ପାଟଡୋରି ନାୟକ ବା ପାଟରା ବିଷୋଇ ସେବା

ଶ୍ରୀମନ୍ଦିର ସ୍ୱତ୍ଵଲିପିର କ୍ରମ-୯୩ରେ ଯେଉଁ ସେବାକୁ ‘ପାଟରା ବିଷୋଇ’ ବୋଲି କୁହାଯାଇଛି, ଶ୍ରୀ ରଥଶର୍ମାଙ୍କ ରଥସେବା ବିବରଣୀରେ ତାହା ‘ପ୍ରଭୁଙ୍କ ଡୋରି ପାଟର ନାୟକ’ ଏବଂ ଅନ୍ୟାନ୍ୟ ବିବରଣୀରେ ତାହା ‘ପାଟଡୋରି ନାୟକ’ ବୋଲି ଉଲ୍ଲେଖ ଅଛି। ରଥଶର୍ମା ଏହାର ବିବରଣୀ ଦେଇ ‘‘ଏମାନେ ଅହ୍ମୁଣିଆ ଲାଗି ଡୋରି ପଇତା ବଳନ୍ତି’’ ବୋଲି କହିଥିଲେ ମଧ୍ୟ, ସ୍ୱତ୍ଵଲିପି ଅନୁସାରେ ଏହି ସେବା ଅତ୍ୟନ୍ତ ବ୍ୟାପକ। ଏହାଙ୍କୁ ରଥ-ଛତିଶା ନିଯୋଗର କ୍ରମ-୩୦ରେ ସ୍ଥାନିତ କରାଯାଇପାରିବ।

୩୦. ପାଟଡୋରି ନାୟକ ବା ପାଟରା ବିଷୋଇ ସେବା: ସ୍ୱତ୍ଵଲିପିରେ ଏହି ସେବକଙ୍କ ସେବାକୁ ଦୁଇଭାଗରେ ବିଭକ୍ତ କରାଯାଇଛି। ୧. ଦୈନିକ ସେବା ଓ ୨. ଅଣସର ଓ ମହାଅଣସର ସେବା। ଏଥିରୁ ‘ଦୈନିକ ସେବା’ ଭିତରେ ଅନ୍ତର୍ଭୁକ୍ତ ହୋଇଛି ବିଭିନ୍ନ ମାସର ସ୍ୱତନ୍ତ୍ର ସେବା। ମାର୍ଗଶିରର ଓଢ଼ଣ ଷଷ୍ଠୀ ସଜ, ପୌଷମାସର ପୁଷ୍ୟାଭିଷେକ ଓ ମାଘମାସରେ ମକରପାଇଁ ପାଟଫୁଲି, ତିଳ ସପ୍ତମୀରେ ସୂର୍ଯ୍ୟଙ୍କ ରୁନ୍ଧାପାଇଁ ଡୋରି, ବସନ୍ତ ପଞ୍ଚମୀର କୁସୁମୀ ସଜର ରଙ୍ଗକାମ, ବୈଶାଖର ଚନ୍ଦନଯାତ୍ରାପାଇଁ ମଦନମୋହନଙ୍କ ପାଟଡୋରି, ଶ୍ରାବଣ ମାସର ରାକ୍ଷୀପୂର୍ଣ୍ଣିିମାପାଇଁ ଠାକୁରଙ୍କ ରାକ୍ଷୀଡୋର, ଭାଦ୍ରବ ମାସର ରେଖାପଞ୍ଚମୀପାଇଁ ରାହୁରେଖା ସାଜ, ବନଭୋଜି ବେଶର ପାଟଶିକା, କୃଷ୍ଣବେଶର ରୁନ୍ଧା ଏବଂ ବାମନ ଜନ୍ମର ଅଧିବାସ ସାମଗ୍ରୀ ଓ ଆଶ୍ୱିନ ମାସର ଷୋଳପୂଜା ଅବସରରେ ଦେବୀ ବିମଳାଙ୍କ ‘ଝୋବା’ (କଟି ଦେଶର ସୁନା ଝୁମ୍ପା ଲଗା ଅଳଙ୍କାର ବିଶେଷ) ଉଲ୍ଲେଖନୀୟ।

ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ ଯେ ବସନ୍ତ ପଞ୍ଚମୀର ‘କୁସୁମୀ’ ସଜ ରଙ୍ଗ କରିବାପରି, ଏହି ସେବକ ‘ଆଲଟ’ ଲାଗି ଲୁଗା ଏବଂ ବିଜେ ମାନଙ୍କରେ ଦରକାର ହେଉଥିବା ଲୁଗା ରଙ୍ଗ କରନ୍ତି। ଏହା ବ୍ୟତୀତ ଲକ୍ଷ୍ମୀ ଓ ମଦନମୋହନ ଆଦି ଠାକୁରମାନଙ୍କର ମାଳ ଛିଣ୍ଡିଗଲେ ଗୁନ୍ଥନ୍ତି।

ଏହି ସେବକଙ୍କର ଅଣସର ଓ ମହାଅଣସର ସଂକ୍ରାନ୍ତ ସେବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ସ୍ୱତ୍ଵଲିପି ଅନୁସାରେ, ଅଣସର ଓ ମହାଅଣସରର ସମସ୍ତ ପାଟକାମ, ଯଥା- ଘଣା, ଅଧା, ଚଉଠା, ପଇତା, ବାଇଶି ହାତିଆ ଆଦି ଏ ସେବକ ତିଆରି କରନ୍ତି। ଅଣସର (ସାଧାରଣ ବର୍ଷର ଗୁପ୍ତସେବା)ରେ ପ୍ରାୟ ୨୦ ସେର ପାଟକାମ ଲାଗୁଥିବାବେଳେ, ମହାଅଣସର (ନବକଳେବର ବର୍ଷର ଗୁପ୍ତସେବା)ରେ ୧୨ମହଣ ପାଟକାମ ଲାଗିଥାଏ ବୋଲି ମଧ୍ୟ ସ୍ୱତ୍ଵଲିପିରେ ସୂଚିତ ଅଛି।

ଏ ପ୍ରସଙ୍ଗରେ ପ୍ରତିବର୍ଷର ରଥଯାତ୍ରାର ପହଣ୍ଡିପାଇଁ ସେନାପଟାଲାଗିର ବସ୍ତ୍ର, ବିଶେଷ ଉଲ୍ଲେଖ ଦାବି କରେ। ବସନ୍ତ ପଞ୍ଚମୀର ‘କୁସୁମୀ’ ପରି ସେନାପଟା ଲାଗିରେ ମଧ୍ୟ ‘କୁସୁମୀ’ ଆବଶ୍ୟକ ହୋଇଥାଏ। ଏହି ‘କୁସୁମୀ’ ହେଉଛି ଗୋଲାପି ରଙ୍ଗର ସୂତାବସ୍ତ୍ର। ପାଟରା ବିଷୋଇ ସେବକ ଏହି ‘କୁସୁମୀ’ ପ୍ରସ୍ତୁତ କରି ଦେଇଥାଆନ୍ତି। ସେନାପଟା ଲାଗିରେ ଏହି ବସ୍ତ୍ରକୁ ଶ୍ରୀଅଙ୍ଗ ସାରା ଗୁଡ଼ାଇ ଧଳାକନାର ଡୋରରେ ଛକ ପକାଇ ଦିଆଯାଏ। ଏହା ଶ୍ରୀଅଙ୍ଗର ସୁରକ୍ଷାପାଇଁ ସାଞ୍ଜୁ ପରି କାମ କରେ। ଆଷାଢ଼ ଅମାବାସ୍ୟାରେ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବର ଶୁକ୍ଳ ସଜ ଶ୍ରୀଜୀଉଙ୍କୁ ଲାଗି ହୁଏ। ସେଥିରେ ମଧ୍ୟ ଛଅଖଣ୍ଡ କୁସୁମୀଚାଦର ରହିଥାଏ ବୋଲି ସ୍ୱତ୍ଵଲିପିରେ ଉଲ୍ଲେଖ ଅଛି।

ଏସବୁ ବ୍ୟତୀତ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ପହଣ୍ଡିର ପାଟଡୋର ମଧ୍ୟ ଏହି ସେବକ ପ୍ରସ୍ତୁତ କରି ଯୋଗାଇଥାଆନ୍ତି। ତେଣୁ ଏହି ‘ପାଟରା ବିଷୋଇ’ ସେବକଙ୍କୁ ‘ପାଟଡୋରି ନାୟକ’ କୁହାଯାଇଛି।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର