ରଥ-ଛତିଶା ନିଯୋଗ

0 33

ରଥ ନିର୍ମାଣ ସଂକ୍ରାନ୍ତରେ ‘ସପ୍ତ ରଥକାର’ ବା ‘ସପ୍ତ ରଥନାୟକ’ଙ୍କ ସଂପର୍କରେ ଉଲ୍ଲେଖ ଥିବା ସତ୍ତେ୍ଵ, ଏହି ବିରାଟ ଓ ବ୍ୟାପକ ଆୟୋଜନରେ ବହୁ ସେବକଙ୍କର ସଂପୃକ୍ତି ରହିଥାଏ। ସେମାନଙ୍କର ସ୍ୱତନ୍ତ୍ର ଦାୟିତ୍ଵ ମଧ୍ୟ ଥାଏ। ଏହି ସେବକଙ୍କର କିସମ ଓ ଦାୟିତ୍ଵରେ ସମୟକ୍ରମେ ପରିବର୍ତ୍ତନ ମଧ୍ୟ ହୋଇଛି। ସେଥିପାଇଁ ପଣ୍ଡିତ ସଦାଶିବ ରଥଶର୍ମା ଗୋଟିଏ ଲେଖା (ରଥଯାତ୍ରାର ବିଧି ରହସ୍ୟ, ୧୯୮୭)ରେ କହିଛନ୍ତି, ‘‘ସଂପ୍ରତି ଶ୍ରୀଗୁଣ୍ଡିଚା ଯାତ୍ରାରେ ବହୁ ପରିବର୍ତ୍ତନ ହେଲାଣି। କିନ୍ତୁ ପ୍ରାଚୀନ ରଥଯାତ୍ରାର ଯେଉଁସବୁ ନିଯୋଗ ପୂର୍ବେ କାର୍ଯ୍ୟ କରୁଥିଲେ, ସେଥିରୁ ଜଣାଯାଏ, ମାସ ମାସ ଧରି ପୁରୁଷୋତ୍ତମ କ୍ଷେତ୍ର ପବିତ୍ର ଓ ଉତ୍ସବମୁଖର ହୋଇ ରହେ।’’

ଉକ୍ତ ଲେଖାର ଶେଷରେ ପଣ୍ଡିତ ରଥଶର୍ମା ସେତେବେଳେ, ଅର୍ଥାତ୍‌ ୩୦ବର୍ଷ ତଳେ ପ୍ରଚଳିତ ଥିବା (୧୯୮୭) ରଥସେବାର ବିବରଣୀରେ ୪୧ କିସମର ସେବକଙ୍କ ତାଲିକା ଦେଇଛନ୍ତି। ତେବେ ଏ ସଂପର୍କରେ କୁହାଯାଏ ଯେ ଅନଙ୍ଗଭୀମ ଦେବ ରଥ କାର୍ଯ୍ୟ ସୁଚାରୁରୂପେ ସଂପନ୍ନ ହେବା ନିମନ୍ତେ ‘ରଥ-ଛତିଶା ନିଯୋଗ’ ଖଞ୍ଜିଥିଲେ। ‘ଉତ୍କଳ ପ୍ରସଙ୍ଗ’ର ରଥବିଶେଷାଙ୍କ, ୧୯୯୯ ଅନୁସାରେ, ଏହି ରଥ-ଛତିଶା ନିଯୋଗ ହେଉଛନ୍ତି- ୧. ରଥକାର ନାୟକ, ୨. ତଳବଢ଼େଇ, ୩. ଭାଇ ବଢ଼େଇ, ୪. ରୂପଖଞ୍ଜା ବଢ଼େଇ, ୫. ମୁଣ୍ଡିମରା ମହାରଣା, ୬. ତାମ୍ବରା, ୭. କରତିଆ, ୮. ଗରଗରିଆ, ୯. ଦିହୁଡ଼ିଆ, ୧୦. ପିଣ୍ଡିକିଆ, ୧୧. ଜୟଶାଳିଆ, ୧୨. ଖୁଣ୍ଟିଆ, ୧୩. ପହଣ୍ଡିଆ, ୧୪. ଦୋଳିଆ, ୧୫. ଜଗିଆ, ୧୬. ବଡ଼କାଠିଆ, ୧୭. ରଥଜଗିଆ, ୧୮. ରଥଘଣ୍ଟୁଆ, ୧୯. ରଥ ମୁଦୁଲି, ୨୦. ରଥ ବଜନ୍ତ୍ରୀ, ୨୧. ରଥଖରକା, ୨୨. ରଥ ଦଳାଇ, ୨୩. ରଥଭୋଇ, ୨୪. ରଥ ପାଇକ, ୨୫. ଚୋପଦାର, ୨୬. ଚିତ୍ରକାର, ୨୭. ଧ୍ୱଜକାର, ୨୮. ଛତ୍ରକାର, ୨୯. ଚକା ଅପସର ଯୋଗିଆ, ୩୦. ଦରଜୀ, ୩୧. ସୂତଲି, ୩୨. କମାରକଣ୍ଟା, ୩୩. ଦଉଡ଼ିବଳା, ୩୪. ଚାପ ଦଳାଇ, ୩୫. ବଇଠାରୁ ଓ ୩୬. ଡାହୁକ।

କିନ୍ତୁ ଏଥିମଧ୍ୟରୁ ସମୟକ୍ରମେ କେତେକ ସେବାର ଆବଶ୍ୟକତା ଆଉ ନାହିଁ। ଉଦାହରଣ ସ୍ୱରୂପ, ପୁରୀ ସହରରେ ବିଜୁଳି ଆଲୁଅ ନଥିବାବେଳେ ଦିହୁଡ଼ିଆ ଦିହୁଡ଼ି ଜାଳି ରଥଖଳାକୁ ଆଲୋକିତ କରୁଥିଲେ। ଏବେ ଉଜ୍ଜ୍ଵଳ ବିଦ୍ୟୁତ୍‌ ଆଲୋକର ବ୍ୟବସ୍ଥା ଦୃଷ୍ଟିରୁ ରଥ ଖଳାରେ ତାହାର ଆବଶ୍ୟକତା ଲୋପ ପାଇଛି।

ଏହି ରଥ-ଛତିଶା ନିଯୋଗ ଅନ୍ୟ କେତେକ ବିବରଣୀରେ ଭିନ୍ନ ଭାବରେ ଅଛି।

ପଣ୍ଡିତ ସଦାଶିବ ରଥଶର୍ମାଙ୍କ ୪୧ଟି ରଥସେବା ବିବରଣୀ ମଧ୍ୟରୁ ପ୍ରଥମ ୩ଟି ଏହିପରି-
୧. କାଠକଟା ପାଇକ- ଏ ରାଜଦରବାରରୁ ହୁକୁମନାମା ନେଇ ଦଶପଲ୍ଲା ଯିବେ।
୨. ପଟାଳି ଲେଙ୍କା- ପତାକା, ମହାପ୍ରସାଦ, ଖଣ୍ଡୁଆ ନେଇ ଯିବେ।
୩. ଅବିରଚଳା ନାୟକ- ଦଶପଲ୍ଲା ରାଜବାଟୀକୁ ଦୋଳ ଅବିର ନେଇ ଯିବେ।

କିନ୍ତୁ ଅନ୍ୟ ତାଲିକାରେ ପ୍ରଥମ ତିନିଟି ରଥସେବା କିଂଚିତ୍‌ ଭିନ୍ନ ଭାବରେ ଅଛି। ଯଥା-
୧. ଚର୍ଚ୍ଚେଇତ ପାଇକ (ପଟାଳି ଲେଙ୍କା)- ମହାପ୍ରଭୁଙ୍କ ମାଳ, ମହାପ୍ରସାଦ, ବାନା ନେଇ ରଥକାଠ କାଟିବା ନିମନ୍ତେ ବାଣପୁର, ଦଶପଲ୍ଲା ଯାଆନ୍ତି।
୨. ଅରଣ୍ୟ ନାୟକ- ଚର୍ଚ୍ଚେଇତ ପାଇକ ବା ପଟାଳି ଲେଙ୍କା ସେହି ମାଳ, ମହାପ୍ରସାଦ, ବାନା ନେଇ ବାଣପୁର, ଦଶପଲ୍ଲା ଅରଣ୍ୟ ନାୟକଙ୍କ ନିକଟରେ ପହଞ୍ଚନ୍ତି ଏବଂ ଅରଣ୍ୟ ନାୟକ ତାହା ପାଇବା ପରେ ଶୁଭ ସମୟ ଦେଖି ବନଦୁର୍ଗାଙ୍କ ଠାରେ ପୂଜା କରାଇ କାଠକଟା ଆରମ୍ଭର ପ୍ରାକ୍‌-ପର୍ବ ସଂପନ୍ନ କରାନ୍ତି।
୩. କଟାଳି ନାୟକ- ଶୁଭ ସମୟ ଦେଖି, ବନଦୁର୍ଗାଙ୍କୁ ପ୍ରାର୍ଥନା କରି ରଥକାଠ କଟା ଆରମ୍ଭ କରାନ୍ତି। (କ୍ରମଶଃ)

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର

Leave A Reply

Your email address will not be published.