ଚଳନ୍ତା ଟ୍ରେନ ସହ ଘୋଷାଡ଼ି ହୋଇଯାଉଥିବା ଯୁବକଙ୍କ ଜୀବନ ବଞ୍ଚାଇଲେ ଆରପିଏଫ୍ କର୍ମୀ, ଭିଡିଓରେ ଦେଖନ୍ତୁ ସେ ସମୟର ଦୃଶ୍ୟ

ମେଦିନିପୁର: ପଶ୍ଚିମବଙ୍ଗରେ ଜ‌ଣେ ଆରପିଏଫ୍ କର୍ମୀଙ୍କ କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଠିକ୍ ସମୟରେ ପହଞ୍ଚି ସେ ଜଣେ ୪୫ବର୍ଷୀୟ ବ୍ୟକ୍ତିଙ୍କୁ ଟ୍ରେନ ଚକା ତଳେ ଚାପି ହେବାରୁ ବଞ୍ଚାଇବା ଘଟଣା ଏବେ ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି। ଘଟଣାର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିବା ପରେ କିଛି ଘଣ୍ଟା ମଧ୍ୟରେ ଏହା ଭାଇରାଲ ହେବାରେ ଲାଗିଛି।

ମିଳିଥିବା ସୂଚନାନୁସାରେ, ଘଟଣାଟି ଶୁକ୍ରବାର ରାତି ୧୦ଟାରେ ଘଟିଥିଲା। ବର‌ବେଟିଆରେ ରହୁଥିବା ସୁଜୟ ଘୋଷ ଖଡ଼ଗପୁର-ଆଶାନସୋଲ ‌ଟ୍ରେନରେ ଚଢ଼ୁଥିବା ସମୟରେ ତାଙ୍କ ପାଦ ଖସିଯିବାରୁ ସେ ପ୍ଲାଟଫର୍ମ ଓ ଟ୍ରେନ ମଝିରେ ଥିବା ଫାଙ୍କା ସ୍ଥାନରେ ଖସି ପଡ଼ିଥିଲେ। ଟ୍ରେନଟି ଚାଲୁଥିବାରୁ ସୁଜୟ ମଝିରେ ଚାପି ହୋଇ କିଛି ଦୂର ଘୋଷାଡ଼ି ହୋଇଯାଇଥିଲେ। ଏହି ସମୟରେ ଷ୍ଟେସନରେ ଥିବା ଆରପିଏଫ୍ କର୍ମୀ ଧର୍ମେନ୍ଦ୍ର ଯାଦବ ତୁରନ୍ତ ଦୌଡ଼ି ଯାଇ ସୁଜୟଙ୍କୁ ବାହାରକୁ ଟାଣି ଆଣିଥିଲେ। ଭିଡିଓରେ ଦେଖାଯାଇଛି କି, ଘଟଣା ପରେ ଲୋକଙ୍କ ପାଟି ଶୁଣି ଟ୍ରେନଟି ଅଟକିଯାଇଥିଲା। ତୁରନ୍ତ ସୁଜୟଙ୍କୁ ମିଦନାପୁର ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେ ସୁସ୍ଥ ହୋଇ ଆସୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର