ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ ରେଳବାଇର ନୂଆ ଯୋଜନା : ଖାଲି ପାଣି ବୋତଲ ଫେରାଇଲେ ଯାତ୍ରୀଙ୍କୁ ମିଳିବ ୫ ଟଙ୍କା!

ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି ପ୍ଲାଷ୍ଟିକ ଆବର୍ଜନା। ଏହି ଆବର୍ଜନା ଯୋଗୁଁ ଖାଲି ପରିବେଶ ପ୍ରଦୂଷିତ ହେଉନାହିଁ ବରଂ ଏହାର ପ୍ରଭାବରେ ମଣିଷ ଶରୀରରେ ସୃଷ୍ଟି ହେଉଛି ମାରାତ୍ମକ ରୋଗ । ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ଏହାର ସୁଫଳ ମିଳୁନାହିଁ। ଏହାର ନିରାକରଣ ପାଇଁ ରେଳବାଇ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏଣିକି ଖାଲି ପ୍ଲାଷ୍ଟିକ ବୋତଲ ଫେରାଇଲେ ୫ ଟଙ୍କା କ୍ୟାସବ୍ୟାକ ଦେବାକୁ ଘୋଷଣା କରିଛି ରେଳବାଇ ।

ଭାରତୀୟ ରେଳବାଇ ପ୍ଲାଷ୍ଟିକ ଦ୍ୱାରା ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ବିଭିନ୍ନ ଯୋଜନା ମାନ ତିଆରି କରୁଛନ୍ତି। କିଛି ଦିନ ପୂର୍ବରୁ ଭାରତୀୟ ରେଳବାଇ ବିଶ୍ୱ ପରିବେଶ ଦିବସରେ ପ୍ରଦୂଷଣକୁ ରୋକିବା ପାଇଁ ପାଳରେ ତିଆରି ହୋଇଥିବ ପ୍ଲେଟରେ ଖାଦ୍ୟ ପରସିବାର ବ୍ୟବସ୍ଥା ଆରମ୍ଭ କରିଥିଲା। ଏବେ ପୂନର୍ବାର ଭାରତୀୟ ରେଳବାଇ ପ୍ଲାଷ୍ଟିକ କବଳରୁ ପରିବେଶକୁ ରକ୍ଷା କରିବା ପାଇଁ ଆଉ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅନୁଯାୟୀ, ପାଣି ପିଇସାରିବା ପରେ ବୋତଲକୁ ନ ଫୋପାଡ଼ି ଫେରସ୍ତ କରିଲେ ୫ ଟଙ୍କା କ୍ୟାସବ୍ୟାକ ମିଳିପାରିବ। ଏହି ଯୋଜନା ଦ୍ୱାରା ଯାତ୍ରୀମାନଙ୍କୁ ଫାଇଦା ହେବା ସହିତ ପରିବେଶକୁ ଆବର୍ଜନାରୁ ରକ୍ଷା କରାଯାଇପାରିବ।

ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ରେଳବାଇର ଉଦେଶ୍ୟ

ଏହି ଯୋଜନା ଅନୁଯାୟୀ ପ୍ରଥମେ ବଡୋଦରା ରେଳ ଷ୍ଟେସନରେ ବୋତଲ କ୍ରସର ମେସିନ ଲଗାଯାଇଛି। ଷ୍ଟେସନ ପରିସରକୁ ପ୍ଲାଷ୍ଟିକ ମୁକ୍ତ କରିବା ଏହାର ମୂଳ ଉଦ୍ଦେଶ୍ୟ। ଅଧିକରୁ ଅଧିକ ଯାତ୍ରୀଙ୍କୁ ଏହି ଯୋଜନା ସହ ଯୋଡ଼ିବା ପାଇଁ ବୋତଲ ଫେରାଇଲେ ୫ ଟଙ୍କା କ୍ୟାସବ୍ୟାକ ଦେବାକୁ ରେଳବାଇ ଘୋଷଣା କରିଛନ୍ତି । ଯଦି ଏହି ଯୋଜନା ସଫଳ ହୁଏ ତେବେ ଏହି ବ୍ୟବସ୍ଥା ଦେଶର ସମସ୍ତ ଷ୍ଟେସନରେ ଲାଗୁ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

କିପରି ମିଳିବ କ୍ୟାସବ୍ୟାକ

ଷ୍ଟେସନରେ ଲାଗିଥିବା ବୋତଲ କ୍ରସର ମେସିନରେ ଖାଲି ବୋତଲ ପକାଇବା ମାତ୍ରେ ମେସିନ ଆପଣଙ୍କୁ ଆପଣଙ୍କ ମୋବାଇଲ ନମ୍ବର ମାଗିବ। ସେଠାରେ ଆପଣ ମୋବାଇଲ ନମ୍ବର ଦେଇ ବୋତଲ କ୍ରାସ କରିବାର ତୁରନ୍ତ ବାଦ ୫ ଟଙ୍କା କ୍ୟାସବ୍ୟାକ ପାଇପାରିବେ। ଏହି କ୍ୟାସବ୍ୟାକ ଆପଣଙ୍କ ପେଟିଏମ ୱାଲେଟକୁ ଆସିବ। ଏହା ବାବଦରେ ରେଳମନ୍ତ୍ରୀ ଟ୍ଵିଟ୍‌ କରି କହିଛନ୍ତି, ପ୍ଲାଷ୍ଟିକ ପ୍ରଦୂଷଣ ରୋକିବାକୁ ରେଳବିଭାଗର ଏହା ଛୋଟ ପ୍ରୟାସ।

ସମ୍ବନ୍ଧିତ ଖବର