ଚନ୍ଦନଯାତ୍ରାର ଭଉଁରୀରେ ଚକଡେରା

ଭଉଁରୀ ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରାର ଏକ ବିଶେଷ ଓ ଆକର୍ଷଣୀୟ ନୀତି। ଜ୍ୟେଷ୍ଠ କୃଷ୍ଣ ସପ୍ତମୀ ଦିନ ଏହା ଅନୁଷ୍ଠିତ ହୋଇଥାଏ। ଏହା ହେଉଛି ଚନ୍ଦନ ଯାତ୍ରାର ବିଂଶତିତମ ଦିବସ। ଏହାର ପରଦିନ ସ୍ୱତନ୍ତ୍ର ହଳଦିପାଣି ନୀତି ହୋଇ ବାହାର ଚନ୍ଦନଯାତ୍ରା ଶେଷ ହୋଇଥାଏ।

ଏହିଦିନ ଠାକୁରମାନେ ଚାପକୁ ବିଜେ କରିବା ସମୟରେ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ ହୁଏ। ଏହାର ଅନ୍ୟ ବିଶେଷତ୍ଵ ହେଉଛି, ଏହିଦିନ ରାତି ଚାପରେ ଠାକୁରମାନେ ନରେନ୍ଦ୍ର ପୁଷ୍କରିଣୀର ପ୍ରତିକୋଣରେ ସାତଘେରା ଲେଖାଏଁ ନୌବିହାର କରିଥାଆନ୍ତି। ଶେଷରେ ପୁଷ୍କରିଣୀର ମଧ୍ୟଭାଗରେ ସାତଘେରା ନୌବିହାର କରିବା ପରେ ଭଉଁରୀ ନୀତି ସଂପନ୍ନ ହୁଏ। ଏହା ଏକ ଉତ୍ସବ ବା ପର୍ବ ରୂପେ ପାଳିତ ହୋଇଥାଏ।

ତେବେ ରଥ ନିର୍ମାଣ ଦୃଷ୍ଟିରୁ ଏହି ଦିନଟିର ବିଶେଷତ୍ଵ ହେଉଛି, ଏହିଦିନ ତିନି ରଥର ଛଅ ଚକ ଓ ତିନି ଅଖକୁ ତିନି ଠାକୁର- ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା ଆଜ୍ଞାମାଳ ଦେଇଥାଆନ୍ତି। ନିଜ ନିଜ ରଥର ଦୁଇଟି ଲେଖାଏଁ ଚକ ଓ ଗୋଟିଏ ଲେଖାଏଁ ଅଖକୁ ସେମାନେ ଏହି ଆଜ୍ଞାମାଳ ଦିଅନ୍ତି।

ଏହିଦିନ ସକାଳ ଧୂପ ପରେ ତିନି ଠାକୁରଙ୍କର ତିନିଜଣ ପୂଜାପଣ୍ଡା ସେବକ ଶ୍ରୀଅଙ୍ଗମାନଙ୍କରୁ ଆଜ୍ଞାମାଳ ନେଇ ଘଣ୍ଟ, ଛତ୍ର ଓ କାହାଳୀ ସହ ପଟୁଆରରେ ଯାଇ ଶ୍ରୀନଅର ସମ୍ମୁଖର ରଥଖଳାଠାରେ ପହଞ୍ଚିଥାଆନ୍ତି। ଏହିି ଆଜ୍ଞାମାଳ ରଥ ଅନୁକୂଳ ଦିନର ଆଜ୍ଞାମାଳ ପରି ଅଧରମାଳ ହୋଇଥାଏ।

ଆଜ୍ଞାମାଳ ସମାରୋହରେ ଆସି ରଥଖଳାଠାରେ ପହଞ୍ଚିବା ପରେ ପ୍ରତିରଥର ଦୁଇଟି ଲେଖାଏଁ ଚକକୁ ଗୋଟିଏ ଲେଖାଏଁ ଅଖ ସହ ଯୋଡ଼ାଯାଏ। ଏହିପରି ଭାବରେ ତିନି ରଥର ଛଅଟି ଚକ ତିନିଟି ଅଖ ସହିତ ଯୋଡ଼ାହୁଏ। ରଥ ପରିଭାଷାରେ ଏହାକୁ ‘ଚକଡେରା’ କୁହାଯାଏ। ଏଥିପାଇଁ ଅଖନିର୍ମାଣର ଅନୁକୂଳ ବୃଷସଂକ୍ରାନ୍ତିରେ ହୋଇଥାଏ। ଏହିଦିନ ଯେଉଁ ଦୁଇଟି ଲେଖାଏଁ ଚକ ଅଖ ସହ ଯୋଖାହୁଏ, ସେହି ଛଅ ଚକ ହେଉଛି ତିନି ରଥର ‘ନାହାକା ଚକ’।

ଏ ପ୍ରସଙ୍ଗରେ ବିଶେଷ ଉଲ୍ଲେଖନୀୟ ଯେ ଏହି ଚକଡେରା ନୀତି ଓ ଆଜ୍ଞାମାଳ ଲାଗି ନିମନ୍ତେ ରଥଖଳାଠାରେ ତିନି ରଥର ଦୁଇଟି ଲେଖାଏଁ ନାହାକା ଚକ ଓ ଗୋଟିଏ ଲେଖାଏଁ ଅଖକୁ ସ୍ନାନ କରାଯାଇ ପ୍ରସ୍ତୁତ ରଖାଯାଇଥାଏ। ପୂଜାପଣ୍ଡା ସେବକ ତିନି ଠାକୁରଙ୍କଠାରୁ ଆଣିଥିବା ଆଜ୍ଞାମାଳ ପ୍ରଥମେ ନନ୍ଦିଘୋଷ ରଥ, ତା’ପରେ ତାଳଧ୍ୱଜ ରଥ ଏବଂ ଶେଷରେ ଦେବଦଳନ ରଥର ଚକ ଓ ଅଖକୁ ଲାଗି କରନ୍ତି। ପ୍ରଥମେ ଗୀତଗୋବିନ୍ଦ ଖଣ୍ଡୁଆ ଦିଆଯାଇ, ତା’ ଉପରେ ଏହି ଆଜ୍ଞାମାଳ ଲାଗି କରାଯାଏ।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର