ହାଇଦ୍ରାବାଦରେ ଥିବା ବିଶ୍ୱର ବୃହତ୍ତମ ଡାଇନିଙ୍ଗ୍‌ ହଲ୍‌ରେ ଟ୍ରମ୍ପ୍‌ଙ୍କ ଝିଅ ଆଇଭାଙ୍କାଙ୍କୁ ଆତିଥ୍ୟ ଦେବେ ମୋଦି

ହାଇଦ୍ରାବାଦ: ଆସନ୍ତା ମଙ୍ଗଳବାର ଦିନ ହାଇଦ୍ରାବାଦର ‘ତାଜ୍‌ ଫାଲକନୁମା’ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଝିଅ ଆଇଭାଙ୍କା ଟ୍ରମ୍ପ୍‌ଙ୍କୁ ଆତିଥ୍ୟତା ଦେବେ। ‘ତାଜ୍‌ ଫାଲକନୁମା’ରେ ରହିଛି ପୃଥିବୀର ସବୁଠୁ ବଡ଼ ଡାଇନିଙ୍ଗ୍‌ ହଲ୍‌।

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ନଭେମ୍ବର ୨୮ ତାରିଖ, ମଙ୍ଗଳବାର ଦିନ ‘ଗ୍ଲୋବାଲ୍‌ ଏଣ୍ଟର୍‌ପ୍ରିନ୍ୟୁଅର୍‌ସିପ୍‌ ସମିଟ୍‌’ ଆରମ୍ଭ ହେବ। ଏଥିରେ ଆମେରିକୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଛନ୍ତି ଆଇଭାଙ୍କା।

୧୫୦ଟି ଦେଶରୁ ଏଥିରେ ୧୫୦୦ ଜଣ ପ୍ରତିନିଧି ଯୋଗ ଦେବାକୁ ଆସୁଛନ୍ତି। ସେମାନଙ୍କୁ ସ୍ୱାଗତ ଜଣାଇବା ପାଇଁ ହାଇଦ୍ରାବାଦରେ ଖୁବ୍‌ ସାଜସଜ୍ଜା ଚାଲିଛି।

ବର୍ଷା ଯୋଗୁଁ ନଷ୍ଟ ହୋଇ ଯାଇଥିବା ରାସ୍ତା ସବୁ ମରାମତି ହେଉଛି। ପୌର କର୍ମଚାରୀମାନେ ରାସ୍ତାରେ ଥିବା ଖାଲଖମା ପୋତି ସମତୁଲ କରୁଛନ୍ତି।

୨୦୦ ଭିକାରିଙ୍କୁ ଦୁଇଟି ଜେଲ୍‌ରେ ଥିବା ଆଶ୍ରୟସ୍ଥଳୀକୁ ପଠାଇ ଦିଆଯାଇଛି। କିନ୍ତୁ, ଅଧିକାରୀମାନେ କହନ୍ତି ହାଇଦ୍ରାବାକୁ ଭିକାରି ମୁକ୍ତ କରାଇବା ପାଇଁ କାମ ଆରମ୍ଭ ହୋଇଛି। ଆଇଭାଙ୍କା ଟ୍ରମ୍ପ୍‌ଙ୍କ ଗସ୍ତ ସହ ଏହାର କୌଣସି ସମ୍ବନ୍ଧ ନାହିଁ।

Image Courtesy of India Today

୩୫ ଏକର ଜମି ପରିଧିରେ ଅବସ୍ଥିତ ହାଇଦ୍ରାବାଦ ଇଣ୍ଟର୍‌ନ୍ୟାସ୍‌ନାଲ୍‌ କନ୍‌ଭେନ୍‌ସନ୍‌ ସେଣ୍ଟର୍‌ ଏବଂ ହାଇଦ୍ରାବାଦ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଟ୍ରେଡ୍‌ ଏକ୍ସପୋଜିସନ୍ସ ଠାରେ ଏହି ତିନି ଦିନିଆ ଶିଖର ବୈଠକ ଚାଲିବ। ଏହି ସଭାଗୃହରେ ୬୦୦୦ ଅଂଶଗ୍ରହଣକାରୀ ବସିପାରିବେ। ୨୦୦୬ ମସିହାରୁ ଏଠାରେ ଅନେକଗୁଡ଼ିଏ ବିଶ୍ୱସ୍ତରୀୟ ସଭାସମିତି ଅନୁଷ୍ଠିତ ହୋଇ ଆସୁଛି। ଏଥିପାଇଁ ସେ ଅଞ୍ଚଳରେ ନିରାପତ୍ତା ବ୍ୟବସ୍ଥା ଜୋର୍‌ଦାର୍‌ କରାଯାଇଛି।

ହାଇ-ଟେକ୍‌ ସିଟି ରୋଡ୍‌ରୁ ବୈଠକସ୍ଥଳୀ ଯାଏ ପଡ଼ିଥିବା ଏକ କିଲୋମିଟର୍‌ ଲମ୍ବ ରାସ୍ତାରେ ଫୁଟ୍‌ପାଥ୍‌, ପଥରବାଡ଼ା, ଫ୍ଲାଏଓଭର ଏବଂ ରାସ୍ତାର ବିଭାଜିକା ବାଡ଼ରେ ରଙ୍ଗ ଦିଆଯାଉଛି।

ଦୁଇ ଦିନିଆ ଗସ୍ତରେ ଆଇଭାଙ୍କା ମାଇଣ୍ଡ୍‌ସ୍ପେସ୍‌ ରାହେଜା ଆଇଟି ପାର୍କରେ ଥିବା େଓ୍ଵସ୍‌ଟିନ୍‌ ହୋଟେଲ୍‌ରେ ରହିବେ। ସେ ଆଡ଼କୁ ଯାଇଥିବା ରାସ୍ତାରେ ମଧ୍ୟ ସାଜସଜ୍ଜା ଚାଲିଛି।

ନଭେମ୍ବର ୨୮ ତାରିଖ ଦିନ ଉଦ୍‌ଘାଟନୀ ଅଧିବେଶନରେ ଆଇଭାଙ୍କା ଟ୍ରମ୍ପ୍‌ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଷଣ ଦେବେ। ପରଦିନ ଅନ୍ୟ ଏକ ଅଧିବେଶନରେ ଆଇଭାଙ୍କା ଭାଷଣ ଦେବେ।

ନଭେମ୍ବର ୨୮ ତାରିଖ ଦିନ ମୋଦି ‘ତାଜ୍‌ ଫାଲକନୁମା’ରେ ଆଇଭାଙ୍କାଙ୍କ ପାଇଁ ରାତ୍ରିଭୋଜନରେ ଆତିଥ୍ୟତା ଦେବେ। ହାଇଦ୍ରାବାଦର ପୁରୁଣା ସହରରେ ‘ତାଜ୍‌ ଫାଲକୁନାମା’ ଅବସ୍ଥିତ। ବୈଠକସ୍ଥଳରୁ ଏହାର ଦୂରତା ପ୍ରାୟ ୩୦ କିଲୋମିଟର।

ପରଦିନ ଅର୍ଥାତ୍‌ ନଭେମ୍ବର ୨୯ ତାରିଖରେ ଐତିହାସିକ ଗୋଲକୁଣ୍ଡା ଦୁର୍ଗରେ ଶିଖର ବୈଠକରେ ଅଂଶଗ୍ରହଣ କରିଥିବା ପ୍ରତିନିଧି ଦଳଙ୍କ ପାଇଁ ରାତ୍ର ଭୋଜନ ଆୟୋଜନ କରିବେ ତେଲେଙ୍ଗାନା ସରକାର। ଏଥିରେ ଅତିଥିମାନଙ୍କୁ ଆତିଥ୍ୟତା ଦେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ସେଥିରେ ମୋଦି ଏବଂ ଆଇଭାଙ୍କା ଯୋଗ ଦେବେ ନାହିଁ। ସେତେବେଳେକୁ ସେମାନେ ହାଇଦ୍ରାବାଦ ଛାଡ଼ି ସାରିଥିବେ।

ଶିଖର ବୈଠକ ଆୟୋଜନ, ରାତ୍ରଭୋଜନ ଏବଂ ପରିବହନ ବ୍ୟବସ୍ଥା କରାଇବାକୁ ରାଜ୍ୟ ସରକାର ୮ କୋଟି ଟଙ୍କା ଖର୍ଚ କରୁଛନ୍ତି। ଏ କଥା କହିଛନ୍ତି ତେଲେଙ୍ଗାନା ସରକାରଙ୍କର ଇନ୍‌ଫର୍‌ମେସନ୍‌ ଟେକ୍ନୋଲଜି ଆଣ୍ଡ୍‌ କମର୍ସ ସେକ୍ରେଟାରି ଜୟେଶ ରଞ୍ଜନ।

ସମ୍ବନ୍ଧିତ ଖବର