ଶ୍ରୀଅଙ୍ଗ ବଜ୍ର ପାଇଁ ଖଳି ବିଜେ: ତିନି ମୁଖ୍ୟ ଶୁଦ୍ଧ ସୁଆରଙ୍କୁ ଶ୍ରୀମନ୍ଦିରକୁ ପାଛୋଟି ନେଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଦଇତାପତିମାନେ ଅଣସର ଘରେ ନାନାଦି ଗୁପ୍ତନୀତି ସଂପାଦନ କରିବା ପରେ ଜ୍ବର ପୀଡ଼ିତ ମହାପ୍ରଭୁ ଏହା ଭିତରେ ସୁସ୍ଥ ହୋଇଛନ୍ତି। ଚକା ବିଜେ ପରେ ଶୋଇ ରହିଥିବା ମହାପ୍ରଭୁ ଅଣସର ପିଣ୍ଡିରେ ଉଠି ବସିଛନ୍ତି। କିନ୍ତୁ ବହୁ ଦିନ ଧରି ଜ୍ୱରରେ ପଡ଼ିବାରୁ ଦୁର୍ବଳ ଅନୁଭବ କରୁଛନ୍ତି ମହାପ୍ରଭୁ। ଏଣୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବଜ୍ର, ସଶକ୍ତ, ସୁଶୋଭିତ କରିବା ତଥା ମହାପ୍ରଭୁଙ୍କୁ ନବଯୌବନ ଆଣି ଦେବା ପାଇଁ ଆଜି ଶ୍ରୀମନ୍ଦିରକୁ ଖଳି ପ୍ରସାଦ (ଦିବ୍ୟ ପ୍ରଲେପ) ବିଜେ କରାଯାଇଛି। ତିନି ଠାକୁରଙ୍କ ମୁଖ୍ୟ ଶୁଦ୍ଧ ସୁଆର ସେବକମାନେ ଖଳି ପ୍ରସାଦକୁ ନିଜ ଘରେ ପ୍ରସ୍ତୁତ କରି ଆଜି ଅପରାହ୍ଣ ପ୍ରାୟ ୨ଟାରେ ଶୁଭ୍ର ପୁଷ୍ପରେ ସୁଶୋଭିତ ଖଳିହାଣ୍ଡିକୁ ଶ୍ରୀମନ୍ଦିରକୁ ବିଜେ କରାଇଛନ୍ତି। ଶ୍ରୀମନ୍ଦିରରୁ ବିଜେ କାହାଳୀ ବାଜି ଦୋଳମଣ୍ଡପସ୍ଥିତ ଶୁଦ୍ଧ ସୁଆରଙ୍କ ଘରେ ପହଞ୍ଚିବା ପରେ ଅପରାହ୍ଣ ୨ଟାରେ ଶ୍ରୀମନ୍ଦିରରେ ଖଳି ବିଜେ ହୋଇଥିଲା। ତିନି ମୁଖ୍ୟ ଶୁଦ୍ଧ ସୁଆରଙ୍କୁ ଦୋଳମଣ୍ଡପ ସାହିଠାରୁ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲା। ରାଜପ୍ରସାଦ ବିଜେ ପରେ ଆଜି ରାତିରେ ରାଜନଅରକୁ ଖଡ଼ିପ୍ରସାଦ ବିଜେ କରାଯାଇଛି।

Firstpost

ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କଠାରେ ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ ପରେ ଆଜି ଖଳିପ୍ରସାଦ ବିଜେ ନୀତି ସଂପନ୍ନ ହୋଇଛି। ପରମ୍ପରା ମୁତାବକ, ଗତକାଲି ନିଶାର୍ଦ୍ଧ ରାତିରେ ଶ୍ରୀମନ୍ଦିରରେ ଘନ ଅନ୍ଧକାର ଭିତରେ ବିରୂପ ବିସର୍ଜନ କରାଯାଇଥିଲା। ଘନ ଅନ୍ଧକାର ଭିତରେ ଶ୍ରୀମନ୍ଦିରରେ ଶୋଧ କାର୍ଯ୍ୟ ସଂପନ୍ନ ହୋଇଥିଲା। ତ୍ରୟୋଦଶୀ ତିଥିରେ ଖଳି ପ୍ରସାଦ ଶ୍ରୀମନ୍ଦିର ବିଜେ କରିବାର ପରମ୍ପରା ରହିଛି। ଏଥି ପାଇଁ ଗତକାଲି ସଂଧ୍ୟା ଧୂପ ପରେ ଖଳି ପ୍ରସାଦ ପ୍ରସ୍ତୁତ ପାଇଁ ବିମଳାଙ୍କ କୂଅରୁ ଜଳ ଆସିଥିଲା। ଶୁଦ୍ଧ ସୁଆରମାନେ ଏହି ଜଳରେ ତିନି ଠାକୁରଙ୍କ ପାଇଁ ଖଳି ପ୍ରସାଦ ପ୍ରସ୍ତୁତ କରିଥିଲେ। ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ସୁଆର ସେବକ ରାମଚନ୍ଦ୍ର ସୁଆର, ବଳଭଦ୍ରଙ୍କ ମୁଖ୍ୟ ସୁଆର ସେବକ ଲୋକନାଥ ସୁଆର ଓ ମା ସୁଭଦ୍ରାଙ୍କ ମୁଖ୍ୟ ସୁଆର ସେବକ ଶ୍ରୀଧର ସୁଆର ନିଜ ନିଜ ଘରେ ଏହି ଦିବ୍ୟ ପ୍ରଲେପ ପ୍ରସ୍ତୁତ କରିଥିଲେ। ବଳଭଦ୍ରଙ୍କ ମୁଖ୍ୟ ତଥା ବରିଷ୍ଠ ସୁଆର ସେବକ ଲୋକନାଥ ସୁଆର କହିଛନ୍ତି, ଖଳିପ୍ରସାଦ ସଂପର୍କରେ ବିଭିନ୍ନ ଶାସ୍ତ୍ରରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି। ଏହି ଦିବ୍ୟ ପ୍ରଲେପ ମହାପ୍ରଭୁଙ୍କ ଦେହରେ ଲାଗି ହେବା ପରେ ଏହା ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବଜ୍ର କରିଥାଏ। ମହାପ୍ରଭୁଙ୍କ ପାଇଁ ଓଷ ପ୍ରସ୍ତୁତି ପରେ ଶୁଦ୍ଧ ସୁଆରମାନେ ଏହି ଦିବ୍ୟ ପ୍ରଲେପ ପ୍ରସ୍ତୁତ କରିଥାନ୍ତି। ଏହା ଏକ ଗୁପ୍ତନୀତି ହୋଇଥିବାରୁ ଶୁଦ୍ଧ ସୁଆର ସେବକମାନେ ଏ ସଂପର୍କରେ କାହାରି ‌ଆଗରେ କିଛି ପ୍ରକାଶ କରିନଥାନ୍ତି। ଏପରିକି ଶୁଦ୍ଧ ସୁଆରଙ୍କ ପରିବାର ଲୋକଙ୍କୁ ବି ଏ ନେଇ ବାରଣ କରାଯାଇଛି। ଗୁପ୍ତନୀତି ପ୍ରକାଶ କରିବା ମହାପାପ। ଏଥିରେ ପରିବାରର ବହୁ କ୍ଷତି ଘଟିଥାଏ। ଗୁପ୍ତନୀତିକୁ ଗୁପ୍ତ ରଖିବା ଶ୍ରୀଜଗନ୍ନାଥ ସଂସ୍କୃତିର ଶୋଭା ବଢ଼ାଇବା ସହ ମହନତା ବଢ଼ାଉଛି ବୋଲି ଶ୍ରୀ ସୁଆର ପ୍ରକାଶ କରିଛନ୍ତି।

puriholidayresort.com

ସେପଟେ ପୂର୍ବଦିନ ରାତିରୁ ଚାଲିଥିବା ଘଣାଲାଗି ନୀତି ଶେଷ ହୋଇଛି। ଏହି ନୀତିରେ ମା’ଲକ୍ଷ୍ମୀଙ୍କ ମନ୍ଦିରରେ ନିର୍ମାଣ ହୋଇଥିବା ବାସୁଙ୍ଗାପାଟ ଲାଗି କରାଯିବା ପରେ ଶ୍ରୀଅଙ୍ଗରେ ଶ୍ରୀମୁଖ ହୋତା ଲାଗି ହୋଇଛି। ଶ୍ରୀମୁଖ ଶୃଙ୍ଗାର ସେବକ ଦତ୍ତ ମହାପାତ୍ରଙ୍କ ଘରୁ ଖଡ଼ିପ୍ରସାଦ ବିଜେ ହୋଇଛି। ଶ୍ରୀମୁଖ ହୋତା ଉପରେ ଖଡ଼ିଲାଗି ପରେ ଦତ୍ତ ମହାପାତ୍ରଙ୍କ ସହ ଦଇତାପତି, ପତି ମହାପାତ୍ର ସେବକ ଆଜି ଶ୍ରୀନଅରକୁ ଖଡି ପ୍ରସାଦ ବିଜେ କରିଥିଲେ। ଏହି ସବୁ ନୀତି ଅଗ୍ରଗତିର ଖବର ଗଜପତିଙ୍କୁ ଦେବା ପାଇଁ ଖଡ଼ିପ୍ରସାଦ ବିଜେ ନୀତି ଉଦ୍ଦିଷ୍ଟ। ଆସନ୍ତାକାଲି ବନକଲାଗି ନୀତି ରହିଛି। ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର ସେବା ଆରମ୍ଭ ପୂର୍ବରୁ ଖଡ଼ିଲାଗି ନୀତି ହୋଇଛି। ବିଳମ୍ୱିତ ରାତିରେ ବଡଦେଉଳକୁ ଖଡି ବିଜେ ହେବା ପରେ ଶ୍ରୀମୁଖ ଶୃଙ୍ଗାରର ଶୁଭାରମ୍ଭ ହୋଇଛି। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାରର ପ୍ରଥମ ପର୍ଯ୍ୟାୟରେ ଦତ୍ତ ମହାପାତ୍ର ଖଡି ଲେପ ଦେଇଛନ୍ତି। ଶ୍ରୀମୁଖ ଶୃଙ୍ଗାର ସେବାର ପ୍ରଥମ ପ୍ରଲେପରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଖଡି ପ୍ରସାଦକୁ ସେବକମାନେ ଶ୍ରୀନଅରରେ ଗଜପତି ମହାରାଜାଙ୍କୁ ଅର୍ପଣ କରିଛନ୍ତି। ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାରରେ କସ୍ତୁରୀ, କେଶର, ହରତାଳ, ହିଂଗୁଳ ଆଦି ସାମଗ୍ରୀ ମିଶ୍ରଣକୁ ଲାଗି କରାଯାଉଛି। ବନକଲାଗି ଜରିଆରେ ଏହି ନୀତିକୁ ଶେଷ ସ୍ପର୍ଶ ଦିଆଯିବା ସହ ଶ୍ରୀବିଗ୍ରହମାନେ ନବ ଯୌବନ ପ୍ରାପ୍ତି ହେବେ।

ସମ୍ବନ୍ଧିତ ଖବର