ଓଡ଼ିଶାରେ ରାଷ୍ଟ୍ରପତି

ବିମାନବନ୍ଦରରେ ସମ୍ବର୍ଧନା

ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭବ୍ୟ ସମ୍ବର୍ଧନା ଜ୍ଞାପନ କରାଯାଇଛି। ନିର୍ଧାରିତ ସମୟର ୧୫ ମିନିଟ୍‌ ପୂର୍ବରୁ ରାଷ୍ଟ୍ରପତି ସ୍ୱତନ୍ତ୍ର ବିମାନ ‘ରାଜକମଲ’ରେ ଆସି ପୂର୍ବାହ୍ନ ୧୦ଟା ୩୦ରେ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କ ସହ ବାୟୁ ସେନାର ଆଉ ୪ଟି ବିମାନ ବି ରହିଥିଲା। ରାଷ୍ଟ୍ରପତିଙ୍କ ସହ ତାଙ୍କ ସହଧର୍ମିଣୀ ସବିତା କୋବିନ୍ଦ ବିମାନରୁ ଓହ୍ଲାଇବା କ୍ଷଣି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉତ୍ତରୀୟ ପକାଇ ଓ ଅନ୍ୟମାନେ ଗୋଲାପ ଫୁଲ ଦେଇ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ରାଷ୍ଟପ୍ରତି ମଧ୍ୟ ଓଡ଼ିଶା ମାଟିରେ ପାଦ ଦେବା କ୍ଷଣି ହାତ ଯୋଡ଼ି ଅଭିବାଦନ ଜଣାଇଥିଲେ।

ଏହା ପରେ ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା। ପୁଲିସ ମହାନିର୍ଦେଶକଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ପୋଡିୟମ୍‌ ନିକଟକୁ ପାଛୋଟି ନେଇଥିଲେ। ସେଠାରେ ୧୫୦ ଜଣ ପୁଲିସ କର୍ମଚାରୀ ଉପସ୍ଥିତ ରହି ଗାର୍ଡ ଅଫ୍‌ ଅନର୍‌ ଦେଇଥିଲେ। ଓଡ଼ିଶା ପୁଲିସ ପକ୍ଷରୁ ବ୍ରାସ୍‌ ବ୍ୟାଣ୍ଡ ବାଜିଥିଲା। ପ୍ରାୟ ୮ ମିନିଟ୍‌ ଧରି ଏଭଳି ଚାଲିବା ଏକ ବୁଲେଟ୍‌ ପ୍ରୁଫ୍‌ ଗାଡ଼ିରେ ରାଷ୍ଟ୍ରପତି କଟକ ଅଭିମୁଖେ ଯାତ୍ରା କରିଥିଲେ। ପୂର୍ବାହ୍ନ ୧୦ଟା ୪୫ରେ ରାଷ୍ଟ୍ରପତିଙ୍କ କାରକେଡ୍‌ ବିମାନବନ୍ଦରରୁ ବାହାରି କଟକ ଅଭିମୁଖେ ଯାତ୍ରା କରିଥିଲା। ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମେୟରଙ୍କ ଗାଡ଼ି ମଧ୍ୟ କାରକେଡ୍‌ ଭିତରେ ରହିଥିଲା। କାରକେଡ୍‌ରେ ମୋଟ ୫୪ଟି ଗାଡ଼ି ସାମିଲ ହୋଇଥିଲା। ୧୫ ମିନିଟ୍‌ ଆଗରୁ ରାସ୍ତାକୁ ନୋ ମ୍ୟାନ୍‌ ଜୋନ୍‌ ହୋଇଥିଲା। ରାସ୍ତାପାର୍ଶ୍ୱରେ ବାରିକେଡ୍‌ କରାଯିବା ସହ ପୁଲିସ ଅଧିକାରୀମାନେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖିଥିଲେ।

ବିଜୁ କର୍ଣ୍ଣର୍‌

ଆନନ୍ଦ ଭବନ ପରିସରର ବାମପାର୍ଶ୍ୱରେ ଆଜି ବିଜୁ ପଟ୍ଟନାୟକଙ୍କ ୧୨ଟି ଚିତ୍ର ଓ ୨ଟି ପ୍ରତିମୂର୍ତ୍ତିକୁ ନେଇ କରାଯାଇଥିଲା ‘ବିଜୁ କର୍ଣ୍ଣର୍‌’। କାନ୍‌ଭାସ୍‌ ପେଣ୍ଟିଙ୍ଗ୍‌ରେ ୧୨ଟି ଚିତ୍ର କରାଯାଇଥିବା ବେଳେ ଦୁଇଟି ପ୍ରତିମୂର୍ତ୍ତିକୁ ଫାଇବ୍‌ର ଦ୍ୱାରା ତିଆରି କରାଯାଇଛି। ବିଜୁ କର୍ଣ୍ଣର୍‌ଟି ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବେଶ ପ୍ରଶଂସିତ ହୋଇଥିଲା। ଏହି ସମସ୍ତ ଚିତ୍ର ଓ ପ୍ରତିମୂର୍ତ୍ତିକୁ ସଂଗ୍ରହାଳୟର ବିଭିନ୍ନ କୋଠରିରେ ରଖାଯିବ। ୧୨ଟି ଚିତ୍ର ଓ ୨ଟି ପ୍ରତିମୂର୍ତ୍ତିକୁ ଶିଳ୍ପୀ ରବି ନାରାୟଣ ରଥ ଦୁଇମାସ ମଧ୍ୟରେ ନିର୍ମାଣ କରିଛନ୍ତି।

ବିଜୁଙ୍କ କାନ୍ଧ-୨୭, ଛାତି-୫୬ ଇଞ୍ଚ

କେନ୍ଦ୍ରର ଗୋଟିଏ କୋଠରିରେ ବିଜୁ ପଟ୍ଟନାୟକଙ୍କ ବ୍ୟବହାର ସାମଗ୍ରୀ ସହିତ ପିନ୍ଧା ଗଞ୍ଜି ଓ କୁର୍ତ୍ତାକୁ କାଚ ବାକ୍ସରେ ରଖାଯାଇଛି। ଏହାର ଠିକ୍‌ ନିକଟରେ ଲୁଗାର ମାପ ଓ ଚିତ୍ରକୁ ଦର୍ଶାଯାଇଛି। ଏଠାରେ ବ୍ରହ୍ମପୁର ଗଞ୍ଜି ଲେଖାଯିବା ସହ ଲମ୍ବା ୬୮, ଛାତି ୫୬, ପେଟ ୫୪, କାନ୍ଧ ୨୭, ହାତ ୩୧.୫, ମଣିବନ୍ଧ ୧୪, ବେକ ୨୨ ଇଞ୍ଚ ଥିବାର ଦର୍ଶାଯାଇଛି। ଏହାସହ ବାମପଟେ ପକେଟ ରହିବ ବୋଲି ମଧ୍ୟ ଉଲ୍ଲେଖ ହୋଇଛି। ଏହା ବିଜୁ ବାବୁଙ୍କ ଶାରୀରିକ ଗଠନ ବିଷୟରେ ବିଶେଷ ସୂଚନା ଦେଉଛି।

ଆଇନ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରପତି

ନ୍ୟାୟିକ ବ୍ୟବସ୍ଥାରେ ଧନୀ-ଗରିବର ପ୍ରଭେଦ ଦୂର ହେଉ

କଟକ : ଆଇନ ପେଶାରେ ଏବେ ନବାଗତଙ୍କ ପାଇଁ ଅନେକ ସୁଯୋଗ ରହିଛି। ତେଣୁ ନ୍ୟାୟିକ ନିୟମ ଗୁଡ଼ିକୁ ପୂର୍ବାପେକ୍ଷା ସରଳ କରିବା ଓ ଆଇନଗତ ସାକ୍ଷରତା ବଢାଇବା ବର୍ତ୍ତମାନର ସବୁଠୁ ବଡ଼ ଆହ୍ଵାନ। ଏହି ଆହ୍ଵାନକୁ ଗ୍ରହଣ କରି ସମାଜର ପ୍ରତ୍ୟେକ ବର୍ଗକୁ ସମାନ ନ୍ୟାୟ ପ୍ରଦାନ ଦିଗରେ ଶିକ୍ଷାର୍ଥୀମାନେ ଅଗ୍ରସର ହେବା ଉଚିତ୍‌।

କଟକର ନରାଜ ସ୍ଥିତ ଜାତୀୟ ଆଇନ୍‌ ବିଶ୍ୱବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସ ବକ୍ତତାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଭଳି ପରାମର୍ଶ ଦେଇଛନ୍ତି। ଶ୍ରୀ କୋବିନ୍ଦ କହିଥିଲେ,ସମାଜରେ ସବୁବେଳେ ଧନୀମାନେ ଶୀଘ୍ର ନ୍ୟାୟ ପାଉଛନ୍ତି। ଗରିବଙ୍କୁ କିନ୍ତୁ ବର୍ଷବର୍ଷ ଅପେକ୍ଷା କରିବାକୁ ପଡୁଛି। ଏହା ଆମ ପାଇଁ ଦୁର୍ଭାଗ୍ୟ। ତେଣୁ ଉଭୟ ବର୍ଗଙ୍କ ମଧ୍ୟରେ ଦୂରତା କମ୍‌ କରାଇବା ସହ ସମସ୍ତଙ୍କୁ ଯେପରି ସମାନ ଢଙ୍ଗରେ ନ୍ୟାୟ ମିଳିବ, ସେଭଳି ସ୍ଥିତି ସୃଷ୍ଟି ହେବା ଆବଶ୍ୟକ। କେବଳ ପେଶାଦାର ମନୋବୃତ୍ତି ନ ରଖି ଏହି ପେଶାରେ ପ୍ରବେଶ କରୁଥିବା ଯୁବ ଆଇନଜୀବୀ ଭଲ ହୃଦୟ ନେଇ କାର୍ଯ୍ୟ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ।

ବର୍ତ୍ତମାନର ନ୍ୟାୟିକ ବ୍ୟବସ୍ଥା ବିଳମ୍ବ ହେବା ସହ ଦିନକୁ ଦିନ ବ୍ୟୟସାପେକ୍ଷ ହେଉଛି ବୋଲି ଉଦ୍‌ବେଗ ପ୍ରକାଶ କରି ରାଷ୍ଟ୍ରପତି କହିଥିଲେ, ବିଭିନ୍ନ ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟଗୁଡ଼ିକୁ ସ୍ଥାନୀୟ ଭାଷାରେ ଅନୁବାଦ କରାଗଲେ ସାଧାରଣ ଲୋକେ ସେଥିରୁ କିଛି ଜାଣିବାକୁ ଓ ଶିଖିବାକୁ ପାଇବେ। କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର କହିଥିଲେ ଯେ ଏହି ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଦେଶ ଗଠନରେ ପ୍ରମୁଖ ଆଧାର ହୁଅନ୍ତୁ। ଛାତ୍ରଛାତ୍ରୀମାନେ ସମସ୍ତଙ୍କୁ ସ୍ୱତନ୍ତ୍ରତା, ନ୍ୟାୟ ଓ ସମାନତା ଯୋଗାଇଦେବାକୁ ଉଦ୍ୟମ କରନ୍ତୁ। ଏହି ପ୍ରତିଷ୍ଠା ଦିବସ ବକ୍ତତାରେ ଜଷ୍ଟିସ୍‌ ମିଶ୍ର ଅଧ୍ୟକ୍ଷତା କରିଥିଲାବେଳେ ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦ, ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ଜଷ୍ଟିସ ଭିନିତ ସରନ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ବଶ୍ୱବିଦ୍ୟାଳୟ କୁଳପତି ଶ୍ରୀକିଷ୍ଣା ଦେବାରାଓ ସ୍ୱାଗତ ଭାଷଣ ଓ କୁଳସଚିବ ଡଲି ଜବାଲ୍‌ ଧନ୍ୟବାଦ ଦେଇଥିଲେ।

ପୁରୀରେ ରାତ୍ରିଯାପନ

ପୁରୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପୁରୀରେ ପହଞ୍ଚିଛନ୍ତି। ନିର୍ଧାରିତ ସମୟ ଅପରାହ୍ଣ ୫.୧୦ର ୮ ମିନିଟ୍‌ ପୂର୍ବରୁ ରାଷ୍ଟ୍ରପତି ତାଳବଣିଆ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ। ରାଷ୍ଟ୍ରପତିଙ୍କୁ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍‌ପି ଡାକ୍ତର ସାର୍ଥକ ଷଡ଼ଙ୍ଗୀ ପ୍ରମୁଖ ସ୍ୱାଗତ କରିଥିଲେ। ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ଏସ୍‌ସି ଜମିର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସିଥିଲେ। ତାଳବଣିଆ ହେଲିପ୍ୟାଡରେ ଅବତରଣ କରିବା ପରେ ରାଷ୍ଟ୍ରପତି ସିଧା ଆସି ସର୍କିଟ ହାଉସ୍‌ରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କ ପଇଁ ପ୍ରସ୍ତୁତ ଥିବା ୧୧୬ ନଂ ପ୍ରକୋଷ୍ଠ( ମହୋଦଧି)ରେ ସେ ରହିଥିଲେ। ରାଷ୍ଟ୍ରପତିଙ୍କ ସହ ଏହି ଗସ୍ତରେ ଆସିଥିବା ତାଙ୍କ ସହଧର୍ମିଣୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ୧୧୫ ନଂ. ପ୍ରକୋଷ୍ଠରେ ରହିଥିଲେ। ରାଷ୍ଟ୍ରପତିଙ୍କ ପାଇଁ ସର୍କିଟ ହାଉସ୍‌ ସମେତ ସମଗ୍ର ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁଭାଷ ବୋଷ ଛକରୁ ସମୁଦ୍ରକୂଳ ଥାନା ପର୍ଯ୍ୟନ୍ତ ରାସ୍ତାକୁ ସଂପୂର୍ଣ୍ଣ ସିଲ୍‌ କରିଦିଆଯାଇଛି। ରାଷ୍ଟ୍ରପତିଙ୍କ ରାତ୍ର ଭୋଜନ ପାଇଁ ସର୍କିଟ ହାଉସ୍‌ରେ ସମସ୍ତ ବ୍ୟବସ୍ଥା କରାଯାଇଛି। ସର୍କିଟ ହାଉସ୍‌ର ୧୧୪ ନଂ ପ୍ରକୋଷ୍ଠରେ ରାଷ୍ଟ୍ରପତିଙ୍କ ସଂପର୍କୀୟ ମିସ୍‌ ସ୍ୱାତୀ ଓ ୧୧୨ ନଂ. ପ୍ରକୋଷ୍ଠରେ ଅନନ୍ୟା କୁମାର ଓ ଅଭିଭାର୍ଯ୍ୟ କୁମାର ରହିଛନ୍ତି। ଆସନ୍ତାକାଲି ସକାଳ ୭ଟା ୩୦ମିନିଟରେ ରାଷ୍ଟ୍ରପତି ତାଙ୍କ ସହଧର୍ମିଣୀ ଓ ସଂପର୍କୀୟମାନଙ୍କ ସହ ଶ୍ରୀଜିଉଙ୍କ ଦର୍ଶନ କରିବେ।

ସମ୍ବନ୍ଧିତ ଖବର