ଶ୍ରୀଗୁଣ୍ଡିଚା ଯାତ୍ରା ଶ୍ରୀମନ୍ଦିରର ଏକମାତ୍ର ରଥଯାତ୍ରା ନୁହେଁ। ଆଷାଢ଼ ଶୁକ୍ଳ ଦ୍ଵିତୀୟାରେ ହେଉଥିବା ଏହି ପ୍ରମୁଖ ଯାତ୍ରା ବ୍ୟତୀତ ଶ୍ରୀମନ୍ଦିରରେ ଆହୁରି କେତୋଟି ରଥଯାତ୍ରାର ବିଧାନ ଅଛି। ସେଥିମଧ୍ୟରେ ରହିଛି ଆଶ୍ୱିନ ମାସର ଶ୍ରୀଦୁର୍ଗାମାଧବଙ୍କ ରଥ ଓ ଚୈତ୍ରମାସର ଶ୍ରୀସୂର୍ଯ୍ୟଦେବଙ୍କ ରଥ। ଚୈତ୍ର ଶୁକ୍ଳ ଷଷ୍ଠୀରେ ଶ୍ରୀମନ୍ଦିର ପରିସରରେ ସୂର୍ଯ୍ୟଦେବଙ୍କର ରଥଯାତ୍ରା ବା ସୌର-ରଥଯାତ୍ରା ହୋଇଥାଏ। ଏହାକୁ ‘ଚୈତ୍ରଗୁଣ୍ଡିଚା’ ବା ‘ସୌର-ଗୁଣ୍ଡିଚା’ କୁହାଯାଏ। ଏଥିରେ ଶ୍ରୀମନ୍ଦିର ବେଢ଼ାରେ ପୂଜିତ ସୂର୍ଯ୍ୟଦେବଙ୍କ ବିଜେ ପ୍ରତିମା ରଥରେ ବସି ଭିତର ବେଢ଼ା ପରିକ୍ରମା କରିଥାଆନ୍ତି। ସେହିପରି ଆଶ୍ୱିନ ମାସରେ ଶ୍ରୀବିମଳାଦେବୀଙ୍କ ଷୋଳପୂଜାର ଦ୍ଵିତୀୟ ଆଠଦିନ ଏକ ବିମାନରେ ଦୁର୍ଗା ଓ ମାଧବ ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିରକୁ ବିଜେ କରିଥାଆନ୍ତି। ଏହି ବିମାନ ରଥ ରୂପେ ବିବେଚିତ ହୁଏ। ଏହାକୁ ‘ଆଶ୍ୱିନ ଗୁଣ୍ଡିଚା’ ବା ‘ଶାକ୍ତ ଗୁଣ୍ଡିଚା’ ଏବଂ ନାରାୟଣୀ ମନ୍ଦିରକୁ ‘ଆଶ୍ୱିନ ଗୁଣ୍ଡିଚା ମଣ୍ଡପ’ କୁହାଯାଏ। ଏହାପରେ ଦଶହରା ଦିନ ଏକ ବିଜୟ ଉତ୍ସବରେ ଶ୍ରୀଦୁର୍ଗାମାଧବ ସେହି ବିମାନ-ରଥରେ ଦଶହରା ଖଳା (ଜଗନ୍ନାଥ ବଲ୍ଲଭ)କୁ ଯାତ୍ରା କରିଥାଆନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଶ୍ରୀମନ୍ଦିର ପରିସରରେ ଆଉ ଗୋଟିଏ ରଥଯାତ୍ରା ହୁଏ ନବକଳେବର ବର୍ଷରେ। ଏହା ହେଉଛି ନ୍ୟାସଦାରୁଙ୍କ ରଥଯାତ୍ରା। ବସ୍ତୁତଃ ଏହା ‘ଗୁପ୍ତ ଗୁଣ୍ଡିଚା’। କାରଣ ଶ୍ରୀମନ୍ଦିର ପରିସରରେ ଅତ୍ୟନ୍ତ ଗୋପନରେ ଏହି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିରର ଦୋଳବେଦୀ କୁଞ୍ଜଠାରେ ନିର୍ମିତ ହୋଇଥିବା ଏକ ରଥରେ ନ୍ୟାସଦାରୁ ଅବସ୍ଥାନ କରି ଆଷାଢ଼ କୃଷ୍ଣ ଦ୍ଵାଦଶୀ ରାତିରେ ଶ୍ରୀମନ୍ଦିର ବେଢ଼ାରେ ଶ୍ରୀମନ୍ଦିରକୁ ପରିକ୍ରମା କରନ୍ତି। ପତିମହାପାତ୍ର ସେବକ ଏଥିରେ ମୁଖ୍ୟଭୂମିକା ଗ୍ରହଣ କରନ୍ତି। ଦଇତା ସେବକମାନେ ଘଣ୍ଟ ବଜାଇବା, ଆଲଟ ଚାମର ତରାସ ଏବଂ ମଶାଲ ଆଦି ଧରିବା ସହିତ ଏହି ରଥକୁ ଟାଣିଥାଆନ୍ତି। ଏହି ନ୍ୟାସଦାରୁ ରଥର ଆବରଣ ଶ୍ରୀଜଗନ୍ନାଥଙ୍କ ରଥ ପରି ପୀତ ଓ ଲୋହିତ ରଙ୍ଗର ହୋଇଥାଏ।
ଏହିସବୁ ରଥ ଓ ବିମାନ ଗୁଡ଼ିକର ମଣ୍ଡଣି ନିମନ୍ତେ ଏକ ସ୍ୱତନ୍ତ୍ର ସେବା ଅଛି। ଏହି ସେବାକୁ ରଥ-ଛତିଶା ନିଯୋଗରେ ନିମ୍ନ କ୍ରମରେ ଉପସ୍ଥାପିତ କରାଯାଇ ପାରିବ।
୨୬. ମଣ୍ଡଣି ସେବା: ଶ୍ରୀମନ୍ଦିର ସ୍ୱତ୍ଵଲିପିରେ ଏହି ସେବା ବାବଦରେ ‘‘ପ୍ରତ୍ୟେକ ରଥମଣ୍ଡଣି ଏହାଙ୍କ କାମ’’ ବୋଲି ଉଲ୍ଲେଖ ଅଛି। କୋଠସୁଆଁସିଆଙ୍କ ସହଯୋଗରେ ମଣ୍ଡଣି ସେବକ ଏହି ରଥମଣ୍ଡଣି କରନ୍ତି ବୋଲି କୁହାଯାଇଛି। ଏହା ମଧ୍ୟ ଉଲ୍ଲେଖ ଅଛି- ଏ ବ୍ରାହ୍ମଣ ସେବକ ଏବଂ ବ୍ରତ ପରେ ସାବାଳକ ହେଲେ ସେବା କରନ୍ତି। ସେବାର ଅନ୍ୟ ନିୟମ ରୂପେ କୁହାଯାଇଛି- ଏହା ଦୈନିକ ସେବା ନୁହେଁ। ମନ୍ଦିର ଭିତରେ ପର୍ବପର୍ବାଣୀରେ ଯେତେ ବିଜେ ହୁଏ, ଏ ସେବକ ଚାନ୍ଦୁଆ ବାନ୍ଧନ୍ତି। ଗୁରୁବାର ଦିନ ଲକ୍ଷ୍ମୀ ମାଜଣା ମଣ୍ଡପରେ, ଜଳକ୍ରୀଡ଼ା ମଣ୍ଡପ ଓ ଅଧିବାସ ସମସ୍ତରେ, ଏବଂ ଭୋଗମଣ୍ଡପରେ ଚାନ୍ଦୁଆ ବାନ୍ଧନ୍ତି। ଆଶ୍ୱିନ ଗୁଣ୍ଡିଚାରେ ତଥା ଦଶହରାର ଶ୍ରୀଦୁର୍ଗାମାଧବଙ୍କ ରଥରେ, ରାଜେନ୍ଦ୍ରାଭିଷେକ ଓ ରୁକ୍ମିଣୀ ବିବାହରେ ରଥମଣ୍ଡଣି କରନ୍ତି। ବାହାର ଚନ୍ଦନ ଯାତ୍ରାର ୨୧ ଦିନଯାକ ଚନ୍ଦନ ଚକଡ଼ାଠାରେ ତିନି ପାଣିକୁଣ୍ଡରେ ପାଣି ଭରିବା ମଧ୍ୟ ଏହାଙ୍କର ସେବା।
ତେବେ ରଥଯାତ୍ରା ସଂକ୍ରାନ୍ତରେ ଏହାଙ୍କର ଗୁରୁତ୍ଵପୂର୍ଣ୍ଣ ସେବା ହେଉଛି- ଅଣସର ସମୟରେ ଅଣସର ତାଟିଠାରେ ଯେଉଁ ଚିତ୍ରପଟି (ପଟିଦିଅଁ) ପୂଜା ପାଆନ୍ତି, ଅଣସର ତାଟି ଫିଟିଲେ ସେହି ପଟିଦିଅଁଙ୍କୁ ଆଣି ଏହି ସେବକ ମଣ୍ଡଣି ଘରେ ରଖନ୍ତି। ମଣ୍ଡଣି ଘରଠାରେ ବିଜେ ଠାକୁରଙ୍କୁ ପୂଜା ମଧ୍ୟ ଏ ସେବକ କରିଥାନ୍ତି। ସେଠାରେ ସାଇତା ସାମଗ୍ରୀ ଏହାଙ୍କ ଜିମାରେ ରହେ। ପ୍ରତିବର୍ଷ ରଥଯାତ୍ରାରେ କୋଠସୁଆଁସିଆ ସେବକଙ୍କ ସହଯୋଗରେ ରଥମଣ୍ଡଣି ଏହି ସେବକଙ୍କରଏକ ପ୍ରମୁଖ କାମ।
-ଅସିତ ମହାନ୍ତି