ଜଉଶାଳ ନାୟକ ଓ ମହଣ ପାଗିଆ ନାୟକ

ସଦାଶିବ ରଥଶର୍ମାଙ୍କ ରଥସେବା ବିବରଣୀରେ ‘ଜଉଶାଳ ନାୟକ’ ଓ ‘ମହଣପାଗିଆ ନାୟକ’ ନାମରେ ଦୁଇଟି ସେବାର ଉଲ୍ଲେଖ ଅଛି। ତାଙ୍କ ତାଲିକାରେ ଏ ଉଭୟ ସେବାର କ୍ରମ ଯଥାକ୍ରମେ ୧୯ ଓ ୩୯। ଅନ୍ୟ ବିବରଣୀରେ ଏହାକୁ ‘ଜଉଶାଳିଆ’ ଓ ‘ମହଣିଆ’ ବୋଲି କୁହାଯାଇଛି। ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ ଯେ ‘ମହଣ’ ହେଉଛି ‘ମହମ’ର ଏକ ଲୋକକଥିତ ଶବ୍ଦାନ୍ତର। ବିଭିନ୍ନ ସୂଚୀ ଅନୁସାରେ ଏହି ଦୁଇ ସେବାର ବିବରଣୀ ଏହିପରି-

୨୭, ଜଉଶାଳ ନାୟକ ବା ଜଉଶାଳିଆ: ଶ୍ରୀ ରଥଶର୍ମାଙ୍କ ବିବରଣୀ ଅନୁସାରେ ଏ ସେବକ ‘‘ଅରମାନଙ୍କରେ ଜଉଶାଳ ଫରୁଆମୁଣ୍ଡି ଖଞ୍ଜନ୍ତି, ରଙ୍ଗ କରନ୍ତି ଜଉ ଓ ରଙ୍ଗରେ।’’ ଏ ସଂପର୍କରେ ଅନ୍ୟ ଗୋଟିଏ ବିବରଣୀରେ କୁହାଯାଇଛି- ମଣ୍ଡଣି ସେବକମାନେ ରଥର ବିଭିନ୍ନ ଆଳଙ୍କାରିକ ସାଜସଜ୍ଜା କରୁଥିବାବେଳେ ଏହି ଜଉଶାଳିଆମାନେ ରଥର କାଠ, ଅର ଓ ଫରୁଆ ଗୁଡ଼ିକରେ ଜଉଶାଳ ରଙ୍ଗ ଦେଉଥିଲେ।

କିନ୍ତୁ ଏବେ ଚିତ୍ରକାରମାନେ ରଥର ରଙ୍ଗକାମ କରୁଛନ୍ତି ଏବଂ ଏ ସେବା ନାହିଁ।

୨୮. ମହଣ ପାଗିଆ ନାୟକ ବା ମହଣିଆ: ଶ୍ରୀ ରଥଶର୍ମାଙ୍କ ବିବରଣୀ ଅନୁସାରେ ଏ ସେବକ ରଥ କନକ ମୁଣ୍ଡାଇରେ ମହଣ ଝୁଣା ବୋଳି ପାଣି ନଗଳିବାପରି ପ୍ରସ୍ତୁତ କରନ୍ତି। ନାଲି କନାରେ ମହଣ ବୋଳି ଗିଲାପ ପ୍ରସ୍ତୁତ କରନ୍ତି।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଶ୍ରୀମନ୍ଦିର ପରିଭାଷାରେ ‘ଗିଲାପ’ ହେଉଛି ଶ୍ରୀଜିଉଙ୍କର ଏକ ବସ୍ତ୍ର ବିଶେଷ। ଏହା ଲାଲ ରଙ୍ଗ କନାର ଏକ ଆଚ୍ଛାଦନ। ସେହିପରି ‘କନକ ମୁଣ୍ଡାଇ’ ହେଉଛି, ‘କନକ ମଣ୍ଡପ’ ଶବ୍ଦର ଏକ ପରିଭାଷା। ଏହା ରଥର ଗମ୍ଭୀରା ବା ଗର୍ଭଗୃହ ଭିତରେ, ଶ୍ରୀ ବିଗ୍ରହଙ୍କ ଉପରେ ନିର୍ମିତ କାଠର ମଣ୍ଡପ। ପାରମ୍ପରିକ ବ୍ୟବସ୍ଥା ଅନୁସାରେ, ଏହି କନକ ମୁଣ୍ଡାଇର ଯୋଡ଼ଗୁଡ଼ିକର ସ୍ଥାନରେ ଅଠା ଲଗାଇଦେଲେ ରଥଯାତ୍ରା ସମୟରେ ବର୍ଷା ହେଲେ ଯୋଡ଼ସ୍ଥାନ ଦେଇ ଆଉ ବର୍ଷାପାଣି ଗଳି ନଥାଏ। ସେଥିପାଇଁ ମହଣପାଗିଆ ନାୟକ ବା ମହଣିଆ, ମହମ ଓ ଝୁଣା ଆଦିର ସଂମିଶ୍ରଣରେ ସ୍ୱତନ୍ତ୍ର ଧରଣର ଏକ ପ୍ରକାର ଅଠା ପ୍ରସ୍ତୁତ କରି କନକ ମୁଣ୍ଡାଇର ଯୋଡ଼ ସ୍ଥାନରେ ଲେପ ଦେଇଥାଆନ୍ତି। ଫଳରେ ଏହା ବର୍ଷାଜଳରୁ ଶ୍ରୀବିଗ୍ରହମାନଙ୍କୁ ତଥା ରଥର ଗର୍ଭଗୃହକୁ ସୁରକ୍ଷିତ ରଖିଥାଏ।

ଏ ଦୁଇସେବା ସଂପର୍କରେ ଜଗବନ୍ଧୁ ସିଂହଙ୍କ ‘ପ୍ରାଚୀନ ଉତ୍କଳ’ରେ ମଧ୍ୟ ଉଲ୍ଲେଖ ରହିଛି। ‘ଜଉଶାଳିଆ’ ବାବଦରେ ସେ ଲେଖିଛନ୍ତି- ‘‘କାଠି, ଅର, ଫରୁଆରେ ଜଉଶାଳା ରଙ୍ଗ ଦିଅନ୍ତି। ସେହିପରି ‘ମହଣପାଗିଆ ନାୟକ’ ବାବଦରେ ସେ ଲେଖିଛନ୍ତି- ‘‘ରଥର କନକମୁଣ୍ଡାଇରୁ ପାଣି ନଯୋଗାଇବାପାଇଁ ନାଭିକନାରେ ମହଣ, ଝୁଣା ଗିଲାପ ଦେଇଥାଆନ୍ତି।’’

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର