ରଥ କଥା-୧୦ – କଣଗୁଜ ଓ ପଟାଗୁଜ: ଅନୁକୂଳରେ ଶ୍ରୀନୃସିଂହ

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ପ୍ରତିବର୍ଷ ତିନିଟି ନୂଆରଥ ଗଢ଼ାହୁଏ। ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଠାରୁ ଏହି ରଥନିର୍ମାଣର ଅନୁକୂଳ ହୋଇ, ଆଷାଢ଼ ଅମାବାସ୍ୟା ମଧ୍ୟରେ ରଥନିର୍ମାଣ ଶେଷହୁଏ। ଏଣୁ ପାରମ୍ପରିକ ବ୍ୟବସ୍ଥା ଅନୁସାରେ ନିର୍ଦ୍ଦିଷ୍ଟ ଦିନ ସୁଦ୍ଧା ରଥନିର୍ମାଣର ନିର୍ଦ୍ଦିଷ୍ଟ କାର୍ଯ୍ୟ ଶେଷ ହେବାର ବିଧାନ ଅଛି। ତାହାର ପ୍ରଥମ ବିଧାନ ହେଉଛି ରଥଗୁଜ ଅନୁକୂଳ। ଏଥିପାଇଁ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ବା ନୃସିଂହ ଚତୁର୍ଦ୍ଦଶୀକୁ ଦିନ ଧାର୍ଯ୍ୟ କରାଯାଇଛି। ଏହା ତିନି ନୂଆ ରଥରେ ଖୋଦନ କର୍ମ ବା ରୂପନିର୍ମାଣର ଶୁଭାରମ୍ଭ।

ଏହିଦିନ ଅବଶ୍ୟ ଶ୍ରୀଜଗନ୍ନାଥଙ୍କ ଠାରୁ ଦୁଇଟି ଆଜ୍ଞାମାଳ ଦିଆଯାଇଥାଏ, କିନ୍ତୁ ତାହା ଅକ୍ଷୟତୃତୀୟାର ରଥ ଅନୁକୂଳ ପରି, ରଥଗୁଜ ଅନୁକୂଳ ପାଇଁ ଦିଆହୋଇ ନଥାଏ। ଏହି ଦୁଇ ଆଜ୍ଞାମାଳ ମଧ୍ୟରୁ ଗୋଟିଏ ଦିଆଯାଇଥାଏ ଚକ୍ରତୀର୍ଥ ଠାରେ ଥିବା ଚକ୍ରନାରାୟଣ ବା ଚକ୍ରତୀର୍ଥ ନୃସିଂହଙ୍କୁ। ଏହା ଦିଆଯାଏ ଠାକୁରମାନେ ଚନ୍ଦନ ଯାତ୍ରାକୁ ଯାଇସାରିବା ପରେ। କିନ୍ତୁ ଏହିଦିନ ଦ୍ଵିତୀୟ ଆଜ୍ଞାମାଳ ଦିଆଯାଏ ସନ୍ଧ୍ୟାଧୂପ ପରେ, ମନ୍ଦିର ମଧ୍ୟରେ ନୃସିଂହ ଜନ୍ମନୀତି ପାଳନପାଇଁ।

