ଭିନ୍ନ ଏକ ପ୍ରେମ କାହାଣୀ : ଦୁଇ ହାତ ନ ଥିବା ଜଗାଙ୍କୁ ମନ ଦେଇଥି‌ଲେ ପ୍ରତୀକ୍ଷା, ଏବେ ଏକାଠି ଲଢ଼ୁଛନ୍ତି ଜୀବନ ଯୁଦ୍ଧ

ଯାଜପୁର : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ  ଚିତାଳୋ ପଞ୍ଚାୟତ ଅନ୍ତର୍ଗତ ଝାଡଙ୍ଗା ଗ୍ରାମର ଜଗନ୍ନାଥ ସେଠୀ। ଜନ୍ମରୁ ଦୁଇ ହାତ ନ ଥିବାରୁ ମା’ ସ୍ନେହରେ ଜଗା  ବୋଲି ଡାକିଥିଲେ । ବହୁ କଷ୍ଟରେ ଜଗା ବଡ଼ ହୋଇ ଗୋଡ ସାହାଯ୍ୟରେ ନିଜର କାର୍ଯ୍ୟ କରିଥିଲା । ଅଧିକ ପାଠ ପଢ଼ି ନ ଥିବାରୁ ନିଜର ଗୁଜୁରାଣ ପାଇଁ ଜଗା ଛେଳି ପାଳନ କରିଥିଲେ । ନିଜର ଛେଳି ସହିତ ଗାଁ ଲୋକଙ୍କ ଛେଳିକୁ  ନେଇ ଚରାଇବାକୁ ଯାଆନ୍ତି ।

୪ ବର୍ଷ ତଳେ ଛେଳି ଚରାଇବା ସମୟରେ  ତାଙ୍କ ଜୀବନରେ ପରିବର୍ତ୍ତନ  ଆସିଥିଲା। ପାଖ ଗାଁର ଝିଅ  ପ୍ରତୀକ୍ଷା ସାହୁ ମଧ୍ୟ ନିଜ ଛେଳିକୁ ନେଇ ଚରାଇବାକୁ ଆସୁଥିଲେ। ସେଠାରେ ଦେଖାସାକ୍ଷାତ ଏବଂ କଥାବାର୍ତ୍ତା ଭିତରେ ସଂପର୍କ ନିବିଡ଼ ହୋଇଥିଲା। ଜଗା ପ୍ରେମିକା ପ୍ରତୀକ୍ଷାଙ୍କୁ ବିବାହ ପାଇଁ ନିବେଦନ କରିଥିଲେ। ପ୍ରତୀକ୍ଷାଙ୍କ ବୟସ ହୋଇ ନଥିବାରୁ ଦୁହେଁ ବିବାହ ପାଇଁ ୩ବର୍ଷ ଅପେକ୍ଷା କରିଥିଲେ ।  ସାହି ପଡିଶା ଜଗାର ଭଲ ପାଇବା କଥା ଶୁଣି ବିଶ୍ୱାସ କରିନଥିଲେ । ଜଣେ ଯୁବତୀ ଦୁଇହାତ ନଥିବା ଦିବ୍ୟାଙ୍ଗଙ୍କୁ ନିଜର ଜୀବନ ସାଥୀ କରିବ ବୋଲି କେହି ଆଶା ରଖି ନଥିଲେ । ତେବେ ଜଗାର ଭଲ ପାଇବା ପାଖରେ ସବୁକିଛି ନିରର୍ଥକ ଥିଲା ।   ନିଜକୁ ୧୮ ବର୍ଷ ହେବା ପରେ ପ୍ରତୀକ୍ଷା  କୋର୍ଟରେ ବିବାହ କରିଥିଲେ ।

ପ୍ରତୀକ୍ଷାଙ୍କ ପରିବାର ଏହାକୁ ପ୍ରଥମେ ବିରୋଧ କରିଥିଲେ । କିନ୍ତୁ ପରେ ନିଜ ଝିଅର ପ୍ରେମ ପାଖରେ ପରିବାର ଲୋକ ହାର ମାନିଥିଲେ ।  ବିବାହ ପରେ ଉଭୟ ଖୁସିରେ ରହିଥିବା କହିଛନ୍ତି ପତ୍ନୀ ପ୍ରତୀକ୍ଷା । ଏବେ ଜଗା ଦିବ୍ୟାଙ୍ଗ ନୁହେଁ । ହାତର ଆବଶ୍ୟକ ପଡୁଥିବା କାର୍ଯ୍ୟରେ ପତ୍ନୀ ନିଜର ଦୁଇ ହାତକୁ ସମର୍ପି ଦେଇଛନ୍ତି । ସରକାରୀ ସୁବିଧା ଏବଂ ସହଯୋଗ ମିଳିଲେ ଜଗା ନିଜର ଛେଳି ଚାଷକୁ ବ୍ୟାପକ କରି ନିଜ ଗୋଡରେ ଛିଡା ହୋଇପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି। ଜଗା ଏବଂ ପ୍ରତୀକ୍ଷାଙ୍କ ଏହି ପ୍ରେମ କାହାଣୀ ପ୍ରେମର ଅମୂଲ୍ୟ ମୂଲ୍ୟକୁ ଭିନ୍ନ ରୂପ ଦେଇଛନ୍ତି ।

ସମ୍ବନ୍ଧିତ ଖବର