ସପ୍ତରଥକାର ବା ସପ୍ତ ରଥନାୟକ

0 19

ରଥ ନିର୍ମାଣରେ ଭୋଇ ସେବକଙ୍କର ଅନେକ ଯୋଗଦାନ ରହିଥାଏ। ସେଥିପାଇଁ ଶ୍ରୀମନ୍ଦିର ସ୍ୱତ୍ଵଲିପିରେ ସେମାନଙ୍କୁ ‘ରଥ ଭୋଇ’ ଭାବରେ ଅଭିହିତ କରାଯାଇଛି। କିନ୍ତୁ ଏମାନେ ଶାଢ଼ିବନ୍ଧା ସେବକ ନୁହନ୍ତି। ସେବାର ବିବରଣୀ ଅନୁସାରେ, ରଥ ନିର୍ମାଣରେ ଯେତେ ମୂଲିଆ କାମ ଆବଶ୍ୟକ ହୁଏ, ସେ ସବୁ ଏମାନେ ତୁଲାଇ ଥାଆନ୍ତି। ତା’ ସହିତ ବାହାରେ ଯେତେ ଛାମୁଣ୍ଡିଆ ହୁଏ ସେ ସବୁ ଏମାନେ କରିଥାଆନ୍ତି। ରଥଖଳାର ଛାମୁଣ୍ଡିଆ ଓ ରଥ ଅନୁକୂଳପାଇଁ ଅସ୍ଥାୟୀ ହୋମଘର ମଧ୍ୟ ଏହାର ଅନ୍ତର୍ଭୁକ୍ତ। ରଥରେ କାଠବୁହା କାମ ଠାରୁ ଆରମ୍ଭ କରି ରଥଯାତ୍ରା ପରେ ରଥଭଙ୍ଗା କାମ ମଧ୍ୟ ଏମାନଙ୍କ ସେବା ମଧ୍ୟରେ ରହିଛି। ସେବାପାଇଁ ଜମି ଖଞ୍ଜା ନଥିଲେ ମଧ୍ୟ ଏମାନେ ନିଷ୍ଠାର ସହ ଦାୟିତ୍ଵ ତୁଲାଇଥାଆନ୍ତି।

ପାରମ୍ପରିକ ଭାବରେ, ରଥଖଳା ଦାୟିତ୍ଵରେ ରହୁଥିବା ସେବକମାନଙ୍କୁ ସାତଭାଗରେ ବିଭକ୍ତ କରାଯାଇ ‘ସପ୍ତରଥକାର’ ରୂପେ ଅଭିହିତ କରାଯାଇଛି। ରଥ ଭୋଇ ସେବକ ମଧ୍ୟ ଏହାର ଅନ୍ତର୍ଭୁକ୍ତ। ‘ସପ୍ତରଥକାର’ ହେଉଛନ୍ତି- ୧. ଗୁଣାକାର, ୨. ମୁଖ୍ୟ ରଥକାର ବା ପାହି ମହାରଣା, ୩. ଲୌହକାର, ୪. ଛନ୍ଦକାର, ୫. ରୂପକାର ବା ମୂର୍ତ୍ତିିକାର, ୬. ଚିତ୍ରକାର ଓ ୭. ସୂଚୀକାର। ଏମାନଙ୍କୁ ‘ନାୟକ’ ଆଖ୍ୟା ଦିଆଯାଇଛି।

ଏହି ‘ସପ୍ତ ରଥକାର’ ବା ‘ସପ୍ତ ରଥନାୟକ’ଙ୍କ କର୍ମର ବିବରଣୀ ଅନୁସାରେ- ‘ଗୁଣାକାର’ ରଥର ବିଭିନ୍ନ ଅଙ୍ଗର ତାଳମାନ ଓ ଭାଗମାପ ନିର୍ଦ୍ଧାରଣ କରନ୍ତି ଏବଂ ‘ପାହି ମହାରଣା’ ରଥର ମୁଖ୍ୟ ଅଂଶଗୁଡ଼ିକୁ ନିର୍ମାଣ କରନ୍ତି। ‘ଲୌହକାର’ ଚକର ପନ୍ଦାରି ଓ ବଳା ସମେତ ବିଭିନ୍ନ ଆକାର ପ୍ରକାରର କଣ୍ଟା ଏବଂ କୁରାଢ଼ି, ବାରିଶି ଆଦି ତିଆରି କରି ଯୋଗାନ୍ତି। ଏମାନଙ୍କୁ ‘କମାର କଣ୍ଟା ନାୟକ’ ମଧ୍ୟ କୁହାଯାଏ। ‘ଛନ୍ଦକାର’ ରଥ କାଠଗୁଡ଼ିକୁ ପ୍ରୟୋଜନ ଅନୁସାରେ ସଜାଇ ରଖନ୍ତି। ଏହାଙ୍କ ସଂପର୍କରେ ବର୍ଣ୍ଣନା ଅଛି ଯେ ଏମାନେ ‘‘ରଥର କାଠମାନ କାନ୍ଧରେ ବୋହିନେଇ ବାଉରି ଭେଣ୍ଡିଆ ଭାବରେ ଛନ୍ଦ, ଶାଙ୍ଗି ଓ ଛେକାରେ ପକାନ୍ତି।’’ ଏଣୁ ଏମାନେ ‘ଛନ୍ଦଛେକା ନାୟକ’ ଭାବରେ ପରିଚିତ। ‘ରୂପକାର’ ରଥର ସମସ୍ତ ରୂପ ବା ମୂର୍ତ୍ତିି ଖୋଦନ କରନ୍ତି ଏବଂ ‘ଚିତ୍ରକାର’ ସେହି ରୂପ ବା ମୂର୍ତ୍ତିି ସମେତ ରଥର ଅନ୍ୟାନ୍ୟ ସମସ୍ତ ରଙ୍ଗ ଓ ଚିତ୍ରକାମ କରନ୍ତି। ‘ସୂଚୀକାର’ ରଥର ମଣ୍ଡଣି ନିମନ୍ତେ ସମସ୍ତ କନାକାମ ଓ ଚାନ୍ଦୁଆ, ଧ୍ୱଜା, ଘେର ଓ ନେତ ଆଦି ପ୍ରସ୍ତୁତ କରିଥାନ୍ତି। ଏମାନଙ୍କୁ ‘ସିପୁଟି’ ମଧ୍ୟ କୁହାଯାଇଥାଏ।

କିନ୍ତୁ ପ୍ରକୃତପକ୍ଷେ, ରଥକାମପାଇଁ ନିଯୁକ୍ତ ହେଉଥିବା ସେବକଙ୍କର ସଂଖ୍ୟା ବା କିସମ ଅନେକ ବେଶି। ଗୋଟିଏ ସମୟରେ ଏମାନଙ୍କର ସଂଖ୍ୟା ୩୬ ବୋଲି କୁହାଯାଇ, ସେମାନଙ୍କୁ ‘ରଥଛତିଶା ନିଯୋଗ’ ବୋଲି ମଧ୍ୟ ଆଖ୍ୟା ଦିଆଯାଇଥିଲା। କିନ୍ତୁ ସମୟକ୍ରମେ ସେଥିରେ ପରିବର୍ତ୍ତନ ଘଟିଛି ଏବଂ ଆଉ ଆବଶ୍ୟକତା ନଥିବାରୁ କେତେକ ସେବାର ବିଲୁପ୍ତି ଘଟିଛି।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର

Leave A Reply

Your email address will not be published.