ସ୍କନ୍ଦପୁରାଣ ଅନୁସାରେ, ଶ୍ରୀବିଗ୍ରହମାନଙ୍କର ନିର୍ମାଣ ନିମନ୍ତେ ଦିବ୍ୟଦାରୁ ଚକ୍ରତୀର୍ଥର ସାଗରତଟରେ ଆବିର୍ଭୂତ ହୋଇଥିଲେ। ତେଣୁ ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀ ପରି ଚକ୍ରତୀର୍ଥର ମଧ୍ୟ ଗୁରୁତ୍ଵ ରହିଛି। ଶ୍ରୀଦାରୁବ୍ରହ୍ମଙ୍କର ପୂର୍ବରୂପ ବା ଆଦିରୂପ ନୃସିଂହ ହୋଇଥିବାରୁ ସେଠାରେ ଚକ୍ର ନାରାୟଣ ବା ଚକ୍ରନୃସିଂହ ଉପାସିତ ହୁଅନ୍ତି। ତେଣୁ ନୃସିଂହ ଜନ୍ମ ତିଥିରେ ତାଙ୍କୁ ‘ମର୍ଯ୍ୟାଦା ଭିତ୍ତିକ’ ଆଜ୍ଞାମାଳ ଦିଆଯିବା ସହିତ ନୃସିଂହ ଜନ୍ମ ନିମନ୍ତେ ଏକ ସ୍ୱତନ୍ତ୍ର ଆଜ୍ଞାମାଳ ଦିଆଯାଇ ନୃସିଂହ ଜନ୍ମନୀତି ସଂପନ୍ନ ହୋଇଥାଏ। ସେହି ପବିତ୍ର ତିଥିରେ ରଥଗୁଜରେ ନୃସିଂହ ମୂର୍ତ୍ତିି ଖୋଦନ କରାଯାଇ ତିନିରଥର ଖୋଦନ କର୍ମ ବା ରୂପନିର୍ମାଣର ଅନୁକୂଳ କରାଯାଏ। ସେତେବେଳକୁ ତିନିରଥର ଚକନିର୍ମାଣ କାମରେ ଅନେକ ଅଗ୍ରଗତି ହୋଇ ସାରିଥାଏ। ଏହି ରଥଗୁଜର ଖୋଦନକର୍ମ ବା ରୂପନିର୍ମାଣ ରୂପକାର ସେବକ କରିଥାଆନ୍ତି।

ରଥନିର୍ମାଣକାରୀ ବିଶ୍ୱକର୍ମା ସେବକଙ୍କ ସୂତ୍ର ଅନୁସାରେ, ରଥଗୁଜ ଦୁଇପ୍ରକାରର- କଣଗୁଜ ଓ ପଟାଗୁଜ। ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ରଥ ଅନୁକୂଳ ଦିନ ଯେଉଁ ତିନିଖଣ୍ଡ ଧଉରା କାଠ ପୂଜା ହୋଇ ପ୍ରତୀକାତ୍ମକ ଭାବରେ ଆଚାର୍ଯ୍ୟଙ୍କ ଦ୍ଵାରା ନିର୍ମାଣ କର୍ମ ଆରମ୍ଭ ହୋଇଥାଏ, ସେହି ତିନିଖଣ୍ଡ କାଠକୁ ବିଶ୍ୱକର୍ମା (ମହାରଣା) ସେବକ ଚଉପଟ (ଚଉଖୁଣ୍ଟିଆ) କରି ରଖିଥାଆନ୍ତି। ସେହିଥିରେ ରୂପକାର ସେବକ ନୃସିଂହ ମୂର୍ତ୍ତିି ଖୋଦନ କରନ୍ତି। କଣଗୁଜ ଖୋଦନରୁ ଏହାର ଶୁଭାରମ୍ଭ ହୁଏ।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ୧୬ଟି ଲେଖାଏଁ କଣ ଗୁଜ ରହୁଥିବାବେଳେ, ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ୧୨ଟି କଣଗୁଜ ରହିଥାଏ। ସେହିପରି ନନ୍ଦିଘୋଷ ଓ ତାଳଧ୍ୱଜ ରଥରେ ୧୨ଟି ଲେଖାଏଁ ପଟାଗୁଜ ରହୁଥିବାବେଳେ, ଦେବଦଳନ ରଥରେ ୮ଟି ପଟାଗୁଜ ରହିଥାଏ। ଚନ୍ଦନଯାତ୍ରାର ଭଉଁରୀ ପରଠାରୁ ପାରମ୍ପରିକ ଭାବରେ ପଟାଗୁଜ କାମ ଆରମ୍ଭ ହୁଏ।

– ଅସିତ ମହାନ୍ତି

ସମ୍ବନ୍ଧିତ ଖବର