ସରକାରୀ ସ୍କୁଲ ଛାଡି ବେସରକାରୀ ଇଂରାଜୀ ମାଧ୍ୟମିକ ସ୍କୁଲ ମୁହାଁ ଛାତ୍ରଛାତ୍ରୀ!

ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ଲାଗି ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ସରକାରୀ ବିଦ୍ୟାଳୟମାନଙ୍କରେ ଦିନକୁ ଦିନ ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା କମିବାରେ ଲାଗିଛି। ସରକାରୀ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା ବହି, ୟୁନିଫର୍ମ ଏବଂ ମଧ୍ୟାହ୍ନଭୋଜନ ମିଳିବା ସତ୍ୱେ ମଧ୍ୟ ଛାତ୍ରଛାତ୍ରୀମାନେ ସରକାରୀ ସ୍କୁଲ ଛାଡି ବେସରକାରୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଆଡକୁ ମୁହାଁଇବାରେ ଲାଗିଛନ୍ତି।

ଏହାର ସବୁଠୁ ବଡ କାରଣ ହେଉଛି ଅଭିଭାବକମାନେ ପିଲାମାନଙ୍କୁ ଭଲ ଇଂରାଜୀ ଶିକ୍ଷା ଦେବା ପାଇଁ ସରକାରୀ ବିଦ୍ୟାଳୟକୁ ଛାଡି ବେସରକାରୀ ଇଂରାଜୀ ମାଧ୍ୟମିକ ସ୍କୁଲରେ ପାଠ ପଢାଇବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। କେବଳ ଇଂରାଜୀ ପଢାଇବା ପାଇଁ ସରକାରୀ ସ୍କୁଲକୁ ପଛରେ ପକାଉ ନାହାଁନ୍ତି, ପ୍ରକୃତ କାରଣ ହେଉଛି ପିଲାମାନଙ୍କୁ ପାଠ ପଢାଇବା ପାଇଁ ଅଭିଭାବକ ମାନଙ୍କୁ ଏକ ଅନୁକୂଳ ପରିବେଶ ମିଳିପାରୁ ନାହିଁ । ସାଧାରଣରେ କହିବାକୁ ଗଲେ ସରକାରୀ ସ୍କୁଲ ମାନଙ୍କରେ କେଉଁଠି ପାଠ ପଢାଇବା ପାଇଁ ଘର ନାହିଁ ତ ଆଉ କେଉଁଠି ପାଠ ପଢାଇବା ପାଇଁ ଶିକ୍ଷକଙ୍କର ଅଭାବ ରହିଛି । ଏହିପରି ସମସ୍ୟା କାରଣରୁ ପିଲାମାନଙ୍କୁ ପାଠ ପଢାଇବା ପାଇଁ ଅଭିଭାବକମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି।

ଗତ ୨୦୧୪ରେ ଇଂରାଜୀକୁ ପ୍ରାଧାନ୍ୟ ଦେବା ପାଇଁ ପ୍ରତିଟି ବ୍ଲକରେ ଗୋଟିଏ ଲେଖାଏଁ ସରକାରୀ ଇଂରାଜୀ ସ୍କୁଲର ନିର୍ମାଣ କରାଗଲା। ଏଥି ପାଇଁ ପ୍ରତିଟି ବ୍ଲକରେ ପାଇଲଟ ପ୍ରୋଜେକ୍ଟ ଭାବରେ ସ୍କୁଲ ଆରମ୍ଭ କରାଗଲା। କିନ୍ତୁ ଏହାର ରକ୍ଷଣା ବେକ୍ଷଣା ଠିକ ନରହିବାରୁ ପିଲାଙ୍କ ସଂଖ୍ୟା ବଢିପାରୁନାହିଁ। ଏହାର ସବୁଠାରୁ ବଡ କାରଣ ହେଉଛି ସରକାରୀ ସ୍କୁଲରେ ଇଂରାଜୀ ଶିକ୍ଷକଙ୍କ ଅଭାବ।

ଦେଶରେ ପ୍ରାୟ ୧ ଲକ୍ଷ ୪୨ ହଜାର ୫୧୨ ପ୍ରାଥମିକ ଏବଂ ମାଧ୍ୟମିକ ସ୍କୁଲ ରହିଛି । ସେଥି ମଧ୍ୟରେ ପ୍ରାୟ ୩୦ ହଜାର ଶିକ୍ଷକଙ୍କ ପଦ ଖାଲି ରହିଛି । ସରକାରୀ ସ୍କୁଲରେ ମୋଟ ୨ ଲକ୍ଷ ୮୬ ହଜାର ଶିକ୍ଷକ ରହିଥିବା ବେଳେ ଏପରି କେତେକ ଶିକ୍ଷକ ରହିଛନ୍ତି ଯେଉଁମାନେ ସ୍କୁଲକୁ ପାଠ ପଢାଇବାକୁ ନଆସି ଅନ୍ୟ କେଉଁଠି ନିଜର ସେବା ପ୍ରଦାନ କରୁଛନ୍ତି।

ସରକାରୀ ସ୍କୁଲରେ ପିଲା ମାନଙ୍କ ସଂଖ୍ୟା କମିବାରୁ ଏହାର ସିଧା ସଳଖ ଫାଇଦା ପାଉଛନ୍ତି ବେସରକାରୀ ସ୍କୁଲ। ସରକାରୀ ସ୍କୁଲରେ ପାଠ ପଢାଇବା ପାଇଁ ଅନୁକୂଳ ବାତାବରଣ ନଥିବାରୁ ଅବିଭାବକମାନେ ବେସରକାରୀ ସ୍କୁଲରେ ନିଜ ପିଲାଙ୍କ ନାମ ଲେଖାଉଛନ୍ତି । ଯାହା ଫଳରେ ବେସରକାରୀ ସ୍କୁଲ ଗୁଡିକ ଲୋକମାନଙ୍କୁ ବିଭିନ୍ନ ଉପାୟରେ ଠକିଥାନ୍ତି । ଯେପରିକି ଆଡମିସନ ଠାରୁ ଆରମ୍ଭ କରି ପିଲାମାନଙ୍କର ବହି, ଖାତା, ଡ୍ରେସ୍‌ ଆଦିର ବାହାନା ଦେଖାଇ ନିଜ ଇଚ୍ଛା ମୁତାବକ ଅର୍ଥରାଶି ଲୁଟିଥାନ୍ତି। ଯଦି ଏହିପରି ପରିସ୍ଥିତି ଲାଗି ରହେ ତେବେ ଏମିତି ମଧ୍ୟ ସମୟ ଆସିବ ଦିନେ ସମସ୍ତ ସରକାରୀ ସ୍କୁଲ ମାନଙ୍କରେ ତାଲା ଝୁଲିବ।

ସମ୍ବନ୍ଧିତ ଖବର