ତିନି ଚକ-ମନ୍ଦିର: ଚକସଂଖ୍ୟା ୪୨

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ରଥ ମନ୍ଦିର ଆକାରର। କିନ୍ତୁ ଚକ ଯୋଗୁଁ ଏହି ମନ୍ଦିର ଗତିଶୀଳ ହୋଇଥାଏ। ସେଇଥିପାଇଁ ରଥକୁ ‘ଚକ-ମନ୍ଦିର’ କୁହାଯାଇଛି। ଇଂରାଜୀରେ ଏହାର ପରିଭାଷା ‘ଟେମ୍ପୁଲ୍‌ ଅନ୍‌ ହ୍ଵିଲ୍‌ସ’।

ପୁରୀ ରଥଯାତ୍ରାରେ ତିନିଟି ରଥ ନିର୍ମାଣ ହୁଏ ଏବଂ ଏହି ତିନି ରଥର ଭିତ୍ତି ହେଉଛି ଚକ। ତିନିରଥର ଚକ ସଂଖ୍ୟା ଭିନ୍ନ ଭିନ୍ନ। ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ର ଚକ ସଂଖ୍ୟା ୧୬ ହୋଇଥିବାବେଳେ ଶ୍ରୀବଳଭଦ୍ରଙ୍କ ‘ତାଳଧ୍ୱଜ’ର ଚକ ସଂଖ୍ୟା ୧୪ ଓ ଦେବୀ ସୁଭଦ୍ରାଙ୍କ ‘ଦେବଦଳନ’ର ଚକ ସଂଖ୍ୟା ୧୨। ଏହିପରି ଭାବରେ ତିନିରଥର ଚକସଂଖ୍ୟା ୪୨।

ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଅନୁକୂଳ ହେବାପରେ, ତାହାର ପରଦିନ, ଅର୍ଥାତ୍‌ ବୈଶାଖ ଶୁକ୍ଳ ଚତୁର୍ଥୀ ଠାରୁ ଚକ ନିର୍ମାଣ ଆରମ୍ଭ ହୁଏ। ପ୍ରଥମେ ରଥର ‘ତୁମ୍ବ’ ବା ଚକର ମଧ୍ୟଭାଗ ନିର୍ମାଣ କରାଯାଏ। ଏହାର ପରିଧି ବା ମୋଟେଇ ପ୍ରାୟ ୬ଫୁଟ ଓ ଦୈର୍ଘ୍ୟ ୩.୫ଫୁଟ। ଏହି ତୁମ୍ବରେ ଅର ଯୋଖା ହୁଏ ଏବଂ ଶେଷରେ ପହି ଲାଗେ। ତୁମ୍ବର ମଝିରେ ଅଖ ଖଞ୍ଜା ହେବାପାଇଁ କଣା ରଖାଯାଇଥାଏ।

ରଥ ନିର୍ମାଣକାରୀ ବିଶ୍ୱକର୍ମା ସେବକଙ୍କ ସୂତ୍ର ଅନୁସାରେ, ତୁମ୍ବର ଭିନ୍ନ ଭିନ୍ନ ନାମ ଓ ପ୍ରକାରଭେଦ ଅଛି। ତାହା ହେଉଛି- ନାହାକା ତୁମ୍ବ, ପଡ଼ିନାହାକା ତୁମ୍ବ ଓ ଉଛୁଳା ତୁମ୍ବ। ଉଛୁଳା ତୁମ୍ବ ପୁଣି ବଡ଼ ଓ ସାନ ଭେଦରେ ଦ୍ଵିବିଧ। ବଳଭଦ୍ରଙ୍କ ରଥର ଚକ ସଂଖ୍ୟା ୧୪ ଏବଂ ଏହି ଚକ ମଧ୍ୟରୁ ନାହାକା ତୁମ୍ବ ବିଶିଷ୍ଟ ଚକ ୨ଟି ହୋଇଥିବାବେଳେ ପଡ଼ିନାହାକା ତୁମ୍ବ, ବଡ଼ ଉଛୁଳା ତୁମ୍ବ ଓ ସାନ ଉଛୁଳା ତୁମ୍ବ ୪ଟି ଲେଖାଏଁ ହୋଇଥାଏ। କିନ୍ତୁ ଦେବୀ ସୁଭଦ୍ରାଙ୍କ ରଥର ୧୨ଟି ଚକ ମଧ୍ୟରୁ ନାହାକା, ପଡ଼ିନାହାକା ଓ ଉଛୁଳା ତୁମ୍ବ ୪ଟି ଲେଖାଏଁ ହୋଇଥାଏ। ଶ୍ରୀଜଗନ୍ନାଥଙ୍କ ରଥର ଚକ ସଂଖ୍ୟା ୧୬। ତାହାର ପଡ଼ିନାହାକା, ବଡ଼ ଉଛୁଳା ଓ ସାନ ଉଛୁଳା ତୁମ୍ବ ବଳଭଦ୍ରଙ୍କ ରଥ ସହ ସମାନ ହୋଇଥିବାବେଳେ, ନାହାକା ତୁମ୍ବ ୨ଗୋଟି ଅଧିକ ହୋଇଥାଏ। ଅର୍ଥାତ୍‌ ନାହାକା, ପଡ଼ିନାହାକା, ବଡ଼ ଉଛୁଳା ଓ ସାନ ଉଛୁଳା ତୁମ୍ବ ୪ଟି ଲେଖାଏଁ ହୋଇଥାଏ।

ଏହି ତୁମ୍ବରେ ଅର ଯୋଖା ହେବାପାଇଁ ବିନ୍ଧ ବା ଗାତମାନ କରାଯାଏ। ସେଥିପାଇଁ ମଧ୍ୟ ଦିନ ଧାର୍ଯ୍ୟ କରାଯାଇଛି। ଅକ୍ଷୟ ତୃତୀୟା ପରଦିନଠାରୁ ତୁମ୍ବକାଠ କାଟିବା କାମ ଆରମ୍ଭ ହୋଇ ବୈଶାଖ ଶୁକ୍ଳ ଦଶମୀ ପୂର୍ବରୁ ତୁମ୍ବର ମୂଳ କାଠକାମ ଶେଷ ହୁଏ। ବୈଶାଖ ଶୁକ୍ଳ ଦଶମୀ ଦିନ ବିନ୍ଧକାମ ନିମନ୍ତେ ରଙ୍ଗରେ ବୁଡ଼ା ହୋଇଥିବା ସୂତା ଦ୍ଵାରା ଚିହ୍ନ ଦେବା ଆରମ୍ଭ ହୁଏ। ଏହାକୁ ସୂତାବାଡ଼ିଆ କୁହାଯାଏ। ଚକର ପହି ନିର୍ମାଣ ମଧ୍ୟ ସମତାଳରେ ଚାଲିଥାଏ।

ଏହିପରି ଭାବରେ ସ୍ୱତନ୍ତ୍ର ଭାଗମାପରେ ନିର୍ମିତ ତୁମ୍ବ, ଅର ଓ ପହି ଆଦିର ନିର୍ମାଣ କାମ ଶେଷ ହୋଇ ସେସବୁ ଖଞ୍ଜା ହୁଏ ଏବଂ ତିନିଟିଯାକ ଚକ-ମନ୍ଦିରର ୪୨ଟି ଯାକ ଚକର କାଠକାମ ଶେଷ ହୁଏ। ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଆଧୁନିକ ମାପଯନ୍ତ୍ର ଆଦି ନଥାଇ ମଧ୍ୟ, ପାରମ୍ପରିକ ଓ ସଂପୂର୍ଣ୍ଣ ସ୍ଥାନୀୟ ଜ୍ଞାନ-କୌଶଳରେ ନିର୍ମିତ ଯନ୍ତ୍ରପାତି ଆଦି ଦ୍ଵାରା ଏହି ନିର୍ମାଣ କାର୍ଯ୍ୟ ନିଖୁଣ ଭାବରେ କରାଯାଇଥାଏ।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର