ମହାଖଳା ପାଇକ, ନାହାକା ବସାଣ ଓ ଓଳମ ଭେଣ୍ଡିଆ

0 38

ପଣ୍ଡିତ ସଦାଶିବ ରଥଶର୍ମା ତାଙ୍କ ରଥ-ଛତିଶା ନିଯୋଗ ସେବା ବିବରଣୀରେ ‘ମହାଖଳା ପାଇକ’ ନାମରେ ଏକ ସେବାର ଉଲ୍ଲେଖ କରିଛନ୍ତି। ତାଙ୍କ ତାଲିକାର କ୍ରମ-୧୭ରେ ଏହି ସେବା ସ୍ଥାନିତ ହୋଇଛି। ସେହି ବିବରଣୀ ଅନୁସାରେ, ମହାଖଳା ପାଇକ ମହାଖଳା ବା ରଥଖଳାର ସମସ୍ତ ଦ୍ରବ୍ୟ ଯୋଗାନ୍ତି।

ସେହିପରି ଅନ୍ୟ କେତେକ ତାଲିକାରେ ‘ନାହାକା ବସାଣ’ ଓ ‘ଓଲମ ଭେଣ୍ଡିଆ’ ନାମରେ ଅନ୍ୟ ଦୁଇଟି ସେବାର ଉଲ୍ଲେଖ ରହିଛି। ନାହାକା ବସାଣ ସେବା ବାବଦରେ କୁହାଯାଇଛି- ଏହି ସେବକ ରଥରେ ବସୁଥିବା ବିଭିନ୍ନ ସ୍ତରର ନାହାକା ବା ଖୁଣ୍ଟ ବସାଣ କାର୍ଯ୍ୟ କରିଥାନ୍ତି।

‘ଓଳମ ଭେଣ୍ଡିଆ’ ସେବା ସଂପର୍କରେ ମଧ୍ୟ କୁହାଯାଇଛି- ରଥ ନିର୍ମାଣ ସମୟରେ ବିଭିନ୍ନ ଖୁମ୍ବ- ଯଥା ଚାରିନାହାକାଠାରୁ ଆରମ୍ଭ କରି ଷୋଳ ନାହାକା ପର୍ଯ୍ୟନ୍ତ କାଠଖଞ୍ଜା କାମକୁ ଓଳମ ଧରି ଏମାନେ ନିୟନ୍ତ୍ରଣ କରିଥାନ୍ତି। ଏହା ଫଳରେ ନାହାକାଗୁଡ଼ିକ ସିଧା ଭାବରେ ଖଞ୍ଜା ହୋଇ ପାରିଥାଏ। ତେବେ ଏହି ‘ନାହାକା ବସାଣ’ ଓ ‘ଓଳମ ଭେଣ୍ଡିଆ’ ସେବା ମହାରଣାଙ୍କ କାମର ପରିସରଭୁକ୍ତ ହୋଇଥିବାରୁ ଏବେ ରଥରେ ଏହି ସେବା ନଥିବା ଜଣାଯାଏ। ଏଣୁ ଏହାକୁ ସ୍ୱତନ୍ତ୍ର ସେବା ଭାବରେ ଉଲ୍ଲେଖ କରିବାର କୌଣସି ପ୍ରାସଙ୍ଗିକତା ଥିବା ମନେ ହୁଏନାହିଁ।

‘ମହାଖଳା ପାଇକ’ ବାବଦରେ ଅନୁଧ୍ୟାନ କଲେ, ଏହି ସେବା ମଧ୍ୟ ଏବେ ଥିବା ଜଣାଯାଏ ନାହିଁ। ଶ୍ରୀମନ୍ଦିର ସ୍ୱତ୍ଵଲିପିରେ ‘ପାଇକ’ ଓ ‘ବେଣ୍ଟବିନ୍ଧା ପାଇକ’ ନାମରେ ଦୁଇଟି ସେବାର ଉଲ୍ଲେଖ ଅଛି। ଏହା ଯଥାକ୍ରମେ କ୍ରମ-୪୪ ଓ କ୍ରମ- ୯୨ର ସେବା।

‘ପାଇକ’ସେବା ବାବଦରେ ସ୍ୱତ୍ଵଲିପିରେ ଉଲ୍ଲେଖ ଅଛି- ଏହି ସେବକ ପରସ୍ପର ପାଳି କରି ଦିବରାତ୍ର ମନ୍ଦିରରେ ଉପସ୍ଥିତ ରହିବେ ଏବଂ ଦଳାଇ ଓ ଦଳବେହେରାଙ୍କ ନିର୍ଦ୍ଦେଶମତେ କାମ କରିବେ। ଯେତେବେଳେ ଯେଉଁ ସେବକଙ୍କର ଦରକାର ପଡ଼ିବ, ପାଇକମାନେ ସଂପୃକ୍ତ ସାହିକୁ ଯାଇ ସେହି ସେବକଙ୍କୁ ଡାକିଆଣି ସେବାରେ ହାଜର କରାଇବେ। ସେହିପରି ‘ବେଣ୍ଟବିନ୍ଧା ପାଇକ’ ବାବଦରେ ଉଲ୍ଲେଖ ଅଛି, ଏହି ସେବକ ଶ୍ରୀମନ୍ଦିରର ଅନ୍ୟାନ୍ୟ ନୀତି ସହିତ ବେଣ୍ଟବିନ୍ଧା (ଶିକାର) ନୀତିରେ ଧନୁଶର ଧରି ମୃଗ ଜ୍ଞାନରେ ରଖାଯାଇଥିବା ପଇଡ଼କୁ ତୀର ବିନ୍ଧନ୍ତି। ଏହାସହିତ ପ୍ରତିଦିନ ଆରତି ପୂର୍ବରୁ ଶ୍ରୀମନ୍ଦିରକୁ ଆସି ପାଳିଆ ସେବକମାନଙ୍କୁ ସେବା ଖଟିବାକୁ ଡାକନ୍ତି। ‘‘ଏ ସେବକ ପାଇକମାନଙ୍କ ଦଳବେହେରା ରୂପେ ଡାକି ଆଣିବ ଓ ସେବାରେ ଖଟାଇବ’’ ବୋଲି ଉଲ୍ଲେଖ ଅଛି।

ସମ୍ଭବତଃ ପୂର୍ବରୁ ‘ମହାଖଳା ପାଇକ’ ଏହି ଧରଣର ଏକ ସେବା ଥିଲା। କିନ୍ତୁ ସଦାଶିବ ରଥଶର୍ମାଙ୍କ ବିବରଣୀରେ ଏହାଙ୍କ ସେବା ମହାଖଳାର ଦ୍ରବ୍ୟ ଜଗାଳି ଭାବରେ ଉଲ୍ଲେଖ କରାଯାଇଛି। କିନ୍ତୁ ଶ୍ରୀମନ୍ଦିରର ଅନ୍ୟ କେତେକ ପାଇକ ସେବା ପରି ଏବେ ରଥରେ ଏ ସେବା ନାହିଁ।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର

Leave A Reply

Your email address will not be published.