ଯୋଜନା ଥିଲା ସାରା ପରିବାରର ନିପାତ!

ପାଟଣାଗଡ ପାର୍ସଲ ବୋମା ଘଟଣା। ବିତିଯାଇଛି ୨ମାସ ୨ଦିନ। ମାସେ ପୁଲିସ ଓ ମାସେ କ୍ରାଇମବ୍ରାଞ୍ଚ ତଦନ୍ତ। ନବବଧୂ ରୀମାର ମଥାରୁ ଲିଭି ଯାଇଛି ସିନ୍ଦୂର। ଶରୀରରୁ ସିନା ଦାଗ ଲିଭୁଛି ହେଲେ ସ୍ୱାମୀ ମୃତ୍ୟୁଜନିତ ମାନସିକ କ୍ଷତ ବୋଧହୁଏ କେବେ ବି ଶୁଖିବନି। ଏକମାତ୍ର ପୁଅକୁ ହରାଇ ବାପା-ମା’ ଅସ୍ଥିର। ରୀମା, ମୃତ ସୌମ୍ୟଙ୍କ ବାପା-ମା’ ମାଗୁଥିଲେ ନ୍ୟାୟ। ଯେମିତି ହେଲେ ଜହ୍ଲାଦର ଚେହେରା ସର୍ବସମ୍ମୁଖକୁ ଆଣିବା ପାଇଁ ଅନୁରୋଧ କରିଥିଲେ। ବୁଧବାର ପାର୍ସଲ ବୋମା ବିସ୍ଫୋରଣ ପଛର ଖଳନାୟକକୁ ଜେଲ୍‌ର ଚାରିକାନ୍ଥ ଭିତରକୁ ପଠାଇଛି କ୍ରାଇମବ୍ରାଞ୍ଚ। ତଥ୍ୟ, ପ୍ରମାଣ ନରହିଲେ ମାମଲା ଦୁର୍ବଳ ହେବ। ତେଣୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ, ପ୍ରମାଣ ଯୋଗାଡ଼ କରିବାକୁ ଆରମ୍ଭ ହୋଇଛି ଉଦ୍ୟମ। ହେଲେ ଫେବ୍ରୁଆରି ୨୩ ତାରିଖର ସେ ଲୋମଟାଙ୍କୁରା ଘଟଣା ଓ ବୁଧବାର ମୃତ୍ୟୁର ତାଣ୍ଡବ ଖେଳିଥିବା ଜହ୍ଲାଦର ପରିଚୟ ଖୋଲିବା ପରେ ସ୍ତବ୍ଧ ପାଟଣାଗଡ଼ ସହ ସାରା ବଲାଙ୍ଗୀର ଜିଲ୍ଲା।

ଅହଙ୍କାରୀ ଆଖିରେ ଲୁହ

ବହୁ ଦିନ ଧରି କଲେଜରେ ଅଧ୍ୟାପକ ପୁଂଜିଲାଲ ମେହେର ଥିଲେ ମୁଖିଆ। ଅଧ୍ୟକ୍ଷ ବୋଲି କର୍ମଚାରୀଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ମାନୁଥିଲେ ତାଙ୍କୁ। ହେଲେ ଗତ ମେ ମାସରେ ବଦଳି ହୋଇ ଆସିଲେ ସୌମ୍ୟଶେଖରଙ୍କ ମା’ ସଂଯୁକ୍ତା ସାହୁ। ସେ ଅଧ୍ୟକ୍ଷ ସିଟ୍‌ରେ ବସିଲେ। ବହୁ ଦିନ ଧରି ଅଧ୍ୟକ୍ଷ ଥିବା ଅଧ୍ୟାପକ ଶ୍ରୀ ମେହେର ଅନ୍ୟ ଅଧ୍ୟାପକଙ୍କ ସହ ବସିଲେ ଅଧ୍ୟାପକଙ୍କ ପାଇଁ ଉଦ୍ଦିଷ୍ଟ ରୁମ୍‌ରେ। ଯାହାକି ତାଙ୍କ ପାଇଁ ଅସହ୍ୟ ହୋଇଥିଲା। ଅହଙ୍କାରୀ ଓ ପ୍ରବଳ ରାଗୀ ମିଜାଜର ଅଧ୍ୟାପକ ଶ୍ରୀ ମେହେରଙ୍କୁ ଜେରା ବେଳେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ପଚାରିଥିଲେ: ନବବଧୂ ରୀମା ସହ ଯାହା କଲେ ତାହା ଠିକ୍‌ ଥିଲା? ରାଗ ଥିଲା ଅଧ୍ୟକ୍ଷା ଶ୍ରୀମତୀ ସାହୁଙ୍କ ଉପରେ। ପୁଅର ଜୀବନ ନେଇଗଲେ, ବୋହୂର ସିନ୍ଦୂର ଛଡ଼ାଇ ନେଲେ? ଆଇଜିଙ୍କ ଏହି କଥାରେ କାନ୍ଦି ପକାଇଥିଲେ ଅହଙ୍କାରୀ ଅଧ୍ୟାପକ। ଟାର୍ଗେଟ୍‌ରେ ଅନ୍ୟ ଜଣେ ଥିଲେ। ପୂରା ପରିବାରକୁ ଉଡ଼ାଇବାକୁ ଚାହୁଁଥିଲି। ହେଲେ ସୌମ୍ୟର ମୃତ୍ୟୁ ପାଇଁ ଦୁଃଖିତ ଓ ଅନୁତପ୍ତ।

ବାଟବଣା କରିବାକୁ ଯାଇ ଜାଲରେ ପଡ଼ିଗଲେ

ପ୍ରେମ ମାମଲା ପଛରେ ପୁଲିସ ଦୌଡ଼ୁଥିଲା। କିନ୍ତୁ କଲେଜ ବିବାଦ ନେଇ ଆଲୋଚନା ଆରମ୍ଭ ହୋଇଯାଇଥିଲା ପାଟଣାଗଡ଼ରେ। କାଳେ ଏହି ଦିଗରେ ପୁଲିସ ତଦନ୍ତ କରିବ ସେଥିପାଇଁ ଭୟଭୀତ ହୋଇ ପଡିଥିଲେ ଅଧ୍ୟାପକ ଶ୍ରୀ ମେହେର। ପୁଲିସ ଓ କ୍ରାଇମବ୍ରାଞ୍ଚକୁ ବାଟବଣା କରିବାକୁ ସେ ରଚିିଥିଲେ ନାଟକ। ଲାପ୍‌ଟପ୍‌ରେ ଲେଖିଥିଲେ ଚିଠି। ପେନ୍‌ ଡ୍ରାଇଭରେ ତାକୁ ନେଇ ପ୍ରିଣ୍ଟ କାଢିଥିଲେ। ଚିଠିର ପ୍ରମାଣ ଯେମିତି ନରହିବ ସେଥିପାଇଁ ଲାପ୍‌ଟପ୍‌ରୁ ଉଡ଼ାଇ ଦେଲେ ତଥ୍ୟ। ପାଟଣାଗଡ଼ରୁ ଡାକ ଯୋଗେ ପଠାଇଲେ ବି ଧରାପଡ଼ିବାର ଆଶଙ୍କା ରହିଛି। କାରଣ ତାଙ୍କୁ ସେଠାରେ ଲୋକେ ଚିହ୍ନିଛନ୍ତି। ତେଣୁ ବଲାଙ୍ଗୀର ଆସି ଚିଠି ପୋଷ୍ଟ କଲେ। ଚିଠିକୁ ମାମୁଲି ବୋଲି ଧରି ନେଇଥିଲା ପୁଲିସ। କିନ୍ତୁ ପାର୍ସଲ ପଠାଇଥିବା ବ୍ୟକ୍ତି ଆର.କେ.ଶର୍ମା ନୁହେଁ ଏସ୍‌.କେ.ସିହ୍ନା ବୋଲି ଚିଠିରେ ଉଲ୍ଲେଖ ଥିଲା। ଯାହାକି କ୍ରାଇମବ୍ରାଞ୍ଚର ସନ୍ଦେହକୁ ବଢ଼ାଇ ଦେଲା। ଏହି ଚିଠିରୁ ହିଁ ପାର୍ସଲ ବୋମା ପଛର ରହସ୍ୟ ଖୋଜିବାକୁ ପାଦ କାଢ଼ିଥିଲା କ୍ରାଇମବ୍ରାଞ୍ଚ।

ନିଜେ କରିଥିଲେ ସବୁକିଛି

ରବିବାର ପାଟଣାଗଡ଼ ମେହେର ପଡାରୁ ଅଧ୍ୟାପକ ପୁଂଜିଲାଲ ମେହେରଙ୍କୁ ଉଠାଇବା ପରେ ତଦନ୍ତକାରୀ ଅଧିକାରୀମାନେ ତାଙ୍କ ସହ ବିଭିନ୍ନ ଢଙ୍ଗରେ ଜେରା କରିଥିଲେ। କେତେ ବେଳେ ତାଙ୍କୁ ଭାବପ୍ରବଣ କରାଇଥିଲେ ତ କେତେବେଳେ ରାଗି କରାଇଥିଲେ। ତାଙ୍କ ମନସ୍ତତ୍ତ୍ୱକୁ ବୁଝିବାକୁ ପ୍ରୟାସ କରିଥିଲେ ତଦନ୍ତକାରୀ ଅଧିକାରୀମାନେ। ସେହି ଅନୁସାରେ ତାଙ୍କ ପାଖରୁ ତଥ୍ୟ ବାହାର କରିବାକୁ ଉଦ୍ୟମ କରିଥିଲା କ୍ରାଇମବ୍ରାଞ୍ଚ। ତେବେ ‘ଏକଲା ଚଲୋ’ ନ୍ୟାୟରେ ସବୁ ଅପରେସନକୁ ସେ ହିଁ ସମ୍ଭାଳିଥିଲେ। ପ୍ରଥମେ ପ୍ରଥମେ ସେ କିଛି ମାନୁ ନଥିଲେ। କିଛି କିଛି ତଥ୍ୟ ତାଙ୍କ ସମ୍ମୁଖରେ ରଖିବା ପରେ ପଦେ ପଦେ କରି କହିବା ଆରମ୍ଭ କରିଥିଲେ ଅଧ୍ୟାପକ ଶ୍ରୀ ମେହେର। ତଦନ୍ତକାରୀ ଅତିରିକ୍ତ ଏସ୍‌ପି ଅନିଲ ଦାସଙ୍କୁ ହସି ହସି ଅଧ୍ୟାପକ ଶ୍ରୀ ମେହେର କହିଲେ ଯେ, ଅନ୍ୟ କାହାକୁ ସାମିଲ କଲେ ଧରାପଡ଼ିଯିବାର ସମ୍ଭାବନା ରହିଛି। ତେଣୁ ନିଜେ ବୋମା ତିଆରି କୌଶଳ ଶିଖିଥିଲେ। ତାକୁ ପରୀକ୍ଷା ବି କରିଥିଲେ। ଅନେକ ପରୀକ୍ଷା ପରେ ସେ ଏହାକୁ କାର୍ଯ୍ୟକାରୀ କଲେ। ତେବେ ବୋମା ପ୍ରସ୍ତୁତକାରୀମାନେ ସାଧାରଣତଃ କଣ୍ଟା, କାଚ ଗୁଣ୍ଡ ଭଳି ସାମଗ୍ରୀ ଦେଇଥାନ୍ତି। କିନ୍ତୁ ଏଥିରେ ସେ ସବୁ ବ୍ୟବହାର ହୋଇ ନଥିବା କହିଛନ୍ତି ଅତିରିକ୍ତ ଏସ୍‌ପି ଶ୍ରୀ ଦାସ। ଚତୁର ଅଧ୍ୟାପକ ମେହେର ନିଜ ମୋବାଇଲ୍‌ ହ୍ଵାଟସ୍‌ ଆପ୍‌, ଲାପ୍‌ଟପ୍‌, ମୋବାଇଲ୍‌ ମେସେଜ୍‌ରୁ ବାର୍ତ୍ତା ସବୁ ଉଡ଼ାଇ ଦେଉଥିଲେ। ସେହି ତଥ୍ୟ ପୁଣିଥରେ କାଢ଼ିବା ପାଇଁ ପଠାଯାଇଛି। କମ୍‌ ଦିନ ମଧ୍ୟରେ ତାହା ମିଳିଯିବ ବୋଲି ସେ କହିଛନ୍ତି। ଅଟକ ଚନ୍ଦ୍ରମଣି ମେହେର, ବୈବସୂତ ମେହେର, ଉମେଶ ମଟାରୀ, କୋରିଅର ସଂସ୍ଥା ମାଲିକ ଦିଲୀପ ଦାସ, କୋରିଅର ବଏ ସୁଶାନ୍ତ ସେଠ, ଅଧ୍ୟାପକ ଶିବପ୍ରସାଦ ଦାସଙ୍କୁ କ୍ରାଇମବ୍ରାଞ୍ଚ ଛାଡ଼ି ଦେଇଥିବାରୁ ସେମାନଙ୍କ ପରିବାର ଲୋକେ ଆଶ୍ୱସ୍ତ ହୋଇଛନ୍ତି।

ସୁଖୀ ସଂସାରରେ ଶୋକ

କ୍ରାଇମବ୍ରାଞ୍ଚର ତଦନ୍ତ ଓ ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ସାମାନ୍ୟ ସାନ୍ତ୍ୱନା ପାଇଛନ୍ତି ସାହୁ ପରିବାର। ମୃତ ସୌମ୍ୟଶେଖରଙ୍କ ପିତା ରବିନ୍ଦ୍ର ସାହୁ କହିଛନ୍ତି, ପୁଂଜିଲାଲ ମେହେରଙ୍କ ନାଁ ଶୁଣି ନିଜକୁ ନିୟନ୍ତ୍ରଣ କରିପାରୁନି। ଜଣେ ଅଧ୍ୟାପକ(ପୁଂଜିଲାଲ) ଏଭଳି ଜଘନ୍ୟ ଘଟଣା ଘଟାଇବେ ବୋଲି କଳ୍ପନା କରି ନଥିଲି। ଦୁଇଟି ପରିବାର ବରବାଦ ହେଇଗଲା। ମୋ ପୁଅ ମୋ ଠୁ ଛଡ଼ାଇ ନେଲା। ଗୋଟିଏ ନୂଆ ବୋହୂ ୪ ଦିନ ହେଇଛି, ତାର ଦୁନିଆ ବରବାଦ ହେଇଗଲା। ସମାଜରେ ଏଭଳି ଲୋକ ବଞ୍ଚିବା କଥା ନୁହେଁ। ସେ ଗୋଟେ ରାକ୍ଷସ, ମଣିଷତ୍ୱ ନାହିଁ। ମାନବିକତା ଥିଲେ ଏମିତି କରି ନଥାନ୍ତା। ଅଧ୍ୟକ୍ଷ ପଦ ପାଇଁ ଆଗ୍ରହୀ ବୋଲି ସେ(ପୁଂଜିଲାଲ) କହିଥିଲେ ମୁଁ ପତ୍ନୀଙ୍କୁ ମନା କରିଥାନ୍ତି। ଛୋଟ ପଦ ପାଇଁ ଏତେ ବଡ କାଣ୍ଡ ଭିଆଇବା ବୁଝିପାରୁନି। ମଣିଷ ନୁହେଁ, ପାଗଳ। ଫାଶୀ ହେଇଗଲେ କମ୍‌ ହେବ। ନ୍ୟାୟାପାଳିକାକୁ ଅନୁରୋଧ କରୁଛି, ତାକୁ ଏଭଳି ଦଣ୍ଡ ଦିଅନ୍ତୁ ଯେ, ଦ୍ୱିତୀୟ ପୁଂଜିଲାଲ ଜନ୍ମ ନନିଅନ୍ତୁ।

ସୌମ୍ୟଙ୍କ ମା’ ସଂଯୁକ୍ତା ସାହୁ କହିଛନ୍ତି, ସେ ଏକା ଏ ଘଟଣା ଘଟାଇ ନଥିବେ। ଏଥିରେ ଆଉ କେତେଜଣ ସଂପୃକ୍ତ ଥାଇପାରନ୍ତି। ଅଭିଯୁକ୍ତ ଧରା ପଡି ନଥିଲେ ଅବଶୋଷ ରହିଥାନ୍ତା। ସାମାନ୍ୟ କଥା ପାଇଁ ଏଭଳି ପଦକ୍ଷେପ ନେବେ ଭାବି ନଥିଲି।

କଠୋର ଦଣ୍ଡ ମିଳୁ: ରୀମା

ପାର୍ସଲ ବୋମାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ କଠୋରତମ ଶାସ୍ତି ମିଳୁ ବୋଲି ଦାବି କରିଛନ୍ତି ମୃତ ସୌମ୍ୟଶେଖରଙ୍କ ପତ୍ନୀ ରୀମା ସାହୁ। ପୁଞ୍ଜିଲାଲ କ୍ରାଇମବ୍ରାଂଚ ହାତରେ ଧରାପଡ଼ିବା ପରେ ରୀମାଙ୍କ ପ୍ରତିକ୍ରିୟା ଅତି ଆବେଗପୂର୍ଣ୍ଣ ଥିଲା। ସେ କହିଥିଲେ ଯେ, ମୋର ମାତ୍ର ଚାରି ଦିନର ସୁନାର ସଂସାରକୁ ସେହି ଜହ୍ଳାଦ ଛାରଖାର କରି ଦେଇଛି। ଏହି ଅପରାଧ ପାଇଁ ସମ୍ବିଧାନରେ ଯେତିକି ବି ଦଣ୍ଡ ଅଛି ତାଠାରୁ ଆହୁରି ଅଧିକ ଦଣ୍ଡ ପୁଞ୍ଜିଲାଲକୁ ମିଳୁ ଓ ମୋ ଜୀବନ ଯେମିତି ଦୁର୍ବିସହ ହୋଇ ପଡ଼ିଛି ତା’ର ଜୀବନ ମଧ୍ୟ ସେପରି ଦୁର୍ବିସହ ହୋଇଯାଉ।
ତେବେ ଏହି ବିସ୍ଫୋରଣ ଘଟଣାରେ ସ୍ୱାମୀ ସୌମ୍ୟଶେଖରଙ୍କୁ ନେଇ କୌଣସି ପ୍ରକାର ସଂପୃକ୍ତି ନଥିବା ସ୍ପଷ୍ଟ ହେବା ରୀମାଙ୍କୁ ଆଶ୍ୱସ୍ତ କରିଛି। ବିସ୍ଫୋରଣ ପରେ ସୌମ୍ୟଙ୍କ ପ୍ରେମସଂପର୍କ ଓ ଅନ୍ୟ ବହୁ କଥା ଆଲୋଚନା ହେଉଥିଲା। ଯାହା ତାଙ୍କୁ ଓ ତାଙ୍କ ପରିବାରକୁ ବେଶ୍‌ ଦୁଃଖ ଦେଇଥିଲା ବୋଲି ରୀମା କହିଛନ୍ତି।

ଆଇଜି ବି ହେଲେ ଭାବପ୍ରବଣ

ବୁଧବାର ଅପରାହ୍ନରେ ବଲାଙ୍ଗୀର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପାର୍ସଲ ବୋମା ପ୍ରସଙ୍ଗରେ ପକ୍ଷ ରଖୁଥିବା ବେଳେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ବି ଭାବପ୍ରବଣ ହୋଇଥିଲେ କିଛି ସମୟ ପାଇଁ। ଗଣମାଧ୍ୟମ ସହ ଆଲୋଚନା ବେଳେ ଆଇଜି ଶ୍ରୀ ବୋଥ୍ରା କହିଥିଲେ ଯେ, ଚାକିରି ଜୀବନରେ ଏଭଳି ଅନେକ ମାମଲାର ଖୋଳତାଡ଼ କରି ଅଭିଯୁକ୍ତଙ୍କୁ ବାହାର କରିଛି। ପୁଲିସ, କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲା। ସିବିଆଇରେ ବି କାମ କରି ସାରିଛି। ରୀମା ଆମ ତଦନ୍ତ ଉପରୁ ଭରସା ତୁଟାଇଥିଲେ। ତେଣୁ ସିବିଆଇ ତଦନ୍ତ ଦାବି କରୁଥିଲେ। ଏହା ଏକ ବିରଳ ଓ ଜଘନ୍ୟ ଘଟଣା ଥିଲା ଆମ ପାଇଁ। ପୀଡ଼ିତ ସାହୁ ପରିବାର ଓ ରୀମାକୁ ନ୍ୟାୟ ଦେବାକୁ ଆମେ ପ୍ରତିଶ୍ରୁତିବଦ୍ଧ ଥିଲୁ। ଯଦି ଏହା ବାହାରି ନଥାନ୍ତା ଜୀବନ ସାରା ଦୁଃଖଟିଏ ରହିଯାଇଥାନ୍ତା ବୋଲି କହିଥିଲେ ଆଇଜି ଶ୍ରୀ ବୋଥ୍ରା।
ରିପୋର୍ଟ: ପାର୍ଥ ମହାପାତ୍ର, ବଲାଙ୍ଗୀର

ପୁଞ୍ଜିଲାଲ୍‌ ଓ୍ଵାନ୍‌ ମ୍ୟାନ୍‌ ଆର୍ମି

କଟକ : ଅଧ୍ୟାପକ ପୁଞ୍ଜିଲାଲ ମେହେର ପୁରା ଘଟଣାରେ ଥିଲା ଓ୍ଵାନ୍‌ ମ୍ୟାନ୍‌ ଆର୍ମି। ୟୁଟ୍ୟୁବ୍‌ରୁ ବୋମା ଭିଡ଼ା ଭିଡ଼ଓ ଦେଖିବା ପରେ ନିଜେ ପାର୍ସଲ ବୋମା ପାଟଣାଗଡ଼ରେ ପ୍ରସ୍ତୁତ କରିଥିଲା। ତାକୁ ପ୍ୟାକିଂ କରି ରାୟପୁର ଯାଇଥିଲା । ଆଉ ସେଠି ରାୟପୁର ରେଳ ଷ୍ଟେସନ୍‌କୁ ଲାଗି ଥିବା ସ୍କାଏ କିଙ୍ଗ କୋରିଅର୍‌ ସଂସ୍ଥା ମାଧ୍ୟମରେ ସୌମ୍ୟଶେଖର ସାହୁଙ୍କ ଠିକଣାରେ ପାଟଣାଗଡ଼କୁ ପାର୍ସଲ ପଠାଇଥିଲା। ତମାମ ଘଟଣା ଅତି ଚତୁରତା ଏବଂ ସାବଧାନତାର ସହିତ ଏକୁଟିଆ କରିଥିଲା ପୁଞ୍ଜିଲାଲ । ସମସ୍ତ ଘଟଣାରେ ସେ ନିଜେ ସାମିଲ ଥିବା ବେଳେ ମାଷ୍ଟରପ୍ଲାନ୍‌ର ନିଜେ ମାଷ୍ଟରମାଇଣ୍ଡ ଭାବେ କାର୍ଯ୍ୟ କରୁଥିଲା। ତାକୁ ଗିରଫ କରାଯିବା ପରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ହାତରେ ଏ ପ୍ରକାର ତଥ୍ୟ ମିଳିଛି । ପୁଲିସ ଡିଜି ଡାକ୍ତର ଆର୍‌.ପି. ଶର୍ମା କଟକ ପୁଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପୁଞ୍ଜିଲାଲ ଅତି ସତର୍କତାର ସହିତ ପୁରା ଘଟଣା ଘଟାଇଥିବା କହିଛନ୍ତି। ମୋଟାମୋଟି ଭାବେ ଭଉଁଷା ମହାବିଦ୍ୟାଳୟର ପ୍ରିନ୍‌ସିପାଲ୍‌ ପଦବିକୁ ନେଇ ପୁଞ୍ଜିଲାଲ ଏଭଳି ମାରାତ୍ମକ କାଣ୍ଡ ଭିଆଇଥିବା ଡାକ୍ତର ଶର୍ମା ସ୍ପଷ୍ଟ କରିଛନ୍ତି । ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏହି ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ରାୟପୁର ଗସ୍ତରେ ଯାଇଥିଲେ । ସେଠାରେ ସ୍କାଏ କିଙ୍ଗ କୋରିଅର୍‌ ସଂସ୍ଥାରେ ଚଢ଼ଉ କରିବା ସହିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍‌ନାକୁ ଆସିଥିଲା।

ସମ୍ବନ୍ଧିତ ଖବର