ବ୍ରହ୍ମଙ୍କୁ ଘେରି ରହନ୍ତି ‘ନାଗ-ନାଗୁଣୀ’!

ରଥ କଥା / ଅସିତ ମହାନ୍ତି

ଶ୍ରୀଜଗନ୍ନାଥଙ୍କ ଅଣସରର ଗୁପ୍ତନୀତି ଯେତିକି ବିଚିତ୍ର, ସେତିକି ରହସ୍ୟମୟ । ଅନ୍ୟ ସବୁ ସାଧାରଣ ବର୍ଷରେ ଏହାର ଅବଧି ୧୫ ଦିନ ହୋଇଥାଏ । କିନ୍ତୁ ନବକଳେବର ବର୍ଷରେ ଏହା ଅଧିକ ଏକମାସ ବା ମୋଟ ୪୫ ଦିନ ହୁଏ । ତେଣୁ ଏହାକୁ ‘ମହାଅଣସର’ କୁହାଯାଏ ।

ଅଣସର ବା ମହାଅଣସରର ଗୋଟିଏ ବିଶେଷ ନୀତି ହେଉଛି ‘ଘଣାଲାଗି’ । ସାଧାରଣ ବର୍ଷ ଓ ନବକଳେବର ବର୍ଷର ଘଣାଲାଗି ନୀତିରେ ପାର୍ଥକ୍ୟ ଥାଏ । ନବକଳେବର ବର୍ଷରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା- ତିନି ଠାକୁରଙ୍କର ଘଣାଲାଗି ହେଉଥିବା ବେଳେ, ଅନ୍ୟ ସାଧାରଣ ବର୍ଷଗୁଡ଼ିକରେ ଦେବୀ ସୁଭଦ୍ରାଙ୍କର ଘଣାଲାଗି ହୁଏନାହିଁ । ପୁଣି ଗୋଟିଏ ବର୍ଷ କେବଳ ଶ୍ରୀଜଗନ୍ନାଥଙ୍କର ଓ ତା’ପର ବର୍ଷ କେବଳ ଶ୍ରୀବଳଭଦ୍ରଙ୍କର ଘଣାଲାଗି ନୀତି ହୋଇଥାଏ ।

‘ଘଣା’ କହିଲେ ସାଧାରଣ ଭାବରେ ଆମେ ସେହି ଯନ୍ତ୍ରକୁ ବୁଝୁ, ଯାହା ଦ୍ୱାରା ବିଭିନ୍ନ ତୈଳବୀଜକୁ ପେଡ଼ି ତେଲ ବା ଆଖୁକୁ ପେଡ଼ି ରସ ବାହାର କରାଯାଏ । କିନ୍ତୁ ଶ୍ରୀମନ୍ଦିର ପରିଭାଷାରେ ଏହାର ଅର୍ଥ ସଂପୂର୍ଣ୍ଣ ଅଲଗା । ଶ୍ରୀମନ୍ଦିର ପରିଭାଷାରେ ଏହାର ଅର୍ଥ ହେଉଛି, ଅଣସର ବା ମହାଅଣସର ସମୟରେ ଠାକୁରମାନଙ୍କୁ ଲାଗି ହେଉଥିବା ପାଟଡୋର ।

ଅଣସର ଗୁପ୍ତନୀତିର ଶେଷ ସୋପାନରେ, ଦ୍ୱାଦଶୀ ଦିନର ଚକଟା ଭୋଗ ଲାଗି ପରେ, ଏହି ନୀତି ହୋଇଥାଏ । ଏହି ଦିନଟି ସପ୍ତାବରଣ ବିଧିରେ ଠାକୁରଙ୍କ ଅଙ୍ଗଗଠନ କରୁଥିବା ଦଇତା ସେବକଙ୍କ ପାଇଁ କଠିନ ପରିଶ୍ରମର ଦିନ । ନବକଳେବର ବର୍ଷରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା- ତିନିଠାକୁରଙ୍କଠାରେ ଘଣାଲାଗି କରାଯାଉଥିବାରୁ ସେ ବର୍ଷ ଏହି ପରିଶ୍ରମ ଅତ୍ୟଧିକ ହୋଇଥାଏ ।

ନବକଳେବର ବର୍ଷରେ ଘଣାଲାଗି ନୀତିପାଇଁ ପାଟରା ସେବକଙ୍କଠାରୁ ପାଞ୍ଚଟି ମୋଟା ପାଟଡୋର ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ହୋଇ ଆସେ । ସେଥିରୁ ଦୁଇଟି ପାଟଡୋର ବଡ଼ ଓ ତିନିଟି ଛୋଟ । ବଡ଼ ପାଟଡୋରର ଲମ୍ବ ୨୨ ହାତ ଓ ସାନ ପାଟଡୋରର ଲମ୍ବ ୧୨ ହାତ । ଏଥିରୁ ଗୋଟିଏ ସାନ ପାଟଡୋର ଦେବୀ ସୁଭଦ୍ରାଙ୍କଠାରେ ଲାଗି କରାଯିବା ବେଳେ, ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କଠାରେ ଗୋଟିଏ ଲେଖାଏଁ ବଡ଼ ଓ ଛୋଟ ପାଟଡୋର ଲାଗି କରାଯାଏ ।

ତେବେ ଏହି ନୀତିକୁ କାହିଁକି ‘ଘଣାଲାଗି’ କୁହାଯାଏ, ତାହାର ଗୋଟିଏ ସୂଚନା ସଂପୃକ୍ତ ପାଟରା ସେବକଙ୍କଠାରୁ ମିଳେ । ତାଙ୍କ ଅନୁସାରେ, ଘଣା ବୁଲିବା ପରି ଠାକୁରମାନଙ୍କ ବିଗ୍ରହକୁ ଦୃଢ଼ ଭାବରେ ଘେରାଇ ଏହି ପାଟଡୋର ଲାଗି କରାଯାଏ । ତେଣୁ ଏହାକୁ ‘ଘଣାଲାଗି’ କୁହାଯାଏ ।

କିନ୍ତୁ ଏ ସଂପର୍କରେ ସବୁଠୁ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଉଛି, ଗୁପ୍ତ ସେବାକାରୀ ଦଇତା ସେବକମାନେ ଏହାକୁ ‘ନାଗ-ନାଗୁଣୀ’ କହିଥାଆନ୍ତି । ୨୨ ହାତିଆ ବଡ଼ ପାଟଡୋର ନାଗ ଓ ୧୨ ହାତିଆ ସାନ ପାଟଡୋର ନାଗୁଣୀ । ଶ୍ରୀଜଗନ୍ନାଥଙ୍କ ନବକଳେବର ସଂପର୍କରେ ସ୍ୱତନ୍ତ୍ର ଗବେଷଣା କରିଛନ୍ତି ଜର୍ମାନ୍‍ ଗବେଷକ ଡକ୍ଟର ହେଡ଼େନ୍‍ବର୍ଗ । ତାଙ୍କ ଅନୁସାରେ, ଏହି ନାଗ-ନାଗୁଣୀ ପାଟଡୋର ଦୁଇଟିକୁ ଦୁଇ ପୁଂଦେବତା ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପରସ୍ପରକୁ ଛକି ପଡ଼ିଲା ପରି ଛନ୍ଦାଛନ୍ଦି କରି ଗୁଡ଼ାଯାଏ । ଏଥିରୁ ସୂଚିତ ହୁଏ ଯେ ଆମ ଶରୀରର ମୁଖ୍ୟ ସୁଷୁମ୍ନାକାଣ୍ଡକୁ ଇଡ଼ା ଓ ପିଙ୍ଗଳା ଛନ୍ଦାଛନ୍ଦି ହୋଇ ଘେରି ରହିବା ପରି ଏହା ଗୁଡ଼ାଯାଇଥାଏ । ଡାକ୍ତରୀ ପାଠ ଅନୁସାରେ ଏହି ତିନିଟି ମୁଖ୍ୟ ନାଡ଼ି ହିଁ ଆମ ଶରୀରର ସମସ୍ତ ଚେତନାକୁ ନିୟନ୍ତ୍ରିତ କରିଥାଆନ୍ତି ।

କିନ୍ତୁ ବରିଷ୍ଠ ଦଇତା ସେବକମାନେ ଏହାକୁ ସଂପୂର୍ଣ୍ଣ ସ୍ୱୀକାର କରନ୍ତି ନାହିଁ । ସେମାନଙ୍କ ଅନୁସାରେ, ଏହି ନାଗନାଗୁଣୀ ପାଟଡୋର ଛନ୍ଦ ପଡ଼ିଲା ପରି ବିଗ୍ରହଙ୍କଠାରେ ଗୁଡ଼ାଯାଏ ନାହିଁ । ଘଣା ଯେପରି ବୁଲେ, ସେହିପରି ଘେରାଇ ଗୁଡ଼ାଯାଏ । ଶ୍ରୀବିଗ୍ରହମାନଙ୍କର ନିମ୍ନଭାଗକୁ ଏହି ପାଟଡୋରର କୁଣ୍ଡଳୀଦ୍ୱାରା ସୁଗଠିତ କରାଯାଇଥାଏ ।

ତେବେ ସବୁଠୁ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଉଛି, ଏହି ନାଗ-ନାଗୁଣୀ ପାଟଡୋର ତିନିଠାକୁରଙ୍କ ବିଗ୍ରହର ସେହି ଅଂଶରେ ଗୁଡ଼ାଯାଏ- ଯେଉଁ ଅଂଶରେ ବ୍ରହ୍ମ ସଂସ୍ଥାପିତ ହୋଇଥାଆନ୍ତି । ଏଣୁ କୁଣ୍ଡଳିତ ନାଗ-ନାଗୁଣୀଙ୍କର ବଳୟ ମଧ୍ୟରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କର ବ୍ରହ୍ମ ବିରାଜମାନ କରିବା ବେଳେ, ନାଗୁଣୀର ବଳୟ ମଧ୍ୟରେ ଦେବୀ ସୁଭଦ୍ରାଙ୍କର ବ୍ରହ୍ମ ବିରାଜମାନ କରିଥାନ୍ତି । ଗବେଷକ ଡକ୍ଟର ହେଡ଼େନ୍‍ବର୍ଗ ମଧ୍ୟ ଏହାକୁ ସ୍ୱୀକାର କରନ୍ତି । ତାଙ୍କ ଅନୁସାରେ ଏ ଅଖିଳ ସୃଷ୍ଟିରେ ସର୍ପମାନେ ସୁରକ୍ଷାପ୍ରଦାନକାରୀ ପ୍ରାଣୀ ରୂପେ ବିବେଚିତ ହୋଇଆସିଛନ୍ତି । ଏଣୁ ଏହି ଭାବଧାରା ମଧ୍ୟ ଏହି ନାଗ-ନାଗୁଣୀ ପାଟଡୋର ପଛରେ ରହିଛି ।

ସମ୍ବନ୍ଧିତ ଖବର

Comments are closed.