ମାତ୍ର ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ବିଶାଳ ସାମାଜ୍ର୍ୟର ଅଧିକାରୀ ହୋଇଥିଲେ ଆଶାରାମ ବାପୁ !

ଦୁଷ୍କର୍ମ ମାମଲାରେ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବା ଆତ୍ମଘୋଷିତ ଧର୍ମଗୁରୁ ବାବା ଆଶାରାମ ବାପୁଙ୍କ ବାକି ଜୀବନ ଏବେ ଜେଲର ଅନ୍ଧାର କୋଠରୀରେ କଟିବ। ତେବେ ଆସନ୍ତୁ ଜାଣିବା ଆଶାରାମ ବାପୁଙ୍କ ଶିକ୍ଷାଗତ ଯୋଗ୍ୟତା ଓ ବିଶାଳ ସାମାଜ୍ର୍ୟ ବିସ୍ତାରର ଇତିହାସ ସମ୍ପର୍କରେ।

୧୯୪୧ ଏପ୍ରିଲ୍‌ ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିବା ଆଶାରାମଙ୍କ ପୁରାନାମ ଥିଲା ଅସୁମଲ୍‌ ସିରୁମଲାନି। ଆଶାରାମ୍‌ ନିଜ ଜୀବନୀରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା କଥା କହିଥିବା ବେଳେ ଆଧ୍ୟାତ୍ମିକ କ୍ଷେତ୍ରକୁ ଆସିବା ପୂର୍ବରୁ ଘୋଡା ଗାଡି ଚଲାଇ ଏବଂ ବେଳେବେଳେ ଚା ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିବା କଥା ତାଙ୍କ ବାୟୋଗ୍ରାଫିରେ ଲେଖାହୋଇଛି।

ଆଶାରାମଙ୍କ ପରିବାର ପାକିସ୍ଥାନର ଜାମନୱାଜ୍‌ ଅଲ୍ଲୀଠାରେ ରହି ଆସୁଥିବା ଜଣାପଡୁଥିବା ବେଳେ ଭାରତ-ପାକିସ୍ଥାନ ଯୁଦ୍ଧ ସମୟରେ ଅହମ୍ମଦାବାଦ ଆସି ରହିଥିଲେ। ସେ ସମୟରେ ଆଶାରାମଙ୍କୁ ମାତ୍ର ୭ ବର୍ଷ ବୟସ ହୋଇଥିଲା। ଆଶାରାମଙ୍କ ପିତା କାଠ ଏବଂ କୋଇଲା ବ୍ୟବସାୟୀ ଥିଲେ। ପିତାଙ୍କ ଦେହାନ୍ତ ପରେ ୧୫ ବର୍ଷ ବୟସରେ ଆଶାରାମ ଘର ଛାଡି ଭରୁଚ୍‌ ନାମକ ଏକ ଆଶ୍ରମକୁ ଚାଲି ଆସିଥିଲେ। ସେଠାରେ ଗୁରୁ ଲୀଲାଶାହଙ୍କଠାରୁ ଦୀକ୍ଷା ନେବାବେଳେ ଗୁରୁ ତାଙ୍କ ନୂଆ ନାଁ ଆଶାରାମ ବାପୁ ଦେଇଥିଲେ।

 

୧୯୭୧ ମସିହାରେ ନିଜର ଆଧ୍ୟାତ୍ମିକ ସାମ୍ରାଜ୍ୟ ଠିଆ କରିବା ପାଇଁ ଅହମ୍ମଦାବାଦଠାରୁ ୧୦ କି.ମି. ଦୂର ମୁଟେରା କସୱେଠାରେ ଏକ ଆଶ୍ରମ ତିଆରି କରିଥିଲେ। ଏହାପରେ ତାଙ୍କ ଭକ୍ତଙ୍କ ସଂଖ୍ୟା ବଢ଼ି ଚାଲିଲା। ଦୁଇ ଦଶନ୍ଧୀ ମଧ୍ୟରେ ବାବାଙ୍କର ଲକ୍ଷ ଲକ୍ଷ ଭକ୍ତ ବଢ଼ିଲେ ଏବଂ ଭାରତ ସମେତ ବିଦେଶରେ ଶହ ଶହ ଆଶ୍ରମ ନିର୍ମାଣ ହେଲା। ଏବେ ଆଶାରାମଙ୍କ ୪ ଶହ ଆଶ୍ରମ ରହିଥିବା ବେଳେ ତାଙ୍କ କାରବାର ସାମ୍ରାଜ୍ୟ ୧୦, ୦୦୦ କୋଟି ଟଙ୍କାରେ ପହଞ୍ଚିଛି। ଭାରତ ସମେତ ବିଦେଶରେ ବାବାଙ୍କର ପାଖାପାଖି ୨ କୋଟିରୁ ଊର୍ଦ୍ଧ୍ୱ ସମର୍ଥକ ରହିଛନ୍ତି। ଧୀରେଧୀରେ ଭକ୍ତଙ୍କ ସଂଖ୍ୟା ବଢ଼ିବାରୁ ବାବା ରାଜନେତାମାନଙ୍କୁ ସତ୍‌ସଙ୍ଗ ଏବଂ ତାଙ୍କ ଧାର୍ମିକ ପ୍ରଚାର ସ୍ଥଳ ଆଡ଼କୁ ମଧ୍ୟ ଆକର୍ଷିତ କରିଥିଲେ।

୨୦୧୬ ମସିହାରେ ଆୟକର ବିଭାଗ ଆଶାରାମଙ୍କଠାରୁ ୨୩୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲେ। ରିପୋର୍ଟ ମୁତାବକ, ସେହି ସମୟରେ ଆଶାରାମଙ୍କ ରାଜ୍ୟସାରା ଆଶ୍ରମ ସଂଖ୍ୟା ପ୍ରାୟ ୪୦୦ ଥିଲା। ଭକ୍ତଙ୍କ ମନମୋହିବା ପାଇଁ ଆଶାରାମ ପ୍ରବଚନ ପରେ ଭକ୍ତଙ୍କୁ ମାଗଣା ପ୍ରସାଦ ଖାଇବାକୁ ଦେଉଥିଲେ। ଭକ୍ତମାନଙ୍କ ସଂଖ୍ୟା ବଢାଇବାରେ ଏହି ଉପାୟ ସଫଳସାଧ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର