ରଥଚକର ଅରକଣ୍ଟା ଓ ପନ୍ଦାରିବଳା

ତୁମ୍ବରେ ଅର ଓ ପହି ସଂଯୋଗ ହୋଇଗଲେ ଯେ ଚକ ନିର୍ମାଣ ସଂପୂର୍ଣ୍ଣ ହୋଇଯାଏ ତାହା ନୁହେଁ। ତଥାପି ଚକର ଅନେକ କାମ ବାକିଥାଏ। ବିଶାଳ ରଥ ସହିତ ରଥ ଉପରେ ଠାକୁର, ସେବା-ପୂଜାର ସେବକ ଏବଂ ରଥଚାଳନା ସହ ସଂପୃକ୍ତ ଅନ୍ୟାନ୍ୟମାନଙ୍କର ସମସ୍ତ ଭାର ଏହି ଚକଗୁଡ଼ିକ ଉପରେ ହିଁ ରହିଥାଏ। ପୁଣି ସେହି ବିପୁଳ ଭାର ବହନ କରି ଚକ ସମଗ୍ର ରଥକୁ ଚଳମାନ କରିଥାଏ। ତେଣୁ ଚକନିର୍ମାଣ କାଳରେ ସେଗୁଡ଼ିକୁ ଯଥାସମ୍ଭବ ଶକ୍ତ ଓ ବିପଦମୁକ୍ତ କରିବାପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥାଏ।

ଉଦାହରଣ ସ୍ୱରୂପ, ରଥର ତୁମ୍ବ ଓ ପହି ପାଇଁ ଫାସୀକାଠ, ଦଣ୍ଡା ଓ ଅଖପାଇଁ ଧଉରା କାଠ, ଗୟଳପାଇଁ ଅସନ କାଠ ଏବଂ ଅରମୁଣ୍ଡିପାଇଁ ଧଉରା ଓ ଅସନକାଠ ବ୍ୟବହାର କରାଯାଇଥାଏ।

କେବଳ ସେତିକି ନୁହେଁ, ନିର୍ଦ୍ଦିଷ୍ଟ ଭାଗମାପରେ ତୁମ୍ବ ପ୍ରସ୍ତୁତି, ତୁମ୍ବରେ ଅର ଖଞ୍ଜା ହେବାପାଇଁ ବିନ୍ଧ ପ୍ରସ୍ତୁତି ଆଦି ପରେ ଅରକୁ ତୁମ୍ବ ସହ ଶକ୍ତ ଭାବରେ ଯୋଡ଼ି ରଖିବା ନିମନ୍ତେ ଅରକଣ୍ଟାପାଇଁ ଡ୍ରିଲ୍‌ କରାଯାଇ ଗାତ ପ୍ରସ୍ତୁତ ହୁଏ। ପ୍ରତି ତୁମ୍ବରେ ୧୬ଟି ଅର ଖଞ୍ଜା ହୁଏ। ଅରବିନ୍ଧଗୁଡ଼ିକ ପ୍ରାୟ ୬ଇଞ୍ଚ ଗଭୀର ହୋଇଥାଏ। ସେହିପରି ପହିରେ ମଧ୍ୟ ଅର ଖଞ୍ଜା ପାଇଁ ସମାନ ମାପର ବିନ୍ଧ କରାଯାଇଥାଏ। ଭୋଇ ସେବକମାନେ ଏହି ଅର ଖଞ୍ଜା ଓ ପହି ଖଞ୍ଜା କାମରେ ସକ୍ରିୟ ଭୂମିକା ନିର୍ବାହ କରିଥାଆନ୍ତି। ଅର ଖଞ୍ଜା ପରେ ତୁମ୍ବର ମଝିରେ ଅଖ ପଶିବା ପାଇଁ ଗାତ କରାଯାଏ। ବଡ଼ ଡ୍ରିଲ୍‌ ଦ୍ଵାରା ଏହି ଗାତ କରାଯିବା ପରେ ମହାରଣାମାନେ ତାହାକୁ ନିହଣ ଦ୍ଵାରା ଠିକ୍‌ ମାପରେ ସଜାଡ଼ନ୍ତି। ତାହାକୁ ‘ଠେକ ମରା’ କୁହାଯାଏ।

ଅରଖଞ୍ଜା ପରେ ଅରକୁ ତୁମ୍ବ ସହ ଶକ୍ତ ଭାବରେ ଧରି ରଖିବାପାଇଁ ଅରକଣ୍ଟା ପିଟାଯାଏ। ସେହିପରି ତୁମ୍ବକୁ ଶକ୍ତ କରିବାପାଇଁ ତାହାର ଦୁଇ ମୁଣ୍ଡରେ ଲୁହାର ଶକ୍ତ ବଳା ଖଞ୍ଜାଯାଏ। ଏହାକୁ ପନ୍ଦାରିବଳା କୁହାଯାଏ।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ତିନି ରଥର ଚକ ଓ ଅନ୍ୟାନ୍ୟ କାମ ନିମନ୍ତେ ଯେଉଁସବୁ ଲୁହା ସାମଗ୍ରୀ ଆବଶ୍ୟକ ହୁଏ, ତାହା ଓଝା ମହାରଣା ସେବକ ପ୍ରସ୍ତୁତ କରି ଦେଇଥାଆନ୍ତି।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର