ପ୍ରଣାମ ବାଜପେୟୀ

ଦେଶର ମହାନ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କୁ ହରାଇ ସାରା ଦେଶ ଶୋକାଭିଭୂତ ହୋଇପଡ଼ିଛି। ଆଜି ଅଟଳଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଯାଇଛି। ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ଏହି ରାଷ୍ଟ୍ରନେତାଙ୍କୁ ଆଜି ଭାରତ ଶେଷ ବିଦାୟ ଦେଇଛି। ଭାରତୀୟ ରାଜନୀତିର ଏହି ‘ଅଜାତଶତ୍ରୁ’ଙ୍କ ଶେଷ ଦର୍ଶନ ପାଇଁ ଦେଶର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଲୋକ ଆଜି ଦିଲ୍ଲୀରେ ପହଞ୍ଚିଥିଲେ। ବିଜେପି ମୁଖ୍ୟାଳୟରୁ ସ୍ମୃତିସ୍ଥଳ ପର୍ଯ୍ୟନ୍ତ ତାଙ୍କ ପାର୍ଥିବ ଶରୀରର ଯାତ୍ରା ଅତ୍ୟନ୍ତ ଆବେଗପୂର୍ଣ୍ଣ ରହିଥିଲା।

ସେ ନାହାନ୍ତି ବୋଲି ମନ ବୁଝୁନି: ମୋଦୀ

ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପୂର୍ବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ବ୍ଲଗ୍‌ ପୋଷ୍ଟ କରିଛନ୍ତି। ଏଥିରେ ଅନେକ ଆବେଗପୂର୍ଣ୍ଣ କଥା ଉଲ୍ଲେଖ କରିଛନ୍ତି। ବାଜପେୟୀଙ୍କ ପ୍ରତି ଥିବା ତାଙ୍କର ଭଲପାଇବା, ସମ୍ମାନ ଓ ଭକ୍ତିଭାବକୁ ସେ ଏହି ବ୍ଲଗ୍‌ରେ ପ୍ରତିଫଳନ କରିଛନ୍ତି। ସେ ଲେଖିଛନ୍ତି, ‘‘ଅଟଳଜୀ ଆଉ ନାହାନ୍ତି। କିନ୍ତୁ ସେ ମୋ ଆଖି ସାମ୍ନାରେ ଅଛନ୍ତି। ବିଲ୍‌କୁଲ ସ୍ଥିର। ଯେଉଁ ହାତ ମୋ ପିଠି ଥାପୁଡ଼ାଉଥିଲା, ଯେଉଁ ହାତ ମୋତେ କୋଳେଇ ନେଉଥିଲା, ତାହା ଆଜି ସ୍ଥିର, ନିଶ୍ଚଳ। ଅଟଳଜୀଙ୍କ ଏଭଳି ନିଶ୍ଚଳତା ମୋତେ କଷ୍ଟ ଦେଉଛି। ମୋ ମନ ଛଟପଟ ହେଉଛି। କହିବାକୁ ମୋ ପାଖରେ ବହୁତ କିଛି ଅଛି, କିନ୍ତୁ ମୁଁ ନିର୍ବାକ୍‌ ପାଲଟିଛି। ସତରେ କ’ଣ ଅଟଳଜୀ ଆଉ ଆମ ଗହଣରେ ନାହାନ୍ତି? ନା। ସେ ଅଛନ୍ତି। ମୁଁ ତାଙ୍କ ଡାକ ମୋ ଭିତରେ ସ୍ପଷ୍ଟ ଶୁଣିପାରୁଛି।’’

‘‘କେମିତି ମାନିନେବି ସେ ଆଜି ଆଉ ନାହାନ୍ତି? ତାଙ୍କ ସହ ମୋର ହୋଇଥିବା ପ୍ରଥମ ଦେଖା ଏତେ ସ୍ମୃତିପୂର୍ଣ୍ଣ ଯେ ଲାଗୁଛି ଯେମିତି ଏହା କାଲିର ଘଟଣା। ଯେତେବେଳେ ତାଙ୍କ ପାଟିରୁ ମୋ ନାଁ ପ୍ରଥମ କରି ବାହାରିଥିଲା, ଅନେକ ଦିନ ପର୍ଯ୍ୟନ୍ତ ତାଙ୍କର ସେହି ଡାକ ମୋ କାନରେ ଗୁଂଜରଣ ସୃଷ୍ଟି କରୁଥିଲା। କେମିତି ମାନିନେବି ଯେ ସେ ଡାକ ଆଉ ମୋ କାନରେ ବାଜୁନାହିଁ? ଦେଶର ବିକାଶ ପାଇଁ ଅନେକ ଲୋକ ଜୀବନ ସମର୍ପଣ କରିଛନ୍ତି। କିନ୍ତୁ ସ୍ୱାଧୀନତା ପରେ ଦେଶରେ ଲୋକତନ୍ତ୍ରର ରକ୍ଷା ଏବଂ ସୁରକ୍ଷିତ ଭାରତ ପାଇଁ ଅଟଳଜୀ ଯାହା କରିଛନ୍ତି, ତାହା ଅଭୂତପୂର୍ବ।’’

ମୋଦୀ ଆହୁରି ଉଲ୍ଲେଖ କରିଛନ୍ତି, ‘‘ଗରିବ, ନିଷ୍ପେଷିତ ଓ ଦୁର୍ବଳ ବର୍ଗର ଲୋକଙ୍କ ହିତସାଧନ ପାଇଁ ବାଜପେୟୀ ସବୁବେଳେ ଉଦ୍ୟମ ଜାରି ରଖିଥିଲେ। ଗରିବଙ୍କୁ ଅଧିକାର ଦେବା ପାଇଁ ଆଧାର ଭଳି ବ୍ୟବସ୍ଥା, ପ୍ରକ୍ରିୟାରେ ସରଳୀକରଣ, ସବୁ ଗାଁକୁ ସଡ଼କ, ସ୍ୱର୍ଣ୍ଣ ଚତୁର୍ଭୁଜ, ବିଶ୍ୱସ୍ତରୀୟ ଭିତ୍ତିଭୂମି, ରାଷ୍ଟ୍ର ନିର୍ମାଣ ଆଦି ତାଙ୍କ ସଂକଳ୍ପ ସହ ଯୋଡ଼ିହୋଇଥିଲା। ଆଜି ଟେକ୍ନୋଲୋଜି କ୍ଷେତ୍ରରେ ଭାରତ ଯେଉଁ ସୋପନରେ ଅଛି, ତାହା ଅଟଳଜୀଙ୍କ ଯୋଗୁ ସମ୍ଭବ ହୋଇପାରିଛି। ସେ ଦୁନିଆର ଯୁଆଡ଼େ ବି ଯାଇଛନ୍ତି ବନ୍ଧୁ ସୃଷ୍ଟି କରିଛନ୍ତି। ସେ ଭାରତର ବିଜୟ ଓ ବିକାଶର ସ୍ୱର ଥିଲେ। ରାଷ୍ଟ୍ରବାଦ କେବଳ ତାଙ୍କ ଜୀବନର ନାରା ନ ଥିଲା ବରଂ ଜୀବନ ଶୈଳୀ ଥିଲା। ଜରୁରୀ ପରିସ୍ଥିତି ଆମ ଲୋକତନ୍ତ୍ର ଉପରେ ଯେଉଁ ଦାଗ ଲଗାଇଥିଲା, ତାହାକୁ ଦୂର କରିବା ପାଇଁ ବାଜପେୟୀ ଯେଉଁ ପ୍ରୟାସ କରିଥିଲେ, ତାହାକୁ ଦେଶବାସୀ ମନେରଖିବେ। ତାଙ୍କୁ ଯେତେ ବି ସଫଳତା ମିଳିଲେ, ସେ କଦାପି ଏହାକୁ ନିଜ ମସ୍ତିଷ୍କ ମଧ୍ୟକୁ ନେଇନାହାନ୍ତି। ଅବିରତ ଭାବେ ରାଷ୍ଟ୍ର ପାଇଁ କାର୍ଯ୍ୟ କରିଛନ୍ତି।’’

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଯଦିଓ ଭାରତ ପାଇଁ ସେ ଜୀବନ ଉତ୍ସର୍ଗ କରିଛନ୍ତି, ବିଶ୍ୱ ହିତ ପାଇଁ ମଧ୍ୟ କାର୍ଯ୍ୟ କରିଛନ୍ତି। ତେଣୁ ସେ ବିଶ୍ୱ ନାୟକ। ଭାରତ ସୀମା ବାହାରେ ଭାରତର କୀର୍ତ୍ତି ଓ ଦୟାଭାବର ବାର୍ତା ଦେଇ ସେ ଆଧୁନିକ ବୁଦ୍ଧ ସାଜିଥିଲେ। ନିଜର ପୁରୁଷାର୍ଥ ଏବଂ କର୍ତବ୍ୟନିଷ୍ଠାକୁ ରାଷ୍ଟ୍ର ପାଇଁ ସମର୍ପିତ କରିବା ଲାଗି ସେ ଆମକୁ ବାର୍ତା ଦେଇ ଯାଇଛନ୍ତି। ତେଣୁ ଅଟଳଜୀଙ୍କ ସ୍ୱପ୍ନକୁ ପୂରଣ କରିବାକୁ ହେବ।’’

ଦିଲ୍ଲୀ ପାଲଟିଲା ଜନସମୁଦ୍ର

ଦିଲ୍ଲୀସ୍ଥିତ ବିଜେପିର ମୁଖ୍ୟାଳୟକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ପୂର୍ବାହ୍ନ ୧୦ଟାରେ ନିଆଯାଇଥିଲା। କିନ୍ତୁ ଭୋର୍‌ ୫ଟାରୁ ମୁଖ୍ୟାଳୟ ବାହାରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ସମେତ ଛତିଶଗଡ଼, ଗୁଜରାଟ, ଉତ୍ତର ପ୍ରଦେଶରୁ ମଧ୍ୟ ଲୋକ ଆସିଥିଲେ। ଏମିତିକି ଗାଁଗଣ୍ଡାରୁ ମଧ୍ୟ ଲୋକ ଛୁଟିଆସିଥିଲେ ନିଜ ପ୍ରିୟ ନେତାଙ୍କ ଶେଷ ଦର୍ଶନ ପାଇଁ। ଦିନ୍‌ଦୟାଲ ମାର୍ଗ ସ୍ଥିତ ବିଜେପି ମୁଖ୍ୟାଳୟଠାରୁ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଅସମ୍ଭାଳ ଭିଡ଼ ହୋଇଥିଲା। ପଛକୁ ବୁଲି ଚାହିବାକୁ ମଧ୍ୟ କଷ୍ଟକର ବ୍ୟାପାର ହୋଇଥିଲା। ଅପରାହ୍ନ ୧ଟା ପର୍ଯ୍ୟନ୍ତ ଗହଳି ବୃଦ୍ଧି ପାଇବାରେ ଲାଗିଥିଲା। ଏହିଠାରୁ ବାଜପେୟୀଙ୍କ ଶେଷ ଯାତ୍ରା ଆରମ୍ଭ ହେବା ପରେ ବିଜେପି ମୁଖ୍ୟାଳୟଠାରୁ ସ୍ମୃତିସ୍ଥଳ ପର୍ଯ୍ୟନ୍ତ ରାସ୍ତା ଜନସମୁଦ୍ର ପାଲଟିଥିଲା।

ପାକ୍‌ ଗଣମାଧ୍ୟମରେ ‘ଶାନ୍ତିର ଦୂତ’
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏଭଳି ଜଣେ ନେତା ଯିଏ କି କୌଣସି ସୀମା ସରହଦ ମଧ୍ୟରେ ସୀମିତ ନଥିଲେ। ସବୁଠି ତାଙ୍କର ଖ୍ୟାତି ଥିଲା। ତେଣୁ ତାଙ୍କ ପରଲୋକରେ ଆଜି କେବଳ ଭାରତ ନୁହେଁ, ଅଧିକାଂଶ ରାଷ୍ଟ୍ର ଶୋକପ୍ରକାଶ କରିଛନ୍ତି। ଏମିତି କି ଭାରତର ପାରଂପରିକ ଶତ୍ରୁ ରାଷ୍ଟ୍ର ତଥା ପଡ଼ୋଶୀ ପାକିସ୍ତାନରେ ମଧ୍ୟ ଗଭୀର ଶୋକ ବ୍ୟକ୍ତ କରାଯାଇଛି। ପାକିସ୍ତାନ ଗଣମାଧ୍ୟମରେ ତାଙ୍କୁ ଶାନ୍ତିର ଦୂତ ବୋଲି ବର୍ଣ୍ଣନା କରାଯାଇଛି। ବାସ୍ତବରେ ସେ ଜଣେ ଶାନ୍ତିର ଦୂତ ଥିଲେ। କୌଣସି ରାଷ୍ଟ୍ରକୁ ସେ ଆଦୌ ଶତ୍ରୁ ଭାବେ ଦେଖିନାହାନ୍ତି। ବରଂ ସବୁବେଳେ ଶାନ୍ତିର ବାର୍ତା ଦେଇଛନ୍ତି। ଶାନ୍ତି ପ୍ରତିଷ୍ଠା ପାଇଁ ନିଜେ ସଜାଗ ରହିବା ସହିତ ଅପରପକ୍ଷକୁ ମଧ୍ୟ ସମାନ ପ୍ରେରଣା ଦେଇଛନ୍ତି। ତେଣୁ ପାକିସ୍ତାନ ଆଜି ଏହି ମହାନ୍‌ ନେତାଙ୍କୁ ସମ୍ମାନ ଜଣାଇଥିବା କୁହାଯାଉଛି।

ସବୁ ନଦୀରେ ଅଟଳଙ୍କ ଅସ୍ଥି
ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀଙ୍କ ବାଜପେୟୀଙ୍କର ଶେଷକୃତ୍ୟ ଆଜି ସଂପନ୍ନ ହୋଇଥିବା ବେଳେ ବାଜପେୟୀଙ୍କ ଅସ୍ଥି ଉତ୍ତର ପ୍ରଦେଶର ସମସ୍ତ ନଦୀରେ ପ୍ରବାହିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶ ଅଟଳଙ୍କ କର୍ମଭୂମି ହୋଇଥିବାରୁ ଏହି ବିରାଟ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ପ୍ରଦର୍ଶନ ପୂର୍ବକ ରାଜ୍ୟର ପ୍ରତ୍ୟେକ ନଦୀରେ ତାଙ୍କର ଅସ୍ଥି ବିସର୍ଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବାଜପେୟୀଙ୍କ ସ୍କୁଲ୍‌ରେ ଶୋକ
୧୯୨୪ ମସିହା ଖ୍ରିଷ୍ଟମାସ ଦିବସରେ ଗ୍ଵାଲିୟରରେ ଜନ୍ମଗ୍ରହଣ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗୋରାଖି ମିଡିଲ୍‌ ସ୍କୁଲ୍‌ରେ ଅଧ୍ୟୟନ କରିଥିଲେ। ସେହି ସ୍କୁଲ୍‌ରେ ତାଙ୍କ ବାପା ୧୯୩୫-୩୭ ପର୍ଯ୍ୟନ୍ତ ପ୍ରିନ୍ସିପାଲ୍‌ ଥିଲେ। କିନ୍ତୁ ବାଜପେୟୀଙ୍କ ନାମ ଥିବା ଏକ ରେଜିଷ୍ଟର ଏବେ ସ୍କୁଲ୍‌ର ସମ୍ପତ୍ତି ହୋଇଛି। ଏହି ରେଜିଷ୍ଟରରେ ବାଜପେୟୀ ନିଜେ ତାଙ୍କ ନାମ ଲେଖିଥିଲେ। ସ୍କୁଲ୍‌ ଏବେ ଅତି ସୁରକ୍ଷିତ ଭାବେ ସାଇତି ରଖିଛି ଏହି ରେଜିଷ୍ଟରକୁ। ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ବାଜପେୟୀ ୧୯୩୫ ମସିହାରେ ରେଜିଷ୍ଟରରେ ତାଙ୍କ ନାମ ଲେଖିଥିଲେ ବୋଲି ସ୍କୁଲ୍‌ ପ୍ରିନ୍ସିପାଲ୍‌ କେ ଏସ୍‌ ରାଠୋର କହିଛନ୍ତି। ବାଜପେୟୀଙ୍କୁ ହରାଇବା ପରେ ସ୍କୁଲ୍‌ରେ ଆଜି ଶୋକସଭା ପାଳନ କରାଯାଇଛି। ଅଟଳଜୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛି ଏହି ସ୍କୁଲ୍‌।

ପାକିସ୍ତାନରେ ବି ନିର୍ବାଚନ ଜିତିପାରିବେ ବାଜପେୟୀ: ସରିଫ୍‌
ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ୧୯୯୯ରେ ଦିଲ୍ଲୀ-ଲାହୋର ବସ୍‌ ସେବା ଆରମ୍ଭ ହୋଇଥିଲା। ଫଳରେ ଉଭୟ ରାଷ୍ଟ୍ର ମଧ୍ୟରେ ଯାତାୟାତ ବେଶ୍‌ ସହଜ ହୋଇପାରିଥିଲା। ଏହା ବାଜପେୟୀଙ୍କ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସଫଳତା ମଧ୍ୟରେ ଅନ୍ୟତମ। ତେବେ ଏହି ବସ୍‌ ସେବା ବେଳେ ବାଜପେୟୀ ଆଉଏକ ସାହସିକତାର ପ୍ରମାଣ ଦେଇଥିଲେ। ପ୍ରଧାନମନ୍ତ୍ରୀ ଭଳି ପଦରେ ଥାଇ ମଧ୍ୟ ପାକିସ୍ତାନର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌ଙ୍କ ଆହ୍ଵାନକୁ ସ୍ୱୀକାର କରି ବାଜପେୟୀ ଦିଲ୍ଲୀ-ଲାହୋର ବସ୍‌ ସେବା ଆରମ୍ଭ ବେଳେ ସେହି ବସ୍‌ରେ ହିଁ ପାକିସ୍ତାନ ଯାଇଥିଲେ। ସେପଟେ ସରିଫ୍‌ଙ୍କ ବ୍ୟତୀତ ପାକିସ୍ତାନର ଅନେକ ବରିଷ୍ଠ ନେତା ତାଙ୍କୁ ସ୍ୱାଗତ ଜଣାଇଥିଲେ। ସରିଫ୍‌ଙ୍କ ଆମନ୍ତ୍ରଣକୁ ହୃଦୟର ସହ ଗ୍ରହଣ କରି ବାଜପେୟୀ ଅଟାରୀ-ଓ୍ଵାଘା ସୀମା ଦେଇ ବସ୍‌ରେ ଆସିଥିଲେ। ତାଙ୍କ ସାଙ୍ଗରେ ସାମ୍ବାଦିକ କୁଲଦୀପ ନାୟାର, ଅଭିନେତା ଦେବ୍‌ ଆନନ୍ଦ ଏବଂ ଜାଭେଦ୍‌ ଅଖ୍‌ତର ମଧ୍ୟ ଯାଇଥିଲେ। ବସ୍‌ ଲାହୋରରେ ପହଞ୍ଚିବା ପରେ ସମସ୍ତେ ଓହ୍ଲାଇଥିଲେ। ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା। ଏହି ସମୟରେ ବାଜପେୟୀଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ ସରିଫ୍‌। ସେ କହିଥିଲେ, ବାଜପେୟୀ ଆଜି ଏଭଳି କରି ପାକିସ୍ତାନୀଙ୍କ ହୃଦୟ ଜିଣିଛନ୍ତି। ସେ ଯଦି ପାକିସ୍ତାନରେ ନିର୍ବାଚନ ଲଢ଼ନ୍ତି, ତେବେ ନିଶ୍ଚିତ ବିଜୟଲାଭ କରିବେ ବୋଲି ସରିଫ୍‌ କହିଥିଲେ।

ଚାଲିଚାଲି ଗଲେ ମୋଦୀ

ଅପରାହ୍ନ ୧ଟା। ବିଜେପି ମୁଖ୍ୟାଳୟରେ ହଜାର ହଜାର ପ୍ରିୟଜନଙ୍କୁ ଦର୍ଶନ ଦେଇ ଅନ୍ତିମ ଯାତ୍ରାରେ ବାହାରିଲେ ଯୁଗପୁରୁଷ ଅଟଳ ବିହାରୀ ବାଜପେୟୀ। ବିଜେପି ମୁଖ୍ୟାଳୟଠାରୁ ଦୀନଦୟାଲ ମାର୍ଗ, ବାହାଦୁର ଜାଫର ମାର୍ଗ, ନେତାଜୀ ସୁଭାଷ ମାର୍ଗ, ନିଶାଦରାଜ ମାର୍ଗ, ରିଂରୋଡ୍‌, ରାଜଘାଟ ଦେଇ ଯାତ୍ରା କରିଥିଲା ପାର୍ଥିବ ଶରୀର। ପ୍ରିୟ ନେତାଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିବା ଦଳୀୟ ନେତୃବୃନ୍ଦ ମଧ୍ୟ ତାଙ୍କ ସହ ଚାଲିଚାଲି ଗଲେ। ବର୍ଷ ବର୍ଷ ଧରି ମାର୍ଗ ଦେଖାଇଥିବା ଏବଂ ସୁଖଦୁଃଖରେ ସାହସ ଦେଇ ସାଙ୍ଗରେ ଛିଡ଼ା ହୋଇଥିବା ସେହି ମୁଖିଆଙ୍କ ଶେଷ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ଯାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ମଧ୍ୟ ଦଳର ଅନ୍ୟ ସମସ୍ତ ନେତାଙ୍କ ସହ ଚାଲିଚାଲି ଯାଇଥିଲେ। ଏହି ବିରଳ ଦୃଶ୍ୟ ଜନମାନସକୁ ଆଶ୍ଚର୍ଯ୍ୟ କରିଥିଲା। ବିଜେପି ମୁଖ୍ୟାଳୟକୁ ଶେଷ ଦର୍ଶନ ପାଇଁ ଆସିଥିବା ଲୋକମାନେ ମଧ୍ୟ ବାଜେପୟୀଙ୍କ ଅନ୍ତିମ ବିଦାୟ ଦେବାକୁ ସ୍ମୃତିସ୍ଥଳ ପର୍ଯ୍ୟନ୍ତ ଯାଇଥିଲେ। ବାଜପେୟୀ ଅମର ରହେ ଧ୍ୱନିରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇଥିଲା।

ଅନ୍ତିମ ଯାତ୍ରାରେ ବିଦେଶ ପ୍ରତିନିଧି

 

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଆଜି ଦେଶ ବିଦାୟ ଦେଇଥିବା ବେଳେ ଶେଷକୃତ୍ୟରେ ଆଜି ବହୁ ସଂଖ୍ୟାରେ ବିଦେଶ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ମାଳଦ୍ୱୀପ ବାଦ୍‌ ଆଜି ୭ଟି ସାର୍କ ରାଷ୍ଟ୍ର ଗୁଡ଼ିକର ପ୍ରତିନିଧି ବାଜପେୟୀଙ୍କ ଶେଷକୃତ୍ୟ ସମୟରେ ଉପସ୍ଥିତ ଥିଲେ। ଭୁଟାନର ରାଜା ଜିଗ୍‌ମେ ଖେସର ନାମଗ୍ୟେଲ୍‌ ଓ୍ଵାଙ୍ଗଚୁକ୍‌, ବାଂଲାଦେଶ ବିଦେଶ ମନ୍ତ୍ରୀ ଅବୁଲ୍‌ ହାସନ ମହମ୍ମଦ ଅଲି, ଆଫଗାନିସ୍ତାନ ପୂର୍ବତନ ରାଷ୍ଟ୍ରପତି ହମିଦ୍‌ କାରଜାଇ, ଶ୍ରୀଲଙ୍କାର କାର୍ଯ୍ୟକାରୀ ବିଦେଶ ମନ୍ତ୍ରୀ ଲକ୍ଷ୍ମଣ କିରିଏଲା, ନେପାଳର ବିଦେଶ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାଓ୍ଵଲି, ପାକିସ୍ତାନର କାର୍ଯ୍ୟକାରୀ ସୂଚନା ମନ୍ତ୍ରୀ ସୟଦ ଜାଫର ଅଲି ଏବଂ ଆଫଗାନିସ୍ତାନର ପୂର୍ବତନ ବିଦେଶ ମନ୍ତ୍ରୀ ଡକ୍ଟର ସ୍ପନ୍ତଭ ପ୍ରମୁଖ ଉପସ୍ଥିତ ଥିଲେ।

୪ ଜଣିଆ ପାକିସ୍ତାନୀ ପ୍ରତିନିଧି ଦଳ ମଧ୍ୟ ଆଜି ଭାରତ ଆସିଥିଲେ। ପାକିସ୍ତାନର କାର୍ଯ୍ୟକାରୀ ଆଇନ ଏବଂ ସୂଚନା ମନ୍ତ୍ରୀ ସୟଦ ଅଲି ଜାଫର, ବିଦେଶ ମୁଖପାତ୍ର ମହମ୍ମଦ ଫୈସାଲଙ୍କ ସମେତ ଆଇନ ମନ୍ତ୍ରାଳୟର ଅନ୍ୟ ୨ ଜଣ ବରିଷ୍ଠ ଅଧିକାରୀ ଶେଷକୃତ୍ୟ ସମୟରେ ଉପସ୍ଥିତ ଥିଲେ।

ଆଡ଼ଭାନୀଙ୍କ ଆଖିରେ ଲୁହ

ବିଜେପି ମୁଖ୍ୟାଳୟରେ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରେ ବିଜେପିର ତୁଙ୍ଗ ତଥା ବରିଷ୍ଠ ନେତାଙ୍କ ଭିଡ଼ ହୋଇଥିଲା। ଏହି ଭିଡ଼ ମଧ୍ୟରେ ଥିଲେ ବାଜପେୟୀଙ୍କ ଦୀର୍ଘଦିନର ସୁଖଦୁଃଖର ସାଥୀ ଏଲ୍‌ କେ ଆଡ୍‌ଭାନୀ। ୬୫ ବର୍ଷର ପୁରୁଣା ବନ୍ଧୁଙ୍କୁ ଆଜି ସବୁଦିନ ପାଇଁ ହରାଇ ଆଡ୍‌ଭାନିଙ୍କ ମନ ଏକ୍‌ଦମ ଫିକା ପଡ଼ିଯାଇଥିଲା। ମରଶରୀର ଦେଖିବା କ୍ଷଣି ତାଙ୍କ ଆଖିରେ ଲୁହର ଧାର ଛୁଟିଥିଲା। କିନ୍ତୁ ନିଜକୁ ସମ୍ଭାଳିଥିଲେ। ଓଦା ଆଖି ଓ ଉଦାସ ମନରେ ବାଜପେୟୀଙ୍କ ଶେଷ ଦର୍ଶନ କରିବା ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେଠାରେ ଉପସ୍ଥିତ ଅନ୍ୟ ଦଳୀୟ ନେତାମାନେ ମଧ୍ୟ ଆଡ୍‌ଭାନିଙ୍କ ଆଖିରେ ଲୁହ ଦେଖି କାନ୍ଦି ପକାଇଥିଲେ।

ସମସ୍ତେ ଚାଲିଚାଲି ଗଲେ କାହିଁକି

ଆଜି ବାଜପେୟୀଙ୍କ ଅନ୍ତିମ ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ହଜାର ହଜାର ଲୋକ ପାଦରେ ଚାଲିଚାଲି ସ୍ମୃତି ସ୍ଥଳ ପର୍ଯ୍ୟନ୍ତ ଯାଇଥିଲେ। ମୋଦୀଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ମଧ୍ୟ ଚାଲିଚାଲି ଯାଇଥିଲେ। ଏତେବାଟ ଚାଲିଚାଲି ଯିବା ଅପେକ୍ଷା ଗାଡ଼ିରେ ସେମାନେ ଯାଇପାରିଥାନ୍ତେ। ତେବେ ବରିଷ୍ଠ ସାମ୍ବାଦିକ ତଥା ମୋଦୀଙ୍କ ସହ ଲକ୍ଷ୍ନୌରେ ଅନେକ ସମୟ ରହିଥିବା ଅଖିଳେଶ ବାଜପେୟୀ ଏହାର କାରଣ ସଂପର୍କରେ କହିଛନ୍ତି। ସେ କହିଛନ୍ତି, ଅଟଳ ବିହାରୀ ବାଜପେୟୀ ମଧ୍ୟ ଏଭଳି କରୁଥିଲେ। ଯେଉଁ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରକୁ ସେ ଯାଇଛନ୍ତି, ଗାଡ଼ିରେ ନୁହେଁ, ବରଂ ପାଦରେ ଚାଲିଚାଲି ଯାଇଛନ୍ତି। ଦିନେ ଲକ୍ଷ୍ନୌର ବିଜେପି ବିଧାୟକ ସତୀଶ ଭାଟିଆଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେବା ବେଳେ ବାଜପେୟୀ ଅନେକ ବାଟ ଚାଲିଚାଲି ଯାଇଥିଲେ। ଏହି ସମୟରେ ତାଙ୍କୁ ଗାଡ଼ିରେ ଯିବା ପାଇଁ ନେତାମାନେ ଅନୁରୋଧ କରିଥିଲେ। ସେ କହିଥିଲେ, ଶବଯାତ୍ରା ସମୟରେ କେହି କ’ଣ କେବେ ଗାଡ଼ିରେ ଯାଇପାରିବ। ଏହାପରେ ଚାଲିଚାଲି ଶ୍ମଶାନ ଘାଟ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ବସି ସମସ୍ତ କ୍ରିୟାକର୍ମରେ ସେ ସାମିଲ ହୋଇଥିଲେ। ଏଭଳି ବିରଳ ବ୍ୟକ୍ତିତ୍ୱର ସେ ଅଧିକାରୀ ଥିଲେ ବୋଲି କୋହଭରା କଣ୍ଠରେ କହିଛନ୍ତି ଅଖିଳେଶ ବାଜପେୟୀ।

ସମ୍ବନ୍ଧିତ ଖବର