ଚଳିତ ବର୍ଷ ଅଧିକାଂଶ ପୂଜାମଣ୍ଡପରେ ରାନୁ ଏବଂ ହିମେଶଙ୍କ ମୂର୍ତ୍ତି

ଏକଦା ନଦିଆ ଜିଲ୍ଲାର ରାଣାଘାଟା ଷ୍ଟେସନରେ ଗୀତ ଗାଇ ରୋଜ୍‌ ରୋଟିର ଯୋଗାଡ଼ରେ ଥିବା ରାନୁ ମଣ୍ଡଳ ଆଜି ବଲିଉଡ୍‌ର ସେଲିବ୍ରିଟି ପାଲଟିଛନ୍ତି। ରାନୁଙ୍କୁ ପ୍ଲାଟଫର୍ମରୁ ବଲିଉଡ୍‌କୁ ଆଣିବାରେ ସହାୟକ ହୋଇଥିବା ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିୟା ମଧ୍ୟ ଚର୍ଚ୍ଚାରେ। ଚଳିତ ବର୍ଷ ଅଧିକାଂଶ ପୂଜାମଣ୍ଡପରେ ରାନୁଙ୍କ କଣ୍ଠ ସ୍ବର‌ରେ ‌ରେକର୍ଡିଂ ହୋଇଥିବା ‘ତେରି ମେରି କହାନୀ’ ଶୁଣିବାକୁ ମିଳିବ। କେବଳ ସେତିକି ନୁହେଁ କେତେକ ମଣ୍ଡପରେ ରାନୁ ଏବଂ ହିମେଶଙ୍କ ମୂର୍ତ୍ତି ବି ରହୁଛି। ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଲାଗିବ ବୋଲି ଆୟୋଜକମାନେ ଆଶା କରୁଛନ୍ତି। ସମଗ୍ର ବିଶ୍ବରେ ଏବେ ଚହଳ ସୃଷ୍ଟି କରିଥିବା ଲତା ମଙ୍ଗେସକରଙ୍କ ‘ଏକ ପ୍ୟାର୍‌ କା ନଗ୍‌ମା’ ଗୀତର ଅବିକଳ ନକଲ କରି ଗାଉଥିବା ରାନୁ ମଣ୍ଡଳଙ୍କୁ ଥରେ ଦେଖିନେବାର ଉତ୍କଣ୍ଠା ସମସ୍ତଙ୍କର। ଉଲ୍ଲେଖନୀୟ, ଷ୍ଟେସନରେ ଗୀତ ଗାଇ ଭିକ ମାଗୁଥିବା ରାନୁଙ୍କ କଣ୍ଠସ୍ବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିୟାଙ୍କ ନଜର ପଡ଼ିଥିଲା ରାନୁଙ୍କ ଉପରେ। ସେ ରାନୁଙ୍କୁ ନେଇ ଗୀତ ‌ରେକର୍ଡିଂ କରିବାକୁ ଆଗେଇ ଆସିଲେ। ଆଉ ତା’ପରେ ରାନୁ ରାତାରାତି ଷ୍ଟାର୍‌ ବନିଗଲେ। ଚଳିତ ପୂଜାରେ ରାନୁଙ୍କ ସ୍ବର ସମଗ୍ର ରାଜ୍ୟର ଅଧିକାଂଶ ପୂଜାମଣ୍ଡପରେ ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର