ଦାହ ସଂସ୍କାର ପାଇଁ ଅର୍ଥ ନଥିବାରୁ ଘରେ ହିଁ ମୃତଦେହକୁ ପୋତିଦେଲେ ପରିବାର ଲୋକ; ପରେ ଘଟିଲା ଏପରି ଘଟଣା

ଭାଗଲପୁର: ବିହାରର ଭାଗଲପୁର ଜିଲ୍ଲାରେ ଜଣେ ଯୁବକଙ୍କ ମୃତ୍ୟୁ ହେବା ପରେ ଘର ଭିତରେ ହିଁ ମାଟି ଖୋଳି ତାଙ୍କୁ ପୋତି ଦିଆଯିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଟି ଖୋଳି ଉକ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ଥାନୀୟଲୋକଙ୍କ ସାହାଯ୍ୟରେ ମୃତଦେହର ସଂସ୍କାର କରାଯାଇଥିଲା।

ମୃତ ବ୍ୟକ୍ତିଙ୍କ ପରିବାରଲୋକଙ୍କ କହିବାନୁସାରେ, ମୃତକ ଗୁଡ୍ଡୁ ମଣ୍ଡଳଙ୍କୁ ବାତ ମାରିବାର ରୋଗ ଥିଲା। ଏହି ରୋଗର ଅନେକ ଚିକିତ୍ସା ପରେ ବି କିଛି ସୁଫଳ ମିଳି ନଥିଲା। ସକାଳୁ ଯେତେବେଳେ ଗୁଡ୍ଡୁ ଉଠି ନଥିଲା ତାକୁ ଉଠାଇବାକୁ ଗଲା ବେଳକୁ ତାର ମୃତ୍ୟୁ ହୋଇଯାଇଥିଲା। ଆର୍ଥିକ ଅବସ୍ଥା ଏତେଟା ଠିକ୍‌ ନଥିବାରୁ ଡାକ୍ତର ପାଖକୁ ବି ପରିବାର ଲୋକ ନେଇ ପାରି ନଥିଲେ। ଗୁଡ୍ଡୁଙ୍କ ଦୁଇ ଭାଇ ଓମ ପ୍ରକାଶ ଓ ଅଜୟ ଠେଲା ଚଲାଇ ଥାଅନ୍ତି। ଲକ୍‌ଡାଉନ୍‌ ହେତୁ ଏହି କାମ ବି ବନ୍ଦ ରହିଥିଲା। ତେଣୁ ପାଖରେ ଟଙ୍କା ନଥିବାରୁ ଭାଇର ମୃତଦେହର ସଂସ୍କାର କରିବାକୁ ଦୁହେଁ ସକ୍ଷମ ହୋଇ ନଥିଲେ। ତେଣୁ ଘରେ ହିଁ ଗାତ ଖୋଳି ପୋତିବାକୁ ନିଷ୍ପତ୍ତି ନେଇଥିଲେ। ଶେଷରେ ଗାତରେ ଲୁଣ ଦେଇ ଗୁଡ଼ୁଙ୍କ ମୃତଦେହକୁ ପୋତି ଦେଇଥିଲେ।

ତେବେ ପାଖପଡ଼ିଶା ଏହି ଘଟଣା ଜାଣିବା ପରେ ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଟି ଖୋଳି ଗୁଡ୍ଡୁଙ୍କ ମୃତଦେହକୁ ବାହାର କରିବା ସହିତ ବ୍ୟବଚ୍ଛେଦ ପାଇଁ ଜବାହରଲାଲ ନେହେରୁ ମେଡିକାଲ କଲେଜ ହସ୍‌ପିଟାଲ୍‌କୁ ପଠାଇ ଦେଇଥିଲା। ବ୍ୟବଚ୍ଛେଦରେ ମୃତ୍ୟୁର କାରଣ ଜଣାପଡ଼ିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ସଂସ୍କାର ପାଇଁ ହସ୍ତାନ୍ତର କରି ଦେଇଥିଲା ପୁଲିସ ।

ସମ୍ବନ୍ଧିତ ଖବର