ରହସ୍ୟରେ ରହିଗଲା ରତ୍ନଭଣ୍ଡାର

ଶ୍ରୀମନ୍ଦିର ରତ୍ନଭଣ୍ଡାର ଉପରେ ରହିଥିଲା ସମସ୍ତଙ୍କ ନଜର। ରତ୍ନଭଣ୍ଡାରରେ କଣ ଅଛି, କେତେ ପରିମାଣର ଅଳଙ୍କାର ଏହା ଭିତରେ ଗଚ୍ଛିତ ରହିଛି, ରତ୍ନଭଣ୍ଡାରର ସ୍ଥିତି ଠିକ୍‌ ଅଛି ନା ନାହିଁ, କମିଟି ଏ ଉପରେ କଣ ପଦକ୍ଷେପ ନେଉଛି, ଏପରି ଅନେକ ରହସ୍ୟର ଉତ୍ତରକୁ ଚାହିଁ ବସିଥିଲା ସାରା ଓଡ଼ିଶା। ପ୍ରବଳ ବିରୋଧାଭାଷ ସତ୍ତେ୍ଵ ବୁଧବାର ଅପରାହ୍‌ଣ ପ୍ରାୟ ୧.୪୫ ମିନିଟ୍‌ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଠିତ ୧୭ଜଣିଆ କମିଟି ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ଶୋଧ କାର୍ଯ୍ୟ ସଂପନ୍ନ ପରେ ଅପରାହ୍ଣ ପ୍ରାୟ ୨.୨୫ ମିନିଟ୍‌ରେ ଏସପିଙ୍କୁ ବାଦ୍‌ ଦେଲେ ଅନ୍ୟ ୧୬ଜଣ ଯାଞ୍ଚ କମିଟି ସଦସ୍ୟ ରତ୍ନଭଣ୍ଡାର ଭିତରେ ପ୍ରବେଶ କରିଥିଲେ। ପ୍ରବେଶର ୫୫ ମିନିଟ୍‌ ପରେ ସେମାନେ ବାହାରକୁ ଆସିଥିଲେ। ବାହାରୁ ରତ୍ନଭଣ୍ଡାର ଘରର ସ୍ଥିତି ଦେଖି ଫେରି ଆସିଥିଲେ ଯାଂଚକାରୀ ଦଳ। ଫଳରେ ପୁଣି ଥରେ ରହସ୍ୟରେ ରହିଗଲା ଶ୍ରୀମନ୍ଦିରର ଏହି ରହସ୍ୟମୟ ରତ୍ନଭଣ୍ଡାର। ଏହି ଅବସରରେ ‘ସମ୍ବାଦ’ର ସ୍ୱତନ୍ତ୍ର ଉପସ୍ଥାପନା…

ଏଏସ୍‌ଆଇ ଅଧିକାରୀ ହଟହଟା

ଶ୍ରୀମନ୍ଦିରକୁ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିବା ସଦସ୍ୟମାନେ ଯଦିଓ ସୁରକ୍ଷିତ ଭାବେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ; ମାତ୍ର ଫେରିବା ସମୟରେ ସେମାନେ ନାକେଦମ ହୋଇଛନ୍ତି। ଖୋଦ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳଙ୍କୁ ମଧ୍ୟ ଆଜି ନାକେଦମ ହେବାକୁ ପଡ଼ିଥିଲା। ସିଂହଦ୍ଵାର ସମ୍ମୁଖରେ ଅପେକ୍ଷାରତ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ କ୍ୟାମେରା ଧରି ଅଟକାଇ ଦେଇଥିଲେ। ବାଇଟ୍‌ ନେବା ପରେ ବହୁ ଠେଲାପେଲା ହୋଇ ଫେରିବାକୁ ପଡ଼ିଥିଲା ଏହି ବରିଷ୍ଠ ପଦାଧିକାରୀମାନଙ୍କୁ। ତେବେ ସେମାନଙ୍କ ଫେରିବା ପରେ ଶ୍ରୀମନ୍ଦିରରୁ ବାହାରିଥିବା ଯାଞ୍ଚ ଦଳର ସଦସ୍ୟମାନଙ୍କୁ ପୁଲିସ ସୁରକ୍ଷା ଯୋଗାଇ ପାରିନଥିଲା। ଏହି କୋର କମିଟି ସଦସ୍ୟ ଏନ୍‌.ସି. ପାଲ୍‌ ବାହାରକୁ ଆସିବା ପରେ ତାଙ୍କୁ ଲୋକମାନଙ୍କ ପକ୍ଷରୁ କମେଣ୍ଟ କରାଯାଇଥିଲା। ସାଧାରଣ ଲୋକମାନେ ତାଙ୍କୁ ପଛପଟେ ସୁନା ଚୋର ବୋଲି କମେଣ୍ଟ କରିଥିଲେ। ସେ ବାହାରକୁ ଆସିବା ସମୟରେ ସମ୍ମୁଖରେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନେ ଅଟକାଇ ତାଙ୍କର ବାଇଟ୍‌ ନେବା ପାଇଁ ଉଦ୍ୟମ କରୁଥିବା ବେଳେ ପଛପଟେ ଲୋକମାନେ କମେଣ୍ଟ କରିଚାଲିଥିଲେ। କେହି ଜଣେ ତାଙ୍କୁ ପଛରୁ ଧକ୍କା ଦେବାରୁ ସେ ତଳେ ପଡୁପଡୁ ଅଳ୍ପକେ ରହି ଯାଇଥିଲେ। ଏହି ଘଟଣା ପରେ ଏକ ନିଶ୍ୱାସରେ ଶ୍ରୀ ପାଲ୍‌ ବଡ଼ଦାଣ୍ଡରେ ଥିବା କାରକୁ ଆସି ସେଠାରୁ ଚାଲିଯିବା ପରେ ଶାନ୍ତିରେ ନିଶ୍ୱାସ ମାରିଥିଲେ। ପଛପଟେ କମେଣ୍ଟ କରୁଥିବା ଲୋକମାନେ ଏହାକୁ ନିଜର ବାହାଦୁରିପଣିଆ ଭାବେ ପ୍ରଦର୍ଶିତ କରିଥିଲେ।

ଏସ୍‌ପି ଗଲେନି କାହିଁକି?

ରତ୍ନଭଣ୍ଡାର ଭିତରକୁ ଯିବା ପାଇଁ ଗଠିତ ୧୭ ଜଣିଆ କମିଟି ମଧ୍ୟରେ ଏସପି ମଧ୍ୟ ଜଣେ ସଦସ୍ୟ ରହିଥିଲେ। ଯଦି ରତ୍ନଭଣ୍ଡାର ଗୃହରେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଥାଆନ୍ତା ତେବେ ଏହି ୧୭ ଜଣଙ୍କ ମଧ୍ୟରୁ କେବଳ ଏସପି ହିଁ ତାଲିମ୍‌ପ୍ରାପ୍ତ ଅଧିକାରୀ ଭାବେ ଉକ୍ତ ପରିସ୍ଥିତିକୁ ମୁକାବିଲା କରିପାରିଥାନ୍ତେ। କିନ୍ତୁ ଏସପି ତାଙ୍କ ୟୁନିଫର୍ମକୁ ନବଦଳାଇ ବାହାରେ ରହିଯାଇଥିଲେ। ଫଳରେ ରତ୍ନଭଣ୍ଡାରକୁ ଯାଇଥିବା ସଦସ୍ୟମାନେ ଏସପିଙ୍କ ବିନା ଭିତରକୁ ଯିବା ପାଇଁ ବାଧ୍ୟ ହୋଇଥିଲେ। ତେବେ ଏସପି ରତ୍ନଭଣ୍ଡାର ଭିତରକୁ ପ୍ରବେଶ ନକରିବା ପଛର କାରଣ କୁଆଡ଼େ ‘ଛୋଟ ଗାମୁଛା’। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଗାମୁଛା ଛୋଟ ହେବାରୁ ଏସପି ଏହାକୁ ପିନ୍ଧିପାରିଲେ ନାହିଁ କି ଭଣ୍ଡାରଘରକୁ ପଶି ପାରିଲେ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ପ୍ରକାଶଯୋଗ୍ୟ ଯେ ଗାମୁଛା ବ୍ୟତୀତ ରତ୍ନଭଣ୍ଡାର ଭିତରକୁ ଅନ୍ୟ କୌଣସି ପୋଷାକ ପିନ୍ଧି ଯିବାକୁ ବ୍ୟବସ୍ଥାବଳିରେ ବାରଣ କରାଯାଇଥିଲା।

ମୁଣ୍ଡିଆ ମାରି ଗଲେ ସାପଧରାଳି

ଶ୍ରୀମନ୍ଦିରରେ ରତ୍ନଭଣ୍ଡାରର ସୁରକ୍ଷା ଦାୟିତ୍ଵ ନେଇଛନ୍ତି ସ୍ୱୟଂ ଲୋକନାଥ ମହାପ୍ରଭୁ। ଏଥିପାଇଁ ବିଶ୍ୱାସ କରାଯାଏ, ବହୁ ବିଷଧର ସାପ ଏହି ରତ୍ନଭଣ୍ଡାରକୁ ଜଗି ରହିଛନ୍ତି। ରତ୍ନଭଣ୍ଡାର ଯାଞ୍ଚ ସମୟରେ କାଳେ କିଛି ଅଘଟଣ ଘଟିଯିବ, ସେହି ଆଶଙ୍କାରେ ଆଜି ସ୍ନେକ୍‌ ହେଲ୍‌ପ ଲାଇନ୍‌ର ଶୁଭେନ୍ଦୁ ଦାଶଙ୍କ ସହ ୪ଜଣିଆ ଦଳ ଆଜି ଶ୍ରୀମନ୍ଦିରକୁ ଆବଶ୍ୟକ ଜିନିଷପତ୍ର ଧରି ଯାଇଥିଲେ। କିନ୍ତୁ ଭୟ ଏତେ ଥିଲା ଯେ ସାପଧରାଳି ଦଳ ବି ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ଯାଇଥିଲେ, ଯାହା କିଛି ସମୟ ପାଇଁ ଆଲୋଚନାର ବିଷୟ ପାଲଟିଥିଲା।

ସାଧାରଣ ଦର୍ଶନ ୨ ଘଣ୍ଟା ବନ୍ଦ

ରତ୍ନଭଣ୍ଡାର ଯାଞ୍ଚ ପୂର୍ବରୁ ଭକ୍ତଙ୍କୁ ଶ୍ରୀମନ୍ଦିରରୁ ବାହାର କରିବା ଓ ଶୋଧ କାର୍ଯ୍ୟ ପାଇଁ ଆଜି ବେହରଣ ଦ୍ଵାର ନିକଟରେ ବ୍ୟାରିକେଡ୍‌ କରାଯାଇଥିଲା। ଭକ୍ତଙ୍କୁ ଶ୍ରୀମନ୍ଦିର ବାହାରକୁ ଆଣିବା ପରେ ବ୍ୟାରିକେଡ୍‌ ଭିତର ଓ ଅନ୍ୟାନ୍ୟ ସ୍ଥାନ ଶୋଧ କରାଯାଇଥିଲା। ସେହିପରି ରତ୍ନଭଣ୍ଡାର ଯାଞ୍ଚ ପାଇଁ ସାଢ଼େ ଗୋଟାଏ ପରେ ସାଧାରଣ ଦର୍ଶନ ବନ୍ଦ କରି ଦିଆଯାଇଥିଲା। ଜେଟିପି ଓ ପୁଲିସମାନେ ଶ୍ରୀମନ୍ଦିର ପରିସରରୁ ସମସ୍ତ ଭକ୍ତଙ୍କୁ ବାହାର କରିବା ପରେ ଅପରାହ୍‌ଣ ପ୍ରାୟ ୧.୪୫ ମିନିଟ୍‌ରେ କମିଟିର ସଦସ୍ୟମାନେ ଭିତରକୁ ଯାଇଥିଲେ। ଏଥିପାଇଁ ସାଧାରଣ ଦର୍ଶନ ପ୍ରାୟ ଦୁଇ ଘଣ୍ଟା ବନ୍ଦ ରହିଥିଲା। ଅପରାହ୍‌ଣ ୩ଟା ୪୫ ପାଖାପାଖି ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।

ନେଲେ ଅକ୍ସିଜେନ୍‌ ସିଲିଣ୍ଡର

ରତ୍ନଭଣ୍ଡାର ଯାଞ୍ଚ ପୂର୍ବରୁ ଅଘଟଣ ଆଶଙ୍କାକୁ ଏଡ଼ାଇବା ପାଇଁ ଆଜି ଏକ ଅକ୍ସିଜେନ୍‌ ସିଲିଣ୍ଡର ନିଆଯାଇଥିଲା। ଏକ ଡାକ୍ତରୀ ଦଳ ଏଥିପାଇଁ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ଅକ୍ସିଜେନ୍‌ ସିଲିଣ୍ଡର ସହ ଅନ୍ୟାନ୍ୟ ଔଷଧ ଓ ଆବଶ୍ୟକ ଡାକ୍ତରୀ ଜିନିଷ ବି ଶ୍ରୀମନ୍ଦିର ଭିତରକୁ ନିଆଯାଇଥିଲା।

ମହାସ୍ନାନ ମିଛ

ରତ୍ନଭଣ୍ଡାର ଯାଞ୍ଚ ସମୟରେ ପ୍ରତ୍ନତତ୍ତ୍ୱବିଦ୍‌ ଜି.ସି ମିତ୍ର ଖସିପଡ଼ି ରକ୍ତାକ୍ତ ହେବାରୁ ଶ୍ରୀମନ୍ଦିରରେ ପରେ ମହାସ୍ନାନ ହୋଇଥିବା ଆଲୋଚନା ଜୋର ଧରିଥିଲା। ଭକ୍ତ ମହଲରେ ବି ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ରକ୍ତପାତ ପରେ ଶ୍ରୀମନ୍ଦିରରେ ମହାସ୍ନାନ ସ୍ୱାଭାବିକ କଥା। କିନ୍ତୁ ଶ୍ରୀମନ୍ଦିର ଗାରଦ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ସେଭଳି କିଛି ରକ୍ତ ବୋହିନି କି ମହାସ୍ନାନ ହୋଇନି ବୋଲି ଗାରଦ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ତ୍ରିସ୍ତରୀୟ ଯାଞ୍ଚ

ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯେଉଁ କମିଟି ସଦସ୍ୟମାନେ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ ସେମାନଙ୍କ ପାଇଁ ଖୋର୍ଧା ଓ କଲିକତି ଗାମୁଛା ସ୍ୱତନ୍ତ୍ର ଭାବେ ଯାଇଥିଲା। ଏଥିପାଇଁ ୪ ବଣ୍ଡଲ୍‌ ଖୋର୍ଧା ଓ କଲିକତି ଗାମୁଛା ଶ୍ରୀମନ୍ଦିରକୁ ନିଆଯାଇଥିଲା। ମାଜଣା ମଣ୍ଡପଠାରେ କମିଟି ସଦସ୍ୟମାନେ ନିଜ ପିନ୍ଧା ପୋଷାକ ଓ ପିନ୍ଧିଥିବା ଅନ୍ୟାନ୍ୟ ଜିନିଷ ଓହ୍ଲାଇ ଗାମୁଛା ପରିଧାନ କରିଥିଲେ। ପରେ ବେହରଣ ଦ୍ଵାର ନିକଟକୁ ଯାଇଥିଲେ। ସେଠାରେ ବି ପୁଲିସ ଓ ଅନ୍ୟମାନେ ଯାଞ୍ଚ କରିବା ପରେ ରତ୍ନଭଣ୍ଡାର ନିକଟକୁ ଯାଇଥିଲେ। ଭଣ୍ଡାର ମେକାପ ଯାଞ୍ଚ କରିବା ପରେ ସମସ୍ତେ ରତ୍ନଭଣ୍ଡାର ଭିତରକୁ ଯାଇଥିଲେ। ଫେରିବା ବେଳେ ବି ସମାନ ପ୍ରକାରେ ଯାଞ୍ଚ କରାଯାଇଥିଲା। ପ୍ରଥମେ ଭଣ୍ଡାର ମେକାପ, ପରେ ବେହରଣ ଦ୍ଵାର ଓ ଶେଷରେ ମାଜଣା ମଣ୍ଡପରେ ସମସ୍ତଙ୍କୁ ଯାଞ୍ଚ କରାଯାଇଥିଲା।

 

ସିଂହଦ୍ଵାରରେ ଗୋବର, ଚୂନ ପାଣି, ଗଙ୍ଗାଜଳ ଛିଞ୍ଚିଲେ

ରତ୍ନଭଣ୍ଡାର ଯାଞ୍ଚ କମିଟି ଶ୍ରୀମନ୍ଦିରରୁ ବାହାରିବା ପରେ ପ୍ରବଳ ବିରୋଧର ଶିକାର ହୋଇଛନ୍ତି। ଶ୍ରୀଜଗନ୍ନାଥ ସେନା ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚକୁ ନିନ୍ଦା କରିବା ସହ ଏହା ବିରୋଧରେ ଆଜି ସମୂହ ଦୀପଦାନ ଓ ଅଖଣ୍ଡ ଦୀପ ଜଳାଇଥିଲା। ଏ ଉପରେ ପୋଷ୍ଟର ମାରିବା ସହ ଅଭିନବ ପ୍ରତିବାଦ ଜଣାଇଛି। କମିଟି ଓ ଅନ୍ୟାନ୍ୟ ଅଧିକାରୀ ରତ୍ନଭଣ୍ଡାର ଯାଞ୍ଚ ପରେ ଶ୍ରୀମନ୍ଦିରରୁ ବାହରିବା ପରେ ଶ୍ରୀଜଗନ୍ନାଥ ସେନା ସିଂହଦ୍ଵାର ଆଗରେ ଗୋବର ପାଣି, ଚୂନ ପାଣି, ଗଙ୍ଗାଜଳ ଛିଞ୍ଚି ଶୋଧ କରିଛି। ଶ୍ରୀଜଗନ୍ନାଥ ସେନାକୁ କିଛି ସେବାୟତ ବି ସମର୍ଥନ ଜଣାଇଛନ୍ତି। ଦାମୋଦର ମହାସୁଆର ଓ ଅନ୍ୟମାନେ ଶ୍ରୀଜଗନ୍ନାଥ ସେନା ସହ ସିଂହଦ୍ଵାରରେ ଗୋବର ପାଣି, ଚୂନପାଣି ଓ ଗଙ୍ଗାଜଳ ଛିଞ୍ଚିଛନ୍ତି। ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, କୋଟି କୋଟି ଭକ୍ତଙ୍କ ଧାର୍ମିକ ଭାବନାକୁ ବେଖାତିର କରି ମିଥ୍ୟା କଥା କହି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ଚକ୍ରାନ୍ତ ଓ ଷଡ଼ଯନ୍ତ୍ରକୁ ନିଜେ ମହାପ୍ରଭୁ ରୋକିଛନ୍ତି। ଘରେ ନପଶୁଣୁ ଚାଳ ବାଜିବା ସଦୃଶ ରତ୍ନଭଣ୍ଡାରରେ ପ୍ରବେଶ କରୁ କରୁ ପ୍ରତ୍ନତତ୍ତ୍ଵ ବିଭାଗର ବୈଷୟିକ ବିଶେଷଜ୍ଞ ଗୋପାଳ ଚନ୍ଦ୍ର ମିତ୍ର ଆହତ ହୋଇଛନ୍ତି। ଏହା ମହାପ୍ରଭୁଙ୍କର କୋପ। ତଥାପି ଦୟା ଓ କ୍ଷମାର ସାଗର ମହାପ୍ରଭୁ କିଛି ଅଘଟଣ ଘଟାଇବା ପୂର୍ବରୁ ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି। ଯିଏ ବି ରତ୍ନଭଣ୍ଡାରରେ ପ୍ରବେଶ କରିବ ଲୋକନାଥ ମହାପ୍ରଭୁଙ୍କ ରୋଷର ଶିକାର ହେବ ବୋଲି ଆଜିର ଘଟଣାରୁ ଏହାର ଆଭାସ ମିଳିଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ଏଏସ୍‌ଆଇ ଆଉ କେତେ ଦିନ ?

ପ୍ରତ୍ନତତ୍ତ୍ଵ ବିଭାଗ ୧୯୭୫ ମସିହାରେ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ଵ ନେଇଥିଲା। ଶ୍ରୀମନ୍ଦିର ବାଦ୍‌ ପୁରୀ ଜିଲ୍ଲାର ଆଉ ତିନୋଟି ପୁରାତନ ଭାସ୍କର୍ଯ୍ୟର ରକ୍ଷଣାବେକ୍ଷଣ ଦାୟିତ୍ଵ ବି ଏଏସ୍‌ଆଇକୁ ଦିଆଯାଇଛି। ଏ ଭିତରେ ରହିଛି ସପ୍ତାଶ୍ଚର୍ଯ୍ୟ ଭିତରେ ସ୍ଥାନ ପାଇଥିବା ପୁରୀର କୋଣାର୍କ ମନ୍ଦିର ସାଙ୍ଗକୁ ଅଠର ନଳା ଓ ନିମାପଡ଼ାର ବରାହୀ ମନ୍ଦିର । ସବୁର ରକ୍ଷଣାବେକ୍ଷଣ ଓ ସୁରକ୍ଷା କଥା ବୁଝୁଛି ପ୍ରତ୍ନତତ୍ତ୍ଵ ବିଭାଗ। ତେବେ ପୂର୍ବରୁ ବହୁବାର ଅପବାଦ ମୁଣ୍ଡାଇଥିବା ପ୍ରତ୍ନତତ୍ତ୍ଵ ବିଭାଗ ରତ୍ନଭଣ୍ଡାରକୁ ନେଇ ପ୍ରବଳ ବିରୋଧର ଶିକାର ହୋଇଛି। ପ୍ରତ୍ନତତ୍ତ୍ଵ ବିଭାଗକୁ ଚୋର ଆଖ୍ୟା ଦେବାକୁ ପଛାଇ ନାହାନ୍ତି ବିଭିନ୍ନ ସଂଗଠନ। ଯେବେଠୁ ପ୍ରତ୍ନତତ୍ତ୍ଵ ବିଭାଗ ଶ୍ରୀମନ୍ଦିର ଦାୟିତ୍ଵ ନେଇଛି, ସେବେଠୁ ଅନେକ ବିଭ୍ରାଟ ଦେଖାଦେଇଛି। ରତ୍ନଭଣ୍ଡାର ଯାଞ୍ଚ ଆଳରେ ପ୍ରତ୍ନତତ୍ତ୍ଵ ବିଭାଗ ବି ଏହାକୁ ଲୁଟିନେବାକୁ ଯୋଜନା ଚଳାଇଛି ବୋଲି କିଛି ସଂଗଠନ ଓ ସେବାୟତ ଅଭିଯୋଗ କରିଛନ୍ତି।

ପଶୁ ପଶୁ ଅଘଟଣ : ଝୁଣ୍ଟି ପଡ଼ିଲେ ପ୍ରତ୍ନତତ୍ତ୍ୱବିଦ୍‌

ରହସ୍ୟମୟ ରତ୍ନଭଣ୍ଡାରରେ ପଶୁ ପଶୁ ଆଜି ଅଘଟଣ ଦେଖିବାକୁ ମିଳିଛି। ପ୍ରତ୍ନତତ୍ତ୍ଵ ବିଭାଗର ବରିଷ୍ଠ ବୈଷୟିକ ବିଶେଷଜ୍ଞ ଜିସି ମିତ୍ର ଆଜି ରତ୍ନଭଣ୍ଡାରରେ ପ୍ରବେଶ ବେଳେ ଆହତ ହୋଇଛନ୍ତି। ରତ୍ନଭଣ୍ଡାରର ବାହାର ଭଣ୍ଡାର ଦେଇ ଭିତରକୁ ପଶିବା ବେଳେ ସେ ଝୁଣ୍ଟିପଡ଼ି ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଥିବା କୁହାଯାଉଛି। ସେହିପରି ଭିତର ଭଣ୍ଡାରକୁ ପ୍ରବେଶ ପୂର୍ବରୁ ସେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ନିଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ବାହାରକୁ ଅଣାଯାଇଥିଲା। କିଛି ସମୟ ବିଶ୍ରାମ ନେବା ପରେ ସେ ସୁସ୍ଥ ହୋଇଥିଲେ। କିନ୍ତୁ ଆଘାତ ଯୋଗୁଁ ସେ ଠିକ୍‌ରେ ଚାଲି ପାରୁନଥିବା ପ୍ରକାଶ।

ଟ୍ରାଫିକ୍‌ କଟକଣା

ରତ୍ନଭଣ୍ଡାରକୁ ଯାଂଚ କମିଟି ସଦସ୍ୟମାନେ ପ୍ରବେଶ କରିବା ସମୟରେ ବଡ଼ଦାଣ୍ଡରେ ଟ୍ରାଫିକ୍‌ କଟକଣା କରାଯାଇଥିଲା। ଏହି ସମୟରେ ମରୀଚିକୋଟ୍‌ ଛକରୁ ଶ୍ରୀମନ୍ଦିର ଆଡ଼କୁ ବାଇକ୍‌ ବ୍ୟତୀତ ଅନ୍ୟ କୌଣସି ତିନି ଚକିଆ, ଚାରି ଚକିଆ ଯାନ ଛଡ଼ାଯାଇନଥିଲା। ସିଂହଦ୍ଵାର ଦେଇ ନିଜ ଘରକୁ ଯାଉଥିବା ବାସିନ୍ଦାମାନେ ଅଟୋଟିଏ ମଧ୍ୟ ନେଇନପାରି ହଇରାଣ ହରକତ ହେଉଥିବାର ଦେଖିବାକୁ ମିଳିଥିଲା।

ଲୁଟେରାଙ୍କ କଚେପୁଅ..

ରତ୍ନଭଣ୍ଡାର ଖୋଲାଯିବା ଖବରକୁ ନେଇ ସିଂହଦ୍ଵାର ସମ୍ମୁଖରେ ଆଜି ପ୍ରବଳ ଭିଡ଼ ହୋଇଥିଲା। ଏହି ସୁଯୋଗକୁ ହାତଛଡ଼ା କରିନଥିଲେ ନାବାଳକ ଲୁଟେରାମାନେ। ସେମାନେ ଗହଳିରେ ପଶି ଲୋକମାନଙ୍କ ପକେଟରୁ ମୋବାଇଲ୍‌, ପର୍ସ ଆଦି ଲୁଟପାଟ ଚଳାଇଥିଲେ। ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ଏହି ଲୁଟିଆ ଗୋଷ୍ଠୀର ଶିକାର ହୋଇଥିବା ଜଣାପଡ଼ିଛି।

କଡ଼ା ସୁରକ୍ଷା

ରତ୍ନଭଣ୍ଡାର ଖୋଲାଯିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିଲା। ଶ୍ରୀମନ୍ଦିର ପରିସରରେ ଚାରି ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜନ କରାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଖୋଦ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଏବଂ ଏସପି ଡା. ସାର୍ଥକ ଷଡ଼ଙ୍ଗୀ ପ୍ରମୁଖ ଶ୍ରୀମନ୍ଦିର ପରିସରକୁ ପ୍ରବେଶ କରିଥିଲେ। ସେମାନଙ୍କ ବ୍ୟତିତ ଦୁଇ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗାଗାରିନ୍‌ ମହାନ୍ତି ଓ ଧୀରେନ ନନ୍ଦଙ୍କ ସମେତ ଜଣେ ଡେପୁଟି କମାଣ୍ଡାଣ୍ଟ ଲିଙ୍ଗରାଜ ମିଶ୍ର ପ୍ରମୁଖ ଶ୍ରୀମନ୍ଦିରକୁ ଯାଇଥିଲେ। ଏମାନଙ୍କ ବ୍ୟତୀତ ଶ୍ରୀମନ୍ଦିରରେ ୫ ଜଣ ଡିଏସପି, ୮ ଜଣ ଇନ୍‌ସ୍ପେକ୍ଟର, ୧୭ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୧୪ ଜଣ କନେଷ୍ଟବଳ, ୧୪ ଜଣ ଗୃହରକ୍ଷୀ ନିୟୋଜିତ ରହିଥିଲେ। ଯାଞ୍ଚ କରିବା ପାଇଁ ଗଠିତ ହୋଇଥିବା ଟିମ୍‌ ରତ୍ନଭଣ୍ଡାରକୁ ଯିବାକୁ ଥିବା ଟିମ୍‌ ମୁକ୍ତିମଣ୍ଡପ ପଟୁ ବେହରଣ ଦ୍ଵାର ଦେଇ ଜଗମୋହନକୁ ପ୍ରବେଶ କରିଥିଲେ। ଏଠାରେ ଦୁଇ ଥାକିଆ ସୁରକ୍ଷା ବ୍ୟବସ୍ଥାରେ ମେଟାଲ ଡିଟେକ୍ଟର ଏବଂ ହ୍ୟାଣ୍ଡ ସ୍କାନର ଦ୍ୱାରା ସେମାନଙ୍କୁ ଯାଂଚ କରାଯାଇଥିଲା।

ଦକ୍ଷିଣଦ୍ଵାର ପଟେ ବାହାରିଗଲେ

ପ୍ରତ୍ନତତ୍ତ୍ଵ ବିଭାଗର ବରିଷ୍ଠ ବିଶେଷଜ୍ଞ ଜି. ସି ମିତ୍ର ଆହତ ହେବା ପରେ ଦକ୍ଷିଣ ଦ୍ଵାର ପଟେ ବାହାରି ଯାଇଥିଲେ। ଏହା ଶ୍ରୀମନ୍ଦିର ପ୍ରଶାସନର ଚାଲ୍‌ ବୋଲି କୁହାଯାଉଛି। ରତ୍ନଭଣ୍ଡାରକୁ ପ୍ରବେଶ ବେଳେ ଶ୍ରୀ ମିତ୍ର ଆହତ ହୋଇଥିଲେ। ଏ ନେଇ କାଳେ ଗଣମାଧ୍ୟମର ପ୍ରଶ୍ନବାଣର ଶିକାର ହେବେ, ସେଥିନେଇ ଶ୍ରୀ ମହାପାତ୍ରଙ୍କୁ ଯୋଜନାବଦ୍ଧ ଭାବେ ଦକ୍ଷିଣଦ୍ଵାର ଦେଇ ପଠାଇ ଦିଆଯାଇଥିଲା ବୋଲି ଚର୍ଚ୍ଚା ହେଉଛି।

ସଜାଗ ରହିଲା ଓଡ୍ରାଫ୍‌ ଟିମ୍‌

ରତ୍ନଭଣ୍ଡାର ରହସ୍ୟମୟ। କେତେବେଳେ କଣ ହେବ ତା ବି କହିବା ମୁସ୍କିଲ। ଏଣୁ ପ୍ରଶାସନ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଆଗୁଆ ପ୍ରସ୍ତୁତ ହୋଇ ରହିଥିଲା। ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ଓଡ୍ରାଫ୍‌ ଟିମ୍‌କୁ ଶ୍ରୀମନ୍ଦିର ଭିତରକୁ ନିଆଯାଇଥିଲା। ରତ୍ନଭଣ୍ଡାର ଯାଞ୍ଚ ପୂର୍ବରୁ ଆଜି ଓଡ୍ରାଫ୍‌ର ୯ଜଣିଆ ଟିମ୍‌ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ଏହି ଟିମ୍‌ ନିଜେ ହେଲ୍‌ମେଟ୍‌ ପିନ୍ଧିବା ସହ ହାତରେ ଷ୍ଟ୍ରେଚର, ଲାଇଟ୍‌, ନିଆଁଲିଭା ଗ୍ୟାସ୍‌ ବି ନେଇଯାଇଥିଲେ। ଯାଞ୍ଚ ସମୟରେ ରତ୍ନଭଣ୍ଡାର ଆଗରେ ଜଗି ରହିଥିଲେ।

କାଠ ହାତୁଡ଼ିରେ ଯାଞ୍ଚ

ପ୍ରତ୍ନତତ୍ତ୍ଵ ବିଭାଗ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କାଠ ହାତୁଡ଼ିରେ କରିଛି। ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ଅଧିକାରୀ ହେମସାଗର ଏ. ନାୟକ, ଚିତ୍ତରଂଜନ ଦାଶ ଏବଂ ବୈଷୟିକ ବିଶେଷଜ୍ଞ ଜି ସି ମିତ୍ର ଓ ଏନ୍‌ ସି ପାଲ୍‌ ହାତରେ କାଠ ହାତୁଡ଼ି ନେଇ ଯାଇଥିଲେ। ରତ୍ନଭଣ୍ଡାରର ବାହାର ଭଣ୍ଡାର ଯାଞ୍ଚ ପରେ ଏହାର ସ୍ଥିତି ଭଲ ନଥିବା ଏବଂ କାନ୍ଥ ଓ ଛାତ ହାତକୁ ଓଦାଳିଆ ଲାଗୁଥିବା ଉପରୋକ୍ତ ଟିମ୍‌ ଜାଣିବାକୁ ପାଇଛନ୍ତି।

ସମ୍ବନ୍ଧିତ ଖବର