ସାଥୀ ଯବାନମାନେ ସହିଦ୍‌ ବୋଲି ଭାବି ନେଇଥିବା ବେଳେ ପୁଲଓ୍ଵାମା ଆକ୍ରମଣ ସମୟରେ ଏଭଳି ବଞ୍ଚିଥିଲା ସିଆର୍‌ପିଏଫ୍‌ ଯବାନଙ୍କ ଜୀବନ

ନୂଆଦିଲ୍ଲୀ : ଫେବୃଆରି ୧୪ରେ ପୁଲଓ୍ଵାମା ଜିଲ୍ଲାରେ ୨୦ବର୍ଷ ମଧ୍ୟରେ ଘଟି ନ ଥିବା ଭଳି ଅତଙ୍କବାଦୀ ଆକ୍ରମଣ ଘଟିଥିଲା । ଯେଉଁଥିରେ ୪୦ଜଣ ଯବାନ ସହିଦ୍‌ ହୋଇଥିବା ବେଳେ ଅନେକ ଯବାନ ଆହତ ହୋଇଥିଲେ । ଯେଉଁ ଯବାନମାନେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ, ସେମାନଙ୍କୁ ନିଜ ସାଥୀମାନଙ୍କୁ ହରାଇବାର ଦୁଃଖ ସ୍ଥାଣୁ କରି ଦେଇଥିିଲା । କେହି କିଛି ଭାବିବା ଅବସ୍ଥାରେ ନଥିଲେ । କିନ୍ତୁ ହଠାତ୍‌ ଯବାନମାନେ ଯେଉଁ ସାଥୀଙ୍କୁୁ ମୃତ ବୋଲି ଭାବୁଥିଲେ, ସେ ସାମ୍ନାକୁ ଆସିବା ସହ ନିଜ ଜୀବିତ ରହିବାର କାହାଣୀ ଶୁଣାଇଥିଲେ । କନେଷ୍ଠବଳ ସୁରିନ୍ଦର ଯାଦବଙ୍କୁ ସମସ୍ତେ ସହିଦ୍‌ ବୋଲି ଭାବୁଥିବା ବେଳେ ପରେ ସେ ଜୀବିତ ବୋଲି ଜଣା ପଡ଼ିଥିଲା । ତାଙ୍କ ଜୀବିତ ଥିବା ଖବର ସମସ୍ତଙ୍କୁ ଖୁସି କରାଇଥିଲା । ଅନ୍ୟ ପକ୍ଷରେ ମୃତ୍ୟୁ ମୁଖକୁ ଯାଉ ଯାଉ ସୁରିନ୍ଦର କିପରି ବଞ୍ଚି ଯାଇଥିଲେ, ସେ ବିଷୟରେ ନିଜ ସାଥୀମାନଙ୍କୁ ଜଣାଇଛନ୍ତି ।

Firstpost

ଉତ୍ତରପ୍ରଦେଶର ଦେବରିୟା ଜିଲ୍ଲାରେ ରହୁଥିବା ସୁରିନ୍ଦରଙ୍କ ଅନୁଯାୟୀ, ପ୍ରଥମେ ମୁଁ ଯେଉଁ ବସ୍‌ରେ ବସି ଶ୍ରୀନଗର ଅଭିମୁଖେ ବାହାରିଥିଲି, ସେଥିରେ ମୋର ଅନ୍ୟ ୪ଜଣ ସାଥୀ ଥିଲେ । କିନ୍ତୁ ବସ୍‌ଟି କାଜୀଗୁଣ୍ଡରେ ପହଞ୍ଚିବା ପରେ ପଛ ବସ୍‌ରେ ବସିଥିବା ମୋର ଜଣେ ବନ୍ଧୁ ମୋତେ ତାଙ୍କ ପାଖକୁ ଡ଼ାକିବାରୁ ମୁଁ ବସିଥିବା ବସ୍‌ରୁ ଓହ୍ଲାଇ ପଛ ବସ୍‌କୁ ଚାଲି ଆସିଥିଲି । କିଛି ବାଟ ଯିବା ପରେ ଯେତେବେଳେ ପୁଲଓ୍ଵାମାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ, ସେତେବେଳେ ଆଗରେ ଥିବା ବସ୍‌ଟି ଜୋରରେ ଶବ୍ଦ କରି ୩୦ଫୁଟ୍‌ ଉପରକୁ ଉଠିଯିବା ସହ ଚାରିଆଡ଼ ଧୁଆଁ ହୋଇ ଯାଇଥିଲା । ପରେ ମୁଁ ଯେଉଁ ବସ୍‌ରେ ବସିଥିଲି, ସେହି ବସ୍‌କୁ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଜାଣିବାକୁ ପାଇଥିଲି । ପୂର୍ବରୁ ମୁଁ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଥିବା ବସ୍‌ରେ ବସିଥିବାରୁ ମୋର ସାଥୀମାନେ ମୋତେ ସହିଦ୍‌ ବୋଲି ଭାବି ନେଇଥିଲେ । କିନ୍ତୁ ପରେ ତାଙ୍କୁ ମୁଁ ସବୁ ଜଣାଇଥିଲି ବୋଲି ସୁରିନ୍ଦର କହିଛନ୍ତି ।

ସମ୍ବନ୍ଧିତ ଖବର