତ୍ତି କରୁଛନ୍ତି ।
ଅବିନାଶ ସିଂ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏହି କାହାଣୀ ପୋଷ୍ଟ କରିବା ପରେ ଅନେକ ବ୍ୟକ୍ତି ଏହାକୁ ପଢ଼ିବା ସହ ରାଜାଙ୍କ ପ୍ରତି ସହାନୁଭୂତି ଦର୍ଶାଇଛନ୍ତି । ତାଙ୍କ କାହାଣୀ ସୋସିଆଲ ମିଡ଼ିଆରେ ବହୁଳ ଭାବେ ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର