ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଥିଲେ ଜଣେ ବହୁମୁଖୀ ପ୍ରତିଭା। ନିଜର ଓଜସ୍ୱୀ ଭାଷଣ ପାଇଁ ସାରା ବିଶ୍ୱରେ ସେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରି ପାରିଥିଲେ। କେବଳ ତାଙ୍କ ସମର୍ଥକମାନେ ନୁହନ୍ତି, ବିରୋଧୀମାନେ ମଧ୍ୟ ତାଙ୍କର ଏ ପ୍ରତିଭାକୁ ସ୍ୱୀକାର କରିଛନ୍ତି। ଏସବୁ ସହିତ ସେ ଥିଲେ ଜଣେ କବି ହୃଦୟର ବ୍ୟକ୍ତି। ଶ୍ରୀ ବାଜପେୟୀ ତାଙ୍କର ବ୍ୟସ୍ତବହୁଳ ଜୀବନ ଭିତରେ କବିତା ପାଇଁ ମଧ୍ୟ ସମୟ ବାହାର କରୁଥିଲେ। ତାଙ୍କ କବିତାଗୁଡ଼ିକରେ ଅଛି ମୁଖ୍ୟତଃ ତାଙ୍କ ଏକୁଟିଆ ପଣର ଛବି, ଅଛି ମଧ୍ୟ ଦେଶପ୍ରେମର ଝଲକ୍। ତାଙ୍କର ପ୍ରକାଶିତ କବିତା ସଂକଳନଗୁଡ଼ିକ ଭିତରେ ରହିଛି ‘ଚୁନି ହୁଇ କବିତାୟେଁ’ ଓ ‘ମେରି ଏକାବନ୍ କବିତାୟେଁ’ ଆଦି। ତାଙ୍କର ପ୍ରସିଦ୍ଧ କବିତା, ଅଭିଭାଷଣ ଓ ନିବନ୍ଧଗୁଡ଼ିକୁ ନେଇ ମଧ୍ୟ ଆହୁରି ଅନେକ ବହି ପ୍ରକାଶିତ ହୋଇଛି। ତାଙ୍କର କବିତା ଓ ଗଜଲ୍ଗୁଡ଼ିକୁ ଲତା ମଙ୍ଗେସ୍କର୍ ଓ ଜଗ୍ଜିତ୍ ସିଂହଙ୍କ ଭଳି ପ୍ରସିଦ୍ଧ ଗାୟକ ଗାୟିକା ଗାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବାଜପେୟୀଙ୍କ କବିତାରୁ…
‘‘ମରଣର ବୟସ କେତେ?
ଦୁଇ ଦଣ୍ଡ ବି ନୁହେଁ।
ଜୀବନର ଏ ଲୀଳାଖେଳା
ଆଜି କାଲିର ନୁହେଁ।’’
‘‘କାକର ବୁନ୍ଦାଟି
ଏବେ ଥିଲା
ଏବେ ନାଇଁ,
ଯୋଉ ଖୁସି ଆୟୁଷ୍ମାନ
ସେ ଖୁସି
ଏବେ ଥିଲା
ଏବେ ନାଇଁ।’’
‘‘ପର୍ବତ ଶୃଙ୍ଗରେ
ଗଛବୃଚ୍ଛ ତ ନ ଥାଏ
ସେଠି କଅଁଳେନି ବି ଘାସ,
ସେଠି ଖାଲି ଜମେ ବରଫ
କଫିନ୍ ଭଳି ସଫେଦ ବରଫ
ମୃତ୍ୟୁ ଭଳି ଥଣ୍ଡା ବରଫ।’’
‘‘କୌରବ କିଏ, ପାଣ୍ଡବ କିଏ
ଅତି ଜଟିଳ ଏ ପ୍ରଶ୍ନ।
ଦୁଇ ପଟକୁ ତ ବିସ୍ତାରିଚି
ଶକୁନିର କୂଟଜାଲ।
ଧର୍ମରାଜ ଆଜି ବି ଜୁଆରେ ମତ୍ତ।
ସବୁ ପଞ୍ଚାୟତରେ
ଆଜି ବି ଭୂଲୁଣ୍ଠିତ
ପାଞ୍ଚାଳିର ଇଜ୍ଜତ।’’
‘‘ଆଲୁଅରେ, ଅନ୍ଧାରରେ ବି
ଘନ କୁହୁଡ଼ିରେ, ମଝି ନଈରେ ବି
ଘୃଣାରେ, ପ୍ରେମରେ ବି
କ୍ଷଣିକ ବିଜୟରେ, ଦୀର୍ଘ ପରାଜୟରେ ବି
ମିଠା ମିଠା ଏ ଜୀବନ।’’
କବି-ପ୍ରଧାନମନ୍ତ୍ରୀଙ୍କ ସହ ଗୋଟିଏ ସ୍ମୃତି
୨୦୦୩ ମସିହାରେ ଭାରତୀୟ ବିଦ୍ୟାଭବନ ନ୍ୟୁୟର୍କରେ ଅନ୍ତର୍ଜାତୀୟ ସାହିତ୍ୟ ସମାରୋହ ଆୟୋଜନ କରିଥିଲେ। ଓଡ଼ିଶାରୁ ମୁଁ ଓ ଶ୍ରୀମତୀ ପ୍ରତିଭା ରାୟ ଭାରତୀୟ ଲେଖକମାନଙ୍କ ଗହଣରେ ସେଠାରେ ଯୋଗ ଦେଇଥିଲୁ। ସେ ସମାରୋହ ଅବିସ୍ମରଣୀୟ, କାରଣ ସେଥିରେ ମୋ’ର ପଡ଼ୋଶୀ ଭାବରେ ନ୍ୟୁୟର୍କର୍ ହୋଟେଲ୍ରେ ରହୁଥିଲେ ଶ୍ରୀ ପି.ଭି.ଏନ୍. ରାଓ। ମୁଁ ଭାବିଥିଲି, ପି.ଭି.ଏନ୍. ରାଓ କେହି ଜଣେ ତେଲୁଗୁ ଲେଖକ, ଯାହାଙ୍କୁ ମୁଁ ଜାଣେନାହିଁ। ପରିଚିତ ହେବାପାଇଁ ତାଙ୍କ ପ୍ରକୋଷ୍ଠକୁ ଯାଇ ମୁଁ ଆବିଷ୍କାର କଲି ଯେ ପି.ଭି.ଏନ୍. ରାଓ ହେଉଛନ୍ତି ପି.ଭି.ନରସିଂହା ରାଓ, ଭାରତର ପୂର୍ବ ପ୍ରଧାନମନ୍ତ୍ରୀ। ଚାରିଆଡ଼େ ନୂଆ କିଣା ହୋଇଥିବା ବହି ମଝିରେ ଅତି ସହଜରେ ବସି ସେ ନିଜକୁ ଜଣେ ଅନୁବାଦକ ଭାବେ ପରିଚୟ ଦେଲେ। ଏ ବିସ୍ମୟଠୁ ବଳି ଆଉ ଗୋଟିଏ ବଡ଼ ବିସ୍ମୟ ମତେ ଅପେକ୍ଷା କରିଥିଲା। ହୋଟେଲ୍ ନ୍ୟୁୟର୍କର୍ର ବିଶାଳ ସଭାଗୃହରେ ଆରମ୍ଭ ହେଲା କାବ୍ୟପାଠ। ଶ୍ରୋତାଙ୍କୁ ଜଣାଇ ଦିଆଗଲା ଯେ ଭାରତର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ନ୍ୟୁୟର୍କ ଗସ୍ତରେ ଅଛନ୍ତି ଏବଂ କାବ୍ୟପାଠ ଶୁଣିବାରେ ଆଗ୍ରହୀ। ତେଣୁ ସେ ସମାରୋହରେ ଯୋଗଦେବେ। ଶ୍ରୀ ବାଜପେୟୀଙ୍କୁ ପାଛୋଟି ଆଣିଲେ ଭାରତର ତତ୍କାଳୀନ ରାଷ୍ଟ୍ରଦୂତ ଲଳିତ ମାନସିଂହ। ଆମ ସମସ୍ତଙ୍କୁ ଚକିତ କରି ପ୍ରଧାନମନ୍ତ୍ରୀ ମଞ୍ଚର ପଛ ପରଦା ନିକଟରେ ଗୋଟିଏ ଆସନରେ ବସିଲେ। ଅର୍ଥାତ୍ ମଂଚରେ ଉପବିଷ୍ଟ କବିମାନଙ୍କର ପଛରେ। କେହି ଜଣେ କବିତା ପଢ଼ିଲେ, ବୋଧହୁଏ ତାମିଲ କବି ଭୈରା ମଥୁ। ତା’ପରେ ମୁଁ କବିତା ପଢ଼ିବା ଆରମ୍ଭ କଲି। ମୋ’ର ମନେ ଅଛି, ସେ କବିତା ଥିଲା ‘ଟେମ୍ପଲ୍ସ୍ ଅଫ୍ ଭୁବନେଶ୍ୱର’। ଆଗ୍ରହର ସହିତ କବି-ପ୍ରଧାନମନ୍ତ୍ରୀଙ୍କ ଆଡ଼କୁ ମୁଁ ଅନେଇ ଦେଖେ ତ ସେ ତାଙ୍କ ଆସନରୁ ଉଠିବାପାଇଁ ତାଙ୍କୁ ରାଷ୍ଟ୍ରଦୂତ ଓ ପ୍ରୋଟୋକଲ୍ ଦାୟିତ୍ୱରେ ଥିବା ଅଧିକାରୀମାନେ କହୁଛନ୍ତି ଏବଂ ସେ ଉଠିବାର ଉପକ୍ରମ କରୁଛନ୍ତି। ମତେ ହଠାତ୍ ମନେହେଲା ଯେମିତି ମୋ’ର କବିସତ୍ତା ଗୋଟିଏ ରାଜନୀତିକ ସତ୍ତା ଦ୍ୱାରା ଅପମାନିତ ହେଉଛି। ତାହା କଷ୍ଟଦାୟକ ଥିଲା, ବିଶେଷତଃ ଏଇଥିପାଇଁ ଯେ ପ୍ରଧାନମନ୍ତ୍ରୀ ଜଣେ ସ୍ୱୟଂ କବି ଥିଲେ। ମୁଁ ଗୋଟିଏ ମୁହୂର୍ତ୍ତର ଆବେଗରେ ମୋ’ର କବିତା ପାଠ ବନ୍ଦକରି ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଅନେଇ କହିଲି, ‘‘ମହୋଦୟ, ମୋ’ର କବିତା ପାଠ ଆରମ୍ଭ ମାତ୍ର ହୋଇଛି, ମୁଁ କବିତା ଅଧା ପଢ଼ିଥିବା ସମୟରେ ପ୍ରଧାନମନ୍ତ୍ରୀ ଉଠିଯିବେ କିପରି? କବିତା ଶେଷ ହେବା ପର୍ଯ୍ୟନ୍ତ ବସିବାପାଇଁ ଅନୁାରୋଧ କରୁଚି।’’ ରାଷ୍ଟ୍ରଦୂତ ଶ୍ରୀ ମାନସିଂହ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ। ସମସ୍ତଙ୍କୁ ହତଚକିତ କରିଦେଇ ପ୍ରଧାନମନ୍ତ୍ରୀ ଚଉକିରେ ବସି ପଡ଼ିଲେ ଏବଂ ସମସ୍ତ ପ୍ରୋଟୋକଲ୍କୁ ଜଳାଞ୍ଜଳି ଦେଇ ପ୍ରାୟ ଅଧଘଣ୍ଟା କବିତା ଶୁଣିଲେ। ମୁଁ ସିନା ସେଇ ଗୋଟିଏ ମୁହୂର୍ତ୍ତର ଉତ୍ତେଜନାରେ ତାଙ୍କୁ ସେପରି କହିଦେଲି, କିନ୍ତୁ ମୋ’ର ଯେତେବେଳେ ଖେୟାଲ୍ ଆସିଲା ଯେ ମୁଁ ଭାରତ ସରକାରଙ୍କର ସ୍ୱତନ୍ତ୍ର ସଚିବ ସ୍ତରର ତାଙ୍କର ଜଣେ ଅଧସ୍ତନ ଏବଂ ତାଙ୍କୁ ମୋ’ କଥା ଅପମାନିତ କରିଥାଇ ପାରେ! ମୋ’ର କ୍ଷମା ମାଗିବା ଉଚିତ। ମୁଁ ମଞ୍ଚ ପଛକୁ ଯାଇ ତାଙ୍କ ସାମ୍ନାରେ ନଇଁପଡ଼ି କହିଲି, ‘‘ମତେ କ୍ଷମା କରିବେ, ସାର୍! ମୁଁ ଚାହୁଥିଲି ମୋ’ କବିତା ଆପଣ ଶୁଣନ୍ତୁ।’’ ଅଟଳ ବିହାରୀଙ୍କ ମୁହଁରେ ଅପ୍ରସନ୍ନତାର କୌଣସି ଚିହ୍ନ ନ ଥିଲା, ସେ ମୃଦୁ ମୃଦୁ ହସୁଥିଲେ ଏବଂ ତାଙ୍କର ଚିରାଚରିତ ଶୈଳୀରେ ଗୋଟିଏ ସ୍ମିତହାସ୍ୟ ସହିତ ମୋ’ ଆଡ଼କୁ ଚାହିଁ କହିଲେ, ‘‘ଆପ୍ନେ ଆଚ୍ଛା କିୟା।’’
– ହରପ୍ରସାଦ ଦାସ, ବିଶିଷ୍ଟ କବି ଓ ଚିନ୍ତକ