ପଣ୍ଡିତ ସଦାଶିବ ରଥଶର୍ମାଙ୍କ ରଥ-ଛତିଶା ନିଯୋଗର ସେବା ବିବରଣୀରେ କୋଠସୁଆଁସିଆ ସେବାର କ୍ରମ- ୩୦। କିନ୍ତୁ ସେବାର ସ୍ୱରୂପରୁ ସୂଚିତ ଯେ ଏହାଙ୍କ ସେବା ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ଏବଂ ଅନ୍ୟାନ୍ୟ ପୀଠ ପର୍ଯ୍ୟନ୍ତ ପ୍ରଲମ୍ବିତ।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀମନ୍ଦିର ସ୍ୱତ୍ଵଲିପିର କ୍ରମ- ୭୨ରେ ଏହି ସେବକଙ୍କର ସେବା ଓ ପ୍ରାପ୍ୟ ଆଦିର ବିବରଣୀ ଉଲ୍ଲେଖ ଅଛି। କୁହାଯାଇଛି- ‘‘ପର୍ବପର୍ବାଣୀରେ ଯେତେ ଘର ତାହା ତୟାର କରିବା, ବିଜେ ଇତ୍ୟାଦିରେ ଚାନ୍ଦୁଆ ବାନ୍ଧିବା, ଚାରମାଳ ପକାଇବା, ସ୍ନାନବେଦୀ ଧୋ ପଖାଳ (ଧୌତ ପ୍ରକ୍ଷାଳନ)କରିବା, ରଥ ଉପରକୁ ଚାଙ୍ଗଡ଼ା (ଠାକୁରମାନଙ୍କ ପୂଜା ସାମଗ୍ରୀ ବା ପରିଧାନ ଆଦି ରଖାଯିବା ତାଟ ବା ଡାଲା) ଓ ଭଣ୍ଡାର ସିନ୍ଦୁକ ନେବା ଆଣିବା, ଖଟ ଶେଯ ଗୁଣ୍ଡିଚା ଘରକୁ ଓ ଗୁଣ୍ଡିଚାଘରୁ ମନ୍ଦିରକୁ ବୋହିବା ଏମାନଙ୍କ କାମ।’’
ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ ଯେ ତିନିରଥରେ ଠାକୁରମାନେ ନବଦିନ ଯାତ୍ରାରେ ଗୁଣ୍ଡିଚାଘରକୁ ଯିବା ପୂର୍ବରୁ ଶ୍ରୀମନ୍ଦିର ପରିସରର ସ୍ନାନବେଦୀ ନିକଟ ଚାହାଣୀ ମଣ୍ଡପଠାରେ ଯେଉଁ ପ୍ରତିଷ୍ଠା ହୋମ ହୋଇଥାଏ, ସେଥିରେ ତିନିରଥର ଧ୍ୱଜପୂଜା ହୁଏ ଏବଂ ସେହି ଧ୍ୱଜତ୍ରୟକୁ ଆଣି ତିନି ରଥରେ ସ୍ଥାପନା କରାଯାଏ। ସେହି ଧ୍ୱଜର ଚାନ୍ଦୁଆ ମଧ୍ୟ ଏହି ସେବକ ବାନ୍ଧିଥାଆନ୍ତି।
ସ୍ୱତ୍ଵଲିପି ଅନୁସାରେ- ଏ ସେବକ ଦୋଳପୂର୍ଣ୍ଣିିମାରେ ବାଟଘର ତିଆରି କରନ୍ତି ଏବଂ ଦୋଳବେଦୀରେ ଓ ବେଣ୍ଟ ବିନ୍ଧା (ଶିକାର) ନୀତିରେ ଚାନ୍ଦୁଆ ବାନ୍ଧନ୍ତି। ଚକ୍ରବୁଲା ଏକାଦଶୀରେ ଶ୍ରୀକ୍ଷେତ୍ରର ଚାରି ଆଶ୍ରମରେ ଏବଂ ବଳଭଦ୍ର ଜନ୍ମ ନୀତିରେ ଚାନ୍ଦୁଆ ବାନ୍ଧିବା ସହିତ, କୃଷ୍ଣଜନ୍ମରେ ଦୋଳି ବାନ୍ଧନ୍ତି। କାଳୀୟ ଦଳନ ଓ ସପ୍ତପୁରୀ ଅମାବାସ୍ୟାରେ ମଧ୍ୟ ଏମାନଙ୍କର ସେବା ଥାଏ। ଷୋଳପୂଜାରେ ଦେବୀମାନଙ୍କ ନିକଟରେ ଛାମୁଣ୍ଡିଆ କରିବା ସହିତ ବିମଳାଙ୍କ ସାମ୍ନାରେ ଛାମୁଣ୍ଡିଆ ଓ ଶଙ୍ଖୁଡ଼ି ଭୋଗ ରୋଷଘର ତିଆରି କରନ୍ତି। ଗରୁଡ଼ଙ୍କ ନିକଟରେ କାର୍ତ୍ତିିକ ମାସରେ ଖୁଆଡ଼ଘର ମଧ୍ୟ ତିଆରି କରନ୍ତି। ଭୋଗ ମାରା ହେଲେ ଏମାନେ ଗାତ ଖୋଳି ସମସ୍ତ ଭୋଗଦ୍ରବ୍ୟ ପୋତନ୍ତି।
ଏସବୁ ବ୍ୟତୀତ ରଥ ଓ ରଥଯାତ୍ରା ସଂପର୍କିତ ଏମାନଙ୍କର ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟରେ ରହିଛି- ଚନ୍ଦନ ଅନୁକୂଳର ଚାନ୍ଦୁଆ ବନ୍ଧା ଓ ହୋମଘର ପ୍ରସ୍ତୁତି, ରୁକ୍ମିଣୀ ବିବାହର ଚାନ୍ଦୁଆ ବନ୍ଧା, ସ୍ନାନବେଦୀର ଧୌତପ୍ରକ୍ଷାଳନ ଓ ଚାନ୍ଦୁଆବନ୍ଧା, ଅଣସର ବେଦୀର କନକମୁଣ୍ଡି ପ୍ରସ୍ତୁତି, ରଥର କଳସ ଲଦା ଇତ୍ୟାଦି। ସ୍ନାନ ପୂର୍ଣ୍ଣିିମା ପହଣ୍ଡିପାଇଁ ରତ୍ନ ସିଂହାସନରେ ଚାରମାଳ ବାନ୍ଧିବା, ବାହୁଡ଼ା ପହଣ୍ଡିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହାସନରେ ଚାରମାଳ ବାନ୍ଧିବା ଏବଂ ନୀଳାଦ୍ରି ବିଜେ ନୀତିପାଇଁ ରତ୍ନସିଂହାସନରେ ଚାରମାଳ ବାନ୍ଧିବା ମଧ୍ୟ ଏମାନଙ୍କର ସେବାର ଅନ୍ତର୍ଭୁକ୍ତ। ନବକଳେବର ବର୍ଷରେ ପାତାଳୀ ଦେବତା ଆଦିଙ୍କପାଇଁ ଭୂମିଭଣ୍ଡାର ପ୍ରସ୍ତୁତି ବା ସମାଧି ଖୋଳା କାମ ମଧ୍ୟ ଏହି କୋଠସୁଆଁସିଆ ସେବକ କରିଥାଆନ୍ତି। ରଥ ମଣ୍ଡଣିରେ ଏହି ସେବକ ସକ୍ରିୟ ସହଯୋଗ ଦେଇଥାଆନ୍ତି।
ଏସବୁରୁ ସୂଚିତ ଯେ ରଥଭୋଇ ସେବକ ମୁଖ୍ୟତଃ ବାହାରର ଛାମୁଣ୍ଡିଆ ଓ ରଥ ନିର୍ମାଣ ଆଦି କାର୍ଯ୍ୟରେ ନିୟୋଜିତ ହେଉଥିବାବେଳେ, ଏମାନେ ବାହାର ଓ ଭିତରର ପ୍ରମୁଖ ଛାମୁଣ୍ଡିଆ ତିଆରି, ତାଟିବନ୍ଧା, ଚାରମାଳ ବନ୍ଧା ଆଦି ସହିତ ଅନେକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ କରିଥାଆନ୍ତି। ଅଣସର ଘରର ଚକାଗଡ଼ା ଓ ତାଟି ବନ୍ଧା ଓ ତାଟି ଫିଟା, ନବକଳେବର ବର୍ଷରେ କୋଇଲି ବୈକୁଣ୍ଠରେ ଅସ୍ଥାୟୀ ଘର ନିର୍ମାଣ ଓ ଚାନ୍ଦୁଆ ବନ୍ଧା ଇତ୍ୟାଦି କାମ ମଧ୍ୟ ଏହାର ଅନ୍ତର୍ଭୁକ୍ତ।
ଏହି ସେବା ବଂଶାନୁକ୍ରମିକ। ଏ ସେବକ ଶୂଦ୍ର ଚଷା ସେବକ ଏବଂ ଶାଢ଼ିବନ୍ଧା ନୁହନ୍ତି ବୋଲି ସ୍ୱତ୍ଵଲିପିରେ ଉଲ୍ଲେଖ ଅଛି।
-ଅସିତ ମହାନ୍ତି