ରାଜଧାନୀର ହଂକଂ ବାପୁଜୀନଗର

ଆଖି ଝଲସିଲା ଭଳି ବିଲବୋର୍ଡ ସାଙ୍ଗକୁ ଚାରିଆଡ଼େ ମୋବାଇଲ ଓ ଇଲେକ୍‌ଟ୍ରୋନିକ୍‌ସ ସାମଗ୍ରୀର ବିଜ୍ଞାପନ। ଦିନରାତି ଗ୍ରାହକଙ୍କ ଭିଡ଼। ରାଜଧାନୀର ପ୍ରମୁଖ ଅଞ୍ଚଳରେ ଥିବା ବାପୁଜୀନଗର ଗତ କିଛିବର୍ଷ ଭିତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବିଶେଷକରି ଚୀନ୍ ନିର୍ମିତ ବହୁ ମୋବାଇଲ କମ୍ପାନି ଭାରତରେ ପ୍ରବେଶ କରିବା ପରେ ସେମାନଙ୍କ ବଡ଼ ବଡ଼ ବିଲବୋର୍ଡ ବାପୁଜୀନଗରକୁ ରାତିରେ ହଂକଂ ସହରର ଭ୍ରମ ସୃଷ୍ଟି କରିଥାଏ। ମୋବାଇଲ କିମ୍ବା ଇଲେକ୍‌ଟ୍ରୋନିକ୍‌ସ ଜିନିଷ କିଣିବାକୁ ‌ଥିଲେ ରାଜଧାନୀବାସୀଙ୍କ ମନରୁ ସ୍ବତଃ ବାହାରି ଯାଇଥାଏ ବାପୁଜୀନଗର ଚାଲ। କେବଳ ଯେ ମନଲୋଭା ବିଜ୍ଞାପନ ଓ ମାଳ ମାଳ ଦୋକାନ ଲୋକଙ୍କୁ ଏଠାକୁ ଟାଣି ଆଣିଥାଏ ତା’ ନୁହେଁ, ଇଲେକ୍‌ଟ୍ରୋନିକ୍‌ସ ସାମଗ୍ରୀରେ ରିହାତିର ସୁଯୋଗ ମିଳୁଥିବାରୁ ଲୋକଙ୍କ ପାଇଁ ଏହା ପ୍ରମୁଖ ଆକର୍ଷଣ ପାଲଟିଛି।

ବାପୁଜୀନଗରର ପ୍ରତି ଗଳିରେ ମାଳ ମାଳ ମୋବାଇଲ ଦୋକାନ। ବଜାରରେ ମିଳୁଥିବା ଏମିତି କୌଣସି ମୋବାଇଲ କମ୍ପାନି ନାହିଁ ଯାହା ବାପୁଜୀନରଗରେ ଉପଲବ୍ଧ ହେଉନାହିଁ। କେବଳ ମୋବାଇଲ ଦୋକାନ ନୁହେଁ, ମୋବାଇଲ କଭର ଓ ମରାମତି ଦୋକାନ ମଧ୍ୟ ଏଠାରେ ଭରି ରହିଛି। ବଜାରକୁ ନୂଆ କରି ପ୍ରବେଶ କରିଥିବା ମୋବାଇଲ କଭର ରାଜଧାନୀର ଅନ୍ୟ ଅଞ୍ଚଳରେ ନ ମିଳିଲେ ମଧ୍ୟ କିଛିଦିନ ଭିତରେ ବାପୁଜୀନଗରରେ ଉପଲବ୍ଧ ହୋଇଥାଏ। ଦିନକୁ ଦିନ ଦୋକାନ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ରାଜଧାନୀର ଏକାଧିକ ପ୍ରମୁଖ ଇଲେକ୍‌ଟ୍ରୋନିକ୍‌ସ ସୋ ରୁମ୍‌ ମଧ୍ୟ ବାପୁଜୀନଗରରେ ରହିଛି। କହିବାକୁ ଗଲେ ବାପୁଜୀନଗର ସୌଖୀନ ସାମଗ୍ରୀ ବ୍ୟବସାୟୀର ଏକ ପ୍ରମୁଖ ପେଣ୍ଠସ୍ଥଳ। ସେଇଥିପାଇଁ ତ ବାପୁଜୀନଗରକୁ ଲୋକ ହଂକଂର ବଜାର ସହିତ ତୁଳନା କରୁଛନ୍ତି।

ସମ୍ବନ୍ଧିତ ଖବର