ରଥର ଗାଈପଟା: ତତ୍ତ୍ୱ ଓ ତାତ୍ପର୍ଯ୍ୟ

ହଂସପଟି ପରି ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ- ତିନିଟି ଯାକ ରଥରେ ଗାଈପଟା ଥାଏ। ନିଜନିଜ ରଥର ଯେଉଁ ସିଂହାସନ (ଚକା) ଉପରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ବିଜେ କରନ୍ତି, ସେହି ସିଂହାସନର ତଳେ ଏହି ଗାଈପଟା ରହିଥାଏ। ଏହା ଚିତ୍ରିତ ହୋଇଥାଏ ଶଙ୍ଖଧବଳ ରଙ୍ଗରେ।

ବେଦରେ ଯେଉଁ ତିନିଟି ବର୍ଗର ପଶୁଙ୍କ ସହିତ ମନୁଷ୍ୟ ସମାଜର ସଂପର୍କ ବିଶେଷ ଭାବରେ ବର୍ଣ୍ଣିିତ ହୋଇଛି, ତାହା ହେଉଛି- ଗୋ-ବର୍ଗ, ଅଶ୍ୱ-ବର୍ଗ ଓ ଶ୍ୱ-ବର୍ଗ। ଗୋ-ବର୍ଗ ଗାଈ ଜାତୀୟ ପ୍ରାଣୀ, ଅଶ୍ୱ-ବର୍ଗ ଘୋଡ଼ା ଜାତୀୟ ପ୍ରାଣୀ ଏବଂ ଶ୍ୱ-ବର୍ଗ ଶ୍ୱାନ ଜାତୀୟ ପ୍ରାଣୀ। ଗୋ-ବର୍ଗ ସ୍ତନ୍ୟଦାନକାରୀ। ସେମାନେ ମାତୃବତ୍‌ ସ୍ନେହଶୀଳା ଓ ପାଳନକର୍ତ୍ତ୍ରୀ। ସେଥିପାଇଁ ବୈଦିକ ସାହିତ୍ୟରେ ମାତାଙ୍କ ସହିତ କେବଳ ଏହି ସ୍ତନ୍ୟଦାନକାରୀ ପଶୁମାନଙ୍କୁ ତୁଳନା କରାଯାଇଛି। ଗାଈଙ୍କୁ କୁହାଯାଇଛି- ଶିଶୁଙ୍କର ମାତା, ତରୁଣଙ୍କର ଭଗିନୀ ଓ ବୃଦ୍ଧଙ୍କର ପୁତ୍ରୀ।

‘ଶ୍ରୀମଦ୍‌ଭାଗବତ’ର ପୃଥୁ ପ୍ରସଙ୍ଗ ଏହାର ଏକ ପରିବ୍ୟାପ୍ତ ଦୃଷ୍ଟାନ୍ତ। ବେଣ ରାଜାଙ୍କ ମୃତ୍ୟୁପରେ ଧରାରେ ଅରାଜକତା ଦେଖା ଦେଲା। କୌଣସି ରାଜା ନଥିବାରୁ ଧର୍ମର ପ୍ରତିଷ୍ଠା ହେଲାନାହିଁ। ଧରିତ୍ରୀ ଶସ୍ୟହୀନ ହୋଇଗଲା। ପରେ ପୃଥୁ ଜାତ ହେଲେ ଏବଂ ସେ ହେଲେ ରାଜା। ଧରିତ୍ରୀ ଦେବୀଙ୍କ ଅନୁରୋଧରେ ସେ ପୃଥିବୀକୁ ଗାଈ ରୂପରେ (କଳ୍ପନା କରି) ଦୋହନ କରିବାରୁ (ଦୁହିଁବାରୁ) ପୃଥିବୀଠାରୁ ଶସ୍ୟାଦି ଉତ୍ପନ୍ନ ହେଲା।

ଏହାର ସୁନ୍ଦର ବର୍ଣ୍ଣନା ଜଗନ୍ନାଥ ଦାସକୃତ ଓଡ଼ିଆ ଭାଗବତରେ ଅଛି। ଧରିତ୍ରୀଦେବୀ ପୃଥୁଙ୍କୁ ଅନୁରୋଧ କରି କହିଛନ୍ତି-
‘‘ତୁ ଏବେ ରକ୍ଷା କର ମୋତେ।
ଦୋହନ କର ତୁ ଯୁଗତେ।।
କ୍ଷରିବି ସର୍ବ ଶସ୍ୟ ମୁହିଁ।
ପ୍ରାଣୀ ଜୀବନ ଯେଣେ ରହି।।
ମୁଁ ସର୍ବ କାମଧେନୁ ରୂପେ।
କ୍ଷୀର ସ୍ରବିବି ଜନ ମୁଖେ।।
ତୁ ଏବେ ମୋତେ ରକ୍ଷାକର।
ଧନୁ ଆୟୁଧ ପରିହର।।
ସୁସମ କର ମୋର ଗାତ୍ର।
ମୁହିଁ ଯେସନେ ଶସ୍ୟକ୍ଷେତ୍ର।।
ସମ ହୋଇଲେ ମୋ ଶରୀର।
ବର୍ଷାରେ ପୂରି କ୍ଷୀର ଧାର।।
ସରସ ହୋଇ ମୋ ଶରୀର।
ଶସ୍ୟ ଉଠିବ ନିରନ୍ତର।।
ହୋଇବ ନାନା ରୂପେ ଧନ୍ୟ।
ଜନ୍ତୁଏ ଲଭିବେ ଜୀବନ।।’’
ଏହାପରେ ମନୁଙ୍କୁ ବତ୍ସା (ବାଛୁରୀ) କରି ପୃଥୁ ପୃଥିବୀକୁ ଦୋହନ କଲେ। ଓଡ଼ିଆ ଭାଗବତ ଅନୁସାରେ ତାହାର ଫଳ ହେଲା ଏହିପରି-
‘‘ଗର୍ଭେ ଯେ ଶସ୍ୟବୀଜ ଥିଲା।
କ୍ଷୀର ସଙ୍ଗତେ ସଂଚରିଲା।।
ଶସ୍ୟ ହୋଇଲା ଅପ୍ରମିତେ।
ପ୍ରଜାଏ ନେଲେ ଯେଝା ମତେ।।’’

ଏହା ସୂଚାଏ ଯେ ସନ୍ତାନ ଯେପରି ମାତୃସ୍ତନ୍ୟ ପାନକରି ପୁଷ୍ଟ ହୁଏ, ସେହିପରି ଶସ୍ୟ ହେଉଛି ଧରିତ୍ରୀମାତାର ସ୍ତନ୍ୟ। ତାହା ଦ୍ଵାରା ପ୍ରଜାମାନେ ପରିପାଳିତ ହୁଅନ୍ତି। ଏ ସଂପର୍କରେ ଅଧିକ ବର୍ଣ୍ଣନା ଦିଆଯାଇ ଭାଗବତରେ କୁହାଯାଇଛି- ପୃଥୁଙ୍କ ପରେ ମୁନିମାନେ ବୃହସ୍ପତିଙ୍କୁ, ଦେବତାମାନେ ଇନ୍ଦ୍ରଙ୍କୁ, ଦୈତ୍ୟମାନେ ପ୍ରହ୍ଲାଦଙ୍କୁ, ଗନ୍ଧର୍ବମାନେ ବିଶ୍ୱାବସୁଙ୍କୁ ଏବଂ ବିଦ୍ୟାଧର, ନାଗ, ପଶୁପକ୍ଷୀ, ବୃକ୍ଷଲତା ଆଦି ନିଜନିଜର ବତ୍ସାଙ୍କ ଦ୍ଵାରା ପୃଥିବୀକୁ ଦୋହନ କରି ନିଜନିଜର ଭୋଜ୍ୟ ବା ସ୍ତନ୍ୟ ପ୍ରାପ୍ତ ହେଲେ।

ତାତ୍ପର୍ଯ୍ୟପୂର୍ଣ୍ଣ ଯେ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସମୟ ହେଉଛି ପୃଥିବୀ ଶସ୍ୟଶାଳିନୀ ହେବାର ସମୟ। ଏଣୁ ତିନିରଥର ଦେବତାମାନଙ୍କର ସିଂହାସନ ତଳେ ଗାଈପଟା ଚିତ୍ରିତ ହେବାର ପ୍ରତୀକାତ୍ମକ ତାତ୍ପର୍ଯ୍ୟ ରହିଛି।

ଗାଈର ଏକ ତାତ୍ପର୍ଯ୍ୟପୂର୍ଣ୍ଣ ସଂପର୍କ ରଥ ସହିତ ମଧ୍ୟ ଅଛି। ଦେବୀ ଉଷା ଶହେଟି ରଥରେ ଆବିର୍ଭୂତା ହୁଅନ୍ତି ବୋଲି ବେଦରେ କୁହାଯାଇଛି। ସେ ସୁନ୍ଦରୀ ଓ ସୁହାସିନୀ। ତାଙ୍କର ହସ ସାରା ଜଗତକୁ ହର୍ଷରେ ଭରିଦିଏ। ଗୋ ଓ ଅଶ୍ୱର ଅଧିକାରିଣୀ ରୂପେ ସେ ଗୋମତୀ ଓ ଅଶ୍ୱବତୀ। ସେ ସାତଟି ଗାଈ ଟାଣୁଥିବା ରଥରେ ଗୋଲୋକ ପରିକ୍ରମା କରିଥାନ୍ତି। ବିଷ୍ଣୁ ଓ କୃଷ୍ଣଙ୍କର ଲୋକ ବା ଆସ୍ଥାନ ହେଉଛି ଗୋଲୋକ ଏବଂ ବିଷ୍ଣୁ ଓ କୃଷ୍ଣଙ୍କ ସହ ଶ୍ରୀଜଗନ୍ନାଥଙ୍କର ଅଭେଦତ୍ଵ କଳ୍ପନା କରାଯାଇଛି।

ଶ୍ରୀଜଗନ୍ନାଥଙ୍କ ବ୍ୟତୀତ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପ୍ରସଙ୍ଗକୁ ଆସିଲେ, ଦେଖାଯାଏ ଯେ ଦୁହିଁଙ୍କର ମାତା ରୋହିଣୀ ଏବଂ ରୋହିଣୀଙ୍କର ସଂପର୍କ ଗୋଗୋଷ୍ଠ ସହିତ ନିବିଡ଼। ପୁଣି ପୁରାଣ ପ୍ରସଙ୍ଗ ଅନୁସାରେ ଶ୍ରୀବଳଭଦ୍ରଙ୍କର ଜନ୍ମ ହୋଇଥିଲା ଗୋଗୋଷ୍ଠରେ।

ଏସବୁ ଦୃଷ୍ଟିରୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥର ସିଂହାସନ ତଳେ ଗାଈପଟି ବା ଗୋଗୋଷ୍ଠର ପରିକଳ୍ପନା ତାତ୍ତ୍ଵିକ ଦୃଷ୍ଟିରୁ ଅନେକ ତାତ୍ପର୍ଯ୍ୟ ରଖିଥାଏ।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର