ରଥକାଠରେ ଚକ୍ର, ହଳ ଓ ପଦ୍ମଚିହ୍ନ

ପଣ୍ଡିତ ସଦାଶିବ ରଥଶର୍ମାଙ୍କ ରଥସେବା ବିବରଣୀର କ୍ରମ-୭ ଓ ୯ରେ ଯଥାକ୍ରମେ ‘ମହାଖଳା ଅମିନ’ ଓ ‘ମହାରଣା ନାୟକ’ଙ୍କର ଉଲ୍ଲେଖ ଅଛି। କିନ୍ତୁ ଅନ୍ୟ ବିବରଣୀରେ ଏ ବାବଦରେ ‘ମହାଖଳା ନାୟକ’, ‘ଅନୁକୂଳ ମହାରଣା’, ‘ମହାଖଳା ପରିଚ୍ଛା’ ଓ ‘ବାଡୁ (ବାଡ଼) ବଢ଼େଇ’ଙ୍କର ଉଲ୍ଲେଖ ମିଳେ। ଏହିସବୁ ବିବରଣୀରେ ‘ରଥଖଳା’କୁ ‘ମହାଖଳା’ କୁହାଯାଇଛି।

କାର୍ଯ୍ୟ ଓ ଦାୟିତ୍ଵର ଆଧାରରେ ସେହି ରଥସେବାର ବିବରଣୀକୁ ଏହିପରି ଭାବରେ ଉପସ୍ଥାପନ କରାଯାଇପାରିବ-
୯. ମହାଖଳା ନାୟକ: ପୂର୍ବ ବ୍ୟବସ୍ଥା ଅନୁସାରେ, ରଥର ନିର୍ମାଣ କାମ ସୁଚାରୁ ରୂପେ ସଂପନ୍ନ ହେବା ନିମନ୍ତେ, ତିନି ରଥପାଇଁ ତିନିଜଣ ମହାଖଳା ନାୟକ ରହୁଥିଲେ। ସେମାନେ ତିନି ରଥର ଭିନ୍ନ ଭିନ୍ନ ଅଙ୍ଗର ନିର୍ମାଣ ନିମନ୍ତେ ମାପ ଅନୁସାରେ କାଠଗୁଡ଼ିକୁ ଚିହ୍ନଟ କରି ରଖୁଥିଲେ। ଏହି ସେବକ ଥିଲେ ମହାରଣା କୁଳର। ଏହି ବ୍ୟବସ୍ଥା ଅନୁସାରେ ଚିହ୍ନଟ କାଠଗୁଡ଼ିକରେ- ଶ୍ରୀବଳଭଦ୍ରଙ୍କ ରଥପାଇଁ ‘ହଳ’ ବା ଲଙ୍ଗଳ ଚିହ୍ନ, ଦେବୀ ସୁଭଦ୍ରାଙ୍କ ରଥପାଇଁ ‘ପଦ୍ମ’ ଚିହ୍ନ ଓ ଶ୍ରୀଜଗନ୍ନାଥଙ୍କ ରଥପାଇଁ ‘ଚକ୍ର’ ଚିହ୍ନ ଦିଆଯାଉଥିଲା। ସେହି କାର୍ଯ୍ୟ ମହାଖଳା ନାୟକ କରୁଥିଲେ।

୧୦. ମହାଖଳା ପରିଚ୍ଛା: ଶାସ୍ତ୍ରର ବିଧାନ ତଥା ରଥର ବିଭିନ୍ନ ଅଙ୍ଗଗଠନର ପ୍ରୟୋଜନ ଅନୁସାରେ, ଭିନ୍ନ ଭିନ୍ନ ପ୍ରକାରର କାଠ ଆବଶ୍ୟକ ହୋଇଥାଏ। ତେଣୁ ଏହି ସେବକ କେଉଁ ଅଙ୍ଗପାଇଁ କେଉଁ କାଠ ଆବଶ୍ୟକ ତାହା ବାଛି ରଖୁଥିଲେ।

୧୧. ବାଡୁ (ବାଡ଼) ବଢ଼େଇ: ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କର ସେବା ସୁଚାରୁ ରୂପେ ସଂପନ୍ନ ହେବାପାଇଁ ନିର୍ଦ୍ଦିଷ୍ଟ ଗୋଷ୍ଠୀର ସେବକମାନଙ୍କୁ ଯେଉଁ ଭାବରେ ଭାଗ କରାଯାଇଥାଏ, ତାହାକୁ ‘ବାଡ଼’ କୁହାଯାଏ। ନିର୍ଦ୍ଦିଷ୍ଟ ବାଡ଼ର ସେବକ ହେଉଛନ୍ତି ସଂପୃକ୍ତ ଦେବତାଙ୍କ ସେବାପାଇଁ ଉଦ୍ଦିଷ୍ଟ ଗୋଷ୍ଠୀର ଅନ୍ତର୍ଭୁକ୍ତ ସେବକ । ସେହି ଅନୁସାରେ, ବଢ଼େଇ ସେବାର ଭିନ୍ନ ଭିନ୍ନ ବାଡ଼ ସହ ସଂପୃକ୍ତ ବଢ଼େଇ ସେବକ ‘ବାଡ଼ୁ ବଢ଼େଇ’ ଭାବରେ ପରିଚିତ ହେଉଥିଲେ। ସେହି ସେବାର ବିବରଣୀ ଅନୁସାରେ, ସେମାନେ ପ୍ରୟୋଜନ ଅନୁସାରେ ସଂପୃକ୍ତ ‘ବାଡ଼’ର ରଥପାଇଁ କେଉଁ କାଠ ପରେ କେଉଁ କାଠ ଆବଶ୍ୟକ- ତାହା ବାଛି ରଖୁଥିଲେ।

ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ ଯେ କେତେକ ବିବରଣୀରେ ‘ଅନୁକୂଳ ମହାରଣା’ ନାମରେ ଏକ ସ୍ୱତନ୍ତ୍ର ସେବାର ଉଲ୍ଲେଖ ଅଛି। ସେହି ସେବା ବିବରଣୀ ଅନୁସାରେ, ସେମାନେ ରଥନିର୍ମାଣର ଅନୁକୂଳ ଦିନ ତିନିରଥର ଅନୁକୂଳପାଇଁ ଉପଯୁକ୍ତ କାଠ ବାଛି ରଖନ୍ତି। କିନ୍ତୁ ଏହାକୁ ଏକ ସ୍ୱତନ୍ତ୍ର ସେବା ରୂପେ ଉଲ୍ଲେଖ କରିବାର କୌଣସି ଯଥାର୍ଥତା ଥିବାପରି ମନେ ହୁଏନାହିଁ।

୧୨. ମହାଖଳା ଅମିନ: ତେବେ ରଥଶର୍ମାଙ୍କ ବିବରଣୀରେ ଯେଉଁ ‘ମହାଖଳା ଅମିନ’ଙ୍କର ଉଲ୍ଲେଖ ଅଛି- ତାହା ଗୁରୁତ୍ଵପୂର୍ଣ୍ଣ। ସେବାର ବିବରଣୀରେ- ଏହି ସେବକ ‘‘ବଢ଼ାଇ ମହାରଣାଙ୍କ କାମ ତଦାରଖ କରନ୍ତି’’ ବୋଲି ସେ ଉଲ୍ଲେଖ କରିଛନ୍ତି। ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଏହି ‘ମହାଖଳା ଅମିନ’ ବା ‘ରଥ ଅମିନ’ ସେବକ ରଥକାଠ କଟାଠାରୁ ଆରମ୍ଭ କରି ରଥନିର୍ମାଣ ପର୍ଯ୍ୟନ୍ତ କାର୍ଯ୍ୟର ତଦାରଖ କରିଥାଆନ୍ତି। ଏବେ ମଧ୍ୟ ଏହି ସେବା ପ୍ରଚଳିତ ଅଛି।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର