ଚାକିରି ଛାଡ଼ି ଚାଷକୁ ଆଦରିଲେ ପୋଲିସ ଅଫିସର

ଗୁଜୁରାଟ : ଚାକିରି କରିବାକୁ କାହାକୁ ବା ପସନ୍ଦ ନୁହେଁ । କିନ୍ତୁ ଜଣେ ପୋଲିସ ଅଫିସର ଚାଷ କରିବା ପାଇଁ ଚାକିରି ଛାଡି ଦେବା ହୁଏତ ଅନେକଙ୍କୁ ଆଶ୍ଚର୍ଯ୍ୟ କରିବ। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ପାର୍ଥିଭାଇ ଜେଠାଭାଇ ଚୌଧୁରୀ। ଯିଏ ପୋଲିସ ବିଭାଗରେ ଅଫିସର ଚାକିରିକୁ ଛାଡି ଓହ୍ଲାଇଛନ୍ତି କ୍ଷେତକୁ। କେବଳ ଏତିକି ନୁହେଁ ପାର୍ଥିଭାଇ ଆଳୁ ଚାଷ କରି ବାର୍ଷିକ ୩.୫ କୋଟି ଟଙ୍କା ଆୟ କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ଗୁଜରାଟର ପାର୍ଥିଭାଇ ଜେଠାଭାଇ ଚୌଧୁରୀ। ବୟସ ୬୦ ଛୁଇଁଲାଣି। ପୂରା ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ନାଁ କମାଇଛନ୍ତି ପାର୍ଥିଭାଇ। କିନ୍ତୁ ଏହି ସଫଳତା ତାଙ୍କୁ ଏତେ ସହଜରେ ମିଳିନାହିଁ। ସଫଳତାର ସିଢି ଚଢିବା ପାଇଁ ସେ ଅନେକ ତ୍ୟାଗ କରିଛନ୍ତି। ଖାସକରି ଯେତେବେଳେ ସେ ଚାଷ କରିବା ପାଇଁ ପୋଲିସ ଅଫିସର ଚାକିରିକୁ ବାଏ ବାଏ କରିଥିଲେ ସେତେବେଳେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୨୦୦୦ ମସିହାରେ ପୋଲିସ ଚାକରିରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇ ଚାଷକୁ ଆଦରି ନେଇଥିଲେ। ପାର୍ଥିଭାଇଙ୍କ ପାଇଁ ଚାଷ ସମ୍ପୂର୍ଣ୍ଣ ନୂଆ ଥିଲା। କିନ୍ତୁ କିଛି ଦିନ ବିଦେଶରେ ଆଧୁନିକ ଚାଷ ପ୍ରଣାଳୀ ବିଷୟରେ ଟ୍ରେନିଂ ନେଇ ଗାଁ ଫେରିଥିଲେ ପାର୍ଥିଭାଇ। ଆଳୁ ଚାଷ କରିବା ସହ ଆରମ୍ଭ କରିଥିଲେ ନିଜ ଜୀବନର ଆଉ ଏକ ଇନିଂସ। ଆଉ ଏଥିରେ ଜବରଦସ୍ତ ସଫଳତା ପାଇଥିଲେ ସେ।

ମାତ୍ର ଦିନ କେଇଟା ଭିତରେ ଗୁଜରାଟରେ ଚାଷ ଉତ୍ପଦାନରେ ରେକର୍ଡ ଭାଙ୍ଗିଥିଲେ ପାର୍ଥିଭାଈ। ସେ ବନାସକାଣ୍ଠା ଅଞ୍ଚଳରେ ଏତେ ମାତ୍ରାରେ ଆଳୁ ଉତ୍ପାଦନ କଲେ। ଲୋକ ତାଙ୍କୁ ପଟାଟୋମ୍ୟାନର ଆଖ୍ୟା ଦେବାକୁ ମଧ୍ୟ ପଛାଇନଥିଲେ। ଏବେ ମୋଟ ୮୭ ଏକର ଜମିରେ ଆଳୁ ଚାଷ କରୁଛନ୍ତି ପାର୍ଥିଭାଇ। ଗୋଟିଏ ହେକ୍ଟରରୁ ପ୍ରାୟ ୧୨୦୦ କିଲୋ ଉତ୍ପାଦନ କରିଥାନ୍ତି ପାର୍ଥିଭାଇ। ସବୁଠାରୁ ଆଶ୍ଚଯ୍ୟକର କଥା ହେଲା, ତାଙ୍କ ଜମିରୁ ଉତ୍ପାଦିତ ଗୋଟିଏ ଗୋଟିଏ ଆଳୁର ଓଜନ ୨ କିଲୋରୁ ଅଧିକ ହୋଇଥାଏ। ଏତେ ପରିମାଣର ଆଳୁ ଉତ୍ପାଦନ କରୁଥିବାରୁ ଏହାକୁ ରଖିବା ପାଇଁ ପାର୍ଥିଭାଇ ନିଜେ ଏକ ଶୀତଳଭଣ୍ଡାର ଖୋଲିଛନ୍ତି।

ପାର୍ଥିଭାଇଙ୍କ କହିବା ଅନୁଯାୟୀ, ଆଳୁ ଚାଷ କରିବା ପାଇଁ ମାତ୍ର ତିନି ମାସ ସମୟ ଆବଶ୍ୟକ। ଅକ୍ଟୋବରରେ ଚାଷ ଆରମ୍ଭ କଲେ ଡିସେମ୍ବରରେ ଆଳୁ ଉତ୍ପାଦନ ହୋଇଥାଏ। ଆଉ ଏହି ତିନି ମାସରେ ଯେତିକି ପରିମାଣର ଆଳୁ ଉତ୍ପାଦିତ ହୋଇଥାଏ ତାହାର ବଜାର ମୂଲ୍ୟ ୩.୫ କୋଟି ଟଙ୍କାରୁ ମଧ୍ୟ ଅଧିକ। ଏବେ ତାଙ୍କୁ ଚାଷରେ ୧୬ ଜଣ ସାହାର୍ଯ୍ୟ କରୁଛନ୍ତି। ପାର୍ଥିଭାଇ ନିଜ ଚାଷ ସହ ସ୍ଥାନୀୟ ଅଞ୍ଚଳର ଚାଷୀ କିପରି କମ ଖର୍ଚ୍ଚରେ ଅଧିକ ଫସଲ ଉତ୍ପାଦନ କରିବା ସହ ଅଧିକ ଲାଭ ପାଇ ପାରିବେ ସେନେଇ ଜ୍ଞାନ ବାଣ୍ଟୁଛନ୍ତି ପାର୍ଥିଭାଇ।

ସମ୍ବନ୍ଧିତ ଖବର