‘ପହଣ୍ଡି ବିଜେ’ର ‘ଟାହିଆ’

ଡକ୍ଟର ଭାସ୍କର ମିଶ୍ର

ବୈଦିକ ମହୋତ୍ସବମାନଙ୍କରେ ରଥର ପ୍ରଚଳନ ରହିଥିଲେ ହେଁ, ଅତ୍ୟନ୍ତ ପ୍ରାଚୀନ ସମୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାରମ୍ପରିକ ପ୍ରବାହ, ବୈଦିକ ସଂସ୍କୃତିକୁ ବିଶ୍ୱ ସଂସ୍କୃତିରେ ରୂପାନ୍ତରିତ କରିପାରିଛି। ଅନେକ ପୁରାଣ, ଉପପୁରାଣ, ଆଧ୍ୟାତ୍ମିକ ଗ୍ରନ୍ଥରେ ମହାପ୍ରଭୁଙ୍କର ଏହି ପ୍ରସିଦ୍ଧ ଘୋଷଯାତ୍ରାର ବହୁଳ ବର୍ଣ୍ଣନା ରହିଥିବା ଜଣାଯାଏ। ଶ୍ରୀମନ୍ଦିରର ସମସ୍ତ ଯାତ୍ରା ମଧ୍ୟରେ ଶ୍ରେଷ୍ଠ ଶ୍ରୀଗୁଣ୍ଡିଚା ଯାତ୍ରାରେ ଭଗବାନ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଗଣପର୍ବର ମହାପୀଠ ବଡ଼ଦାଣ୍ଡକୁ ଓହ୍ଲାଇ, ପହଣ୍ଡି ବିଜେରେ ରଥାରୂଢ଼ ହୋଇ, ବିଶ୍ୱର ସକଳ ଶ୍ରେଣୀର ମାନବଙ୍କୁ ଦର୍ଶନପୂର୍ବକ କୃପା ପ୍ରଦାନ କରିଥାନ୍ତି।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଦାରୁବ୍ରହ୍ମ ରୂପେ ବିଶ୍ୱର ପ୍ରଥମ ସଗୁଣ, ସାକାର ବିଗ୍ରହ। ସ୍ମରଣାତୀତ କାଳରୁ ସେ ନୀଳାଚଳରେ ‘ଦାରବୀ ଲୀଳା’ ସଂରଚନା କରିଆସୁଛନ୍ତି। ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ମହାବେଦୀ ବା ଆବିର୍ଭାବ ପୀଠକୁ ବିଜେ ସମୟରେ ତାଙ୍କର କେତେକ ଲୀଳା ଅନନ୍ୟ ତଥା ଆନନ୍ଦଦାୟକ ଅଟେ। ତନ୍ମଧ୍ୟରେ ‘ପହଣ୍ଡି ବିଜେ’ ଅନ୍ୟତମ। ସପ୍ତଦଶ ଶତାବ୍ଦୀର କବି ଈଶ୍ୱର ଦାସ ତାଙ୍କ ରଚିତ ‘ଶ୍ରୀଚୈତନ୍ୟ ଭାଗବତ’ରେ ପ୍ରଭୁଙ୍କ ପହଣ୍ଡି ବିଜୟ ଦୃଶ୍ୟର ଏକ ମନୋଜ୍ଞ ଚିତ୍ର ପ୍ରଦାନ କରି କହିଛନ୍ତି-
ପ୍ରଭୁଙ୍କ ପହଣ୍ଡି ବିଜୟେ। ବିଜୟେ ପ୍ରଭୁ ଦେବରାୟେ ।
ତାଳଧ୍ୱଜରେ ସଂକର୍ଷଣ। ନନ୍ଦିଘୋଷରେ ନାରାୟଣ ।
ବିଜୟା ରଥେ ସୁଭଦ୍ରିକା। ତିନି ସ୍ୱରୂପ ଦିଶେ ଏକା ।

ଶ୍ରୀଗୁଣ୍ଡିଚା ଯାତ୍ରାର ଏକ ଅନନ୍ୟ ପରମ୍ପରା ହେଉଛି ଶ୍ରୀବିଗ୍ରହମାନଙ୍କର ପହଣ୍ଡିବିଜେ। ସେ ସମୟରେ ପ୍ରଭୁଙ୍କ ଶ୍ରୀମସ୍ତକରେ ସୁଶୋଭିତ ‘ଟାହିଆ’ ସବୁଠାରୁ ଆକର୍ଷଣୀୟ ତଥା ଭକ୍ତମାନଙ୍କ ହୃଦୟରେ ଭକ୍ତି ଜାଗ୍ରତ କରାଇଥାଏ। ଭକ୍ତକବି ସାଲବେଗଙ୍କ କଣ୍ଠରୁ ଏହି ଦୃଶ୍ୟ ଦେଖି ଝରିପଡ଼ିଥିଲା-
‘‘ଅଣସର ଘରେ ଥିଲ ଆଜ ବାହାର ହେଲ
ତ୍ରିଭଙ୍ଗ ଭଙ୍ଗୀ କରି ଚାହୁଁଛ।
ଗୁଣନିଧି ମୋ କେଣିକି ଯାଉଛ,
ଯାଉଛ, ପହଣ୍ଡେ ରହୁଛ।

ଏହି ଟାହିଆ ବିମଣ୍ଡିତ ମୋହନବେଶର ଦର୍ଶନରେ ମନୁଷ୍ୟ ପାପବନ୍ଧନରୁ ମୁକ୍ତ ହୋଇ ମହାଜାଗତିକ ଚେତନା ଆଡ଼କୁ ଅଗ୍ରସର ହୁଏ, ଐଶ୍ୱର୍ଯ୍ୟ ଶକ୍ତିକୁ ଅତିକ୍ରମ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରୁ ପହଣ୍ଡି ବିଜେ କରି ଗୋପୀଜନବଲ୍ଲଭ ରୂପରେ କୋଟି ନୟନ ସାର୍ଥକ କରି ବିପୁଳ ଉଲ୍ଲାସରେ ହଲି ଦୋହଲି, ନବଘନ ସୁନ୍ଦର ତ୍ରିଭୁବନ ଠାଣିରେ ଅପଲକ ନେତ୍ରରେ ଅଗଣିତ ଭକ୍ତଜନଙ୍କର ହୃଦୟକୁ ଆକର୍ଷଣ କରିଥାନ୍ତି।
ଶ୍ରୀବିଗ୍ରହମାନଙ୍କର ପବିତ୍ର ପହଣ୍ଡି ବିଜେ ପୂର୍ବରୁ ମଙ୍ଗଳାର୍ପଣ ନୀତି, ଡୋରଲାଗି ଓ ବିଜେ କାହାଳି ବାଜିବା ପରେ, ଘଣ୍ଟୁଆ, ବଜନ୍ତରୀ, ଓଲାର, ଛତାର ସେବକମାନଙ୍କ ଉପସ୍ଥିତିରେ ଘଣ୍ଟ ଓ ବାଦ୍ୟ ବାଜିଥାଏ। ପହଣ୍ଡି ବିଜେରେ ଖୁଣ୍ଟିଆ ସେବକମାନେ ଦୁଇ ପାର୍ଶ୍ୱରେ ଦଣ୍ଡାୟମାନ ହୋଇ ଠାକୁରମାନଙ୍କ ଉପରେ ପୁଷ୍ପ ବର୍ଷଣ କରିଥାନ୍ତି। ଶ୍ରୀବିଗ୍ରହମାନେ ଶ୍ରୀମନ୍ଦିରର ଜଗମୋହନ, ନାଟମଣ୍ଡପ ଦେଇ ସାତ ପାହାଚଠାରେ ବିଜେ ହେବା ପରେ, ରାଘବ ଦାସ ମଠ ପ୍ରଦତ୍ତ ଆକର୍ଷଣୀୟ ଟାହିଆ ଲାଗି ହୋଇଥାଆନ୍ତି। ଏହି ଟାହିଆମାନ ମହାପ୍ରଭୁଙ୍କ ଶ୍ରୀମସ୍ତକର ଅଗ୍ରଭାଗରେ ସ୍ୱତନ୍ତ୍ର କୌଶଳରେ ଖଞ୍ଜାଯାଇ ପହଣ୍ଡି ବିଜେର ଅପୂର୍ବ ସୌନ୍ଦର୍ଯ୍ୟଭରା ଦୃଶ୍ୟକୁ ବହୁଗୁଣିତ କରାଯାଇଥାଏ।

‘ଟାହିଆ’ ହେଉଛି ପହଣ୍ଡି ସମୟରେ ଶ୍ରୀବିଗ୍ରହଙ୍କ ମସ୍ତକ ମଣ୍ଡନ କରୁଥିବା ପୁଷ୍ପ, ସୋଲ, କାଠି, ଜରି, ତୁଳସୀ, ଦୂବ ଇତ୍ୟାଦି ସାମଗ୍ରୀରେ ନିର୍ମିତ ବୃହତକାୟ କିରୀଟ। ଏ ସଂପର୍କରେ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ରେ ବର୍ଣ୍ଣନା ଅଛି ଯେ, ଏହା ଠାକୁରଙ୍କ ମୁଣ୍ଡଜୁଡ଼ାରେ ପୁଷ୍ପ ଦ୍ୱାରା ସଜ୍ଜିତ ହୋଇ ମୟୂରପୁଚ୍ଛ ଆକାରର ଆଭରଣ, ଯାହାକୁ ଠାକୁରଙ୍କ ପ୍ରଭା ବା ଟାହିଆା କୁହାଯାଇଥାଏ। ସ୍ନାନଯାତ୍ରା ଓ ରଥଯାତ୍ରାରେ ଟାହିଆ ସେବା ପ୍ରଦାନ କରୁଥିବା ଶ୍ରୀ ସଂପ୍ରଦାୟର ଅନ୍ୟତମ ବିଭବଶାଳୀ ରାଘବ ଦାସ ମଠ ଶ୍ରୀମନ୍ଦିରର ଦକ୍ଷିଣଦ୍ୱାର ସମ୍ମୁଖ ଭାଗରେ ଅବସ୍ଥିତ। ଏହି ମଠର ଶ୍ରୀମନ୍ଦିରରେ ଥିବା ଅନେକ ସେବା ମଧ୍ୟରେ ଶ୍ରୀଗୁଣ୍ଡିଚା ଯାତ୍ରାର ଟାହିଆ ସେବା ଅନ୍ୟତମ। ଜନଶ୍ରୁତି ଅନୁଯାୟୀ, ଗଜପତି ପୁରୁଷୋମ ଦେବ ଏହି ମଠକୁ ଟାହିଆ ସେବା ପ୍ରଦାନ କରିଥିଲେ ହେଁ, ବିଭିନ୍ନ ପୁରାଣରେ ଟାହିଆଲାଗି ସଂପର୍କରେ କୌଣସି ସୂଚନା ମିଳୁନାହିଁ। ସୁତରାଂ ଅଷ୍ଟାଦଶ ଶତାବ୍ଦୀର ପ୍ରଥମ ଭାଗରେ ଏହି ଟାହିଆ ସେବାର ସୃଷ୍ଟି ହୋଇଥିବା ମନେହୁଏ।

ମଠ ପରିସରରେ ସ୍ୱତନ୍ତ୍ର ଓ ପାରମ୍ପରିକ କାରିଗରମାନଙ୍କ ଦ୍ୱାରା ବାଉଁଶପାତିଆ, ବେତ, ପଇତା, ଜରି, କଳଦୀପଟୁକା, କଇଁଥଅଠା, ସୋଲ, ବିଭିନ୍ନ ସୁବାସିତ ପୁଷ୍ପ ଓ ଦଳ ଯଥା ରଙ୍ଗଣି, ପଦ୍ମ, ମଲ୍ଲୀ, ଚମ୍ପା, ମାଳତୀ, ମରୁଆ, ଦୟଣା, ତୁଳସୀ, ଦୂବ, ରଙ୍ଗିନ କନା ଇତ୍ୟାଦି ସାମଗ୍ରୀରେ ଏକ ସ୍ୱତନ୍ତ୍ର ଶୈଳୀରେ, ଗୋଟି ବଡ଼ ଟାହିଆ ଏବଂ ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କ ନିମିତ୍ତ ଦୂବ ଓ ପୁଷ୍ପ ନିର୍ମିତ ସ୍ୱତନ୍ତ୍ର ଚୂଳ ମଠ ତରଫରୁ ପହଣ୍ଡି ବିଜେ ପୂର୍ବରୁ ଯୋଗାଇ ଦିଆଯାଏ। ଏହି ଟାହିଆମାନ ଆସି ଲକ୍ଷ୍ମୀମନ୍ଦିର ଜଗମୋହନଠାରେ ରଖାଯାଇଥାଏ। ସାତପାହାଚଠାରେ ଶ୍ରୀବିଗ୍ରହମାନେ ପହଞ୍ଚିବା ପରେ ଖୁଣ୍ଟିଆ ସେବକ ଟାହିଆକୁ ସଂସ୍କାର କରି ଦଇତାପତିମାନଙ୍କ ହସ୍ତକୁ ମହାପ୍ରଭୁଙ୍କ ମସ୍ତକରେ ଲାଗି ନିମିତ୍ତ ବଢ଼ାଇଥାନ୍ତି।

ଟାହିଆ ପ୍ରସ୍ତୁତକାରୀମାନେ ହେଲେ- ଦୁଇଜଣ ପାରମ୍ପରିକ ଶିଳ୍ପୀ ଓ ଜଣେ ଚିତ୍ରକର। ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ଘରର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରମାନଙ୍କର ମାପ ପୃଥକ ପୃଥକ ହୋଇଥିବା କାରଣରୁ, ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ସେବାରେ ଲାଗିବା ନିମନ୍ତେ ଶ୍ରୀମନ୍ଦିରପାଇଁ ସାଢ଼େ ଚାରିହାତ ଲମ୍ବ ଓ ଛଅହାତ ଚଉଡ଼ାର ଟାହିଆ ନିର୍ମାଣ ହେଉଥିବା ବେଳେ, ଶ୍ରୀଗୁଣ୍ଡିଚା ମନ୍ଦିର ପାଇଁ ସାଢ଼େ ତିନିହାତ ଲମ୍ବ ଓ ଛଅ ହାତ ଚଉଡ଼ାର ଟାହିଆ ପ୍ରସ୍ତୁତ ହୋଇଥାଏ। ଏହି ଟାହିଆ ପ୍ରାୟ ତ୍ରିକୋଣାକାର। ପ୍ରଭାର ଅଗ୍ରଭାଗରେ ଦୂବ, ଜରି, ଜମ୍ବୁରା ସହିତ ସୋଲରେ ନିର୍ମିତ କଦମ୍ବଫୁଲ ଖଞ୍ଜା ଯାଇଥାଏ।

ରଥଯାତ୍ରାରେ ସର୍ବମୋଟ ୪ ଥର ପହଣ୍ଡି ବିଜେ ହୋଇଥାଏ। ଏଥିନିମନ୍ତେ ରାଘବ ଦାସ ମଠ ପକ୍ଷରୁ ୮ ଗୋଟି ଟାହିଆ ଓ ୮ଟି ଚୂଳ ପହଣ୍ଡି ବିଜେ ନୀତି ପାଇଁ ଆସିଥାଏ। ‘ଟାହିଆ’ ନିର୍ମାଣ ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ। ଶ୍ରୀଗୁଣ୍ଡିଚା ଦିନ ଦୁଇଟି ବଡ଼ ଟାହିଆ, ରଥରୁ ଗୁଣ୍ଡିଚାମଣ୍ଡପ (ଆଡ଼ପ ମଣ୍ଡପ)କୁ ବିଜେ ସମୟରେ ଦୁଇଗୋଟି ଛୋଟ ଟାହିଆ, ବାହୁଡ଼ାଯାତ୍ରା ପହଣ୍ଡି ନିମିତ୍ତ ଦୁଇଗୋଟି ଛୋଟ ଟାହିଆ ଓ ନୀଳାଦ୍ରିବିଜେ ପହଣ୍ଡି ଦିନ ଦୁଇଗୋଟି ବଡ଼ ଟାହିଆ ପରମ୍ପରା ମୁତାବକ ମଠ ପକ୍ଷରୁ ଯୋଗାଯାଇଥାଏ। ବଡ଼ ଟାହିଆଗୁଡ଼ିକ ୩୭ କାଠି ଓ ଛୋଟ ଟାହିଆଗୁଡ଼ିକ ୨୫ କାଠି ବିଶିଷ୍ଟ ହୋଇଥାଏ। ଶ୍ରୀଗୁଣ୍ଡିଚା ଯାତ୍ରା ଓ ନୀଳାଦ୍ରିବିଜେରେ ୩୭ କାଠି ବିଶିଷ୍ଟ ବୃହତକାୟ ଟାହିଆ ଓ ବଡ଼ ଚୂଳ ନିର୍ମିତ ହେଉଥିବା ବେଳେ, ବାହୁଡ଼ା ଯାତ୍ରାରେ ୨୫ କାଠି ବିଶିଷ୍ଟ ଛୋଟ ଟାହିଆ ଓ ସାନଚୂଳ ପ୍ରସ୍ତୁତ ହୋଇଥାଏ। ଦେବୀ ସୁଭଦ୍ରାଙ୍କ ନିମନ୍ତେ ତିକାନିଆ ଚୂଳ ପ୍ରସ୍ତୁତ ହେଉଥିବା ବେଳେ ଶ୍ରୀସୁଦର୍ଶନଙ୍କ ପାଇଁ ସାଦା ଚୂଳ ପ୍ରସ୍ତୁତ ହୋଇଥାଏ।

ସାତ ପାହାଚ ଓ ରଥ ଉପରେ ଶ୍ରୀବିଗ୍ରହମାନଙ୍କୁ ପହଣ୍ଡି ବିଜେ ସମୟରେ ଲାଗି ହେଉଥିବା ଟାହିଆର ଦୋଳାୟମାନ ଦୃଶ୍ୟରେ ଭକ୍ତଜନ ଆତ୍ମବିଭୋର ହୋଇଉଠିଥାନ୍ତି। ଭକ୍ତମାନଙ୍କୁ ଆକର୍ଷିତ କରିବାରେ ଏହି ‘ଟାହିଆ’ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ।

ମୋ: ୯୪୩୭୨୮୧୧୦୨, ଶ୍ରୀଜଗନ୍ନାଥ ଧାମ, ପୁରୀ

ସମ୍ବନ୍ଧିତ ଖବର