ଧନ୍ୟ ସେ ରଥ! ଧନ୍ୟ ସେ ପଥ!

ଅସିତ ମହାନ୍ତି

ଗୋଟିଏ ପଟେ ଶ୍ରୀମନ୍ଦିର। ଆଉ ଗୋଟିଏ ପଟେ ଶ୍ରୀଗୁଣ୍ଡିଚା ମନ୍ଦିର। ଦକ୍ଷିଣ ଓ ଉତ୍ତର ହୋଇ ବିରାଜମାନ କରୁଥିବା ଏ ଦୁଇ ମନ୍ଦିରକୁ ଯୋଡ଼ୁଛି ବଡ଼ଦାଣ୍ଡ। ପ୍ରଥମଟି ଲୀଳାକ୍ଷେତ୍ର। ସେଇଠି ଅଛି ତାଙ୍କର ରତ୍ନବେଦୀ। ଦ୍ୱିତୀୟଟି ଜନ୍ମବେଦୀ। ତାହା ତାଙ୍କର ଜନ୍ମସ୍ଥାନ। ବର୍ଷକୁ ଥରେ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ରଥାରୂଢ଼ ହୋଇ ସେ ବଡ଼ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଏଇ ଜନ୍ମବେଦୀକୁ ଯାଆନ୍ତି। ସେଠି ସାତଦିନର ରହଣି ପରେ ବାହୁଡ଼ା ଯାତ୍ରାରେ ଫେରିଆସନ୍ତି ଶ୍ରୀମନ୍ଦିରକୁ। ଏଇ ହେଉଛି ତାଙ୍କ ରଥଯାତ୍ରାର ଲୀଳା। ସେଇ କେତେଦିନ ବଡ଼ଦାଣ୍ଡ ତାଙ୍କୁ ଓ ତାଙ୍କ ରଥକୁ ବକ୍ଷରେ ଧରି ଧନ୍ୟ ହୁଏ। ସାରା ବର୍ଷ କିନ୍ତୁ ବଡ଼ଦାଣ୍ଡ ଧନ୍ୟ ହେଉଥାଏ, ଅନ୍ୟାନ୍ୟ ପର୍ବ, ଉତ୍ସବର ବିଜେ ପ୍ରତିମା ଓ ଭକ୍ତଜନଙ୍କୁ ବକ୍ଷରେ ଧରି। ସେଥିପାଇଁ କୁହାଯାଇଛି- ‘‘ଧନ୍ୟ ସେ ରଥ, ଧନ୍ୟ ସେ ପଥ!’’

ଏହି ଯାତ୍ରା ପାଇଁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ବଡ଼ ଦାଣ୍ଡରେ ପ୍ରବେଶ କରିବାର ଦୃଶ୍ୟକୁ ଭକ୍ତକବି ସାଲବେଗ ଖୁବ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ତାଙ୍କର ଗୋଟିଏ ଭକ୍ତିଗୀତିରେ। ସେଥିରେ ସେ କହିଛନ୍ତି-
‘‘ପ୍ରବେଶ ହୋଇଲ ବଡ଼ଦାଣ୍ଡ
ଚରଣ ଧୂଳିରେ ପୂରିଲା ତୁଣ୍ଡ
ଦାଣ୍ଡରେ ବସିଛି କୈବଲ୍ୟ ପସରା
ଟଙ୍କ ତୁରାଣିରେ ମନ ତୋଷ
ଆହେ ରାମ ହରି!
ପ୍ରଭୁ ବିଜେ କରିଅଛ ନୀଳଗିରି।
ପ୍ରଭୁ ଦର୍ଶନ ମାତ୍ରକେ ଯିବି ତରି।’’

କେବଳ ଭକ୍ତ ସାଲବେଗ ନୁହନ୍ତି, ଭକ୍ତକବି ଜଗନ୍ନାଥ ଦାସ ମଧ୍ୟ ତାଙ୍କ ଭକ୍ତିଗୀତି ‘ଶ୍ରୀପୁରୁଷୋମ ଯିବା ମନ’ରେ ଏହି ବଡ଼ଦାଣ୍ଡର କଥା, ଶରଧାବାଲିର ଗାଥା ଗାଇଛନ୍ତି। ତାଙ୍କ ଭକ୍ତିଗୀତିରେ ସେ କହିଛନ୍ତି- ‘‘ଦାଣ୍ଡକୁ ଫିଟିଛି ସିଂହଦ୍ୱାର’’- ଅର୍ଥାତ ଶ୍ରୀପୁରୁଷୋତ୍ତମ ଧାମକୁ ଆସିଲେ, ବଡ଼ଦାଣ୍ଡ ଦେଇ ଆମେ ଯେଉଁଠି ପହଞ୍ଚୁ- ତାହା ହେଉଛି ଶ୍ରୀମନ୍ଦିରର ସିଂହଦ୍ୱାର। ତାହା ଆମକୁ ବାଇଶି ପାହାଚ ଦେଇ ନେଇଯାଏ ଶ୍ରୀମନ୍ଦିରର ରତ୍ନବେଦୀରେ ବିରାଜମାନ ଶ୍ରୀଜଗନ୍ନାଥାଦି ଦେବତାମାନଙ୍କ ପାଖକୁ। ତାହା ହିଁ ମଧ୍ୟ ପଥ- ବାଇଶି ପାହାଚରେ ଓହ୍ଲାଇ ଯେଉଁ ପଥ ଦେଇ ଶ୍ରୀଜଗନ୍ନାଥାଦି ଦେବତା ରଥଯାତ୍ରାରେ ଭକ୍ତଙ୍କ ମେଳକୁ ଆସନ୍ତି ଓ ରଥରେ ଚଢ଼ି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ସେଥିପାଇଁ ସେଇ ଭକ୍ତିଗୀତିରେ ଜଗନ୍ନାଥ ଦାସ ଆମକୁ ଶ୍ରୀଗୁଣ୍ଡିଚା ମନ୍ଦିରର ଶରଧାବାଲିକୁ ବି ନେଇଯାଇଛନ୍ତି ଏବଂ ମୁଗ୍‌ଧ କଣ୍ଠରେ ‘‘ଶରଧାବାଲି କି ଶୋଭାବନ!’’ ବୋଲି କହିଛନ୍ତି।

ଏ ସଂସାରର ଜଞ୍ଜାଳ ଭିତରେ ଯେତେବେଳେ ମନ ଥକିଯାଏ, ସେତେବେଳେ ସାରିଆ ଭିକଙ୍କ କଣ୍ଠରେ ଭକ୍ତ ଗାଏ- ‘‘ଥକାମନ ଚାଲ ଯିବା, ଚକାନୟନ ଦେଖିବା!’’ ବାଟର ବାଟମଙ୍ଗଳା ଓ ଅଠରନଳା ଦେଇ ସେ ଆସି ପହଞ୍ଚେ ବଡ଼ଦାଣ୍ଡରେ। ସାରିଆ ଭିକ କହିଛନ୍ତି- ‘‘ପହଞ୍ଚିବା ବଡ଼ଦାଣ୍ଡେ, ସେ ରେଣୁ ପାଇବା ତୁଣ୍ଡେ!’’ ସେତିକିରେ ହିଁ ତା’ର ସାର୍ଥକତା। ସେଇଥିପାଇଁ ତ ଭକ୍ତକବି ବନମାଳି କହିଛନ୍ତି- ମୋର ଧନ, ଜନ, କିଛି ଲୋଡ଼ାନାହିଁ। ଯାହା ପରମ ବାଞ୍ଛା, ତାହା ହେଉଛି ସେଇ ଶରଧାବାଲିରୁ ହାତେ-
‘‘ଜଗନ୍ନାଥ ହେ!
କିଛି ମାଗୁନାହିଁ ମୁଁ ତୋତେ
ଧନ ମାଗୁ ନାହିଁ, ଜନ ମାଗୁନାହିଁ
ମାଗୁଛି ଶରଧା ବାଲିରୁ ହାତେ।’’

ଆଜି କାଳର ଗତିରେ, ପରିବର୍ତ୍ତିତ ପରିସ୍ଥିତିରେ, ବଡ଼ଦାଣ୍ଡ ପକ୍କା ହୋଇଛି। ‘ବଡ଼ଦାଣ୍ଡର ଧୂଳି’ ଆଉ ପ୍ରାୟ ନାହିଁ। ‘ଶରଧାବାଲି’ରେ ଆଉ ବାଲି ବି ନାହିଁ। ତାହା ବି ପକ୍କା ହୋଇଛି। ତା’ ଉପରେ ବାଲି ପକାଯାଇ ଶରଧାବାଲିର ଏକ ରୂପକଳ୍ପ ମାତ୍ର ପ୍ରସ୍ତୁତ କରାଯାଉଛି। କିନ୍ତୁ ‘ବଡ଼ଦାଣ୍ଡ-ଧୂଳି’ ଓ ‘ଶରଧା-ବାଲି’ ସହିତ ଯେଉଁ ଭାବାବେଗ ଜଡ଼ିତ, ସେ ଭାବାବେଗ ଅନ୍ତରରେ କେଉଁଠି ନା କେଉଁଠି ସଂଜୀବିତ ଅଛି। ଆଉ ସେଇଥିପାଇଁ ତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ସମସ୍ତଙ୍କ ମନରେ ଏତେ ଆବେଗ!
କିନ୍ତୁ ପୂର୍ବେ କେମିତି ଥିଲା ଏ ବଡ଼ଦାଣ୍ଡ?

ଇତିହାସ ଓ ସାହିତ୍ୟରେ ଅଛି ତାହାର ଅନେକ ସୂତ୍ର। ତାହା ସେହି ବଡ଼ଦାଣ୍ଡ- ଯାହାର ଐତିହ୍ୟ ଆଧୁନିକତାର ଚାକଚକ୍ୟ ଭିତରେ ଆଜି ପ୍ରାୟ ବିସ୍ମୃତ।
ଯେଉଁ ପଥ ଦେଇ ‘ଶ୍ରୀଗୁଣ୍ଡିଚା ଯାତ୍ରା’ର ତିନିରଥ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ଏବଂ ‘ବାହୁଡ଼ା ଯାତ୍ରା’ରେ ସେଠାରୁ ଶ୍ରୀମନ୍ଦିରକୁ ବାହୁଡ଼ନ୍ତି- ତାହା ହେଉଛି ‘ରଥମାର୍ଗ’ ବା ‘ରଥଦାଣ୍ଡ’। ଲୋକମୁଖରେ ତଥା ଓଡ଼ିଆ ଭକ୍ତି ସାହିତ୍ୟ ପରମ୍ପରାରେ ତାହା ‘ବଡ଼ଦାଣ୍ଡ’।

ଶ୍ରୀମନ୍ଦିର ପରମ୍ପରାରେ ‘ବଡ଼ଠାକୁର’ କହିଲେ ଶ୍ରୀବଳଭଦ୍ରଙ୍କୁ ବୁଝାଏ। ଶ୍ରୀଜଗନ୍ନାଥ ‘ମହାପ୍ରଭୁ’ ରୂପେ ସମ୍ବୋଧିତ ହୁଅନ୍ତି। କିନ୍ତୁ, ଲୋକମୁଖରେ ଶ୍ରୀଜଗନ୍ନାଥ ହିଁ ବଡ଼ଠାକୁର। ତାଙ୍କରି ପାଇଁ ଶ୍ରୀମନ୍ଦିର ବଡ଼ଦେଉଳ। ବଡ଼ଦାଣ୍ଡ ତିନିଟିଯାକ ରଥର ମାର୍ଗ ହୋଇଥିଲେ ହେଁ ଶ୍ରୀଜଗନ୍ନାଥଙ୍କ ନାମରେ ହିଁ ଏହା ବଡ଼ଦାଣ୍ଡ ହୋଇଛି ବୋଲି ଲୋକବିଶ୍ୱାସ। ‘ବଡ଼ଦେଉଳ’, ‘ବଡ଼ଠାକୁର’ ଓ ‘ବଡ଼ଦାଣ୍ଡ’ ଭାବାତିଶଯ୍ୟର ଭାଷା। ଏହା କେବଳ ଭକ୍ତଙ୍କର ଭାବ ଭିତରେ ନୁହେଁ- ସମୟକ୍ରମେ ଶିଳାଲେଖ, ପଞ୍ଜିକା ଓ ପାରମ୍ପରିକ ସାହିତ୍ୟ ଆଦିରେ ମଧ୍ୟ ପ୍ରତିଷ୍ଠା ପାଇଛି। ରାଜକୀୟ ପ୍ରଶସ୍ତି ଓ ଅନୁଜ୍ଞା ଆଦିରେ ବ୍ୟବହୃତ ହୋଇଛି।

ଆଜି ବଡ଼ଦାଣ୍ଡରେ ଭାରି ଭିଡ଼। ସବୁବେଳେ ଲାଗି ରହିଛି ଗହଳଚହଳ। ଏହାର ଦୁଇ ପାଖରେ କେତେକେତେ କୋଠାବାଡ଼ି ଗଢ଼ିଉଠିଛି। ୨୦୩ ନମ୍ବର ଜାତୀୟ ରାଜପଥ ସଂପ୍ରସାରିତ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ତାହାର ଅନ୍ତର୍ଭୁକ୍ତ ହୋଇଛି। ଏହା ଫଳରେ ୨୬୮୫.୦୬୯୬ ମିଟର ବା ପ୍ରାୟ ୮୩୨୬ ଫୁଟ ଦୀର୍ଘ ଏହି ପଥ ପରିଣତ ହୋଇଛି ମସୃଣ, ଶକ୍ତ ପକ୍‌କା ରାସ୍ତାରେ।

କିନ୍ତୁ ଦିନ ଥିଲା, ତାହା ଆଜିପରି ନଥିଲା। ଶ୍ରୀଚୈତନ୍ୟଙ୍କ ଜୀବନୀଗ୍ରନ୍ଥ ‘ଚୈତନ୍ୟ ଚରିତାମୃତ’ର ‘ମଧ୍ୟଲୀଳା’ରେ ଷୋଡ଼ଶ ଶତାବ୍ଦୀର କୃଷ୍ଣଦାସ କବିରାଜ ଲେଖିଛନ୍ତି-
‘‘ସୂକ୍ଷ୍ମ ଶ୍ୱେତ ବାଲୁପଥ ପୁଲିନେର ସମ
ଦୁଇଦିକେ ଟୋଟା ସବ ଯେନ ବ୍ରିନ୍ଦାବନ।’’

ଅର୍ଥାତ୍‌, ଆଜିପରି ଶକ୍ତ, କଳା ପିଚୁ ରାସ୍ତା ନୁହେଁ- ଏହି ପଥ ଥିଲା ନଦୀର ତଟଦେଶ ପରି ସରୁ, ସଫା ବାଲିରେ ଭରା। ସେହି ପଥର ଦୁଇ ପାର୍ଶ୍ୱରେ ଥିଲା ଛାୟାଚ୍ଛନ୍ନ ତୋଟା। ତାହା ବୃନ୍ଦାବନର ଭ୍ରମ ହିଁ ସୃଷ୍ଟି କରୁଥିଲା।

ତାହାର ମଝିରେ, ସେହି ରଥ-ପଥକୁ ଦୁଇଭାଗ କରି ପ୍ରବାହିତ ହେଉଥିଲା ମାଳିନୀ ନଦୀ। ‘ନୀଳ ପାହାଡ଼ର ଡାକ’ ପୁସ୍ତକର ଏକ ଆବେଗପୂର୍ଣ୍ଣ ରଚନା (ପହଞ୍ଚିବା ବଡ଼ଦାଣ୍ଡେ)ରେ ‘ପୁରୀବୋଲି’ ପୁସ୍ତକର ପ୍ରଣେତା, ଶ୍ରୀମନ୍ଦିରର ଦେଉଳ ପୁରୋହିତ ସେବକ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର ତାହାର ଭାବପୂର୍ଣ୍ଣ ବର୍ଣ୍ଣନା କରି କହିଛନ୍ତି-
‘ଏହି ସିକତା ପଥକୁ ଦ୍ୱିଖଣ୍ଡିତ କରି ନଦୀଟିଏ ବହି ଯାଉଥିଲା। ନାଆଁ ତାର ମାଳିନୀ। ସମୁଦ୍ର ସହ ମିଳିତ ହୋଇଥିଲା ବାଙ୍କୀ ମୁହାଣରେ। ବିସ୍ତୀର୍ଣ୍ଣ ରାଜପଥ। ଦୁଇପାର୍ଶ୍ୱରେ ବୃକ୍ଷ ବୀଥି। ସେ ପଥକୁ ଚିରି ସମୁଦ୍ର ସହ ମିଳିତ ହେବାପାଇଁ ଉତ୍କଣ୍ଠିତା ସ୍ରୋତସ୍ୱିନୀଟିଏ। କେଡ଼େ ସୁନ୍ଦର ଛବିଟିଏ କୁଆଡ଼େ ହଜିଗଲା ହାୟ !’

ଖାଲି ସେଇ ଛବିଟି ନୁହେଁ। ସେଦିନର ଆହୁରି ବହୁ ସୁନ୍ଦର ଛବି ବି ହଜିଯାଇଛି ଆଜି- କୋଠାବାଡ଼ି, ଗାଡ଼ିମଟର, ଗହଳଚହଳ, ବେପାରବଣିଜର ଭିଡ଼ ଭିତରେ। ୧୯୮୬ ମସିହାର ଗୋଟିଏ ଲେଖାରେ ତାହାକୁ ‘ବଡ଼ଦାଣ୍ଡର ଆର୍ତ୍ତନାଦ’ ବୋଲି ଅଭିହିତ କରିଛନ୍ତି ପଣ୍ଡିତ ସଦାଶିବ ରଥଶର୍ମା। ଆଜି (ଦୀର୍ଘ ୩୩ବର୍ଷ ପରେ) ସେହି ଆର୍ତ୍ତନାଦ ଆହୁରି ତୀବ୍ର ହୋଇଛି ସିନା, କମିନାହିଁ। ତାହାର ଉତ୍କଟତା ଆମେ ନିତିପ୍ରତି ଅନୁଭବ କରୁଛୁ।

କିନ୍ତୁ ସେଦିନ କ’ଣ ଥିଲା ଏହି ରଥଦାଣ୍ଡ ବା ବଡ଼ଦାଣ୍ଡର ସ୍ୱରୂପ ?

ଶ୍ରୀ ରଥଶର୍ମା ପାରମ୍ପରିକତାର ବିଚାରରେ ତାହାକୁ ବିଭକ୍ତ କରିଛନ୍ତି ସାତଟି ଭାଗରେ। କହିଛନ୍ତି- ଏକଦା ଏହି ବଡ଼ଦାଣ୍ଡର ପ୍ରତି ଅଂଶ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସେବାକାରୀ ଅନୁଷ୍ଠାନମାନଙ୍କ ଦ୍ୱାରା ଶ୍ରୀମନ୍ଦିର ସହିତ ସଂପୃକ୍ତ ଥିଲା। ଆମର ଭୋଗ-ବୃତ୍ତିରେ ତାହା ଭାଗଭାଗ ଓ ବିଲୁପ୍ତ ହୋଇ କ୍ରମେ କୁତ୍ସିତ ବ୍ୟବହାରରେ ପରିଣତ ହୋଇଛି। ପ୍ରାଚୀନ ସ୍ୱରୂପରୁ ବଡ଼ଦାଣ୍ଡର ସାଂସ୍କୃତିକ ପଟଭୂମି ଦେଖିଲେ ଏହାହିଁ ସ୍ପଷ୍ଟ ହୁଏ।

ସେହି ଲେଖାରେ ସେ ବଡ଼ଦାଣ୍ଡର ଯେଉଁ ସାତଟି ପ୍ରଭାଗର ବର୍ଣ୍ଣନା କରିଛନ୍ତି, ସେଥିରୁ ପ୍ରଥମ ଚାରିଟି ହେଉଛି- ଚାରିଖଳା। ତାହା ହେଉଛି- ୧. ବିଜେଖଳା, ୨. ମହାଖଳା, ୩. ଲୀଳାଖଳା ଓ ୪. ସେବାଖଳା।

୧. ବିଜେଖଳା: ଶ୍ରୀମନ୍ଦିର ସିଂହଦ୍ୱାରର ଉରରେ ଥିଲା ବଡ଼ଛତା ମଠର ବରଗଛ ଓ ସାଧୁଗାଦି, ଉତ୍ତରପାର୍ଶ୍ୱ ମଠ ଓ ମା’ ଚର୍ଚ୍ଚିକା ଠାକୁରାଣୀଙ୍କ ବିଜେସ୍ଥଳୀ। ପୂର୍ବରେ ଦୋଳମଣ୍ଡପ ସାହିର ଷୋଳପୁଅ ମା’ ମଧ୍ୟ ଏହି ଭୂମିର ଅନ୍ତର୍ଭୁକ୍ତ ଥିଲା । ଏଠାରେ ରଥଯାତ୍ରାର ପହଣ୍ଡି ସହିତ ଇନ୍ଦ୍ରଧ୍ୱଜ ପୂଜା ଓ ଚନ୍ଦନଯାତ୍ରାର ମେଳଣ ହେଉଥିଲା। (ପରବର୍ତ୍ତୀ କାଳରେ ପୂର୍ବର ଦୋଳମଣ୍ଡପ ସାହି ପରିବର୍ତ୍ତେ ଏହି ସ୍ଥାନରେ ହୋଇଛି ଦୋଳବେଦୀ)

୨. ମହାଖଳା: ମା’ ଚର୍ଚ୍ଚିକାଙ୍କ ଠାରୁ ମର୍ଚ୍ଚିକା ଠାକୁରାଣୀଙ୍କ ବିଜେସ୍ଥଳୀ ମରିଚିକୋଟ ପର୍ଯ୍ୟନ୍ତ ଥିଲା ମହାଖଳାର ଭୂମି। ସେଇଠି ହେଉଥିଲା ତ୍ରିରଥ ନିର୍ମାଣର କମାରଶାଳ, କରତିଶାଳ ଓ ଜଉଶାଳ। (ଆଜି ବି ସେଠାରେ ରଥନିର୍ମାଣ ହେବା ସହ ତାହା ‘ମହାଖଳା’ ରୂପେ ପରିଚିତ ହେଉଛି)। ମାଲ ମହନ୍ତ ଆଖେଡ଼ା ଓ ଅକ୍ରୁରଭେଟ ନୀତିପାଇଁ ମଧ୍ୟ ତାହା ଉଦ୍ଦିଷ୍ଟ ଥିଲା। ଜଗନ୍ନାଥବଲ୍ଲଭ ଥିଲା ତାହାର ସୀମା ଏବଂ ତାହା ‘ମଧୁପୁରୀ’ ରୂପେ ବିବେଚିତ ହେଉଥିଲା। ବଡ଼ ଆଖଡ଼ା ମଠ ଥିଲେ ତାହାର ତ୍ଵାବଧାରକ।

୩. ଲୀଳାଖଳା: ମରିଚିକୋଟ ଠାରୁ ବଡ଼ଦ୍ୱାର (ଆଜିର ମାର୍କେଟଛକ) ଓ ନରେନ୍ଦ୍ର କୋଣ ପର୍ଯ୍ୟନ୍ତ ଥିଲା ଲୀଳାଖଳାର ବିସ୍ତୃତି। ତାହା ମଧ୍ୟରେ ଥିଲା ନାରାୟଣ ଛତା। ବଡ଼ଦ୍ୱାରଠାରେ ଥିବା ଜଗନ୍ନାଥବଲ୍ଲଭ ମଠ ଥିଲା ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନ। ସେଠାରେ ଥିଲା ଚୂଡ଼ଙ୍ଗ ମହାବୀର ଓ ସାନ ମହାବୀରଙ୍କ ବିଜେସ୍ଥଳୀ। ତାହାର ଅପରପାର୍ଶ୍ୱରେ ବଳଭଦ୍ରବଲ୍ଲଭ। ବଡ଼ ଦ୍ୱାରରେ ଗୋଟିଏ ବଡ଼ ତୋରଣ ଥିଲା ଏବଂ ତାହା ରାତିରେ ସର୍ବସାଧାରଣଙ୍କପାଇଁ ବନ୍ଦ ରହୁଥିଲା। ଦୃଶ୍ୟତଃ ପୁରୀ ନଗର ସେହି ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ନିର୍ମୋହି ଆଖଡ଼ା ନିର୍ବାଣୀ ତାହାର ତତ୍ତ୍ୱାବଧାରକ ଥିଲେ।

୪. ସେବାଖଳା: ବଡ଼ଦ୍ୱାରଠାରୁ ବଳଗଣ୍ଡି ପର୍ଯ୍ୟନ୍ତ ଥିଲା ସେବାଖଳା। (ଏହା ବଡ଼ଗଣ୍ଡି ବା ବଡ଼ଗଣ୍ଡ ନାମରେ ମଧ୍ୟ କଥିତ)। ତାହାର ଅନ୍ତର୍ଭୁକ୍ତ ଥିଲା ମାଜଣା ଜାଗା, ଯେଉଁଠାରେ ଗୁରୁବାର ମାଜଣା ନୀତି ହେଉଥିଲା। ସେଇଠି ମଧ୍ୟ ଥିଲା ଶ୍ରୀମନ୍ଦିରର ବାହାର ରୋଷଶାଳା। ରଥ ଯାଇ ସେଠାରେ ରହିବାବେଳେ ସେହିଠାରେ ଠାକୁରଙ୍କର କୋଠଭୋଗ ପ୍ରସ୍ତୁତ ହେଉଥିଲା। ସେହି ବଳଗଣ୍ଡିଠାରେ ତନ୍ତ ବସି ଫେଟା ବସ୍ତ୍ର ବୁଣା ହେଉଥିଲା ଏବଂ ତାହା ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଯୋଗାଣ ହେଉଥିଲା। ବଳଗଣ୍ଡି ଛତା ଥିଲା ଏହାର ଦକ୍ଷିଣ ସୀମା। ମାଉସୀମା’ (ଅର୍ଦ୍ଧଶୋଷିଣୀ ବା ଅର୍ଦ୍ଧାଶନି ଦେବୀ) ସେଠାର ପୀଠ ଦେବୀ। ସେ ଶ୍ରୀଜଗନ୍ନାଥଙ୍କ ମାଉସୀ ମା’ ରୂପେ ବିଦିତା। ବାହୁଡ଼ାଯାତ୍ରାରେ ଶ୍ରୀମନ୍ଦିରକୁ ଫେରିବା ବେଳେ ସେହିଠାରେ ଶ୍ରୀଜଗନ୍ନାଥ ପୋଡ଼ପିଠା ଖାଇଥାଆନ୍ତି। ଖାକି ଆଖଡ଼ା ମଠ ଥିଲେ ଏହି ସେବାଖଳା କ୍ଷେତ୍ରର ତତ୍ତ୍ୱାବଧାରକ।

ସାତଭାଗରେ ବିଭକ୍ତ ବଡ଼ଦାଣ୍ଡର ଏହି ଚାରିଖଳା ବ୍ୟତୀତ, ଅନ୍ୟ ତିନିଭାଗ ହେଉଛି- ପାଟଣା, କାନ୍ତାର ଓ ଶରଧାବାଲି। ଏହା ସଂକ୍ଷେପରେ ଏହିପରି-
୫. ପାଟଣା: ବଳଗଣ୍ଡିଠାରେ ମାଳିନୀ ନଦୀ ରଥର ପଥକୁ ବିଭକ୍ତ କରି ପ୍ରବାହିତ ହେଉଥିଲା ଏବଂ ସେହିଠାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ବିସ୍ତୃତ ଥିଲା ପାଟଣା ଓ ମାଳିସାହି। (ପାଟଣା- ‘‘ଇନ୍ଦ୍ରଦ୍ୟୁମ୍ନ ପାଟଣା’ର ସଂକ୍ଷିପ୍ତ ନାମ। ସେଠାରେ ଶ୍ରୀଗୁଣ୍ଡିଚାଯାତ୍ରାର ଆଉ ତିନିଟି ରଥ ନିର୍ମାଣ ହେଉଥିଲା।) ପ୍ରଥମ ତିନି ରଥରେ ଯାଇ ଚାପରେ ନଈପାରି ହେବା ପରେ ଠାକୁରମାନେ ସେହି ରଥରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାଉଥିଲେ। ସନ୍ନିକଟର୍ବୀ ଅଞ୍ଚଳ ଥିଲା ମାଳିସାହି। ସେଠାରୁ ପ୍ରତିଦିନ ଶ୍ରୀମନ୍ଦିରକୁ ଫୁଲମାଳ ଯାଉଥିଲା। ସେହି ଅଞ୍ଚଳର ଚାଉଳିଆ ମଠରୁ ଶ୍ରୀଜଗନ୍ନାଥଙ୍କ ଭୋଗ (ବଲ୍ଲଭ ଭୋଗ) ପାଇଁ ଫଳ (ପିଜୁଳି ଆଦି। ପିଜୁଳିର ଅନ୍ୟନାମ ଚାଉଳିଆ) ପଠା ହେଉଥିଲା। ଏହି ବଡ଼ଶଙ୍ଖ କ୍ଷେତ୍ରର ତତ୍ତ୍ୱାବଧାରକ ଥିଲେ ବାଲସ୍ୱାମୀ ମଠ।

୬. କାନ୍ତାର: ବଡ଼ଶଙ୍ଖର ପରବର୍ତ୍ତୀ ଅଞ୍ଚଳ ଥିଲା ନିର୍ଜନ। ତେଣୁ ତାହା ‘କାନ୍ତାର’ ନାମରେ ପରିଚିତ ହେଉଥିଲା। ସେହି ଅଞ୍ଚଳରେ ଏକଦା ତଣ୍ଟିକଟା ଖଣ୍ଟମାନଙ୍କର ରାଜୁତି ଥିଲା। ବଡ଼ଶଙ୍ଖର ଆରପଟ ‘ତଣ୍ଟିକଟା ଗୋହିରୀ’ ରୂପେ ମଧ୍ୟ କୁଖ୍ୟାତ ହୋଇଥିଲା। କିନ୍ତୁ ସେହି ‘କାନ୍ତାର’ ଏବେ ନଗରରେ ପରିଣତ ହୋଇଯାଇଛି।

୭. ଶରଧା ବାଲି: ବଡ଼ଦାଣ୍ଡର ଅନ୍ତିମ ଭାଗ ଥିଲା ଶରଧାବାଲି। ସେଇଠାକୁ ଯାଉଥିଲା ତିନି ରଥ। ଏହି ଶରଧାବାଲିର ପ୍ରଶସ୍ତି ବହୁ ଭକ୍ତକବି ନିଜନିଜର ଭକ୍ତିଗୀତିରେ କରିଛନ୍ତି।

ବଡ଼ଦାଣ୍ଡର ଏହି ‘ସପ୍ତକ୍ଷେତ୍ର’ର ସାଂସ୍କୃତିକ ଐତିହ୍ୟ ସଂପର୍କରେ ଅନ୍ୟ ଗୋଟିଏ ଲେଖାରେ ମଧ୍ୟ ଉଲ୍ଲେଖ କରିଛନ୍ତି ପଣ୍ଡିତ ସଦାଶିବ ରଥଶର୍ମା। ସେ କହିଛନ୍ତି- ଆଜିର ଲକ୍ଷ୍ମୀବଜାର (ଶ୍ରୀମନ୍ଦିରର ମେଘନାଦ ପାଚେରିକୁ ଲାଗି ରହିଥିବା ଉତ୍ତରପାର୍ଶ୍ୱର ହାଟ) ଛକରେ ଧାଡ଼ି ହୋଇ ରହୁଥିଲା ତିନିରଥ। ତା’ ପଛକୁ ଥିଲା ବଡ଼ଛତା ବରଗଛ। ସେଇଠି ଥିବା ବଡ଼ଛତା ତଳେ ସାଧୁସନ୍ଥମାନେ ଆସ୍ଥାନ ପାତୁଥିଲେ। ଇଂରେଜ ଅମଳରେ ସେହି ବରଗଛଟି କଟାହୋଇଗଲା। ତାହା ଫଳରେ ତିନିରଥକୁ ୨୮ହାତ ପଛକୁ ଅଣା ଯାଇପାରିଲା। ସେହି ‘ବିଜେଖଳା’ ପରେ ଥିବା ଲଙ୍ଗୁଳି ମଠ ଠାରୁ ମରିଚିକୋଟ ପର୍ଯ୍ୟନ୍ତ ଯେଉଁ ମହାଖଳା ଥିଲା, ସେଇଠି ଥିଲା ବଢ଼େଇଗଳି। ତାହା ଥିଲା ୪୦ ହାତ ଚଉଡ଼ା, ୧୦୦ ହାତ ଲମ୍ବା। ତା’ ପାଖକୁ ପାପୁଡ଼ିଆ ମଠ (ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପାର୍ଶ୍ୱ, ରାଣୀନଅର ସମ୍ମୁଖ)। ବଡ଼ଦାଣ୍ଡର ଏହି ମଠର ଛତା ତଳେ, ଧୂନି ଲଗାଇ ବହୁ ସାଧୁସନ୍ଥ ଆସ୍ଥାନ ପାତି ବସୁଥିଲେ। ମରିଚିକୋଟର ଉତ୍ତରକୁ ଥିଲା ନରସିଂହ କୋଟ ଓ ସୁନାଗୋସାଇଁଙ୍କ ବଗିଚା।

ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର ମଧ୍ୟ ତାଙ୍କ ‘ପହଞ୍ଚିବା ବଡ଼ଦାଣ୍ଡେ’ ଲେଖାରେ ସେଦିନର ବଡ଼ଦାଣ୍ଡର ସୁନ୍ଦର ବର୍ଣ୍ଣନା କରିଛନ୍ତି। କହିଛନ୍ତି- ‘ଗୋଟିଏ ବିନ୍ଦୁରେ ଶ୍ରୀମନ୍ଦିର, ଆଉ ଗୋଟିଏ ବିନ୍ଦୁରେ ଗୁଣ୍ଡିଚା ମନ୍ଦିର, ଏହି ଦୁଇ ବିନ୍ଦୁକୁ ସଂଯୋଗ କରୁଥିବା ବକ୍ରରେଖାର ନାମ ବଡ଼ଦାଣ୍ଡ- ପୁରୀର ‘ଜୀବନରେଖା’। ଏହି ପ୍ରସଙ୍ଗରେ ସେ ପୁରୀର କବି ବଂଶୀଧର ମହାନ୍ତିଙ୍କ ‘ଶ୍ରୀର୍ମର୍ତ୍ତ୍ୟ ବୈକୁଣ୍ଠ’ର ଏକ ଉଦ୍ଧୃତି ଦେଇ କହିଛନ୍ତି, ‘ଦାଣ୍ଡି ଦାଣ୍ଡି ହୋଇ ଗଳି। ଶାଖାପ୍ରଶାଖାରେ ମିଳି। ତେଣୁ ନାମ ହୋଇଛି ଦାଣ୍ଡିମାଳ ସାହି।’ ସବୁ ନଦୀ ଜଳଧିକୁ ଧାଇଁବା ପରି ସବୁ ରାସ୍ତା ଯେମିତି ବଡ଼ଦାଣ୍ଡକୁ ଧାଇଁଛନ୍ତି ! ଏହାର ଦକ୍ଷିଣରେ ଏମାର (ମଠ) ଓ ଉରରେ ଗୁଣ୍ଡିଚା ନବର। ‘‘ଧନ୍ୟ ସେ ରଥ, ଧନ୍ୟ ସେ ପଥ / ଯହିଁ ବିଜୟେ ଶ୍ରୀଜଗନ୍ନାଥ!’’

କାଳେକାଳେ ଭକ୍ତମାନେ, ଭକ୍ତକବିମାନେ, ଏହି ରଥର ପଥକୁ ପ୍ରଣିପାତ କରି ଆସିଛନ୍ତି ପରମ ଭକ୍ତିରେ। ତାହାର ବାଲିକୁ ମଥାରେ ବୋଳି, ରେଣୁକଣାକୁ ତୁଣ୍ଡରେ ପାଇ ପରମାନନ୍ଦ ଲାଭ କରିଛନ୍ତି। ଏହାର ଉଲ୍ଲେଖ ହିଁ ଅଛି, ଷୋଡ଼ଶ-ସପ୍ତଦଶ ଶତାବ୍ଦୀର ଭକ୍ତକବି ସାଲବେଗଙ୍କ ରଚନାର ‘‘ବଡ଼ଦାଣ୍ଡ ଦେଖି ହେଲି ତୋଷ, ରେଣୁ ମାତ୍ର ତେଣୁ କଲି ଗ୍ରାସ’’ରେ। ସପ୍ତଦଶ ଶତାବ୍ଦୀର ସାରିଆ ଭିକଙ୍କ ପ୍ରସିଦ୍ଧ ଗୀତି ‘‘ଥକାମନ ଚାଲଯିବା… ଚକାନୟନ ଦେଖିବା’’ରେ ବର୍ଣ୍ଣିତ ବଡ଼ଦାଣ୍ଡରେ ଆଜି କିନ୍ତୁ ଆଉ ‘ରେଣୁ’ ନାହିଁ କି ସେଦିନର ‘ଛତା’ ନାହିଁ। ଆଉ ସେତେବେଳର ‘ସାଧୁ’ ବି କାହାନ୍ତି ଆଜି!

ଏଇ ବଡ଼ଦାଣ୍ଡରେ ଥିବା ‘ବଳଗଣ୍ଡି’ର ଏକ ସ୍ୱତନ୍ତ୍ର ଐତିହ୍ୟ ଓ ଇତିହାସ ଅଛି। ଆଜି ବି ଭକ୍ତ ସାଲବେଗଙ୍କ ପାଇଁ ସେହିଠାରେ ଶ୍ରୀଜଗନ୍ନାଥଙ୍କ ରଥ ଅଟକେ। ଆଗରୁ ତିନିରଥ ଯାଇ ବଳଗଣ୍ଡିଠାରେ ରହୁଥିଲା। ଓଡ଼ିଆ ଲୋକଗୀତରେ ତାହାର ନିଦର୍ଶନ ଅଛି। ତାହା ଟପିବା ପରେ ରଥ ଯାଉଥିଲା ‘କିଆପାଟଣାକୁ’। ଗୋଟିଏ ଲୋକଗୀତରେ କୁହାଯାଇଛି-
‘‘ଯାଉ, ରଥ ଗଡ଼ିଯାଉ
କିଆପାଟଣାରେ ରହୁ
ଉଆ ଚାଉଳ, ଖଣ୍ଡ ନଡ଼ିଆ ଟାଉଟାଉ କରି ଖାଉ।’’
ଅନ୍ୟ ଏକ ଲୋକଗୀତିରେ ବି ଏ ସଂପର୍କରେ କୁହାଯାଇଛି-
‘‘ଆଡ଼ପକୁ ରଥ ଚାରିଚକିଆ
କିଆପାଟଣାରେ ହୋଇଛି ଠିଆ।’’

ଏହି ଲୋକଗୀତି ବର୍ଣ୍ଣିତ ‘କିଆପାଟଣା’ର ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ ଐତିହ୍ୟ ଅଛି, ଯାହା ଆଜି ବିସ୍ମୃତ। ‘କିଆପାଟଣା’ ପ୍ରକୃତରେ ‘କାୟାପାଟଣା’। କାରଣ, ନଦୀର ଆରପଟେ, ଶ୍ରୀଜଗନ୍ନାଥଙ୍କର ପ୍ରଥମ ‘କାୟା’ ବା ଶ୍ରୀବିଗ୍ରହମାନଙ୍କର ଆଦି ନିର୍ମାଣ ହୋଇଥିଲା। କିନ୍ତୁ ଲୋକମୁଖରେ ତାହା ଆଜି ‘କିଆପାଟଣା’ ବା ‘କିଆ ପଟୁକା’ରେ ପରିଣତ ହୋଇଯାଇଛି।

ବଡ଼ଦାଣ୍ଡର ଏହି ସପ୍ତଖଣ୍ଡ ମଧ୍ୟରେ ସବୁଠୁ ପ୍ରସିଦ୍ଧ ହେଉଛି ‘ଶରଧା ବାଲି’। ଏବେ ଏ ଅଞ୍ଚଳର ଅରାଏ ମାତ୍ର ଜାଗାରେ ବାଲି ପକାଇ ରଖାଯାଇଛି। ସେତିକି ମାତ୍ର ସେ ଦିନର ସ୍ମୃତିକୁ ସଂଜୀବିତ କରୁଛି। କିନ୍ତୁ ଦିନେ ସମଗ୍ର ଅଞ୍ଚଳ ସେମିତି ଥିଲା ବାଲିରେ ପରିପୂର୍ଣ୍ଣ।

ଏ ସଂପର୍କରେ ସିଦ୍ଧେଶ୍ୱର ମହାପାତ୍ର ଲେଖିଛନ୍ତି, ‘କିଛିବର୍ଷ ତଳେ ଶରଧାବାଲିର ରୂପ ଆଜିପରି ନଥିଲା। ଏ ଅଞ୍ଚଳରେ ଏତେ ଘରଦ୍ୱାର ନଥିଲା। ଦୁଇପଟେ କିଆବାଡ଼। ବିସ୍ତୀର୍ଣ୍ଣ ବାଲି। ମଝିରେ ସାଧାରଣ ପିଚୁରାସ୍ତା। ବର୍ଷା ଆସିଗଲେ ପାଣି ଜମୁଥିଲା। ସେ ପାଣିରେ ଚିରୁଡ଼ି, ପାଣି ଶିଉଳି, ନୀଳକଇଁ ହେଉଥିଲା। ମାଛ ଖେଳୁଥିଲେ। ବେଙ୍ଗଙ୍କର ବୃନ୍ଦଗାନ ଶୁଭୁଥିଲା। ବଡ଼ଶଙ୍ଖ ପରେ ଏ ଅଞ୍ଚଳରେ ଟିକିଏ ଅଧିକ ଶୀତ ହେଉଥିଲା।’

କିନ୍ତୁ ସେଦିନ ସେହି ଅଞ୍ଚଳ ଏପରି ଅବିକଶିତ ଓ ଅନୁନ୍ନତ ଥିଲେ ମଧ୍ୟ, ତାହା ଥିଲା ପୁରାଣ ପ୍ରସିଦ୍ଧ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଅଶ୍ୱମେଧ ଯଜ୍ଞର ପୁଣ୍ୟପୀଠ। ଦାରୁବ୍ରହ୍ମଙ୍କର ଜନ୍ମବେଦୀ। ସେଇଥିପାଇଁ ଜନମାନସରେ ତାହା ପରମ ପବିତ୍ର ବିବେଚିତ ହେଉଥିଲା। ସେଇଥିପାଇଁ ମଧ୍ୟ ବିଶିଷ୍ଟ ବିଦେଶୀ ଐତିହାସିକ ହର ଦିନେ କହିଥିଲେ- ‘ଗୋଟାଏ ଜାତିର ଶ୍ରଦ୍ଧା ଯେମିତି ପୁରୀର ଏ ବାଲିରେ ଅଜାଡ଼ି ହୋଇ ପଡ଼ିଛି!’

ଆଜି ବଡ଼ଦାଣ୍ଡର ସେଦିନର ସେ ଐତିହ୍ୟ ଓ ସଂସ୍କୃତି ଆଉ ନାହିଁ। ଶରଧାବାଲି ବି କେବଳ ରହିଛି ସନ୍ତକ ରୂପେ। କିନ୍ତୁ ଐତିହ୍ୟର ସବୁ ଅବକ୍ଷୟ ସତ୍ତ୍ୱେ, ଆମ ହୃଦୟର ଭାବଭୂମିରେ ତଥାପି ପରଂପରାକ୍ରମେ ସଂଜୀବିତ ଅଛି ଚିରକାଳର ସେହି ବଡ଼ଦାଣ୍ଡ ଓ ଶରଧାବାଲିର ଅବଶେଷ।

ମୋ: ୯୪୩୭୦୩୪୮୦୪
[email protected]

ସମ୍ବନ୍ଧିତ ଖବର

Comments are closed.