ପଣା ସଂକ୍ରାନ୍ତି ଏବଂ ଓଡ଼ିଶାର ପରମ୍ପରା

ପଣା ସଂକ୍ରାନ୍ତି  ବା ମହାବିଷୁବ  ସଂକ୍ରାନ୍ତି  ଓଡ଼ିଆମାନଙ୍କ  ପାଇଁ  ଏକ ମୁଖ୍ୟ ସଂକ୍ରାନ୍ତି।  ଏହାକୁ ଓଡ଼ିଆ  ନବ ବର୍ଷ  ଭାବେ  ମଧ୍ୟ  ପାଳନ  କରାଯାଏ   ।  ଓଡ଼ିଶାରେ  ଲୋକେ   ନିକଟସ୍ଥ  ମନ୍ଦିରକୁ  ଯାଇ  ପୂଜାର୍ଚ୍ଚନା  କରିଥାନ୍ତି ।  ଏହି  ଅବସରରେ   କଟକର   ଚଣ୍ଡୀ ମନ୍ଦିର, ଯାଜପୁରର  ବିରଜା ମନ୍ଦିର, ସମ୍ବଲପୁରର  ସମଲେଶ୍ୱରୀ ମନ୍ଦିର,   ଗଞ୍ଜାମର  ତାରାତାରିଣୀ  ମନ୍ଦିରରେ  ଅଧିକ  ଭିଡ଼  ପରିଲକ୍ଷିତ  ହୋଇଥାଏ ।

 ପଣା ସଂକ୍ରାନ୍ତିରେ ଓଡ଼ିଶାର  ବିଭିନ୍ନ  ସ୍ଥାନରେ  ଚାଲିଥିବା  ଝାମୁଯାତ୍ରା  ଶେଷ  ହୋଇଥାଏ ।  ଭଦ୍ରକ  ଜିଲ୍ଲାର  ଛତ୍ରପଦାଠାରେ  ଥିବା ମଙ୍ଗଳା  ମନ୍ଦିରରେ  ପାଟୁଆ ଯାତ୍ରା  ମଧ୍ୟ  ଏହି ଅବସରରେ  ଅନୁଷ୍ଠିତ  ହୋଇଥାଏ ।  ଏହା ଏପ୍ରିଲ  ୧୪ ତାରିଖରୁ  ୨୧  ତାରିଖ ଯାଏଁ   ଚାଲେ ।  ଉତ୍ତର   ଓଡ଼ିଶାରେ   ଏହାକୁ  ଚଡ଼କ  ପର୍ବ ବୋଲି ମଧ୍ୟ  କୁହାଯାଇଥାଏ ।  ଦକ୍ଷିଣ  ଓଡ଼ିଶାରେ ପଣା ସଂକ୍ରାନ୍ତି  ସମୟରେ   ଦଣ୍ଡନାଟ  ଉତ୍ସବ  ଅନୁଷ୍ଠିତ  ହୋଇଥାଏ ।  ଏହା   ପ୍ରାୟ  ଏକମାସ  ଧରି   ଚାଲିଥାଏ ।    ଏହି  ଅବସରରେ  ତାରାତାରିଣୀ  ଶକ୍ତିପୀଠରେ ହଜାର ହଜାର  ଶ୍ରଦ୍ଧାଳୁ   ଏକତ୍ରିତ  ହୋଇଥାଅାନ୍ତି ।

ପଣାସଂକ୍ରାନ୍ତିରେ  ଓଡ଼ିଆମାନେ  ଠାକୁରଙ୍କ  ପାଖରେ  ଛତୁଆ  ଭୋଗ  ଲଗାଇବାର   ମଧ୍ୟ   ପରଂପରା  ରହିଛି ।  ଏହି ଦିନଠାରୁ  ଛତୁଆ  ଖିଆ ଆରମ୍ଭ ହୋଇଥାଏ ।

ଓଡ଼ିଆ  ପରଂପରା  ଅନୁଯାୟୀ  ପଣା   ସଂକ୍ରାନ୍ତିକୁ ଭଗବାନ  ହନୁମାନଙ୍କର ଜନ୍ମଦିନଭାବେ ବି ପାଳନ କରାଯାଏ ।  ଏହି କାରଣରୁ  ଏହି ତିଥିରେ   ଓଡ଼ିଆମାନେ  ହନୁମାନଙ୍କ ମନ୍ଦିରକୁ  ଯାଇ  ବିଶେଷ   ପୂଜାର୍ଚ୍ଚନା  ମଧ୍ୟ  କରିବାର   ଦେଖିବାକୁ ମିଳେ ।  ଏହା ଛଡ଼ା    ଓଡ଼ିଆମାନେ    ଶିବ  ମନ୍ଦିର ଓ  ବିଭିନ୍ନ  ଶକ୍ତିପୀଠରେ  ବି  ସ୍ୱତନ୍ତ୍ର    ପୂଜାର୍ଚ୍ଚନା   କରିଥାନ୍ତି ।  ପଣା ସଂକ୍ରାନ୍ତି  ପ୍ରତିବର୍ଷ  ଏପ୍ରିଲ୍‌  ୧୪  ତାରିଖରେ  ପଡ଼ିଥାଏ ।  ଏହା  ହେଉଛି  ଚୈତ୍ର ମାସର  ୨୪ ତମ ଦିବସ ।

ସମ୍ବନ୍ଧିତ ଖବର