ଲଜ୍ଜା : ୭ ଦିନରେ ୧୦ ଦୁଷ୍କର୍ମ

କେନ୍ଦ୍ରାପଡ଼ାରେ ଚାରି

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରେ ଗତ ସପ୍ତାହକ ଭିତରେ ଘଟିଛି ୪ଟି ଦୁଷ୍କର୍ମ ଓ ଗୋଟିଏ ଅସଦାଚରଣ। ୩ ଜଣ ନାବାଳିକା ଓ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଜଣେ ନାବାଳିକାକୁ ଅସଦାଚରଣ କରାଯାଇଛି। ଅଧିକାଂଶ ଘଟଣାରେ ନାବାଳକମାନଙ୍କ ସଂପୃକ୍ତି ପରିସ୍ଥିତିକୁ ଜଟିଳ କରିଛି।

୯ମ ଶ୍ରେଣୀ ଛାତ୍ର ଅଭିଯୁକ୍ତ: ଗତ ୨୦ ତାରିଖରେ ମାର୍ଶାଘାଇ ଥାନା ଅଧୀନ ମହାକାଳପଡା ବ୍ଲକ ତିଖିରି ଅଞ୍ଚଳର ଜଣେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଜଣେ ୧୩ ବର୍ଷର ନାବାଳକ। ତାକୁ ବାଳସୁଧାର ଗୃହରେ ରଖାଯାଇଛି। ସେ ଏବେ ନବମ ଶ୍ରେଣୀର ଛାତ୍ର। ଘଟଣାଦିନ ସନ୍ଧ୍ୟା ୭ଟାରେ ଗ୍ରାମରେ ଚାଲିଥିବା ହନୁମାନ ଯଜ୍ଞକୁ ନାବାଳିକା ଜଣଙ୍କ ପ୍ରସାଦ ସେବନ କରିବାକୁ ଯାଇଥିଲା। ତାକୁ ଏକୁଟିଆ ପାଇ ଅଭିଯୁକ୍ତ ଜଣକ ନିକଟବର୍ତ୍ତୀ ନଦୀ ପଠାକୁ ନେଇ ଦୁଷ୍କର୍ମ କରିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନାବାଳିକା କାନ୍ଦୁଥିବା ଖବରପାଇ ପରିବାର ଲୋକେ ପହଞ୍ଚି ତାକୁ ଉଦ୍ଧାର କରିଥିଲେ।

୧୦ଟଙ୍କା ଦେଇ ଦୁଷ୍କର୍ମ: ଗତ ୨୨ ତାରିଖରେ କେନ୍ଦ୍ରାପଡ଼ା ସହରର ଜନାକୀର୍ଣ୍ଣ ଅଞ୍ଚଳ ତିନିମୁହାଣି ରାସ୍ତାକଡ଼ର ଏକ ମାର୍କେଟ୍‌ କମ୍ପ୍ଲେକ୍ସ ପରିସରରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିଲା। ଏକ ଭିକାରୀ ପରିବାରର ନାବାଳିକାକୁ ୧୦ ଟଙ୍କା ଦେଇ ଅଭିଯୁକ୍ତ ତା’ର ଇଜ୍ଜତ ଲୁଟିଥିଲା। ସେହି ମାର୍କେଟ୍‌ କମ୍ପ୍ଲେକ୍ସ ଷ୍ଟେୟାରକେସ୍‌ରେ ଭଦ୍ରକ ଜିଲ୍ଲା ବାଉଁଶଗଡ଼ା ଥାନା ଗଉଡୁଣୀ ପୋଖରୀ ଗ୍ରାମର କାଳନ୍ଦୀ ରାଉତ ତା’ ସହ ଦୁଷ୍କର୍ମ କରିଥିଲା। ଝିଅଟି ପାଟି କରିବାରୁ ଲୋକେ ରୁଣ୍ଡ ହୋଇ ଯାଇଥିଲେ। ସେମାନେ କାଳନ୍ଦୀକୁ ଧରି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିିସ୍‌ କାଳନ୍ଦୀକୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ମହାକାଳପଡ଼ାରେ ବି ନାବାଳିକା: ୩ ଦିନ ତଳେ ମହାକାଳପଡ଼ା ଥାନାର ଖରନାସୀ ଅଞ୍ଚଳର ଜଣେ ୧୩ ବର୍ଷର ନାବାଳିକାକୁ ସେହି ଗ୍ରାମର ନିତ୍ୟାନନ୍ଦ ମିସ୍ତ୍ରୀ (୪୦) ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ନାବାଳିକାର ମା’ ଜମ୍ବୁ ମେରାଇନ୍‌ ଥାନାେରେ ଅଭିଯୋଗ କରିଥିଲେ। ଏସ୍‌ପି ନିତି ଶେଖର ଘଟଣାରେ ହସ୍ତକ୍ଷେପ କରିଥିଲେ। ଗାଁରେ ପହଞ୍ଚି ନିତ୍ୟାନନ୍ଦକୁ ପଚରାଉଚୁରା କରିବାରୁ ସେ ସତ କଥା ମାନି ଯାଇଥିଲା। ମେରାଇନ୍‌ ଥାନା ପୁଲିସ ନିତ୍ୟାନନ୍ଦକୁ ଗିରଫ କରିଥିଲା।

୪ ବର୍ଷର ନାବାଳିକାକୁ ଦୁଷ୍କର୍ମ: ରାଜକନିକା ବ୍ଲକ ବରୁଣାଡ଼ିହା ଅଞ୍ଚଳରେ ଜଣେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଛି। ଏହି ନାବାଳିକାକୁ ଦୁଷ୍କର୍ମ କରି ସମ୍ପର୍କୀୟ ବଡ଼ବାପା ଫେରାର ହୋଇଯାଇଛି। ପ୍ରଥମେ ଏହି ଘଟଣାକୁ ରଫାଦଫା କରିବା ପାଇଁ ଉଦ୍ୟମ କରାଯାଇଥିଲା। ମାତ୍ର, ଏହି ଯୋଜନା ବିଫଳ ହେବାରୁ ଆଜି ପୀଡ଼ିତାଙ୍କ ବାପା ରାଜକନିକା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ଅଭିଯୁକ୍ତ ବଡ଼ବାପା ଚକୋଲେଟ୍‌ ଲୋଭ ଦେଖାଇ ଏକ ବାଉଁଶବୁଦା ମୂଳେ ଦୁଷ୍କର୍ମ କରିଥିବା ଅଭିଯୋଗରୁ ଜଣାପଡ଼ିଛି।

ଜଗତସିଂହପୁର: ୫ ଅଭିଯୁକ୍ତଙ୍କ ଭିତରୁ ୩ ନାବାଳକ

କଟକ : ଗତ କିଛିଦିନ ଭିତରେ ଦୁଷ୍କର୍ମକୁ ନେଇ ସମଗ୍ର ଦେଶ ଓ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲା ମଧ୍ୟ ଏହି ପ୍ରଭାବରୁ ମୁକ୍ତ ହୋଇ ପାରିନାହିଁ। ଜିଲ୍ଲାରେ ମାତ୍ର ତିନିଦିନରେ ଦୁଇଜଣ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ପୀଡ଼ିତାଙ୍କ ଭିତରୁ ଜଣେ ନବମ ଶ୍ରେଣୀ ଛାତ୍ରୀ ହୋଇଥିବା ବେଳେ ଅନ୍ୟଜଣେ ମାତ୍ର ୫ବର୍ଷର ଓ ପ୍ରଥମ ଶ୍ରେଣୀ ଛାତ୍ରୀ। ଗତ ୨୪ତାରିଖରେ ପୌରାଞ୍ଚଳରେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ସହ ଦୁଇଜଣ ନାବାଳକ ଓ ଏହାର ଠିକ୍‌ ତିନିଦିନ ପରେ ୨୭ତାରିଖ ଦିନ ୯ମ ଶ୍ରେଣୀ ଛାତ୍ରୀଙ୍କ ସହ ୩ଜଣ ବାଳକ ଗଣଦୁଷ୍କର୍ମ କରିଥିଲେ। ଦୁଇ ଘଟଣାରେ ପୀଡ଼ିତା କୁନିପିଲାଙ୍କୁ ନେଇ ଯେତିକି ଚିନ୍ତା ବଢ଼ିଛି, ତା’ଠାରୁ ଅଧିକ ଚିନ୍ତାର କାରଣ ପାଲଟିଛି ଅଭିଯୁକ୍ତଙ୍କୁ ନେଇ। ଦୁଇ ଲଜ୍ଜାଜନକ ଘଟଣାରେ ସମୁଦାୟ ୫ଜଣ ଅଭିଯୁକ୍ତ ଅଛନ୍ତି ଯେଉଁମାନଙ୍କ ଭିତରୁ ୩ ନାବାଳକ।

ଚକୋଲେଟ୍‌ ଦେଇ ଭଣ୍ଡାଇଦେଲା

ଗତ ୨୭ତାରିଖ ଦିନ ଜଗତସିଂହପୁର ପୌରାଞ୍ଚଳରେ ପ୍ରଥମ ଶ୍ରେଣରେ ପଢ଼ୁଥିବା ମାତ୍ର ୫ବର୍ଷର ଜଣେ କୁନି ଝିଅ ପ୍ରତି ଗଣଦୁଷ୍କର୍ମ ହୋଇଥିଲା। ଏ ଘଟଣାର ଅଭିଯୁକ୍ତ ବି ଥିଲେ ନାବାଳକ। ସେମାନଙ୍କ ଭିତରୁ ଜଣେ ୫ମ ଶ୍ରେଣୀ ଓ ଅନ୍ୟ ଜଣେ ୭ମ ଶ୍ରେଣୀର ଛାତ୍ର। ନାବାଳିକା ସହ ସାଙ୍ଗହୋଇ ଏକାଠି ଖେଳୁଥିବା ବେଳେ ସେମାନେ ତାକୁ ପେପ୍‌ସି ପିଇବାକୁ କହି ପାଖରେ ଥିବା ସ୍କୁଲଘର ଭିତରକୁ ନେଇ ଯାଇଥିଲେ। ନାବାଳିକାର ହାତ ଓ ମୁହଁ ଚାପି ସେ ଦୁହେଁ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି। ନାବାଳିକାଜଣକ ଉକ୍ତ ନାବାଳକଦ୍ୱୟଙ୍କୁ ଚିହ୍ନଟ ବି କରିଛି। ପୁଲିସ ଏହି ଘଟଣାରେ ନାବାଳକଦ୍ୱୟଙ୍କୁ ଉଠାଇ ଆଣିଥିଲା। ଉଭୟଙ୍କୁ ଅନୁଗୁଳର ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି।

ଚିନ୍ତାରେ ଅଭିଯୁକ୍ତଙ୍କ ପରିବାର

ପ୍ରଥମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କ ପରିବାର ଓ ସାଧାରଣ ଲୋକ ଯେତିକି ବ୍ୟଥିିତ ହୋଇଛନ୍ତି ଦୁଇ ଅଭିଯୁକ୍ତ ନାବାଳକଙ୍କ ପରିବାର ଲୋକେ ମଧ୍ୟ ତା’ଠାରୁ କିଛି କମ୍‌ ଚିନ୍ତାରେ ନାହାନ୍ତି। ୫ମ ଓ ୭ମରେ ପଢ଼ୁଥିବା ଦୁଇଜଣ ପିଲା ଏଭଳି କାଣ୍ଡ କରିଥିବେ ବୋଲି ସେମାନଙ୍କ ବାପା-ମା’ ଏବେ ବି ବିଶ୍ୱାସ କରି ପାରୁନାହାନ୍ତି। ପ୍ରକୃତରେ ସେମାନେ ଏଭଳି କରିଛନ୍ତି ନା’ ନାବାଳିକାଜଣକ ଭୁଲ୍‌ରେ ଏଭଳି କହୁଛି ବୋଲି ସେମାନେ ଘାରି ହେଉଛନ୍ତି। ଛୋଟ ପିଲା ଦୁଇଜଣ ସୁଧାର ଗୃହକୁ ଯାଉଥିବା ବେଳେ ପରିବାର ଲୋକଙ୍କ ମାନସିକ ସ୍ଥିତି କିଭଳି ଥିଲା ତାହା ସେଦିନ ଉପସ୍ଥିତ ଥିବା ସମସ୍ତେ ସ୍ପଷ୍ଟ ବାରିଛନ୍ତି।

ଅଭିଯୁକ୍ତଙ୍କ ମାନସିକ ସ୍ଥିତି ପଢ଼ିବା କଷ୍ଟକର

ଜିଲ୍ଲାରେ ଘଟିଥିବା ଦୁଇ ଦୁଇଟି ଗଣଦୁଷ୍କର୍ମକୁ ନେଇ ଶିଶୁ ସୁରକ୍ଷା କମିଟି ଚିନ୍ତାରେ। ବିଶେଷ କରି ଏଥିରେ ୩ଜଣ ନାବାଳକ ସାମିଲ ଥିବାରୁ ଏହା ଅଧିକ ସମସ୍ୟା ସୃଷ୍ଟି କରୁଛି ବୋଲି କହିଛନ୍ତି ଜିଲ୍ଲା ସୁରକ୍ଷା ଅଧିକାରୀ ଉଦୟନାଥ ସ୍ୱାଇଁ। ପିଲାମାନଙ୍କ ସହ ଆଲୋଚନା କରାଯାଇଥିଲେ ବି ସେମାନଙ୍କ ମାନସିକ ସ୍ଥିତିକୁ ପଢ଼ିବା ସହଜ ନୁହେଁ ବୋଲି ସେ କହିଛନ୍ତି। ସେପଟେ, ଲିଗାଲ୍‌ ପ୍ରୋବେସନ୍‌ ଅଫିସର ଜଗନ୍ନାଥ ମିଶ୍ର କହିଛନ୍ତି ଯେ, କାଉନସେଲିଂ କରାଯାଇ ଅଭିଯୁକ୍ତମାନଙ୍କୁ ଭଲ ରାସ୍ତାକୁ ଅଣାଯିବା ପାଇଁ ଉଦ୍ୟମ କରାଯିବ। ସେମାନଙ୍କ ପାଠ ପଢ଼ିବାର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ଇଟା ଗଢ଼ୁଥିବା ବେଳେ ଜୁଟିଥିଲା ଦୁର୍ବୁଦ୍ଧି

ଗତ୨୭ତାରିଖ ଦିନ ତିର୍ତ୍ତୋଲ ଥାନା ଭଁସର ଅଞ୍ଚଳରେ ଘଟିଥିବା ଦୁଷ୍କର୍ମର ସମସ୍ତ ତିନି ଅଭିଯୁକ୍ତ ଇଟାଭାଟି ଶ୍ରମିକ। ସେମାନଙ୍କ ଭିତରୁ ଦୁଇଜଣ ଅଭିଯୁକ୍ତ ଚନ୍ଦ୍ରମଣି ବେହେରାର ବୟସ ୨୧ ଓ ରଶ୍ମିରଂଜନ ଦାସର ବୟସ ୨୦ବର୍ଷ ହୋଇଥିବା ବେଳେ ତୃତୀୟ ଅଭିଯୁକ୍ତ ମାତ୍ର ୧୫ବର୍ଷ ବୟସର। ଏ ସମସ୍ତେ ଇଟାଭାଟିରେ କାମ କରୁଥିବା ବେଳେ ସେହି ରାସ୍ତାଦେଇ ୯ମ ଶ୍ରେଣୀ ଛାତ୍ରୀଜଣକ ସାଇକଲରେ ଯାଉଥିଲେ। ଖରାବେଳର ନିଚ୍ଛାଟିଆ ସମୟରେ ଏକୁଟିଆ ଯାଉଥିବା ଛାତ୍ରୀଙ୍କୁ ଦେଖି ଏମାନଙ୍କ ମୁଣ୍ଡରେ ଦୁର୍ବୁର୍ଦ୍ଧି ଜୁଟିଥିଲା। ଜୋର ଜବରଦସ୍ତ କରି ଛାତ୍ରୀଙ୍କୁ ରାସ୍ତାରୁ ଟେକିନେଇ ନିକଟରେ ଥିବା ଏକ ବାଉଁଶ ଜଙ୍ଗଲ ଭିତରକୁ ନେଇ ଯାଇଥିଲେ। ଛାତ୍ରୀଜଣକ ଚିତ୍କାର କରିବାକୁ ଚେଷ୍ଟା କରିବାରୁ ତା’ଙ୍କ ମୁହଁକୁ ଚାପିଧରି ଜଙ୍ଗଲ ଭିତରେ ଗଣଦୁଷ୍କର୍ମ କରିଥିଲେ। ଘରକୁ ଫେରି ଛାତ୍ରୀଜଣକ ଏ ସମ୍ପର୍କରେ ପରିବାର ନିକଟରେ ପ୍ରକାଶ କରିବା ପରେ ପୁଲିସରେ ଏତଲା ହୋଇଥିଲା ଓ ସମସ୍ତ ଅଭିଯୁକ୍ତ ଧରା ପଡ଼ିଥିଲେ।

ବାରମ୍ବାର ସଂଜ୍ଞାହୀନ ହେଉଛନ୍ତି ପୀଡ଼ିତା

୨୭ତାରିଖ ଅପରାହ୍ନରେ ଗଣଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ୧୫ବର୍ଷର ଛାତ୍ରୀଜଣକ ଏ ପର୍ଯ୍ୟନ୍ତ ସୁସ୍ଥ ହୋଇ ପାରିନାହାନ୍ତି। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୀଡ଼ିତାଙ୍କୁ ଚିକିତ୍ସା ଓ ଡାକ୍ତରୀ ମାଇନା ପାଇଁ ଜଗତସିଂହପୁର ଜିଲ୍ଲା ଚିକିତ୍ସାଳୟକୁ ପଠା ଯାଇଥିଲା। ପୀଡ଼ିତା ସାମାନ୍ୟ ସୁସ୍ଥ ହୋଇ ଘରକୁ ଫେରିଥିଲେ ବି ଏଯାବତ୍‌ ବୟାନ୍‌ ଦେବା ସ୍ଥିତିରେ ପହଞ୍ଚିନାହାନ୍ତି। ପ୍ରଚଣ୍ଡ ମାନସିକ ଚାପରେ ଥିବାରୁ ସେ ବାରମ୍ବାର ସଂଜ୍ଞାହୀନ ହେଉଛନ୍ତି। ପ୍ରିନ୍‌ସିପାଲ୍‌ ମାଜିଷ୍ଟ୍ରେଟ୍‌ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ(ପିଏମ୍‌ଜେଜେବି)ଙ୍କ ନିକଟରେ ଧାରା ୧୬୪ଧାରାରେ ତାଙ୍କ ବୟାନ ନିଆଯାଇଥିଲେ ବି ତଦନ୍ତ ପାଇଁ ପୁଲିସ ଆବଶ୍ୟକ କରୁଥିବା ତଥ୍ୟ ସେ ସୁସ୍ଥ ହେବା ପରେ ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି।

କଟକରେ ଗୋଟିଏ ଦିନରେ ଚାରି

କଟକ : ମେ’ ୨୧ ତାରିଖ, ଶନିବାର। କଟକ ଜିଲ୍ଲାରେ ଘଟିଥିଲା ଚାରି ଚାରିଟି ଦୁଷ୍କର୍ମ ଘଟଣା। ଦୁଷ୍କର୍ମର ଶିକାର ହୋଇଥିବା ସବୁ ନାବାଳିକାଙ୍କ ବୟସ ୬ରୁ ୧୧ ବର୍ଷ ଭିତରେ ହୋଇଥିବା ବେଳେ ସେମାନଙ୍କ ଭିତରେ ଥିଲେ ଜଣେ ଦିବ୍ୟାଙ୍ଗ। ଗୋଟିଏ ଘଟଣା ସାଲେପୁର ଥାନା ଅଞ୍ଚଳରେ, ଗୋଟିଏ ଘଟଣା ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଏବଂ ଦୁଇଟି ଘଟଣା ଘଟିଥିଲା କିଶନନଗର ଥାନା ଅଞ୍ଚଳରେ। ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କ ମଧ୍ୟରୁ ଆଜି ସାଲେପୁର ଥାନା ଅଞ୍ଚଳର ପୀଡ଼ିତା ସବୁ ଦିନ ପାଇଁ ଆଖି ବୁଜି ଦେଇଛି।

କିଶନନଗର: କିଶନନଗର ଥାନା ଅନ୍ତର୍ଗତ ଯଶପଡ଼ା ପଞ୍ଚାୟତ ଅଧୀନସ୍ଥ ଏକ ଗାଁରେ ଗୋଟିଏ ୮ବର୍ଷର ନାବାଳିକା ଦିନ ୧୨ଟାରେ ଖେଳୁଥିବା ବେଳେ କନ୍ଦରପୁର ଥାନା ସିଦ୍ଧେଶ୍ୱରପୁର ଗ୍ରାମର ମୁନା ଓରଫ ହୃଷୀକେଶ ଜେନା(୨୪) ଚକୋଲେଟ୍‌ ଦେଇ ତାକୁ ଛାତ ଉପରକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ମୁନାକୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ ଜିମା ଦେଇଥିଲେ। ଗିରଫ ଯୁବକ ନାବାଳିକାର ପଡିଶା ଘରର ହୋଇଥିବା ବେଳେ ପୁଲିସ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

କିଶନନଗର ଥାନା ମାହାଳହାଟ ବିଟ୍‌ହାଉସ୍‌ ଅଧୀନ ମହମ୍ମଦପୁର ଅଞ୍ଚଳର ୭ବର୍ଷର ଦିବ୍ୟାଙ୍ଗ ଶିଶୁକନ୍ୟାକୁ ପଡୋଶୀ ଯୋଗେନ୍ଦ୍ର ସାହୁ (୨୮) ନିଜ ଘରକୁ ଡାକିନେଇ ଦୁଷ୍କର୍ମ ଉଦ୍ୟମ କରିବା ସହ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ଜଣାପଡିବା ପରେ ଶିଶୁକନ୍ୟାର ବାପା ଘଟଣା ସଂପର୍କରେ ଯୋଗେନ୍ଦ୍ରକୁ ପଚାରିିବାକୁ ଯାଇଥିବା ବେଳେ ତାଙ୍କୁ ସେ ଗାଳିଗୁଲଜ କରିବା ସହ ଧମକ ଦେଇଥିଲା। ଏ ସଂପର୍କରେ ଦିବ୍ୟାଙ୍ଗ ଶିଶୁକନ୍ୟାର ବାପା କିଶନନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଯୋଗେନ୍ଦ୍ରକୁ ଗିରଫ କରିଛି।

ଖୁଣ୍ଟୁଣୀ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଟାଙ୍ଗରସାହି ଗ୍ରାମର ୧୧ବର୍ଷର ନାବାଳିକାକୁ ରାଜ ଆଠଗଡ଼ ରେଳଷ୍ଟେସନ ଅଂଚଳରେ ରହୁଥିବା ବିବାହିତ ଯୁବକ ଧନେଶ୍ୱର ଓରଫ ଧନୀ ବାରିକ (୩୫) ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଘରେ କେହି ନଥିବା ବେଳେ ତାହାର ସୁଯୋଗ ନେଇ ଷଷ୍ଠ ଶ୍ରେଣୀରେ ପଢୁଥିବା ନାବାଳିକା ସହିତ ଅଭିଯୁକ୍ତ ଏହି ଅମାନବୀୟ କାଣ୍ଡ ଭିଆଇଥିଲା। ଝିଅଟି ଚେତାଶୂନ୍ୟ ହୋଇପଡିଥିଲା। ପରେ ନାବାଳିକାର ମା’ ଆସି ଦେଖିବା ପରେ ତୁରନ୍ତ ଏ ସଂପର୍କରେ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଧନେଶ୍ୱରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଚକୋଲେଟ୍‌ ନେଲା ଜୀବନ

ବାରମ୍ବାର ମନା କରୁଥିଲେ ମା’। ଏହା ସତ୍ୱେ ଝିଅର ଜିଦ୍‌ ପାଇଁ ବାଧ୍ୟହୋଇ ୧୦ଟଙ୍କା ଦେଲେ। ଚକୋଲେଟ କିଣିବା ପାଇଁ ଟଙ୍କା ନେଇ ବେଶ୍‌ ଖୁସିରେ ଘରୁ ବାହାରିଥିଲା ଝିଅ। କିନ୍ତୁ ସେହି ଚକୋଲେଟ୍‌ ହିଁ ଶେଷରେ କାଳ ସାଜିଲା। ବାଟରେ ଜହ୍ଲାଦ ହାବୁଡରେ ପଡିଥିଲା ସାଲେପୁରର ଶିଶୁ କନ୍ୟା। ଏହା ସାଙ୍ଗକୁ ହଠାତ୍‌ ବିଦ୍ୟୁତ କାଟ୍‌ ଯୋଗୁଁ ଅନ୍ଧାରର ସୁଯୋଗ ନେଇ ଚକୋଲେଟ୍‌ ଦେବାର ବାହାନା ଦେଖାଇ ପରିତ୍ୟକ୍ତ ସ୍କୁଲ ଗୃହକୁ ଟେକି ନେଇଥିଲା ଦୁର୍ବୃତ୍ତ। ସେଠାରେ ଦୁଷ୍କର୍ମ ପରେ ନାବାଳିକାର ମୁହଁକୁ ଛେଚିବା ସହ ତଣ୍ଟି ଚିପି ମୁଣ୍ଡକୁ ଗ୍ରୀଲ୍‌ରେ ପିଟି ଫେରାର ହୋଇଯାଇଥିଲା। ପରେ ପୁଲିସ ମହମ୍ମଦ ମୁସାକ୍‌କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସବୁ ଅଭିଯୁକ୍ତ ବିବାହିତ

କଟକରେ ଗୋଟିଏ ଦିନରେ ଘଟିଥିବା ଚାରିଟି ଦୁଷ୍କର୍ମ ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିଥିଲା। ହେଲେ ସବୁ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ବିବାହିତ।

ଏ ବର୍ଷ ଯାଇଥା’ନ୍ତା ସ୍କୁଲ୍‌

ଏ ବର୍ଷ ଝିଅ ଯାଇଥାନ୍ତା ସ୍କୁଲ। ହେଲେ ସ୍କୁଲ ମାଟି ମାଡ଼ିବା ପୂର୍ବରୁ ସବୁ କିଛି ଉଜୁଡିଗଲା। ଝିଅର ପାଠପଢାକୁ ନେଇ ଅନେକ ଆଶା ବାନ୍ଧିଥିଲା ମା’। । ଯେଉଁ ହାତରେ ଝିଅକୁ ବହିବସ୍ତାନି ଧରି ସ୍କୁଲ ପଠାଇବା ପାଇଁ ମା’ ସ୍ୱପ୍ନ ଦେଖିଥିଲା, ସେହି ହାତରେ ଆଜି କବର ଦେବାକୁ ସଜାଇଛି। ଏକଥାକୁ ନେଇ ବାହୁନି କାନ୍ଦୁଛି ମା’। ପରିବାର କହିଲେ ବାପା, ମା’, ଦୁଇ ଭଉଣୀ ଓ ଗୋଟିଏ ଭାଇ। ଘରର ସାନ ଝିଅ ଏଭଳି ଘଟଣାର ଶିକାର ହୋଇଛି। ବାପା କାମଧନ୍ଦା ପାଇଁ ହ୍ରାଇଦବାଦ୍‌ରେ ରହୁଥିବାବେଳେ ଅଜାଙ୍କ ପାଖରେ ରହନ୍ତି ପୂରା ପରିବାର।

ବସ୍‌ରେ କଲେଜ ଛାତ୍ରୀଙ୍କୁ ଅସଦାଚରଣ, ଲୋକଙ୍କ ମାଡ଼ରେ କଣ୍ଡକ୍ଟର ଗୁରୁତର

ନୀଳଗିରି/ରାଜବରହମପୁର : ବସ୍‌ ଭିତରେ ଜଣେ କଲେଜ ଛାତ୍ରୀଙ୍କୁ ଅସଦାଚରଣ କରିବା ନେଇ ଅଭିଯୋଗ ହୋଇଛି। ଏକଥା କଲେଜ ଛାତ୍ରୀଜଣକ କହିବା ପରେ ବସ୍‌କୁ ଅଟକାଇ ଛାତ୍ରୀଙ୍କ ସମ୍ପର୍କୀୟ ଓ ସାଧାରଣ ଜନତା କଣ୍ଡକ୍ଟରଙ୍କୁ ନିସ୍ତୁକ ମାଡ଼ମାରିଛନ୍ତି। ଏହି ଘଟଣା ବାଲେଶ୍ୱରର ନୀଳଗିରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁସାରେ, ନୀଳଗିରି ବ୍ଲକ ବରହମ୍‌ପୁର ଅଧୀନରେ ଥିବା ଶିର୍ଷାସାହିର ଜଣେ ଛାତ୍ରୀ ଆଜି ଏକ ଘରୋଇ ବସ୍‌ରେ କଟକରୁ ଘରକୁ ଫେରୁଥିଲେ। ରାସ୍ତାରେ କଣ୍ଡକ୍ଟର ପ୍ରଦୀପ ସାହୁ(୫୫) ବସ୍‌ରେ ଛାତ୍ରୀଙ୍କୁ ଅସଦଚାରଣ କରିବାରୁ ସେ ଭଦ୍ରକରେ ଓହ୍ଲାଇ ଯାଇ ପରିବାର ଓ ସମ୍ପର୍କୀୟଙ୍କୁ ଫୋନ୍‌ କରି ଜଣାଇଥିଲେ। ପରିବାର ଲୋକଙ୍କ ସମେତ ସ୍ଥାନୀୟ ବାସିନ୍ଦା ଦିନ ପ୍ରାୟ ୧ଟା ସମୟରେ ନୀଳଗିରି-କପ୍ତିପଦା ରାସ୍ତାର ଚାପଲସାହି ଛକରେ ବସ୍‌କୁ ଅଟକାଇ କଣ୍ଡକ୍ଟରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଲୋକମାନେ ବସ୍‌କୁ ଘେରି ରହିଥିବାବେଳେ ଛାତ୍ରୀ ଜଣଙ୍କ ଘଟଣାସ୍ଥଳରେ ପହଞ୍ଚଥିଲେ। ତାଙ୍କର ବୟାନ୍‌ ପରେ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ତେବେ, ଖବର ପାଇ ପୁଲିସ୍‌ ଘଟଣାସ୍ଥଳରୁ କଣ୍ଡକ୍ଟରଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏ ନେଇ ବରହମପୁର ଥାନାରେ ପୀଡ଼ିତା ଛାତ୍ରୀର ବାପାଙ୍କ ଅଭିଯୋଗକ୍ରମେ କେସ୍‌ ନମ୍ବର ୧୭/୧୮ ରୁଜୁହୋଇ ଘଟଣାର ତଦନ୍ତ ଚାଲିଛି। ବସ୍‌ଟିକୁ ଉତ୍ତ୍ୟକ୍ତ ଲୋକେ ସଂଧ୍ୟା ପର୍ଯ୍ୟନ୍ତ ଅଟକ ରଖିଥିବାବେଳେ ପରେ ଆପୋଷ ଆଲୋଚନାରେ ଛାଡ଼ିିଦିଆଯାଇଥିବା ଜଣାପଡ଼ିଛି।

ଫାଶୀ ସୁନିଶ୍ଚିତ, ପରିବାରକୁ ମିଳିବ କ୍ଷତିପୂରଣ

ଘଟଣା ଏପ୍ରିଲ ୨୧ ତାରିଖ ସଂଧ୍ୟା ବେଳେ ଏହି ଘଟଣା ଘଟିଛି। ଏହିଦିନ ଆଇନ୍‌ରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ତେଣୁ ସଂଶୋଧିତ ଆଇନ୍‌ ଆନୁଯାୟୀ, ଅଭିଯୁକ୍ତର ଅପରାଧ ପ୍ରମାଣିତ ହେଲେ ତାକୁ ଫାଶୀ ମିଳିବା ସୁନିଶ୍ଚିତ। ଏହି ମାମଲାରେ ଦଫା ୩୭୬ ଏ’ ଓ ବି’ ଲଗାଯାଇପାରିବ। ତେବେ ପୀଡ଼ିତାଙ୍କ ବୟାନ ରେକର୍ଡ ହୋଇପାରିନାହିଁ। ତେଣୁ ଅନ୍ୟାନ୍ୟ ପ୍ରମାଣ ଗୁଡ଼ିକ ଉପରେ ପୁଲିସ୍‌କୁ ଧ୍ୟାନ ଦେବାକୁ ହେବ। ପୀଡ଼ିତାଙ୍କ ଶରୀରରୁ ଯଦି ଅଭିଯୁକ୍ତର ସିମେନ ଥିବା ପ୍ରମାଣିତ ହୋଇଯାଏ, ତାହେଲେ ଏହାହିଁ ଦୋଷ ପ୍ରମାଣ କରିବାକୁ ଯଥେଷ୍ଟ ହେବ। ଏଥିସହିତ ଅନ୍ୟାନ୍ୟ ପାରିପାର୍ଶ୍ୱିକ ପରିସ୍ଥିତି, ଡାକ୍ତରୀ ପରୀକ୍ଷା ରିପୋର୍ଟ, ଶବ ବ୍ୟବଚ୍ଛେଦ ରିପୋର୍ଟ ଗୁଡ଼ିକ ଦୋଷ ସାବ୍ୟସ୍ତ କରିବାରେ ସହାୟକ ହେବ। ଯଦି ବ୍ୟବଚ୍ଛେଦ ରିପୋର୍ଟରେ ଔଷଧ ଜନିତ ମୃତ୍ୟୁ ହୋଇଥିବା ରିପୋର୍ଟ ଆସେ ତା’ହେଲେ ମାମଲାର ଦିଗ ପରିବର୍ତ୍ତନ ହୋଇଯିବା ସମ୍ଭାବନା ରହିଛି। ତଥାପି ଅନ୍ୟାନ୍ୟ ପ୍ରମାଣ ଗୁଡ଼ିକ ପୁଲିସ୍‌ ହାତରେ ଲାଗିଲେ ଅଭିଯୁକ୍ତ ଫାଶୀ ପାଇବ। ଅନ୍ୟପକ୍ଷରେ କ୍ଷତିପୂରଣ ଆଇନ୍‌ ଅନୁଯାୟୀ, ପୀଡ଼ିତାଙ୍କ ପରିବାରକୁ ଅନ୍ୟୂନ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ମିଳିପାରିବ।
ଅଜିତ ପଟ୍ଟନାୟକ, ସରକାରୀ ଓକିଲ

ଠିକ୍‌ ସମୟରେ ଚାର୍ଜସିଟ୍‌ ଦାଖଲ କରିବା ଉଚିତ

ଏବେ ରାଜ୍ୟରେ ଦୁଷ୍କର୍ମ ମକଦ୍ଦମା ସଂଖ୍ୟା ବଢ଼ିଛି। ୧୯୭୧ ମସିହାରେ ଏହି ସଂଖ୍ୟା ୩ ହଜାର ଭିତରେ ଥିବା ବେଳେ ଏବେ ୩୪ ହଜାର ପାଖାପାଖି ପହଞ୍ଚିଲାଣି। ସର୍ବଭାରତୀୟ ସ୍ତରରେ ଦୋଷୀ ସାବ୍ୟସ୍ତଙ୍କ ସଂଖ୍ୟା ଓଡ଼ିଶାରେ ଭଲ ରହିଛି। କେବଳ ଭାରତ ନୁହେଁ, ଅନ୍ୟ ଦେଶରେ ମଧ୍ୟ ଦୁଷ୍କର୍ମ ସଂଖ୍ୟା ବଢ଼ିବାରେ ଲାଗିଛି। ସମସ୍ୟା ହେଉଛି, ଏବେ ସଂସ୍କୃତି ଏବଂ ପରମ୍ପରାର ଅବକ୍ଷୟ ଘଟିିଛି। ପାଶ୍ଚାତ୍ୟ ସଂସ୍କୃତିକୁ ଆପଣେଇବାର ପ୍ରଭାବ ସମାଜ ଉପରେ ପଡ଼ୁଛି। ଅନ୍ୟପଟେ ପୁଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। କିନ୍ତୁ ପୁଲିସ ସବୁ କିଛି ନୁହେଁ। ପୁଲିସର ମୁଖ୍ୟ ଦାୟିତ୍ୱ ହେଲା, ତଦନ୍ତ ଠିକ ଭାବେ କରିବା ସହିତ ଠିକ୍‌ ସମୟରେ ଚାର୍ଜସିଟ୍‌ କୋର୍ଟରେ ଦାଖଲ କରିବା। ସାଧାରଣ ଅପରାଧୀଙ୍କ ମଧ୍ୟରେ ଗୋଟେ ଭୟ ସୃଷ୍ଟି ହେବା ଦରକାର। ଆଇନ ତା’ ବାଟରେ ଯିବ।
-ଗୋପାଳ ନନ୍ଦ, ପୂର୍ବତନ ପୁଲିସ ଡିଜି

ଦଣ୍ଡ ଦେଲେ ଭୟ ସୃଷ୍ଟି ହେବ, ସମସ୍ୟା ସମାଧାନ ହେବନି

ଛୋଟ ପିଲାମାନଙ୍କୁ ଦୁଷ୍କର୍ମ ଘଟଣା ଆଗରୁ ସବୁବେଳେ ହୋଇଆସୁଥିଲା ଏବଂ ଆଗକୁ ମଧ୍ୟ ଏହା ହେବ। ଏହାକୁ ସାଇକୋ ପାଥୋଲୋଜି ଅର୍ଥାତ୍‌ ମାନସିକ ବିକୃତି ଜନିତ ସମସ୍ୟା ବୋଲି କୁହାଯାଏ। ଯେଉଁମାନେ ଏଭଳି ଅମାନୁସିକ କାର୍ଯ୍ୟ କରିବାକୁ ଯାଆନ୍ତି ସେମାନଙ୍କୁ ପେଡ୍ରୋଫ୍ରିଲିଆ ଡିସ୍‌ଅର୍ଡର ଭାବେ ପରିଗଣିତ କରାଯାଏ। ଏମାନେ ସବୁବେଳେ ଛୋଟ ପିଲାକୁ ଟାର୍ଗେଟ କରିଥାନ୍ତି। ଆଉ କାହାକୁ କଷ୍ଟ ଦେଇ ନିଜେ ଉତ୍ତେଜିତ ହୁଅନ୍ତି। ନିଜର ପୁରୁଷପଣିଆ ଦେଖାଇବା ପାଇଁ ଅନ୍ୟକୁ କଷ୍ଟ ଦେଇଥାନ୍ତି। ଏମାନେ ସାଧାରଣତଃ ପିଲାଦିନେ ନିଜେ ନିର୍ଯାତିତ ହୋଇଥାନ୍ତି, କିମ୍ବା ଯୌନ ଉତ୍‌ପୀଡ଼ନର ଶିକାର ହୋଇଥାନ୍ତି। ଏପରିକି କେତେକ ଯୌନଗତ ଦୃଷ୍ଟିରୁ ଅକ୍ଷମ ଥିବାରୁ ନିଜର କାମନା ପରିପୂର୍ଣ୍ଣ କରିବାକୁ ଛୋଟ ପିଲାଙ୍କୁ ବାଛିଥାନ୍ତି। ଦୁଷ୍କର୍ମ ପରେ ମନରେ ଭୟ ପଶିଗଲେ ତାକୁ ମାରିଦେବାକୁ ଉଦ୍ୟମ କରିଥାନ୍ତି। ଏଭଳି ଘଟଣା ପାଇଁ ଆଉ ଏକ କାରଣ ମଧ୍ୟ ଦାୟୀ। ଡିଜିଟାଲ୍‌ ସମୟରେ ଅଶ୍ଲୀଳ ଭିଡିଓ ଅଧିକ ମାତ୍ରାରେ ଦେଖିବାକୁ ସୁଯୋଗ ମିଳୁଛି। ତେଣୁ ଯାହା ଦେଖିଥାନ୍ତି, ତାହାକୁ ପରିପୂର୍ଣ୍ଣ କରିବାକୁ ସେମାନେ ଉଦ୍ୟମ କରିଥାନ୍ତି। ଏଭଳି ବ୍ୟକ୍ତିମାନଙ୍କୁ କାଉନସେଲିଂର ଆବଶ୍ୟକତା ରହିଛି।
ପ୍ରଫେସର ଡକ୍ଟର ସଂଗୀତା ରଥ, ମନସ୍ତତ୍ତ୍ୱବିତ୍‌

ସମ୍ବନ୍ଧିତ ଖବର