ରଥଖଳାର ରକ୍ଷାକର୍ତ୍ତ୍ରୀ: ମା’ ଚର୍ଚ୍ଚିକା

ଗୋଟିଏ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି, ତିନି ରଥର ଚକଡେରା ନୀତିପାଇଁ ତିନିଠାକୁରଙ୍କଠାରୁ ଆସିଥିବା ଆଜ୍ଞାମାଳ ଚକ ଓ ଅଖକୁ ଲାଗି କରାଯିବା ପରେ, ତିନି ରଥର ମୁଖ୍ୟ ବିଶ୍ୱକର୍ମା ସେବକ ସେହି ତିନି ଆଜ୍ଞାମାଳକୁ ସେଠାରୁ ନେଇ ନିକଟସ୍ଥ ଚର୍ଚ୍ଚିକାଦେବୀଙ୍କ ନିକଟକୁ ଯାଇଥାଆନ୍ତି। ସେଠାରେ ମା’ ଚର୍ଚ୍ଚିକାଙ୍କୁ ସେହି ଆଜ୍ଞାମାଳ ଲାଗି କରାଯାଏ।

ଏହି ନୀତି ଅକ୍ଷୟ ତୃତୀୟାର ରଥ ଅନୁକୂଳ ଦିନ ମଧ୍ୟ ସଂପନ୍ନ ହୋଇଥାଏ। ତିନିଠାକୁରଙ୍କଠାରୁ ଆସିଥିବା ତିନି ଆଜ୍ଞମାଳ ତିନି ରଥକାଠରେ ଲାଗି ହେବା ପରେ, ତିିନି ରଥର ତିନି ମୁଖ୍ୟ ବିଶ୍ୱକର୍ମା ସେବକ ତାହା ନେଇ ମା’ ଚର୍ଚ୍ଚିକାଙ୍କୁ ପ୍ରଦାନ କରିଥାଆନ୍ତି।

ବିଶ୍ୱକର୍ମା ସେବକଙ୍କ ପରି ମା’ ଚର୍ଚ୍ଚିକା ମଧ୍ୟ ଭୋଇ ସେବକଙ୍କର ଉପାସ୍ୟା। ଜ୍ୟେଷ୍ଠ କୃଷ୍ଣ ପ୍ରତିପଦା ତିଥିରେ ରଥଚକର ତୁମ୍ବରେ ଅରସଂଯୋଗ ବା ସିଙ୍ଗଡ଼ାବାଡ଼ିଆ ଅନୁକୂଳ କରିବା ପୂର୍ବରୁ, ସେମାନେ ମା’ ଚର୍ଚ୍ଚିକାଙ୍କ ନିକଟରେ ମାଜଣା କରି ସେହି କାମ ସୁଚାରୁ ରୂପେ ସଂପନ୍ନ କରାଇବାପାଇଁ ତାଙ୍କୁ ପ୍ରାର୍ଥନା କରିଥାଆନ୍ତି। ମା’ଙ୍କ ପୀଠରେ ନଡ଼ିଆ ବାଡ଼େଇବା ସହିତ ତାଙ୍କୁ ବିରିପିଠା ଓ ସୁଆର ପିଠା ଅର୍ପଣ କରାଯାଏ। ତା’ପରେ ମାଆଙ୍କଠାରୁ ଆସିଥିବା ଫୁଲ, ଚନ୍ଦନ, ସିନ୍ଦୂର ଆଦିକୁ ତୁମ୍ବ, ଅର ଓ କୋରାମୁଣ୍ଡା (ବଡ଼ କାଠ ହାତୁଡ଼ି)ରେ ଲାଗି କରାଯିବା ପରେ ସିଙ୍ଗଡ଼ାବାଡ଼ିଆର ଅନୁକୂଳ ହୁଏ। ସିଙ୍ଗଡ଼ା ବାଡ଼ିଆ କାମ ଶେଷ ହେବା ପରେ ମଧ୍ୟ ଭୋଇ ସେବକ ମା’ଙ୍କୁ ମାଜଣା କରିବା ସହିତ ପଣାଭୋଗ ଅର୍ପଣ କରିଥାଆନ୍ତି। ପଣାଭୋଗ ପରେ ରଥର ଚଉତା କାମ ଆରମ୍ଭ ହୋଇଥାଏ।

ଏ ପ୍ରସଙ୍ଗରେ ପ୍ରଶ୍ନ ଉଠେ, ରଥ ନିର୍ମାଣର ପ୍ରମୁଖ ପର୍ଯ୍ୟାୟଗୁଡ଼ିକରେ କାହିଁକି ମା’ ଚର୍ଚ୍ଚିକାଙ୍କର ଏତେ ଗୁରୁତ୍ଵ? ଏ ପ୍ରସଙ୍ଗରେ କେତେକ ଗବେଷକ ତାଙ୍କୁ ଶ୍ରୀକ୍ଷେତ୍ରର ଅଷ୍ଟଚଣ୍ଡୀଙ୍କର ଅନ୍ତର୍ଭୁକ୍ତ କରିଛନ୍ତି। କିନ୍ତୁ ବିଶିଷ୍ଟ ଗବେଷକ ସାରଙ୍ଗଧର ରାୟଗୁରୁ ବିଭିନ୍ନ ଶାସ୍ତ୍ରୋଲ୍ଲେଖର ଆଧାରରେ ତାଙ୍କୁ ଅଷ୍ଟଚଣ୍ଡୀଙ୍କର ଅନ୍ତର୍ଭୁକ୍ତ କରନ୍ତି ନାହିଁ। ତାଙ୍କ ଅନୁସାରେ, ଶ୍ରୀକ୍ଷେତ୍ରର ଅଷ୍ଟଚଣ୍ଡୀ ହେଉଛନ୍ତି- ବିମଳା, ବଟମଙ୍ଗଳା, ଦକ୍ଷିଣକାଳୀ, ସର୍ବମଙ୍ଗଳା, ଅଲାମଚଣ୍ଡୀ, ଅର୍ଦ୍ଧଶୋଷିଣୀ, ମର୍ଚ୍ଚିକା ଓ ହରଚଣ୍ଡୀ।

ଶ୍ରୀ ରାୟଗୁରୁଙ୍କ ଅନୁସାରେ, ମା’ ଚର୍ଚ୍ଚିକା ଏକଦା ଥିଲେ ସମ୍ବଳରାଜ ଇନ୍ଦ୍ରଭୂତିଙ୍କର ଉପାସିତା ବୌଦ୍ଧଦେବୀ କୁରୁକୁଲ୍ଲା। ସେ ଧନୁ ଓ ଅନ୍ୟାନ୍ୟ ଆୟୁଧଧାରିଣୀ ଅଷ୍ଟଭୁଜାଦେବୀ। ନାଟ୍ୟେଶ୍ୱରୀ ଭଙ୍ଗୀରେ ସେ ବିରାଜମାନା ଓ ଚିରଜାଗ୍ରତା। ତେଣୁ ରଥଖଳାର ରକ୍ଷାକର୍ତ୍ତ୍ରୀ ଦେବୀ ରୂପେ ତାଙ୍କୁ ଉପାସନା କରାଯାଇଥାଏ।

ତେବେ ଏ ସଂପର୍କରେ ଅନ୍ୟ ଗୁରୁତ୍ଵପୂର୍ଣ୍ଣ ସୂଚନା ମିଳେ ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ’ରୁ। ଏହାର ଏକାଦଶ ଅଧ୍ୟାୟର ବର୍ଣ୍ଣନା ଅନୁସାରେ, ରାଜା ଇନ୍ଦ୍ରଦ୍ୟୁମ୍ନ ମାଳବ ଦେଶରୁ ଆସି ଉତ୍କଳଭୂମିର ସୀମାରେ ପ୍ରଥମେ ଚଣ୍ଡିକାଦେବୀଙ୍କୁ ଦର୍ଶନ କରିଥିଲେ। ଏହି ଚଣ୍ଡିକା ହେଉଛନ୍ତି ମା’ ଚର୍ଚ୍ଚିକା। ରଥଖଳା ନିକଟରେ ସେ ଅଧିଷ୍ଠିତା ହୋଇ ରଥନିର୍ମାଣ କାଳରେ ରଥରକ୍ଷା କରିଥାଆନ୍ତି ଏବଂ ତାଙ୍କର ଆଶିଷରୁ ରଥ ନିର୍ମାଣ କାର୍ଯ୍ୟ ସୁଚାରୁ ରୂପେ ସଂପନ୍ନ ହୋଇଥାଏ।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର