ଏକା ସାଙ୍ଗରେ ଦୁଇଟି ଗୁରୁତ୍ବପୂର୍ଣ୍ଣ କାମ କରି ପ୍ରେରଣା ପାଲଟିଲେ ମହିଳା କନଷ୍ଟେବଳ

ନୋଏଡା: ସୋମବାର ଦିନ ନୋଏଡାଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଥିବା ଏକ କାର୍ଯ୍ୟକ୍ରମରେ ଶହ ଶହ ପୁଲିସ କର୍ମଚାରୀ ସୁରକ୍ଷା ଦାୟିତ୍ବରେ ରହିଥିଲେ। ହେଲେ ଶିଶୁପୁତ୍ରକୁ କୋଳରେ ଧରିଥିବା ଜଣେ ମହିଳା କନଷ୍ଟେବଳଙ୍କ ଉପରେ ରହିଥିଲା ସମସ୍ତଙ୍କ ନଜର। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଭିଡ଼କୁ ସମ୍ଭାଳିବା ସହ କୋଳରେ ଧରିଥିବା ନିଜ ପୁଅ କଥା ବୁଝିବାରେ ହେଳା କରି ନଥିଲେ ମହିଳା କନଷ୍ଟେବଳ। ଏଭଳି ଦୃଶ୍ୟ କିଛି ନୂଆ ନୁହେଁ ସତ, କିନ୍ତୁ ମହିଳା କନଷ୍ଟେବଳଙ୍କ ଏଭଳି କାମ ଅନେକଙ୍କୁ ପୁଣି ଥରେ ପ୍ରେରଣା ଦେବାରେ ସାହାଯ୍ୟ କରିଛି। ମହିଳା କନଷ୍ଟେବଳଙ୍କ ନାଁ ପ୍ରୀତି ରାଣୀ ବୋଲି ଜଣା ପଡ଼ିଥିବା ବେଳେ ଘରେ ତାଙ୍କର ସ୍ବାମୀ ନ ଥିବାରୁ ସେ ବାଧ୍ୟ ହୋଇ ନିଜ ପୁଅକୁ ଧରି ଡିୟୁଟିରେ ପହଞ୍ଚିଥିବା କହିଛନ୍ତି।

ପ୍ରୀତି ରାଣୀଙ୍କ କହିବା ମୁତାବକ, ଆଜି ମୋ ସ୍ବାମୀଙ୍କର ଏକ ପରୀକ୍ଷା ଥିଲା। ଏଭଳି ପରିସ୍ଥିତିରେ ସେ ପୁଅର ଯତ୍ନ ନେବା ଅସମ୍ଭବ ଥିବାରୁ ମୁଁ ତାକୁ ମୋ ସହ ଆଣିଛି। ତେବେ ନୋଏଡାଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଜନସଭା ଥିବା ବେଳେ ସୁରକ୍ଷା ପାଇଁ ପ୍ରୀତି ରାଣୀଙ୍କୁ ଭିଭିଆଇପି ଡିୟୁଟି ଦିଆଯାଇଥିଲା। ପୁଅ ସହ କାମକୁ ମଧ୍ୟ ଅଣଦେଖା କରିବା ଅସମ୍ଭବ ଥିବାରୁ ରାଣୀ ନିଜ ପୁଅକୁ ଧରି କାର୍ଯ୍ୟସ୍ଥଳରେ ପହଞ୍ଚିଥିଲେ। ପୁଅକୁ କୋଳରେ ଧରି ସେ ନିଜର ଦ‌ାୟିତ୍ବ ସୂଚାର ରୂପେ  ତୁଲାଇ ଥିଲେ। ଜନସଭାରେ ସମସ୍ତଙ୍କ ନଜର ରାଣୀଙ୍କ ଉପରେ ରହିଥିଲା।

ସୂଚନା ମୁତାବକ, ଯୋଗୀ ଆଦିତ୍ୟନାଥ ରବିବାରଠାରୁ ଦୁଇ ଦିନିଆ ଗସ୍ତରେ ଗୌତମ ବୁଦ୍ଧ ନଗରରେ ପହଞ୍ଚିଥିଲେ। ସୋମବାର ସେ ନୋଏଡା ସହରରେ ୧,୪୫୨କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବାକୁ ଆସିଥିଲେ। ସେ ୧,୩୬୯କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ। ସାଂସଦ ମହେଶ ଶର୍ମା, ତରୁଣ ବିଜୟ, ସୁରେନ୍ଦ୍ର ନାଗର ଏବଂ ବିଧାୟକ ପଙ୍କଜ ସିଂ, ଧିରେନ୍ଦ୍ର ସିଂ ଏବଂ ତେଜପାଲ ନାଗର ଯୋଗ ଦେଇଥିବା ଏହି କାର୍ଯ୍ୟକ୍ରମ ପରେ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ମିନିଟ ସମୟରେ ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର