ଦଶ କୁଇଣ୍ଟାଲ ଲୁହା, ସାଢ଼େ ଚାରିଫୁଟ ଲମ୍ବ ଜଙ୍ଗା

ପ୍ରତିବର୍ଷର ରଥନିର୍ମାଣରେ ମହାରଣା ସେବକଙ୍କ କାଠ କାମ ହିଁ ରଥଖଳାରେ ଅଧିକ ଦୃଶ୍ୟମାନ ହୋଇଥାଏ। କିନ୍ତୁ ଅନ୍ୟ ଯେଉଁ ସେବକଙ୍କ କାମ ରଥକୁ ଶକ୍ତ କରିବାରେ ସହାୟକ ହୋଇଥାଏ, ସେହି ସେବକ ହେଉଛନ୍ତି ଓଝା ମହାରଣା ବା କମାରକଣ୍ଟା ନାୟକ। ଗୋଟିଏ ସ୍ଥଳ ଆକଳନ ଅନୁସାରେ, ପ୍ରତିବର୍ଷର ରଥପାଇଁ ଏ ସେବକ ପ୍ରାୟ ୧୦ କୁଇଣ୍ଟାଲ ଲୁହା ତରଳାଇ କଣ୍ଟା, ବଳା, ପନ୍ଦାରିବଳା ଆଦି ତିଆରି କରି ଯୋଗାଇଥାଆନ୍ତି। ‘ରଥଚକର ଅରକଣ୍ଟା ଓ ପନ୍ଦାରିବଳା’ (ରଥକଥା-୧୨)ରେ ଏ ସଂପର୍କରେ କିଛି କଥା ଉଲ୍ଲେଖ ଅଛି।

ରଥଚକର ଅରକୁ ଶକ୍ତ କରି ଧରି ରଖିବାପାଇଁ ଅରକଣ୍ଟା, ତୁମ୍ବକୁ ଶକ୍ତ କରିବାପାଇଁ ତାହାର ଦୁଇ ପାଖରେ ବଳା ଏବଂ ତୁମ୍ବର ଅରନାଳିକୁ ଅରପାଇଁ ଶକ୍ତ ଓ ସ୍ୱଚ୍ଛନ୍ଦ କରିବା ନିମନ୍ତେ ପନ୍ଦାରି ଆଦି ଏହି ସେବକ ତିଆରି କରି ଯୋଗାଇଥାଆନ୍ତି। ଏହିପରି ଭାବରେ ଭଉଁରୀ ପୂର୍ବରୁ ତିନିରଥର ଛଅଟି ଚକର ନିର୍ମାଣ ସଂପୂର୍ଣ୍ଣ ହୋଇ ଭଉଁରୀ ଦିନ ଚକଡେରା ଅନୁକୂଳ ହୋଇଥାଏ। ଏଥିପାଇଁ ସେଦିନ ଏହି ସେବକଙ୍କୁ ଶାଢ଼ି, ଲଡୁ, ନଡ଼ିଆ ଓ ଅନ୍ୟ ପ୍ରାପ୍ୟ ସହିତ ଝଡ଼େଇନଦା ତାଡ଼ ମିଳିଥାଏ। ରଥ ଭଙ୍ଗାରେ ବିଭିନ୍ନ ରଥାଙ୍ଗ ଯଥା- କୁଡୁକା, ଦୁଆରବଡ଼ା, ପଟୋଳ ବଡ଼ା, କଳସପଟା ଓ ଦୁଆର ବଶିଆ ଆଦି ମିଳେ।

ପ୍ରତିବର୍ଷ ରଥ ନିମନ୍ତେ ଓଝା ମହାରଣା ବା କମାରକଣ୍ଟା ନାୟକ ପ୍ରସ୍ତୁତ କରି ଦେଉଥିବା ଲୁହାସମଗ୍ରୀର କିସମ ବିବିଧ ଓ ବିଚିତ୍ର । କେବଳ ନାମକରଣରୁ ରଥରେ ସେ ସବୁର ଆବଶ୍ୟକତା ଓ ଉପଯୋଗିତା ବୁଝିବା ସମ୍ଭବ ନୁହେଁ।

ତେବେ ପ୍ରତ୍ୟକ୍ଷ ସୂତ୍ରର ତଥ୍ୟ ଆଧାରରେ ବିଶିଷ୍ଟ ପ୍ରବାଚିକା ଓ ଗବେଷିକା ଡକ୍ଟର ତୁଳସୀ ଓଝା ତାଙ୍କର ପ୍ରକାଶମୁଖୀ ‘ରଥ ସଂହିତା’ ପୁସ୍ତକରେ ଏ ବାବଦରେ ଅନେକ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ‘‘ଉପରୋକ୍ତ କଣ୍ଟାଗୁଡ଼ିକ ମଧ୍ୟରୁ ଅରକଣ୍ଟା ଅରଦେହରେ ବା ସିଙ୍ଗଡ଼ାରେ ବାଡ଼ିଆଯାଏ। କତରାକଣ୍ଟା ଗୁଡ଼ିକ ରଥର ସମ୍ମୁଖ ଭାଗକୁ ବାହାରିଥାଏ। ଧମକ କଣ୍ଟା ତିନିରଥର ସିଂହାସନରେ ବାଡ଼ିଆ ଯାଇଥାଏ। ତାଗକଣ୍ଟା ପିଣ୍ଡିତାଳରେ ଓ ଗଣ୍ଠିଉପରପଟା ବାଡ଼ିଆରେ ବ୍ୟବହୃତ ହୋଇଥାଏ। ପନ୍ଦାରିଗୁଡ଼ିକ ତୁମ୍ବର ଭିତର ପାର୍ଶ୍ୱରେ ଲାଗିଥାଏ। ପନ୍ଦାରି ଚାବି ଅଖର ବାହାର ପଟୁ ଜାବୁଡ଼ି ଧରିବାରେ ବ୍ୟବହୃତ ହୁଏ। ଘଡ଼ି ମୁହଁ ବିଡ଼ିଆ ତୁମ୍ବ ବାହାରେ ଲଗାଯାଏ। ତିନିରଥର ଦଣ୍ଡା ଉପରେ ଗରଗରା ବାଡ଼ିଆ ହୁଏ। ଗରଗରା ଧମକ ବାଡ଼ିଆ ପରେ ରଥର ଚାରିନାହାକା ଉଠିଥାଏ। ରଥର ପିଣ୍ଡି ନିର୍ମାଣରେ ଗୟଳ କଣ୍ଟା ଓ ଛନ୍ଦ ଗୟଳ କଣ୍ଟା ଦରକାର ହୁଏ। ଏହାର ଚାରିପାଖରେ ବାନ୍ଧେଣି ପାଇଁ ଯୋଖାକଣ୍ଟା ଦରକାର ହୁଏ। ସେହିପରି ଚାରି ନାହାକାକୁ ବାନ୍ଧି ରଖିବାପାଇଁ ଦେଢ଼ଶହରୁ ଊଦ୍ଧ୍ଵର୍ କଇଁଚି କଣ୍ଟା ବ୍ୟବହାର ହୁଏ। ଭୂଇଁ ଓ ଓରାକଣ୍ଟା ଗୁଡ଼ିକ ଚାରିନାହାକା ଉପରେ ଭୂଇଁରେ ବାଡ଼ିଆ ଯାଏ। ଚାରମାଳ ବାନ୍ଧିବାପାଇଁ ତିନିରଥର ସାମ୍ନାରେ ୧୫ ଗୋଟି ଚାର ପରିଛା କଣ୍ଟା ବ୍ୟବହାର ହୋଇଥାଏ। ରଥର ପ୍ରଥମ ଓ ଦ୍ଵିତୀୟ ଭୂଇଁ ମଝିରେ ୫୦ରୁ ଅଧିକ ବାହୁଟି ଫାଳିଆ କଣ୍ଟା ଲଗାଯାଏ। ସିଂହାସନ ତଳେ ତିନିଟି ଯାକ ରଥରେ ଛଅଗୋଟି ସିଂହାସନ ରାୟ କଣ୍ଟା ଏବଂ ସିଂହାସନ ଚାରିପାଖରେ ଛଅଟି ଜଗଦଭୂଷଣ ଶେଣି କଣ୍ଟା ଲଗାଯାଏ। ସିଂହାସନ ଓ ଧମକରେ ଭାରସାମ୍ୟ ରକ୍ଷାପାଇଁ ୩୦ଗୋଟି ସିଂହାସନ ଗୁଣ୍ଠିର ଆବଶ୍ୟକତା ରହିଥାଏ। ତିନିରଥର ପାର୍ଶ୍ୱଦେବତାଙ୍କୁ ଧରି ରଖିବାପାଇଁ ୫୦ ଗୋଟି ଅନ୍ଧାରି ତାଗ ଏବଂ ଦୁଆର ବେଢ଼ାକୁ ବାନ୍ଧି ରଖିବାପାଇଁ ଧ୍ୱଜବତା କଣ୍ଟାର ଆବଶ୍ୟକତା ପଡ଼ିଥାଏ।’’

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ତିନି ବାଡ଼ର ମୁଖ୍ୟ ଓଝା ମହାରଣା ସେବକ ତିନିଟି କମାରଶାଳରେ ଏହିସବୁ ଲୌହ ଉପକରଣ ପ୍ରସ୍ତୁତ କରିଥାଆନ୍ତି। ସେସବୁ ମଧ୍ୟରେ ୩୫ ପ୍ରକାରର କଣ୍ଟା ଓ ଅନ୍ୟ ସାମଗ୍ରୀ ଥାଏ। ପ୍ରାୟ ସାଢ଼େ ଚାରିଫୁଟ ଲମ୍ବର ଜଙ୍ଗା କଣ୍ଟା ମଧ୍ୟ ରହିଥାଏ।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର