ଭଡ଼ା ନଗରୀ ପଟିଆ ଗଡ଼

ଦିନ ଥିଲା, ୧୨ ଜିଲ୍ଲା ୬ ପ୍ରଗଣାକୁ ନେଇ ପ୍ରତିଷ୍ଠିତ ହୋଇଥିଲା ପଟିଆ କିଲ୍ଲା। ପୂର୍ବରେ ସାଇଲୋ, ସାଇବେରୀରୁ ନେଇ ପଶ୍ଚିମରେ ମୁଣ୍ଡଳି, ନରାଜ ଓ ଆଠଗଡ଼ର କଖଡ଼ି ଏବଂ ଉତ୍ତରରେ ବାଖରାବାଦରୁ ନେଇ ଦକ୍ଷିଣରେ ଗାଡ଼କଣ ପର୍ଯ୍ୟନ୍ତ ଲମ୍ବିଥିଲା ପଟିଆର ପରିସର। ରାଜବଂଶ ପରେ ଏଠାରେ ଜମିଦାରବାଦ ଗଢ଼ି ଉଠିଥିଲା। ଏକଦା ୭୪ ହଜାର ୩ ବର୍ଗମାଇଲ୍‌ ପର୍ଯ୍ୟନ୍ତ ଚିରସ୍ଥାୟୀ ନିଷ୍କର ଜମି ଲମ୍ବିଥିଲା। ରାଜା ମୁକୁନ୍ଦଦେବ ବଡ଼ ପୁଅକୁ ଆଳିକୁ ପଠାଇଦେବା ପରେ ସାନପୁଅ ଚକ୍ରଧର ଦେବଙ୍କୁ ପଟିଆଗଡ଼ରେ ଜମି ଦେଇ ପଟ୍ଟାୟତ ଘୋଷଣା କଲେ। ଏହି ପଟ୍ଟାୟତ ଶବ୍ଦରୁ ହିଁ ପଟିଆ ଶବ୍ଦର ଉତ୍ପତ୍ତି ବୋଲି କୁହନ୍ତି ଐତିହାସିକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ। ଧୀରେଧୀରେ ପଟିଆ ଗଡ଼ ରଙ୍ଗମାଟିଆ, ଗାଡ଼କଣ, କଳାରାହାଙ୍ଗ, ବରିମୁଣ୍ଡ ମଧ୍ୟରେ ସୀମିତ ହେଲା। ପରେ ଏହାକୁ ଆହୁରି ସଙ୍କୁଚିତ କରିଦେଇଥିଲା ନଗର, ବିହାର, ଆପାର୍ଟମେଣ୍ଟ୍‌ ଓ ଭିଲ୍ଲା।

ପଟିଆ ରାଜାଙ୍କ ଦ୍ବାରା ସେଠାରେ ସେତେବେଳେ ଚାଷୀମାନଙ୍କୁ ଭୋଜପତ୍ରରେ ହାତଲେଖା ମାଲିକାନା ଦେଇଥିଲେ। ଯାହା ଏବେ ବି ଅନେକ ଚାଷୀଙ୍କ ଘରେ ମହଜୁଦ ଅଛି। କିନ୍ତୁ ନାଁ ଏବେ ସେଠି ଆଉ ଗାଁ’ର ଅସ୍ତିତ୍ବ ଅଛି ନା ଜମିଜମା। ଉଚ୍ଚ ଅଟ୍ଟାଳିକାର ଆଁ ଭିତରେ ହଜିଯାଇଛି ଗାଁ। ଯେଉଁଠି ନିଷ୍କର ଜମିରେ ଛନଛନ ଧାନ ଦେଖି ପେଟ ପୂରି ଯାଉଥିଲା ରାଜଧାନୀ ହେବା ପରେ ତାହାର ବିକ୍ରିବଟା ଆରମ୍ଭ ହେଲା। ପୁରୁଣା ଗାଁ’ ହୋଇଥିବାରୁ ଏଠାରେ ଜନବସତି ବଢ଼ିବାକୁ ଲାଗିଲା। ଶହଶହ ନୂଆ ଆପାର୍ଟମେଣ୍ଟ୍‌ ଗଢ଼ି ଉଠିଲା। ଆଖପାଖ ଅଞ୍ଚଳରେ ଶିକ୍ଷାନୁଷ୍ଠାନ, ଚିକିତ୍ସାନୁଷ୍ଠାନ, ମଲ୍‌, ବ୍ୟବସାୟିକ ଅନୁଷ୍ଠାନ ବୃଦ୍ଧି ପାଇ ବସତି ଅନୁକୂଳ ହେବାରୁ ଏହାକୁ ଦୃଷ୍ଟିରେ ରଖି ନିର୍ମାଣ ସଂସ୍ଥାମାନେ ଏଠାରେ ସୁରମ୍ୟ ଅଟ୍ଟାଳିକାମାନ ଠିଆ କରିଦେଲେ। ତେବେ ଏଠାରେ ରହିବା ପାଇଁ ଯେତିକି ଲୋ‌କ ଘର କିଣିବାକୁ ପସନ୍ଦ କରି ନଥିଲେ ତା’ଠୁ ଅଧିକ ଲୋକ ଏଠି ଭଡ଼ା ଲଗାଇବା ପାଇଁ ଘର କିଣିଲେ। ମାଳମାଳ ଶିକ୍ଷାନୁଷ୍ଠାନ ଯୋଗୁଁ ଛାତ୍ରଛାତ୍ରୀ ଓ ହଷ୍ଟେଲ୍‌ ପାଇଁ ଘରର ଆବଶ୍ୟକତା ପଡ଼ିଲା। ଏକ ଆକଳନ ମୁତାବକ ସେଠାରେ ଗାଁ’ଲୋକଙ୍କ ସଂଖ୍ୟା ୨୫ ଭାଗ ଥିବା ବେଳେ ବାକି ୭୫ ପ୍ରତିଶତ ଲୋକେ ନୂଆକରି କିମ୍ବା ଭଡ଼ାରେ ରହୁଛନ୍ତି। ପ୍ରାୟ ୫୦ ପ୍ରତିଶତ ଛାତ୍ରଛାତ୍ରୀ ଓ ପରିବାର ଏଠାରେ ଭଡ଼ାରେ ରହୁଛନ୍ତି। ‌ଦିନେ ଜମିଦାରୀ ପାଇଁ ପରିଚିତ ପଟିଆ ଏବେ ଭଡ଼ା ନଗରୀରେ ପରିଣତ ହୋଇଛି।

ସମ୍ବନ୍ଧିତ ଖବର