ଚିତ୍ରକାର ସେବକ: ବନକ, ପଟି ଓ ରଥଚିତ୍ର

ରଥ-ଛତିଶା ନିଯୋଗ ସେବା ବିବରଣୀରେ ‘ଚିତ୍ରକାର’ ଏକ ଗୁରୁତ୍ଵପୂର୍ଣ୍ଣ ସେବା। ‘କର୍ମାଙ୍ଗୀ ମାଦଳା’ ଓ ଶ୍ରୀମନ୍ଦିର ସ୍ୱତ୍ଵଲିପିରେ ଏହାର ଉଲ୍ଲେଖ ଅଛି। ରଥର ଏବଂ ବିଭିନ୍ନ ମନ୍ଦିର ଓ ମଣ୍ଡପ ଆଦିର ବନକ (ରଙ୍ଗ) ଓ ଚିତ୍ର ଏମାନଙ୍କର ସେବା ବୋଲି କୁହାଯାଇଛି। ରଥ-ଛତିଶା ନିଯୋଗର କ୍ରମ-୨୩ରେ ଏହାଙ୍କୁ ସ୍ଥାନିତ କରାଯାଇ ପାରିବ।

୨୩. ଚିତ୍ରକାର: ‘କର୍ମାଙ୍ଗୀ ମାଦଳା’ର କ୍ରମ-୭୦ରେ ଏହି ସେବାର ବିବରଣୀ ଲିପିବଦ୍ଧ ଅଛିା ଏହାକୁ ‘ନିଯୋଗ’ କୁହାଯାଇଛି। ସେହି ବିବରଣୀ ଅନୁସାରେ, ‘‘ଏ ନିଯୋଗ ରଥ, ଚାପ ଆଦି ସକଳ ବାହାର ବନକ କରିବେ। ବିଜେ ପ୍ରତିମାଙ୍କ ବନକ ଘୋରି ନିତ୍ୟାନି ରଖିବେ। ପାରୁଶ ଦେବତାଙ୍କୁ ବରଷ ପ୍ରତି ଯେ ଯେ ଦିନ ଯୋଗାଇ ସମୁଛା ବନକ କରିବେ। କନ୍ଦର୍ପ ପଟି ଦେବେ। ଦଶଅବତାର ପଟି ଦେବେ। ରେଖା ଆଦି ଦେବେ। ପରମେଶ୍ୱରଙ୍କ ଅଣସର ତାଟିକୁ ୩ବାଡ଼େ ବାସୁଦେବ, ନାରାୟଣ, ମହାଲକ୍ଷ୍ମୀ ପଟି ଦେବେ। ରେଖା ପଞ୍ଚମୀକୁ ପଶ୍ଚିମ ଦୁଆର ଗବାକ୍ଷ, ରୋଷକୋଠି ଆବରଯାକ ଚିତ୍ର କରିବେ। ପରମେଶ୍ୱର ମହାଶ୍ରମଙ୍କ ଅଙ୍ଗିଲା ଯେତେ ଚିତ୍ର ଆଦିର ଆବଶ୍ୟକ ଥିବ ସେ ସକଳ ବନକ କରିବେ।’’

ଶ୍ରୀମନ୍ଦିର ସ୍ୱତ୍ଵଲିପିରେ ଏହି ସେବାର କ୍ରମ-୮୭ ଏବଂ ତାହାର ସେବା ବିବରଣୀ ଅନୁସାରେ, ଏ ସେବକ ରୁକ୍ମିଣୀ ହରଣପାଇଁ ମାଜଣା ମଣ୍ଡପ, ସ୍ନାନ ପୂର୍ଣ୍ଣିିମାପାଇଁ ସ୍ନାନମଣ୍ଡପ, ଝୁଲଣପାଇଁ ଝୁଲଣ ମଣ୍ଡପ, ଷୋଳପୂଜାପାଇଁ ବିମଳାଙ୍କ ମନ୍ଦିର, ଚନ୍ଦନଯାତ୍ରାପାଇଁ ଚନ୍ଦନ ମଣ୍ଡପ ଆଦିରେ ଚିତ୍ର ଆଙ୍କନ୍ତି। ଏହା ବ୍ୟତୀତ ଶ୍ରୀକୃଷ୍ଣ ଓ ବାମନ ଜନ୍ମର ପଟି, ଦୟଣା ଚୋରି ନୀତିର କନ୍ଦର୍ପ ପଟି ଇତ୍ୟାଦି ଏହି ସେବକ ଅଙ୍କନ କରିଥାଆନ୍ତି। କିନ୍ତୁ ଅଣସର ନୀତିରେ ଏହି ସେବକଙ୍କର ସବୁଠୁ ଗୁରୁତ୍ଵପୂର୍ଣ୍ଣ ସେବା ହେଉଛି- ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଏବଂ ଶ୍ରୀପତିତପାବନଙ୍କ ଅଣସର ପଟି। ଶ୍ରୀ ରଥଶର୍ମା ତାଙ୍କ ରଥ-ଛତିଶା ନିଯୋଗ ସେବା ତାଲିକାର କ୍ରମ-୨୧ରେ ‘ଚିତ୍ରକାର ମହାରଣା’ ସେବାର ଉଲ୍ଲେଖ କରି, ଏମାନେ ‘‘ରଥଚିତ୍ର କରନ୍ତି’’ ବୋଲି କହିଥିବାବେଳେ କ୍ରମ- ୩୭ରେ ‘ପଟି ଚିତ୍ରକାର’ ନାମରେ ଏକ ସ୍ୱତନ୍ତ୍ର ସେବାର ଉଲ୍ଲେଖ କରିଛନ୍ତି। କିନ୍ତୁ ‘କର୍ମାଙ୍ଗୀମାଦଳା’ ଓ ସ୍ୱତ୍ଵଲିପିରେ ଏହାକୁ ଭିନ୍ନଭିନ୍ନ ଭାବେ ଦର୍ଶାଯାଇନାହିଁ। ଏଣୁ ରଥଚିତ୍ରକାର ଓ ପଟିଚିତ୍ରକାର ଗୋଟିଏ ସେବା।

ସ୍ୱତ୍ଵଲିପି ଅନୁସାରେ ଏ ଶାଢ଼ିବନ୍ଧା ସେବକ ଏବଂ ଏହାଙ୍କ ସେବା ବଂଶାନୁକ୍ରମିକ। ପାରମ୍ପରିକ ଭାବରେ ଏହି ସେବକ ଶ୍ରୀମନ୍ଦିର ସଂଲଗ୍ନ କାର୍ଯ୍ୟାଳୟଠାରେ ସ୍ନାନପୂର୍ଣ୍ଣମୀଠାରୁ ରଥର ପାର୍ଶ୍ୱ ଦେବଦେବୀ, ସାରଥି, ଘୋଡ଼ା, ସଖୀ ଓ ଶୁଆ ଆଦିଙ୍କର ବନକ ବା ରଙ୍ଗକାମର ଅନୁକୂଳ କରିଥାଆନ୍ତି। ଏହା ପ୍ରାୟ ରଥଯାତ୍ରାର ପୂର୍ବଦିନ ସୁଦ୍ଧା ଶେଷ ହୋଇଥାଏ। ରଥର ଚକ ଠାରୁ ଆରମ୍ଭ କରି କନ୍ୟାପଟା, ହଂସପଟା, ଋଷିପଟା ଓ ଠେକରା ବାଡ଼ ସମେତ, ରୂପକାର ଖୋଦନ କରିଥିବା ରଥର ରୂପକାମ ଆଦିର ରଙ୍ଗ ଓ ଚିତ୍ରକାମ ଏମାନେ କରନ୍ତି ଓ କରାନ୍ତି। ପାର୍ଶ୍ୱଦେବଦେବୀଙ୍କର ଆସ୍ଥାନ ଭାବରେ ଚିହ୍ନିତ ଶିଖରଡମ୍ବରୁର ରଙ୍ଗ ଓ ଚିତ୍ରକାମ ମଧ୍ୟ ଏମାନେ କରିଥାନ୍ତି। ଏଥିରେ ପାରମ୍ପରିକ ରଙ୍ଗ ବ୍ୟବହାର ହେବାର ବିଧି ରହିଥିଲେ ମଧ୍ୟ ସଂପ୍ରତି ବଜାରରେ ମିଳୁଥିବା ରଙ୍ଗ ବ୍ୟବହାର ହେବା ପରିଲକ୍ଷିତ ହେଉଛି। କିନ୍ତୁ ପଟିଦିଅଁମାନଙ୍କର ଅଙ୍କନ ହିଙ୍ଗୁଳ, ହରିତାଳ, ଗେରୁ, ଶଙ୍ଖଧଳା ଓ ଷଢ଼େଇପୋଡ଼ା କଳାରେ କରାଯାଉଛି।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର