ବର୍ଷାରେ ଭିଜି କଲେଜ୍‌ ଯାଉଥିବା ଛାତ୍ରୀଙ୍କୁ ଦେଖିବା ପରେ ନିଜ ସଞ୍ଚୟ ଅର୍ଥରେ ମାଗଣା ବସ ସେବା ଆରମ୍ଭ କଲେ ଡାକ୍ତର

ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଡାକ୍ତର। ରାଜସ୍ଥାନ ଅନ୍ତର୍ଗତ ଜୟପୁର ମହାନଗରୀ ଉପକଣ୍ଠସ୍ଥ ଏକ ଗ୍ରାମୀଣ ଅଞ୍ଚଳ କୋଟପୁତଲୀ। ଏଠାକାର ବାସିନ୍ଦା ଡ. ଆର୍‌ପି ଯାଦବ ଗରିବ ପରିବାରର ପଢ଼ୁଆ ଝିଅଙ୍କ ସେବାରେ ଉତ୍ସର୍ଗୀକୃତ। କିଛି ଦିନ ତଳେ ରାସ୍ତାରେ ବର୍ଷାରେ ଭିଜିଭିଜି, କଲେଜ୍‌ ଯାଉଥିବା ଚାରି ଜଣ ଝିଅଙ୍କୁ ଦେଖିବା ପରେ ସେ, ଏ ଭଳି ଛାତ୍ରୀଙ୍କ ସୁବିଧା ପାଇଁ ମାଗଣା ବସ୍‌ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ନିଜର ଭବିଷ୍ୟନିଧି ପାଣ୍ଠିରେ ଥିବା ସମସ୍ତ ଊଣେଇଶ ଲକ୍ଷ ଟଙ୍କା ଉଠାଇ, ବାଉନ୍‌ ଆସନ ଥିବା ବସ୍‌ଟିଏ କିଣିଥିଲେ। ସଂପ୍ରତି ଚୂରୀ, ପାଓ୍ଵଲା, ରାମନଗର, କାୟମପୁରାବାସ ଓ ଭୋପାଲପୁରାର ଚଉବନ ଜଣ କଲେଜ୍‌ ଛାତ୍ରୀ, ତାଙ୍କ ବସ୍‌ରେ ଯିବା-ଆସିବା କରୁଛନ୍ତି। ଡ. ଯାଦବଙ୍କ ସେବା ମନୋବୃତ୍ତିକୁ ଦେଖି, ରାଜସ୍ଥାନ ସରକାରଙ୍କ ସଡ଼କ ପରିବହନ ବିଭାଗ, ତାଙ୍କ ପାଇଁ ସଡ଼କ ଟିକସ ଛାଡ଼ କରିଛି। ଡ. ଯାଦବ କୋଡ଼ିଏ ବର୍ଷ ତଳେ ନିଜର ଏକ ମାତ୍ର କନ୍ୟାକୁ ଏକ ଦୁର୍ଘଟନାରେ ହରାଇଥିଲେ। ସେ କହନ୍ତି, ଝିଅର ପଢ଼ା ଓ ବିବାହ ଆଦି ବାବଦକୁ ଯାହା ଖର୍ଚ୍ଚ ହୋଇଥାଆନ୍ତା, ତାହା ଅନ୍ୟ ଝିଅଙ୍କ କାମରେ ଲାଗୁଛି। ସେ ଶିଶୁରୋଗ ବିଶେଷଜ୍ଞ। ଶିଶୁଙ୍କ ଚିକିତ୍ସା ବି ମାଗଣା କରୁଛନ୍ତି। ସମସ୍ତ କାର୍ଯ୍ୟରେ ସହଯୋଗ କରୁଛନ୍ତି, ପତ୍ନୀ ତାରାବତୀ।

ସମ୍ବନ୍ଧିତ ଖବର